ସମୁଦ୍ର ମନ୍ଥନ
ସମୁଦ୍ର ମନ୍ଥନ
ପିଲା ମନ, ଅବୁଝା ବୟସ ।
ମୋତେ ପାଞ୍ଚ ବର୍ଷ ।
ମୋ ଅଭାଇଙ୍କ ବାହାଘର ହେଲା । ରବି ଭାଇଙ୍କୁ ମୁଁ ଅଭାଇ ଡ଼ାକେ । ଟିକି ନଣନ୍ଦ ସବାରି ଭିତରେ ଭାଉଜ ସହ ତାଙ୍କ ଘରକୁ ଯାଆନ୍ତି କାଳେ । ସବାରି ତ ମୁଁ ଦେଖି ନାହିଁ ସତରେ; ଦେଖିଛି କିନ୍ତୁ ଚିତ୍ରରେ ।
ଭାଉଜଙ୍କ ସହ କାରରେ ତାଙ୍କ ଘରକୁ ଗଲି । ତାଙ୍କ ଘର କାନ୍ଥରେ ଗୁଡିଏ କ୍ୟାଲେଣ୍ଡର ଲାଗିଥାଏ । ସେଗୁଡିକ ବିଭିନ୍ନ ଠାକୁର ଠାକୁରାଣୀଙ୍କର । କେଉଁଠୁ ସଂଗ୍ରହ କରିଥାନ୍ତି କେଜାଣି;ବହୁତି ସୁନ୍ଦର ଫୋଟୋଗୁଡିକ । ମୋତେ ଖୁବ୍ ଖୁସି ଲାଗିଲା । ସବୁ ଗୁଡିକ ଗୋଟି ଗୋଟି ନିରୀକ୍ଷଣ କଲି । ଭାଉଜଙ୍କୁ ସବୁ ଫୋଟୋ ବିଷୟରେ ପଚାରୁଥାଏ ।
ଗୋଟିଏ ଜାଗାରେ ଅଟକି ଗଲା ମୋ ଆଖି ବହୁ ସମୟ । ଗୋଟିଏ ସାପ ଗୁଡା ହୋଇଛି କଳା ପରି ଗୋଟେ ମୋଟା ଖୁଣ୍ଟ କି କଣ କେଜାଣି ତା ଦେହରେ । ଲାଞ୍ଜ ପଟ ଧରିଛନ୍ତି ଦେବ ଗଣ । ମୁହଁ ପଟ ଧରିଛନ୍ତି ଗୁଡାଏ ରାକ୍ଷସ ।
ମୋର ତ ପ୍ରଶ୍ନ ପଚାରି ବେହାଲ କରିବା ଅଭ୍ୟାସ । ମୋ ଭିତରେ ଜାଣିବା ଇଚ୍ଛା ଜାଗ୍ରତ ହେଲେ ନ ବୁଝିବା ଯାଏ ଛାଡେନି ଯିଏ ଥାଆନ୍ତି ମୋ ପାଖରେରେ । ଭାଉଜଙ୍କୁ ପଚାରିଲି:
ଏ କଣ ଭାଉଜ?
ସମୁଦ୍ର ମନ୍ଥନ ଫୋଟୋ ।
ସମୁଦ୍ର ମନ୍ଥନ !
ହଁ ଦହି ଯେମିତି ମାଆ ମନ୍ଥନ୍ତି । ଦହିରୁ ଲହୁଣୀ, ଲହୁଣୀରୁ ଘିଅ ବାହାରେ । ଦେଖିଛ ନା ମାଆ ଦହି ମୋହିବା ବା ଗୋଳେଇବା ।
ହଁ ତ । କିନ୍ତୁ ସେ ସିନା ଛୋଟ ଦହିଁ ମୁହାଁରେ ଗୋଳାନ୍ତି !
ସମୁଦ୍ର ବା ଭାରି ବଡ଼ । ତାକୁ କେମିତି ଗୋଳେଇ ହେବ!
ହେଉ ଶୁଣ ।
ମୋ ପ୍ରିୟ ଭାଉଜ ହୃଦଘାତରେ ଖୁବ୍ କମ୍ ବୟସରେ ମରିଗଲେ । କିନ୍ତୁ ସେ ଯାହା କହିଥିଲେ ମୋର ଅଦ୍ୟାବଧି ସ୍ପଷ୍ଟ ଭାବେ ମନ ରହିଛି ।
ଥରେ ଭଗବାନ ବିଷ୍ଣୁ ଦେବତାମାନଙ୍କୁ ସମୁଦ୍ର ମନ୍ଥନ କରିବାକୁ କହିଲେ । କିନ୍ତୁ ସମସ୍ୟା ହେଲା ଏତେ ବଡ଼ ସମୁଦ୍ର ମନ୍ଥନ କେମିତି ସମ୍ଭବ! କିଏ ମନ୍ଥିବେ ।
ଖୁଆ କିଏ ହେବ !
କିଏ ହେବ ଖୁଆ ଦଉଡ଼ି !
ବିଷ୍ଣୁ ଟିକେ ହସିଲେ ଏବଂ କହିଲେ, ଲକ୍ଷ୍ୟ ସ୍ଥିର ରଖି ପ୍ରାପ୍ତି ନିମନ୍ତେ ଏକାଗ୍ର ଚିତ୍ତରେ ଉଦ୍ୟମ ଓ ଯୋଜନା କଲେ ଯେ କୌଣସି ସମସ୍ୟାର ସମାଧାନ ନିଶ୍ଚିନ୍ତ ହୋଇ ପାରିବ ।
ଖୋଜିଲେ ସିନା ପାଇବ !
କିନ୍ତୁ ଏ ଯେ ଅସମ୍ଭବ ମନେ ହେଉଛି ।
ଅସମ୍ଭବ! କିଛି ଅସମ୍ଭବ ଅଛି! ପୁଣି ତୁମେ ମାନେ ଦେବତା !
ବିଷ୍ଣୁ କହିଲେ ମନ୍ଦର ପର୍ବତକୁ ଖୁଆ କର ।
ନାଗରାଜ ବାସୁକୀକୁ ଖୁଆ ଦଉଡ଼ି କର ।
ଦେବତା ମାନେ ଅସୁରମାନଙ୍କ ସହ ସନ୍ଧି କଲେ । ଦୁଇ ଦଳ ହୋଇ ସମୁଦ୍ର ମନ୍ଥନ କରିବା ।
ଏଣୁ ସମସ୍ତ ଦୈତ୍ୟ ଓ ସମସ୍ତ ଦେବଗଣ ଏକାଠି ହେଲେ । ହହି ମନ୍ଥିଲେ ଲହୁଣୀ ବାହାରେ । ସମୁଦ୍ର ମନ୍ଥିଲେ ନିଶ୍ଚିନ୍ତ ଅମୃତ ବାହାରିବ । ଅମୃତ ଖାଇଲେ ଅମରତ୍ୱ ଲାଭ ହେବ । ରୋଗ, ଶୋକ, ଜରା,ବ୍ୟାଧି କିଛି ଛୁଇଁବନି ।
ସବୁ ଠିକ୍ ହୋଇଗଲା । ମନ୍ଦର ପର୍ବତ ସମୁଦ୍ର ମଧ୍ୟରେ ରଖାଗଲା । ବାସୁକୀ ମନ୍ଦର ପର୍ବତରେ ଗୁଡା ଗଲା । ଦେବତା ମାନେ ସାଙ୍ଗେ ସାଙ୍ଗେ ବାସୁକୀ ମୁହଁ ପାଖେ ଠିଆ ହୋଇ ଗଲେ । ଦୈତ୍ୟମାନେ ଏହା ଦେଖି ବିରକ୍ତ ହୋଇ କହିଲେ, "ତୁମେ ମାନେ ମୁଣ୍ଡ ପାଖରେ ରହିବ ଆଉ ଆମେ ରହିବୁ ଲାଞ୍ଜ ପାଖେ!କାହିଁକି ନା ତୁମେ ଦେବତା: ବଡ଼, ଆମେ ଦାନବ: ସାନ!
ବିଷ୍ଣୁ କହିଲେ, ଠିକ୍ ଅଛି ଆମେ ଲାଞ୍ଜ ପାଖକୁ ଯାଉଛୁ । ପ୍ରକୃତରେ ବିଷ୍ଣୁ ଏହା ହିଁ ଚାହୁଁଥିଲେ । ସେ ଜାଣିଥିଲେ ଦାନବମାନଙ୍କ ପ୍ରକୃତି । ଦେବତା ମାନେ ପ୍ରଥମେ ଯାହା କରିବେ ସେମାନେ ସେଇଟା ଭଲ ଭାବି ତାକୁ ହିଁ କରିବାକୁ ହଟ କରିବେ । ତେଣୁ ଜାଣିଶୁଣି ବିଷ୍ଣୁ ମୁଣ୍ଡ ପାଖେ ଦେବତା ମାନଙ୍କ ସହ ଠିଆ ହୋଇଥିଲେ ଆଗ । ସେ ଆହୁରି ଜାଣିଥିଲେ,ବାସୁକୀ ଲାଞ୍ଜ ପଟ ଶୀତଳ ମାତ୍ର ତାର ମୁହଁରେ ବିଷ ଅଛି । ଯେଉଁମାନେ ମୁହଁ ପଟେ ରହିବେ ବିଷ ଜ୍ୱାଳାରେ ଛଟପଟ ହେବେ ।
ସମୁଦ୍ର ମନ୍ଥନ ବେଳେ ଆଉ ଗୋଟେ ଅସୁବିଧା ହେଲା । ମନ୍ଦର ପର୍ବତଟି ଓଜନିଆଁ ହେତୁ ସମୁଦ୍ରରେ ଗଳି ପଡ଼ିଲା ।
ପୁଣି କେମିତି ଉଠିଲା ଭାଉଜ?
ଭଗବାନ ବିଷ୍ଣୁ କଚ୍ଛପ ରୂପ ଧାରଣ କରି ସମୁଦ୍ର ଭିତରେ ମନ୍ଦର ପର୍ବତ ତଳେ ରହିଲେ । ତାଙ୍କ ପିଠି ଉପରେ ମନ୍ଦର ପର୍ବତ ରଖି ଦେବତା ଓ ଅସୁର ମାନେ ସମୁଦ୍ର ମନ୍ଥନ କଲେ ।
ସମୁଦ୍ର ମନ୍ଥନରୁ ପ୍ରଥମେ ଖାଲି ବିଷ ବାହାରି ବିଶ୍ୱକୁ ବ୍ୟାପିଗଲା । ଦେବତା ମାନଙ୍କ ଭାଳେଣି ପଡିଲା । ଏହି ବିପଦରୁ ରକ୍ଷା ପାଇବା ପାଇଁ ଦେବ ଦେବ ମହାଦେବଙ୍କୁ ସମସ୍ତେ ପ୍ରାର୍ଥନା କଲେ । ମହାଦେବ ଜଗତ କଲ୍ୟାଣ ପାଇଁ ସମସ୍ତ ବିଷ ପାନ କଲେ । ସେଇଦିନୁ ତାଙ୍କ ନାମ ନୀଳକଣ୍ଠ ହେଲା ।
ତାପରେ ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ, କୌସ୍ତୁଭ ମଣି, କାମଧେନୁ, ପାରିଜାତ ପୁଷ୍ପ, ଦେବୀ ଲକ୍ଷ୍ମୀ, ଅପ୍ସରା ରମ୍ଭା, କଳ୍ପତରୁ ବୃକ୍ଷ, ବାରୁଣୀ ଦେବୀ, ପଞ୍ଚଜନ୍ୟ ଶଙ୍ଖ, ଚନ୍ଦ୍ର, ବୈଦ୍ୟ ଧନନ୍ତ୍ୱରୀ ଆଦି ମୂଲ୍ୟବାନ ଜିନିଷ ବାହାରିଲା ।
ଉଚ୍ଚୈଶ୍ରବା ଅଶ୍ୱ ବଳି ରାଜା ନେଲେ । କେହି କେହି କୁହନ୍ତି ଉଚ୍ଚୈଶ୍ରବା ସ୍ଵର୍ଗରେ ରହିଲା ।
ଐରାବତକୁ ଇନ୍ଦ୍ରଙ୍କୁ ଦିଆଗଲା ।
ପାରିଜାତ ପୁଷ୍ପ ଦେବ ଲୋକ ନନ୍ଦନକାନନରେ ରହିଲା ।
କୌସ୍ତୁଭ ମଣି,ପଞ୍ଚଜନ୍ୟ ଓ ଲକ୍ଷ୍ମୀଙ୍କୁ ଵିଷ୍ଣୁଙ୍କୁ ଦିଆଗଲା ।
ଲକ୍ଷ୍ମୀ ଠାକୁରାଣୀ ଶ୍ରୀ ଓ ସୌଭାଗ୍ୟର ପ୍ରତୀକ । ଲକ୍ଷ୍ମୀ ଜଗତମାତା । ଲକ୍ଷ୍ମୀ ଦେବୀ ଓ ଚନ୍ଦ୍ର ସମୁଦ୍ରରୁ ବହାରିଥିବାରୁ ସମ୍ପର୍କରେ ଭଉଣୀ ଭାଇ । ଲକ୍ଷ୍ମୀ ଆମ ମାଆ ଓ ଚନ୍ଦ୍ର ଆମ ମାମୁଁ ।
କାମଧେନୁକୁ ବ୍ରହ୍ମା ମହିର୍ଷ ବଶିଷ୍ଠ ଙ୍କୁ ଦେଲେ ।
ଅପ୍ସରା ରମ୍ଭା ଦେବରାଜ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ପରିବେଷଣ ଲାଗି ରହିଲେ ।
ଚନ୍ଦ୍ର ମହାଦେବଙ୍କ ମୁଣ୍ଡରେ ରହିଲେ ।
ସ୍ୱର୍ଗ ବୈଦ୍ୟ ଧନ୍ୱନ୍ତରୀ ହୋଇ ରହିଲେ । ପ୍ରାୟତଃ ସବୁ ଜିନିଷ ସ୍ୱର୍ଗ ଓ ଦେବତାମାନେ ନେଲେ ।
ଯେଉଁ ଆଶାରେ ସମୁଦ୍ର ମନ୍ଥନ ସେଇ ଅମୃତ କଳସୀ ବାହାରିଲା ନାହିଁ ।
ପୁଣି ଯେତେ ବଳ ଥିଲା ଦେବତା ଓ ଅସୁରମାନଙ୍କର ଲଗାଇ ସମୁଦ୍ର ମନ୍ଥନ କଲେ । ଶେଷରେ ବାହାରିଲା ଅମୃତ ଭାଣ୍ଡ ।
ଅମୃତଭାଣ୍ଡକୁ ଦେଖି ଅସୁର ଓ ଦେବତା ମାନେ ନେବା ପାଇଁ ଟଣା ଓଟରା କଲେ । ମାତ୍ର ଅସୁରମାନଙ୍କ ହାତେ ଅମୃତଭାଣ୍ଡ ପଡିଗଲେ ସୃଷ୍ଟି ଧ୍ୱଂସ ହେବା ଥୟ । ଅତ୍ୟାଚାରୀ ରାକ୍ଷସମାନେ ନିର୍ଦ୍ଦୟ, ନିଷ୍ଠୁର । ମାନବ ବ୍ରାହ୍ମଣମାନଙ୍କ ଉପରେ ନୃଶଂସ ପରି ଆକ୍ରମଣ କରନ୍ତି ।
ଏହି ଟଣା ଓଟରା ଭିତରେ ସ୍ୱୟଂ ନାରାୟଣ ମୋହିନୀ ରୂପ ଧରି ଦେବ ଦାନବଙ୍କ ମେଳରେ ପହଞ୍ଚିଲେ । ବିଷ୍ଣୁଙ୍କ ମାୟାରେ ଅସୁରମାନେ ମୋହ ଗ୍ରସ୍ତ ହୋଇଗଲେ । ମୋହିନୀ ଅମୃତଭାଣ୍ଡକୁ ନେଇ କଳି ସମାଧାନ କରିଦେବେ ବୋଲି କହିଲେ । ସେ ଦେବତାମାନେ ଗୋଟିଏ ପଟେ ଓ ଦାନବ ମାନେ ଅନ୍ୟ ପଟେ ଧାଡ଼ି ବାନ୍ଧି ବସିବାକୁ କହିଲେ ।
ମୋହିନୀ କହିବା ମତେ ଦେବ ଓ ଦାନବ ଦୁଇଟି ଅଲଗା ଅଲଗା ଧାଡିକରି ପତ୍ର ପକାଇ ବସିଲେ । ଦେବତା ମାନଙ୍କ ପଟୁ ଜଣ ଜଣଙ୍କୁ ମୋହିନୀ ଅମୃତ ବାଣ୍ଟି ବାଣ୍ଟି ଚାଲିଲେ । ଅସୁର ମାନଙ୍କ ସଙ୍ଗେ ଛଳ ହେଉଛି ଜାଣି ଜଣେ ଅସୁର ଲୁଚିକି ଦେବତାମାନଙ୍କ ଧାଡିରେ ବସି ପଡ଼ିଲା । ଅମୃତ ଦେଉ ଦେଉ ଚଟ୍ କରି ଖାଇଦେଲା ଅସୁରଟି । ଏକଥା ବିଷ୍ଣୁ ଜାଣିପାରି ସୁଦର୍ଶନ ଚକ୍ରରେ ଅସୁର ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ । ସେଇଦିନୁ ଅସୁରଟି ରାହୁ ଓ କେତୁ ନାମରେ ରହିଅଛି ।
ଏହା ମଧ୍ୟରେ ଦେବତାଙ୍କ ଧାଡିରେ ହିଁ ସବୁ ଅମୃତ ସରିଗଲା । ଅସୁରମାନଙ୍କ ପାଇଁ ଆଉ କିଛି ନଥିଲା । ଏହା ଦେବତା ମାନଙ୍କ ଚକ୍ରାନ୍ତ ଭାବି ସେବେ ଠାରୁ ରାକ୍ଷସ ଓ ଦେବତାମାନଙ୍କ ଭିତରେ ଘୋର ଶତ୍ରୁତା ଲାଗି ରହିଲା ।
ଭଲ ଜିନିଷ ଭଲ ଲୋକ ଭାଗରେ ପଡିଲେ ସେ ତାକୁ ଜଗତ କଲ୍ୟାଣରେ ଲଗାନ୍ତି । କିନ୍ତୁ ଦୁଷ୍ଟ ଲୋକ ସେଇ ଜିନିଷର ଅଧିକାରୀ ହେଲେ ତାର ଅପବ୍ୟବହାର କରିଥାନ୍ତି । ଏଣୁ ଅମୃତର ଦେବତା ମାନେ ଖାଇଲେ । ଅସୁରମାନେ ନିରାଶ ହେଲେ ।
ଏଥର ଜାଣିଲ ଏ ଫୋଟୋ କଥା । ଏଇଟି ସମୁଦ୍ର ମନ୍ଥନ ଚିତ୍ର ।
ହଁ ଭାଉଜ । ବଢ଼ିଆ କଥା କହି ମୁଁ ଖୁସି ହୋଇଗଲି ।
ମୋ ଭାଉଜ ଜଣେ ସରଳ ପାଠୋଇ ଓ ଭଲ ମଣିଷ ଥିଲେ । ଭଲ ମଣିଷଙ୍କୁ ଭଗବାନ ବହୁତ ଭଲ ପାଆନ୍ତି । ସେଇଥିପାଇଁ ବୋଧହୁଏ ମୋ ଭାଉଜ ଆଜି ଆକାଶର ତାରା ।
ଆକାଶକୁ ଅନାଇ କୁହେ ତୁମେ କେଉଁ ତାରା ଭାଉଜ !!
ମନଟି ଭୋ ଭୋ ହୁଏ ଭାଉଜ ପାଇଁ ।
