STORYMIRROR

Rajalaxmi Mohanty

Others

3  

Rajalaxmi Mohanty

Others

ସ୍ମୃତି ଏକ ରୂପା ଜହ୍ନ

ସ୍ମୃତି ଏକ ରୂପା ଜହ୍ନ

6 mins
179


   ସହରର ଏକ ନାମୀ ସୋ ରୁମ୍ ରୁ ବାହାରୁ ଥିଲା ସସ୍ତ୍ରୀକ ସୁମିତ୍ ।ଦୁଇଜଣଙ୍କ ହାତରେ ଦୁଇଟି ବଡବଡ ସପିଂ ବ୍ଯାଗ। ଆସନ୍ତା କାଲି ସେମାନଙ୍କ ବାହାଘର କୁ ଦଶ ବର୍ଷ ପୂରିବାକୁ ଯାଉଛି। ବହୁତ କଷ୍ଟରେ ସମୟ ବାହାର କରି ସ୍ତ୍ରୀ ନମିତା ତାକୁ ବାଧ୍ଯ କରି ଆଣିଥିଲା। ପାର୍କିଂ ରୁ ଗାଡି ବାହାର କରି ଦୁଇଜଣ ଉଠିଲେ ମୂଖ୍ଯ ରାସ୍ତା କୁ। ଟିକେ ଅନ୍ୟମନସ୍କ ଲାଗୁଥିଲା ସୁମିତ୍। ନମିତା ଚିମୁଟି ଦେଲା ସୁମିତ୍ ର ହାତକୁ। ସହର ର ଏଭଳି ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଏମିତି କ'ଣ ଗାଡି ଚଲଉଛ ବୋଲି ତାଗିଦ୍ କରିଦେଲା। ହସିଦେଲା ସୁମିତ୍। ସୁମିତ୍ ର କାନ୍ଧ ଉପରେ ହାତ ପକେଇ ପଚାରିଲା ନମିତା "କହିବକି ଟିକେ ତୁମ ଅନ୍ୟମନସ୍କତା ର କାରଣ କ'ଣ"? 

"ତୁମେ ସବୁ ଜାଣିଛ। ତଥାପି ଆଉଟିକେ ମନେପକେଇ ଦେଉଛି। ଏହି ବ୍ଯାଗ ଦେଖି ତୁମର କିଛି ମନେପଡୁଛି? ଆଜିର ବିଲ୍ ହେଲା ତିରିଶ ହଜାର। ସେଥିରୁ ମୋର ଦଶ ହଜାର। ଆଉ ମନେ ପକାଅ ଦଶମ ଶ୍ରେଣୀର ଇଂଲିଶ ପିରିୟଡ୍ କଥା ।


ସୁମିତ୍ ର କଥାରେ ନମିତା ର ମନେପଡିଗଲା ସେଦିନର କଥା। ଇଂଲିଶ ପିରିୟଡ୍ ରେ ସେମାନଙ୍କ ଖାତା ଚେକିଂ ହେଉଥାଏ। ଇଂଲିଶ ସାର ରତ୍ନାକର ନାୟକ ବହୁତ ଷ୍ଟ୍ରିକ୍ଟି ନେଚର ର ଥିଲେ। ପିଲାମାନଙ୍କ ପାଠପଢା ସହିତ ପ୍ରିନ୍ସପୁଲ୍ କୁ ମାନିବାରେ ସେ ବହୁତ ଧ୍ୟାନ ଦିଅନ୍ତି। ବେଶି ଷ୍ଟାଇଲ୍ ଫେସନ କରୁଥିବା ପିଲାମାନଙ୍କୁ କ୍ଳାସରେ ଅପମାନିତ କରିବା ପାଇଁ ମଧ୍ଯ ପଛାନ୍ତି ନାହିଁ। ତେଣୁ ସବୁପିଲା ତାଙ୍କ କ୍ଳାସରେ ବହୁତ ଜଗିରଖି ରୁହନ୍ତି। ଗୋଟିଗୋଟି ହୋଇ ପିଲାମାନେ ଆସି ଖାତା ଟେବୁଲ ଉପରେ ରଖି ଚାଲିଯାଉଥାନ୍ତି।


ସୁମିତ୍ ମଧ୍ଯ ତା'ର ଖାତା କୁ ନେଇ ଟେବୁଲ ଉପରେ ରଖିସାରି ବୁଲିପଡି ଫେରିଲା ବେଳକୁ ବେତରେ ହାତକୁ ଅଟକେଇ ସାର୍ କହିଲେ ରହ, ଏଠିକି ଆସେ। ସୁମିତ୍ ସାର୍ ଙ୍କ ଚେୟାର ପାଖକୁ ଗଲା। ସାର୍ ତା ହାତ ଆଡକୁ ବେତ ବଢେଇ ପଚାରିଲେ "ଇଏ କ'ଣ? ବେଶି ଷ୍ଟାଇଲ ମାରୁଛୁ ପାଠ ଛାଡି। ଖୋଲ୍ ଏକୁ।" ସୁମିତ ବଡ ବିକଳ ହେଇ ଚାହିଁଲା ସାର୍ ଙ୍କ ମୁହଁକୁ। ଶ୍ରେଣୀ ଟା ଯାକ ପିଲା ଆଶ୍ଚର୍ଯ୍ଯ ହୋଇ ଚାହିଁଥାନ୍ତି ଘଟଣା କ'ଣ ଜାଣିବାକୁ। ସୁମିତ୍ ଭଳି ପିଲା ପୁଣି କି ଭୁଲ୍ କରିଛି କେହି କିଛି ଜାଣି ପାରୁନଥାନ୍ତି। ସାର୍ ପୁଣି ଥରେ ପାଟି କରି କହିଲେ "ଖୋଲ୍ ଏକୁ"।ହାତଟା ସାର୍ଟ ପାଖକୁ ଯାଇ ପୁଣି ଫେରିଆସୁଥାଏ ସୁମିତ୍ ର।ତୃତୀୟ ଥର ବେଳକୁ ସାର୍ ନିଜେ ବେତରେ ଗୋଟେ ପାହାର ହାତକୁ ପକେଇ ସାରି ସେଇ ବେତରେ ଆଡେଇ ଆଡେଇ ଖୋଲିଦେଲେ ସୁମିତ ର ସାର୍ଟ ହାତରେ ପଡିଥିବା ଭାଙ୍ଗ। ସାର୍ଟ ର ହାତଟି ଛୋଟ ହେଇ କହୁଣୀ ଓ କଚଟି ର ମଝିରେ ହିଁ ଅଛି। ସୁମିତ୍ ର ପତଳା ସ୍ବାସ୍ଥ୍ଯ ପାଇଁ ପୁରୁଣା ସାର୍ଟଟି ଟାଇଟ ସିନା ହେଉନି। ହେଲେ ସାନ ହେଇ ଯାଇଛି। ପ୍ଯାଣ୍ଟ ଭିତରେ ପଶେଇ ଯେତେ ଇନ୍ କରି ପିନ୍ଧିଲେ ମଧ୍ଯ ଗୋଟେ ଦୁଇଟା ପିରିୟଡ ନ ଯାଉଣୁ ବାହାରି ଆସେ ପଛ ଆଡୁ। ସେହିଭଳି ସାର୍ଟ ର ହାତକୁ ଲୁଚାଇବାକୁ ଯାଇ ସେ ତାକୁ ଅଧା ଯାଏ ଭାଙ୍ଗ କରିଦିଏ। ସୁମିତ୍ ର ହାତକୁ କିଛିକ୍ଷଣ ଚାହିଁଲା ପରେ ନିଜେ ରତ୍ନାକର ସାର୍ ବେତକୁ ଟେବୁଲ ଉପରେ ରଖିଦେଇ ଦୁଇହାତରେ ସୁମିତ୍ ର ସାର୍ଟ ହାତକୁ ଆଉଥରେ ଭାଙ୍ଗ କରିଦେଇ ପିଠି କୁ ଟିକେ ଆଉଁସି ଦେଇ ତା ସିଟ୍ କୁ ପଠେଇଦେଲେ। ଆଜି ସେଇ ସୁମିତ୍ ର ହାତରେ ବ୍ରାଣ୍ଡେଡ୍ ଡ୍ରେସ ର ବ୍ଯାଗ। ତା ସ୍ତ୍ରୀ ପାଇଁ ଦାମୀ ସିଲ୍କ ଶାଢୀ। ଆସନ୍ତା କାଲି ସେମାନଙ୍କ ର ବିବାହ ବାର୍ଷିକୀ ପାଳନ ଉପଲକ୍ଷେ। ସୁମିତ୍ ର ଅତୀତ ସହ ନମିତା ବେଶ୍ ଜଣାଶୁଣା। ଦୁହେଁ ଅଲଗା ଅଲଗା ଗାଁ ର ହେଲେବି ଗୋଟିଏ ସ୍କୁଲ ରେ ଗୋଟିଏ ଶ୍ରେଣୀ ରେ ପାଠ ପଢୁଥିଲେ। 


   ସତରେ ସ୍ମୃତି ଏକ ରୂପା ଜହ୍ନ। ଅତୀତର ଯେତେ ସବୁ ଘଟଣା ଦୁର୍ଘଟଣା ଯେତେ ପୀଡାଦାୟକ ହେଲେବି ଅତିକ୍ରାନ୍ତ ବୟସରେ ସେତେ ଚମତ୍କାର ଲାଗେ।ସେଇ ସ୍ମୃତିରେ ହଜି ଯିବାକୁ, ଭିଜି ଯିବାକୁ ବିଭୋର ହେବାକୁ ବହୁତ ଇଛା ହୁଏ। 



ସୁମିତ୍, ସୁମିତ୍ ମିଶ୍ର। ନନା ବୋଉଙ୍କର ଗୋଟେ ବୋଲି କୋଳପୋଛା ପୁଅ। ଉପରେ ଆହୁରି ଚାରିଜଣ ବଡ ଭଉଣୀ। ତଥାପି ସବୁଠାରୁ ସାନ ବୋଲି ନନା ବୋଉଙ୍କର ଅତି ଗେହ୍ଲା। ଯଦିବା ଘର କାମରେ ନାନୀ ମାନେ ବେଶି ବୋଉକୁ ସାହାଯ୍ଯ କରନ୍ତି, ତଥାପି ବେଶି ସ୍ନେହ ଆଦର ତା ଭାଗରେ ହିଁ ପଡେ। ନାନୀ ମାନଙ୍କର କିଛି ଅଭିଯୋଗ ନଥାଏ। ସେମାନେ ଏକମାତ୍ର ଭାଇ ବୋଲି ବହୁତ ଗେହ୍ଲା କରନ୍ତି ସୁମିତ୍ କୁ। କହିବାକୁ ଗଲେ ଘରର ପ୍ରତ୍ଯେକ ଟି ସଦସ୍ଯଙ୍କର ସେ ହିଁ ସାହା ଭରସା ଭବିଷ୍ଯତର। ନନା ବୋଉଙ୍କର ବାର୍ଦ୍ଧକ୍ଯ ବେଳର ଆଶା ଭରସା ସେ।ସୁଖ ଦୁଃଖ ରେ ବେଳ ଅବେଳରେ ସାଙ୍ଗ ରେ ଠିଆ ହେଇପାରିବ ବୋଲି ନାନୀ ମାନଙ୍କର ଆଶା ଓ ବିଶ୍ବାସ। ତାଙ୍କ ପରି ଜଣେ ନିମ୍ନ ମଧ୍ୟବିତ୍ତ ବ୍ରାହ୍ମଣ ଘରେ, ଯେଉଁଠିକି ଯଜମାନୀ ଛଡା ଆଉ କିଛି ରୋଜଗାରର ମାଧ୍ୟମ ନାହିଁ ସେଠି ପାଞ୍ଚ ଟି ପିଲାଙ୍କୁ ପାଠ ପଢେଇବା ଅସମ୍ଭବ ହେଇପଡିବାରୁ ଗୋଟିକ ପରେ ଗୋଟିଏ ଝିଅକୁ ଦଶମ ଶ୍ରେଣୀରୁ ପଢା ବନ୍ଦ କରି ବାହାଘର କରିଚାଲିଥିଲେ କେବଳ ସୁମିତ୍ କୁ ଉଚ୍ଚ ଶିକ୍ଷା ଦେବା ପାଇଁ। ଏମିତି ଅନେକ ଥର ହେଇଛି ଦେହ ଅସୁସ୍ଥ ସତ୍ତ୍ବେ ସୁମିତ୍ ଙ୍କ ନନା ବିଶ୍ବମ୍ବର ମିଶ୍ର ପୂଜା ବ୍ରତ ବାହାଘର କୁ ପଡି ଉଠି ଯାଆନ୍ତି। ଆଜି ଗୋଟିଏ କାର୍ଡ ରେ କେତୋଟି ସେକେଣ୍ଡ ମଧ୍ଯ ରେ ତିରିଶ ହଜାର ଟଙ୍କା ପେମେଣ୍ଟ କରିଥିବା ସୁମିତ୍ ପାଇଁ ତାଙ୍କ ନନା ଫର୍ମ ଫିଲପ ହେଉ କିମ୍ବା ଟିଉସନ ଫିଜ୍ ହେଉ ସବୁଠୁ ଶେଷ ପିଲା ଭାବେ ଶେଷ ଦିନରେ ଟଙ୍କା ଯୋଗାଡ କରି ଆଣି ଦେଉଥିଲେ। ସ୍କୁଲ ପିକିନିକ୍ ରେ ସେହି ଶେଷ ଦିନଟି ମଧ୍ଯ ଆସେନାହିଁ। ବିଭିନ୍ନ ବାହାନା କରିକରି ଶେଷ ଦିନ ଦେହ ଭଲ ନାହିଁ କହି ଯିବାକୁ ସଂପୂର୍ଣ୍ଣ ମନାକରିଦିଏ ସୁମିତ୍। ସାର୍ ଟିକେ ତା ମଥାରେ ହାତ ମାରିଦେଇ ଚୁପ୍ ରୁହନ୍ତି। ପରେ ସମସ୍ତ ସାର୍ ମାନଙ୍କ ନିଷ୍ପତ୍ତି କ୍ରମେ ତାକୁ ପିକ୍ ନିକ୍ ଯିବାପାଇଁ ଅନୁମତି ମିଳେ ବିନା ଫିଜ୍ ରେ। 


 ସ୍କୁଲରୁ ପାସ୍ କଲାପରେ ଅନ୍ଯ ସାଙ୍ଗ ମାନେ କିଏ କେଉଁ କଲେଜରେ ପଢିବେ ବୋଲି ଆଲୋଚନା କରୁଥିବା ବେଳେ ସୁମିତ ଚୁପ୍ ରହେ। ତା ପାଖରେ କୌଣସି ବିକଳ୍ପ ନାହିଁ। ଘରେ ରହି 

ଘରୁ ଯିବାଆସିବା କରିପାରୁଥିବା ଗାଁ ପାଖ ସରକାରୀ ଅନୁଦାନ ପ୍ରାପ୍ତ କଲେଜ ରେ ସେ ପଢିଲା।


ଯୁକ୍ତ ଦୁଇ ପାସ୍ କରିସାରିବା ପରେ ଆସିଲା ଅସଲ ଲକ୍ଷ୍ଯ ସାଧନ ସମୟ। ଲକ୍ଷ୍ଯ ତ ଆଗରୁ ସ୍ଥିରୀକୃତ ହେଇସାରିଛି। ଏବେ ଖାଲି ତାକୁ ହାସଲ କରିବାର ସମୟ ।ଆଖି ଆଗରେ ନାଚିଯାଏ ତା ବୋଉ କଷ୍ଟ ଯନ୍ତ୍ରଣା ରେ ଛଟପଟ ହୋଇ ମଧ୍ଯ ଅର୍ଥାଭାବ ରୁ ଦୂର ସହରକୁ ନଯାଇ ପାରି ବିନା ଚିକିତ୍ସାରେ ତୁଟୁକା ଔଷଧରେ କାମ ଚଳେଇ କେମିତି ଘର ସମ୍ଭାଳେ। ନାନୀ ମାନଙ୍କର ବାହାଘର ପରେ ଘର ଦାୟିତ୍ବ ଅଧିକକୁ ଦେହରେ ରୋଗକୁ ଚାପିଚାପି ଅଣ୍ଟା ପିଠିର ଯନ୍ତ୍ରଣା ସହି ସହି ପଥର ହେଇଯାଇଥିଲା ସେ। ଏକା ତା ବୋଉ ନୁହଁନ୍ତି, ଏମିତି କେତେ ଅଛନ୍ତି ତାଙ୍କ ଗାଁରେ ଦେହ ଭିତରେ ରୋଗକୁ ବୋହିବୋହି ଚାଲିବାର।


   ସେବେଠାରୁ ସୁମିତ୍ ର ଗୋଟିଏ ଲକ୍ଷ୍ଯ ପାଠ ପଢି ଡାକ୍ତର ଟିଏ ହେବ। ଗାଁ ଲୋକ ମାନଙ୍କର ମାଗଣା ଚିକିତ୍ସା କରିବ ଯେତିକି ତା ଦ୍ବାରା ସମ୍ଭବ। ପ୍ରଥମ ଥର ପ୍ରବେଶିକା ପରୀକ୍ଷା ରେ ଅସଫଳ ହେଲାପରେ ମାନସିକ ଭାବେ ଦୁର୍ବଳ ହେଇପଡିଥିଲା ସେ। ସେହି ସମୟରେ ତା ନନାଙ୍କ ସହ ସମସ୍ତ ଗ୍ରାମବାସୀ ତା'ର ମନୋବଳ ବଢେଇବା ସହ ଦ୍ବିତୀୟ ଥର ଚେଷ୍ଟା କରିବାପାଇଁ ଉତ୍ସାହିତ କରିଥିଲେ। ଶେଷରେ ସେ ସେଥିରେ ସଫଳ ହେଲା ମଧ୍ଯ।


 ଗୋଟେ ଥର ଛୁଟିରେ ଘରକୁ ଆସିଥିବା ସମୟରେ ଘର ଠିକଣାରେ ଚିଠି ଟିଏ ଆସିଥିଲା ତା ପାଖକୁ। ଚିଠିରେ ଦେଇଥିବା ଲୋକର କୌଣସି ଠିକଣା ଲେଖା ନଥିଲା। ଦୁଇ ଲାଇନର ଲେଖା। ସ୍କୁଲ ପଡିଆରେ ଦେଖା କରିବା ପାଇଁ। ସମୟ ଆସନ୍ତା ରବିବାର ସନ୍ଧ୍ଯା ପାଞ୍ଚଟା ।ଆଶ୍ଚର୍ଯ୍ଯ ହେଲା ସୁମିତ୍। କିଏ ଇଏ। ପୁରୁଣା ସାଙ୍ଗ କିଏ ମଜ୍ଜା କରୁଛି ନିଶ୍ଚୟ। ଯିବାକୁ ପଡିବ ତା ହେଲେ। ଛୁଟି ପାଇଁ ସ୍କୁଲ ପଡିଆ ଖାଲିଖାଲି ପଡିଛି। କେହି କୁଆଡେ ନାହାଁନ୍ତି। ଚାରିପଟକୁ ଚାହିଁଲା ସେ। ଗୋଟେ ଝିଅ ତା ପଟକୁ ପଛ କରି ଛିଡା ହେଇଛି ଟିକେ ଦୂରରେ। କିଏ ହେଇଥିବ ଭାବି ଫେରିଆସିଲା ବେଳକୁ ପଛରୁ ଡାକ ଶୁଭିଲା" ସୁମିତ୍ "। ସୁମିତ୍ ପୁଣି ଫେରି ଚାହିଁଲା। ଝିଅଟି ଛିଡା ହେଇ ହସୁଛି। ପାଖକୁ ଯାଇ ଜାଣିଲା ତା'ର ସ୍କୁଲ ସହପାଠିନୀ ନମିତା ଇଏ।ପାଖକୁ ଆସି ଅନର୍ଗଳ ଗପିଲା। ସ୍କୁଲ ପର ଠାରୁ ଆଜି ପର୍ଯ୍ୟନ୍ତ ଟିକିନିଖି ଘଟଣା। ବିନା ବିରତି ରେ। ସ୍କୁଲରେ ତ କାହିଁ କେବେ ତା ସହିତ ଏତେ କଥା ହୁଏନି ସେ , ମନେମନେ ଭାବିଲା ସୁମିତ୍। ସେ ବି ମେଡିକାଲ ସାଇନ୍ସ ପଢୁଛି ଜାଣି ସୁମିତ୍ ଖୁସିହେଲା। ଅଭିନନ୍ଦନ ଜଣେଇ ଫେରିବାକୁ ବାହାରିଲା ବେଳକୁ ତା ହାତରେ ଫୋଲ୍ଡ କରି କାଗଜ ଖଣ୍ଡେ ଧରେଇ ଦେଇ ଘରେ ଖୋଲିବାକୁ କହି ନମିତା ସେଠୁ ଚାଲିଆସିଲା। ଏତେ ଗପି ସାରିବା ପରେ ପୁଣି ଇଏ କ'ଣ? ଆଶ୍ଚର୍ଯ୍ଯ ହେଲା ସୁମିତ୍। ରାତିରେ ଶୋଇବାକୁ ଯିବା ସମୟରେ ସେ କାଗଜ କଥା ତା'ର ମନେପଡିଲା।ପକେଟ ରୁ ବାହାର କରି ଖୋଲିଲା ତାକୁ। ଆଶ୍ଚର୍ଯ୍ଯ କଲାଭଳି ଲେଖା ଲେଖିଥିଲା ସେଥିରେ ନମିତା। " ପାଠ ପଢା ମଝିରେ ଆଗକୁ ଆସିବାକୁ ଚାହୁଁ ନଥିଲି ବୋଲି ଆଜି ପର୍ଯ୍ୟନ୍ତ ତୁମ ପଛେପଛେ ଚାଲିଆସୁଛି। ଲକ୍ଷ୍ଯ ଗୋଟିଏ ଥିଲା। ଏବେ ଆମେ ଲକ୍ଷ୍ଯ ସ୍ଥଳରେ ପହଞ୍ଚି ସାରିଲେଣି। ଏବେ ତ ସାମ୍ନା କୁ ଆସି କହିପାରିବି। ଆଇ ଲଭ୍ ୟୁ"। ସୁମିତ୍ ର ସର୍ବାଙ୍ଗ ରେ ବିଜୁଳି ଖେଳିଗଲା ଭଳି ଲାଗିଲା। ଦାରିଦ୍ର୍ଯତା ରେ ସଢିସଢି କେବଳ ପାଠପଢା କୁ ଛାଡିଦେଲେ ଆଉ କେଉଁଥିରେ ତା'ର ମନ ନଥାଏ। ଆଜି ଏମିତି ହେବ ବୋଲି ସେ ବିଶ୍ବାସ କରିପାରୁନଥାଏ। ଏ କି ନୂଆ ପାଠ ନମିତା ତାକୁ ପଢଉଛି ତା ମୁଣ୍ଡରେ କିଛି ପଶୁନି। ହଁ କି ନା ସେ କିଛି ଭାବିବା ଆଗରୁ ତା'ପରଦିନ ସକାଳୁ ସକାଳୁ ନମିତା ର ବାପା ଆସି ତାଙ୍କ ଘରେ ପହଞ୍ଚିଲେ ଝିଅର ପ୍ରସ୍ତାବ ଆଣି। ନନା ବୋଉଙ୍କର ଅରାଜି ହେବା ଭଳି କିଛି କାରଣ ନଥିଲା ,ସୁତରାଂ କଥା ଆଗକୁ ବଢିଲା।


ଆଗକୁ ବଢି ବଢି ସେମାନେ ଏବେ ଦଶ ବର୍ଷ ଆଗକୁ ଚାଲିଆସିଲେଣି। କୋଳକୁ ଦୁଇଟି ସନ୍ତାନ ମଧ୍ଯ ଆସିଛନ୍ତି। ଯେଉଁ କାମ କରିବାକୁ ସୁମିତ୍ ଏକା ଏକା ଅଣ୍ଟା ଭିଡିଥିଲା, ସେହି କାମରେ ନମିତା ତାକୁ ପୂର୍ଣ୍ଣ ସହଯୋଗ କରୁଛି। ନିଜର ବ୍ଯସ୍ତ ବହୁଳ ଜୀବନରୁ ସମୟ ବାହାର କରି ପ୍ରତି ରବିବାର ରେ ସେମାନେ ଗାଁ କୁ ଆସନ୍ତି। ଯଦିଓ ସୁମିତ୍ ର ନନା ବୋଉ ସୁମିତ୍ ପାଖରେ ତା'ର ସରକାରୀ କ୍ବାର୍ଟର ରେ ରହୁଛନ୍ତି। ତଥାପି ଗାଁରେ ଆହୁରି ଅନେକ ଜଣ ଅଛନ୍ତି ଯେଉଁମାନେ କି ସୁମିତ୍ ଡାକ୍ତର ଟିଏ ହେବ ବୋଲି ହୃଦୟରୁ ଆଶିଷ କରୁଥିଲେ। ଅନେକ ଆଶା ଓ ଭରସା କରିଥିଲେ। ସେହିମାନଙ୍କ ପାଇଁ ସେମାନେ ପ୍ରତି ରବିବାରରେ ରୋଗୀ ଦେଖିବାକୁ ଆସନ୍ତି ବିନା ଦେୟରେ ।ନିଜ ଘରେ ସକାଳୁ ସଞ୍ଜ ଯାଏ ରୋଗୀ ଦେଖିସାରି ପୁଣି ଫେରି ଆସନ୍ତି। 


 ସୁମିତ୍ ର ଗାଡି ଗେଟ୍ ସାମ୍ନାରେ ପହଞ୍ଚି ସାରିଥିଲା। ଗାଡିର ହର୍ଣ୍ଣ ରେ ଅତୀତ ରୁ ବର୍ତ୍ତମାନ କୁ ଫେରିଆସିଲା ନମିତା।ସୁମିତ୍ ନମିତାକୁ କହୁଣୀରେ ଠେଲିଦେଇ କହିଲା ଟିକେ ଆଗରୁ ମୋତେ କହୁଥିଲ, ଏବେ ନିଜେ କେଉଁ ଭାବନାରେ ବୁଡିଯାଇଥିଲ?ବାଟସାରା ଚୁପଚାପ ବସିଥିଲଯେ। ହସିଲା ନମିତା। ତମେ ବି ସବୁ ଜାଣିଛ।ସତରେ

  ସ୍ମୃତି ଏକ ରୂପା ଜହ୍ନ।


Rate this content
Log in