ସ୍ନେହ କାଙ୍ଗାଳ
ସ୍ନେହ କାଙ୍ଗାଳ
ନିଜ ପିତୃ ମାତୃ ଦତ୍ତ ନାମଟି ସେ ସେଇଦିନ ଜାଣିଲା ଯୋଉଦିନ ବାପା ମାଛ ଧରୁ ଧରୁ ସମୁଦ୍ର ଢେଉରେ ସମୁଦ୍ର ଭିତରକୁ ପଶି ଯାଉ ଯାଉ ବୋଉ ତାଙ୍କୁ ରକ୍ଷା କରିବା ପାଇଁ ଜାଲର ଆଉ ଗୋଟିଏ ମୁଣ୍ଡ ଧରି ବାପାଙ୍କ ସହ ଡୁବି ଗଲାବେଳେ ମଧ୍ୟ ବାପା କହୁଥିଲେ ଧନ ଉପରକୁ ଯାଆ ଭାରି, ବୋଉ କହୁଥିଲା ମୋ ସୁନା ତୁ ପାରିବୁନି ଧନ.l ସତରେ ସେ ପାରି ନଥିଲା କି ବାପା ବୋଉ ସହ ମାଛଧରା ଜାଲ ଫେରିନଥିଲା.l ସେଇଠି ସେମିତି ରାତି ସାରା ବସିରହି ବାପା ବୋଉଙ୍କ ଫେରିବାକୁ ଚାହିଁରହିଥିଲେ ବି କେହି ଫେରିନଥିଲେ.l ସମୁଦ୍ର ମାଆ କୁ କେତେ ମୁଣ୍ଡିଆ ମାରିଥିଲେ ବି ନୁହେଁ.l
ସକାଳୁ ସକାଳୁ ତାଙ୍କ ବସ୍ତିର ସ୍ତ୍ରୀ, ପୁରୁଷ ମାନେ ଘେରିଯାଇ ତାକୁ ଯେବେ ରାଜୁ ଉଠ ଘରକୁ ଯାଆ କହୁଥିଲେ, ତା କାନରେ ଗୁଞ୍ଜରିତ ହେଉଥିଲା ମୋ ଧନ ମୋ ସୁନା, ଫେରିଯା. I ହେଲେ ଘର ତ ନୁହେଁ ମୁଣ୍ଡ ଗୁଞ୍ଜିବାକୁ ତାଳ ବରଡ଼ା ଥୁଆ ମାଟି କାନ୍ଥକୁ ଆଉଜି ରାଜୁ ଦେଖୁଥିଲା ବାପା ବୋଉ ଅଧା ପେଟ ଖାଇ ତାକୁ ପୁରା ପେଟ ଖାଇବାକୁ ଦେଉଥିଲେ, ସେ ପୋକ ଲଗା ଅଟା ଚକୁଳି ହେଉ ବା ଖୁଦ ଯାଉ ସଙ୍ଗେ ପୋଡା ମାଛ.l ସେଦିନ ମାଛ ପୋଡୁ ପୋଡୁ ତାଳ ବରଡାରେ ନିଆଁ ଧରୁ ଧରୁ ତାକୁ ନଲିଭେଇ ବାପା ଆଗ ମୋ ପୁଅ କହି ଭିଡି ନେଇଥିଲା ବାହାରକୁ ଆଉ ବୋଉ ଦେହରୁ ଝାଡ଼ି ଦେଉଥିଲା ପାଉଁଶ. ସେହି ପାଉଁଶ ନିଆଁରେ ବୋଉର ପଣତ ପୋଡି ଯାଇଥିଲେ ବି ସେଥିକି ତାର ଖାତିରି ନଥିଲା, ଥିଲା ଯେତିକି ତା ପାଇଁ
ସାଇ ପଡିଶା ସବୁ ତା ପରିବାର ଭଳି ଅଭାବି.l ଜୀବନକୁ ପାଣି ଛଡେଇ ମାଛ ମାରି,ବିକିଲେ ସଂସାର ଚାଲିବ.l କୋଉ ଦିନ ପୋଲିସର ଜୁଲମ ତ କୋଉ ଦିନ ଗୁଣ୍ଡାଙ୍କ ଅଦଉତି. ଯିଏ ଦୟା କରି ଦେଲେ ଖାଏ ନହେଲେ ସେମିତି ସମୁଦ୍ରକୁ ଅନେଇ ପଡିଥାଏ.l
ସେଦିନ ପେଟ ଜଳୁଥିଲା ରାଜୁର, ଆଗରେ ବାପା ମାଆ ସହ ଭାଇ ଭଉଣୀ ବେଲୁନ ଧରି ଖେଳୁ ଖେଳୁ ଚାଲିଗଲେ ସମୁଦ୍ରକୁ. ଡେଇଁ ପଡିଲା ରାଜୁ l ତାକୁ ଖାଲି ଶୁଭୁଥାଏ ମୋ ସୁନା ମୋ ଧନ l ଦୁଇ ବାହୁରେ ଉଠେଇ ଆଣିଲା ପିଲା ଦୁହିଁଙ୍କୁ l ବାପା ତାର ଶହେ ଟଙ୍କା ଦେଲେ ଯାହାକୁ ସେ ପ୍ରଥମ କରି ଦେଖିଲା, ଆଉ ଅଚେତ ହୋଇ ପଡୁ ପଡୁ ଖାଇବାକୁ ମାଗୁଥିଲା.l
ସେଦିନ ପରଠୁ ସେ ବାବୁ ମାଆଙ୍କ ଘରେ ରହୁଥିଲା.l ପାଠ ପଢିଲା. I ସାନ ଭାଇଭଉଣୀ ବଡ଼ ହୋଇ ବଡ଼ ଚାକିରୀ କରି ବିଦେଶରେ ରହିଲେ ରାଜୁ କିନ୍ତୁ ଫେରି ପାଇଥିବା ବାପା ମାଙ୍କୁ ଛାଡ଼ି କୁଆଡେ ଗଲାନି.l ଶିକ୍ଷକ ଟିଏ ହୋଇ ବାପା ମାଆଙ୍କର ଖୁବ ସେବା କଲା ପତ୍ନୀ ସହ l ଏମିତିକି ମୁଖାଗ୍ନି ମଧ୍ୟ ରାଜୁ ଦେଇଥିଲା l