sushama Parija

Others

3  

sushama Parija

Others

ସମ୍ପର୍କର ଶେଷ ସୂତାଖିଅ

ସମ୍ପର୍କର ଶେଷ ସୂତାଖିଅ

5 mins
218



ସଞ୍ଜ ନଇଁ ଯାଇଥିଲା ସେତେବେଳକୁ । ସମୁଦ୍ର କୂଳରେ ଢେର୍ ଜନଗହଳି । ପିଲାଠାରୁ ବୁଢା ଯାଏଁ ସମସ୍ତେ ଭାବୁଛନ୍ତି ସାଗରର ଢେଉ ଢେଉକା ଖେଳରେ ସଭିଏଁ ମସଗୁଲ୍ ଯିଏ ଯାହା ଖୁସିରେ। ଏବେ ତ ପୁରୀ ସହରର ଦୃଶ୍ୟ ନିଆରା । ଚାରିଆଡ ପରିଷ୍କାର ପରିଚ୍ଛନ୍ନ, ସୁସଜ୍ଜିତ ଆଉ ସୁରକ୍ଷିତ ମଧ୍ୟ । ଏଇ ସମୟରେ ଆମ୍ବାସାଡର୍ କାର୍ ଟିଏ ବ୍ରେକ୍ କସିଲା ସ୍ୱର୍ଗଦ୍ୱାର ସମ୍ମୁଖରେ । ମଜା ଚଣ୍ଡିଆ ମାନେ ଭାବିଲେ ବୋଧହୁଏ ଶବଟିଏ ଆସିଗଲା ଦାହ ସଂସ୍କାର ପାଇଁ । କିଛି ରୋଜଗାର ମିଳିଯିବା ଆଶାରେ ସେମାନେ ଚାହିଁଲେ କାର୍ ଆଡକୁ । ହେଲେ ଇଏ କ’ଣ ? କାର୍ ରେ ଆରୋହୀ ମାତ୍ର ଜଣେ ଆଉ କେହି ଦିଶୁ ନାହାଁନ୍ତି ସାଥିରେ। 

ମଡା ଚଣ୍ଡିଆ ମାନେ ଭାବିଲେ ବୋଧହୁଏ ପଛରେ ଶବ ବୁହା ଗାଡି(ମୋର୍ଟାର ଭ୍ୟାନ ) ଟିଏ ଆସୁଛି ଶବ୍ଦ ଧରି, ଆଗତୁରା ଆସିଛନ୍ତି କେହି ଜଣେ ସବୁ ବ୍ୟବସ୍ଥା କରିବା ଲାଗି । ହେଲେ ସେମିତି କିଛି ଘଟିଲାନି । ଦଶ ମିନିଟ୍ ପରେ ଧୀରେ ଧୀରେ ଏପଟ ସେପଟକୁ ଚାହିଁ କାର୍ ରୁ ବାହାରିଲେ ଜଣେ ଯୁବକ । ବୟସ ତିରିଶି ପଇଁତିରିଶ ଭିତରେ ହେବ । କାର୍ ର ଡିକି ଖୋଲି ଟେକି ଧରି କ୍ଲାମ୍ପ୍ ଲଗାଇଲେ ଆଉ ନଇଁ ପଡିଲେ ଡିକି ଭିତରକୁ । ସେତେବେଳକୁ ମଡା ଚଣ୍ଡିଆମାନଙ୍କ ସହିତ ଶବ ସଂସ୍କାର ପାଇଁ ସେଠାରେ ଥିବା ବ୍ରାହ୍ମଣ ଏବଂ ଆହୁରି କିଛି ଲୋକ ଜମା ହେବାକୁ ଆରମ୍ଭ କରିଥିଲେ । ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା ଖୋଲା ରହିଥିବା କାର୍ ର ଡିକି ଭିତରେ । ଅଭାବନୀୟ ଦୃଶ୍ୟଟିଏ ଦେଖି ଚମକି ଉଠିଲେ ସମସ୍ତେ। ଡିକି ଭିତରେ ଉପରକୁ ଆଁ କରି ଶୋଇଥିଲା ଶବଟିଏ । ଉପରେ ନୂଆ ଧୋତିଟିଏ ଘୋଡେଇ ହୋଇଥିଲା , ବେକରେ ଗେଣ୍ଡୁ ଫୁଲମାଳଟିଏ ଝୁଲୁଥିଲା । କାର୍ ଚଲେଇ ଆସିଥିବା ଲୋକଟି ବିନା ଦ୍ୱିଧାରେ ଶବଟିକୁ ଦୁଇ ହାତରେ ଟେକି ଆଣି ଆଗେଇ ଗଲା ଶବ ସଂସ୍କାର ହେଉଥିବା ସ୍ଥାନକୁ । 

ସେଠାରେ ଶବଟିକୁ ତଳେ ଥୋଇଦେଇ ଜଗୁଆଳୀକୁ କହିଲା- ଇଏ ମୋ ବାପା ହରି ଜେନା , ବୁଢା ହୋଇ ମରି ଗଲା । ଜୀବନ ଯାକ ଜଗନ୍ନାଥ ଜଗନ୍ନାଥ ହେଉଥିଲା କେବେ ଆସି ପାରିଲାନି ତାଙ୍କୁ ଦେଖିବାକୁ ପୁରୀ । ମଲାପରେ ନେଇ ଆସିଛି ମୁଁ ସ୍ୱର୍ଗ ଦ୍ୱାରକୁ। ଏଇଠି ସଂସ୍କାର କରିଦିଅନ୍ତୁ ତା’କୁ ସିଧା ସ୍ୱର୍ଗକୁ ଯାଉ ସେ। ଦେଖଣାହାରିଏ ହତବାକ୍ ହୋଇ ଚାହିଁ ରହିଥାନ୍ତି, କୁହାକୁହି ହେଉଥାନ୍ତି...

  “ ଲୋକଟା ପାଗଳ ନା କ’ଣ ? ଏମିତି କିଏ ଆଣେ ବାପର ଶବକୁ ? କୋକେଇ ନାହିଁ, ଅବିର ମୁଠାଏ ନାହିଁ, ମଡା କାନ୍ଧିଆ ନାହିଁ, “ରାମ ନାମ ସତ୍ୟ ହୈ” ବୋଲିବାକୁ ଲୋକଟିଏ ନାହିଁ ଇଏ କି କଥା? ହେ ଜଗନ୍ନାଥେ ! ଏମିତି ପାଷାଣ୍ଡ ପୁଅ କାହାକୁ ନ ଦିଅ ପଛେ ଆଣ୍ଠୁକୁଡା ହୋଇ ମରୁ । ସାଇ ପଡିଶାଏ ଦୟାକରି ନେଇ ଯଥାବିଧି ମଶାଣିରେ ପୋଡିଦେବେ ଚାନ୍ଦାଭେଦା କରି କିନ୍ତୁ ଏମିତି ହନ୍ତସନ୍ତ କରି ନର୍କକୁ ପଠାଅ ନାହିଁ । ରାମ୍ , ରାମ୍ ,କି କଳିଯୁଗ ହେଲା ହୋ! ମଣିଷକୁ ପୁଣି ଏୟା ଦେଖିବାକୁ ପଡିଲା? ଛିଃ,ଛିଃ....। 

ମୁହଁ ପୋତି ସବୁ ଶୁଣୁଥିଲା ଶବ ଆଣିଥିବା ଲୋକଟି । ନିର୍ବିକାର ଭାବରେ କହିଲା ....

“ କେତେ କ’ଣ ଟଙ୍କା ଲାଗିବ କୁହ ମୁଁ ଦେବି , ଶିଘ୍ର ଶିଘ୍ର କାମ ସାରି ଏଠୁ ଫେରିଲେ ସେଠାରେ ମୋର ବହୁତ କାମ ଅଛି। ତା’କୁ ଏମିତି ନିର୍ବିକାର ଦେଖି ବୁଢା ବ୍ରାହ୍ମଣ ଜଣେ ଆଗେଇ ଆସିଲେ କହିଲେ “ ହଇହୋ ବାବୁ! ତମେ ଏ କାର୍ ଚଲେଇ ଆଇଚ ଟି? ତା’ ମାନେ ତୁମ ନିଜର କାର୍ ଟିଏ ଅଛି ଆମକୁ କହୁଛ ଯାହା ପଇସା ଲାଗିବ ଦେବ ବୋଲି । ତା’ ମାନେ ତୁମ ପାଖରେ ପଇସାପତ୍ର ମଧ୍ୟ ଅଛି ! ତେବେ ଏ ବୁଢା ବାପଟାକୁ ଏମିତି ଅସଙ୍ଗତ ଭାବରେ କାହିଁକି ଆଣିଲ ଏଠିକି ତୁମ ଗାଆଁ ମଶାଣିରେ ପୋଡି ଦେଲନି? ପୁଅଟି ସେମିତି ନିର୍ବିକାର ଭାବରେ ଉତ୍ତର ଦେଲା “ ନା’ ସେମିତି କରି ପାରିଲିନି କାରଣ ଗାଆଁରେ କେହି ମୋତେ ସାହାଯ୍ୟ କଲେନି । ଆଉ କାହିଁକି ସାହାଯ୍ୟ କଲେନି ସେକଥା ମଧ୍ୟ ଶୁଣ... ମୋ ବାପା ହରି ଜେନା ଗାଆଁରେ ମୂଲ ଲାଗି ଚଳୁଥିଲା । ମୁଁ ବି ଟିକିଏ ଠେକ ହୋଇଯିବାରୁ ସ୍କୁଲ୍ କୁ ନ ପଠାଇ ମତେ ମୂଲ ଲାଗିବାକୁ ପଠେଇ ଦେଇଥିଲା । 

ଦଶ ବର୍ଷର ହେବା ବେଳ ଠାରୁ କେବେ ସାଇକେଲ ମରାମତି ଦୋକାନରେ ତ କେବେ ଜଳଖିଆ ଦୋକାନରେ , କେବେ ମୋଟର ଗ୍ୟାରେଜ୍ ରେ କାମ କରି ବଢିଲି ମୁଁ । ଅଠର ବର୍ଷର ହେଲା ବେଳକୁ ମୋ ଗ୍ୟାରେଜ୍ ମାଲିକ ଗଫୁର୍ ଚାଚା, ମୋତେ ପଠାଇଦେଲା ତା’ ଶଳା ସାଙ୍ଗରେ ଦୁବାଇ। ସେଇଠି ଦିନ ମଜୁରିଆ ହୋଇ କାମ କଲି କେବେ ପାଣି ଜାହାଜରେ ତ କେବେ ପେଟ୍ରୋଲ ପମ୍ପରେ କେବେ କୋଉ ଖଣିଖାଦାନରେ ।ଯେତିକି ପଇସା ରୋଜଗାର ହେଉଥିଲା ଖାଇବା ପିଇବା ପରେ ସବୁ ଠିକାଦାର ରଖୁଥିଲା ତେଣୁ ଘରକୁ ଆସିବାର ସୁବିଧା ନଥିଲା।ସେମିତି ରହୁ ରହୁ ପ୍ରେମ ହୋଇଗଲା ଶାହିଦା ସାଥିରେ । ତାକୁ ନିକାହ କରି ବହୁତ ଦିନ ପରେ ଫେରିଲି ଘରକୁ ଓଡିଶା। ମୋ ମାଆ ସେତେବେଳକୁ କୁଆଡେ ମତେ ଝୁରି ଝୁରି ମରି ସାରିଥିଲା । ମତେ ଦେଖି ବାପା ଖୁସି ହେଲା ହେଲେ ଶାହିଦାକୁ ଘରେ ପୁରାଇଦେଲା ନାହିଁ । ସାହି ପଡିଶା ଜାଣିଲେ ଛିଃ ଛାକର କଲେ । ଧମକ ଦେଇ କହିଲେ ତୋ ପୁଅ ବିଜାତୀୟ ଝିଅକୁ ବାହା ହୋଇ ଧର୍ମ ହାରିଛି । ତା’କୁ ଘରେ ପୁରେଇଲେ ଜାତିରୁ ବାହାର କରିଦେବୁ । ବହୁତ କାକୁତି ମିନତି କଲି ବାପାକୁ । ଏଠି ବହୁତ ହଇରାଣ ହେଉଥିବୁ, ଚାଲ୍ ଆମେ ପଳେଇଯିବା ଦୁବାଇ ସେଇଠି ରହିବା ସମସ୍ତେ । ବୁଢା ମୋଟେ ରାଜି ହେଲାନି କହିଲା ଏଠି ଜଗନ୍ନାଥ ଅଛନ୍ତି ମୋ କଥା ବୁଝିବେ ତୁ କୁଳାଙ୍ଗାର, ବିଧର୍ମୀ, ବାହାରି ଯା’ ମୋ ଘରୁ । 

କୋଉଠି ରହିଥାନ୍ତି ? କ’ଣ ଖାଇଥାଆନ୍ତି ? ଅଗତ୍ୟା ପୁଣି ଦୁବାଇ ଫେରିବାକୁ ପଡିଲା ଶାହିଦାକୁ ନେଇ । ସେଇଠି କାମ କରି ଚଳିଲି। ଏବେ ସେଇ ଗଫୁର୍ ଚାଚା ଖବର ଦେଲା “ ତୋ ବାପ ବାଧେକା ପଡିଛି । ଜଗାରେ... ଜଗାରେ... ବୋଲି ଖୋଜି ହେଉଛି ତତେ ଶେଷବେଳରେ ଦେଖିବୁ ଯଦି ଚାଲି ଆ’ । ମନ ଥୟ ହେଲାନି ଭୟରେ ପିଲା ମାନଙ୍କୁ ନ ଆଣି ଏକା ଆସିଲି । ବାପାର ଶେଷ ସମୟ ଦେଖି ବହୁତ କଷ୍ଟ ଲାଗିଲା । ସାଇ ପଡିଶାଏ ଯିଏ ଯେମିତି ଟିକିଏ ତା'କୁ ଦେଖୁଥିଲେ ମୋତେ ଦେଖି ଆଡ ଆଡ ହେଲେ । ମୁଁ ଏ ଘରେ ଥିବା ଯାଏଁ ସେମାନେ ବୁଢା ପାଖକୁ ଆଉ ଆସିବେନି ବୋଲି ସଫା ସଫା ମତେ ଶୁଣେଇ ଦେଲେ। କ’ଣ କରିବି ? ଜନ୍ମ କଲା ବାପ ସିଏ କେମିତି ଛାଡି ଦେଇଥାନ୍ତି ତାକୁ ? ସିଏ ସିନା ରାଗଟାଗରେ ଘରୁ ବାହାର କରିଦେଲା ମୋତେ ହେଲେ ମୁଁ ପାରିଲିନି ; ଦୁଇ ତିନି ଦିନ ଧରି ଜଗି ବସିଲି । ନିର୍ମାଲ୍ୟ ତୁଳସୀ ମାଗିଲା ଦେଲି... ଶେଷରେ ମୋରି କୋଳରେ ଶେଷ ନିଶ୍ବାସ ନେଲା । ମୁଁ ଜାଣିଲି ମୁଁ ଏଠି ଥିବା ଯାଏଁ ତାକୁ କାନ୍ଧ ଦେବାକୁ କେହି ଆସିବେନି । ତେଣୁ ଗଫୁର୍ ଚାଚା ଠୁ କାର୍ ଟି ମାଗି ଆଣି ତା’ର ମରଶରୀରକୁ ଏକା ଏକା ନେଇ ଆସିଛି ସ୍ୱର୍ଗ ଦ୍ୱାରକୁ। ଜଗନ୍ନାଥଙ୍କୁ ବହୁତ ଭକ୍ତି କରୁଥିଲା ବୋଲି ମୋ ନାଆଁ ରଖିଥିଲା ଜଗନ୍ନାଥ । ଜଗାରେ... ଜଗାରେ ... ଡାକି ଡାକି ଚାଲିଗଲା , କାଳେ ଏଇ ସ୍ୱର୍ଗଦ୍ୱାରରେ ସଂସ୍କାର ହେଲେ ସେ ମୁକ୍ତି ପାଇଯିବ । ସେଇଥି ପାଇଁ ଆଣି ଆସିଛି ତାକୁ । 

ମୋ କଥା ତ ଶୁଣିଲ ସମସ୍ତେ ଏଣିକି ତୁମ ଇଚ୍ଛା । ତାକୁ ସଂସ୍କାର କରିବ କି ନାହିଁ ତାହା ତୁମ ମାନଙ୍କ ଉପରେ ନିର୍ଭର କରେ। ତୁମେ ସଂସ୍କାର ନକଲେ ମୁଁ ଏଇଠି ନିଜେ କାଠ ଜାଳି ତା’କୁ ପୋଡିଦେଇ ପାଉଁଶକୁ ମହୋଦଧିରେ ଭସାଇ ଦେବି । ଆଉ ଗାଆଁକୁ ଫେରିଯିବି। ଗଫୁର୍ ଚାଚାର କାର୍ ଫେରାଇ ଦେଇ ପୁଣି ଫେରିଯିବି ଦୁବାଇ । ଏଠାରେ ଆଉ ମୋର କିଏ ଅଛି ଯେ ଆସିବି ? ତେଣୁ ଭାବିଛି ଘର ଖଣ୍ଡିକ ବିକ୍ରି କରିଦେଇ ଯିବି ଭିଟାମାଟି ସହିତ ସଂପର୍କର ଶେଷ ସୂତାଖିଅଟି ଛିଣ୍ଡାଇ ଦେଇ ଚାଲିଯିବି । କଥା ଶେଷ କଲା ବେଳକୁ ପୁଅଟି ଆଖିରୁ ଧାର ଧାର ହୋଇ ଲୁହ ଝରି ପଡୁଥିଲା । ବ୍ରାହ୍ମଣ ଆଉ ମଡାଚଣ୍ଡିଆ ମାନେ ଶବ ସଂସ୍କାର ପାଇଁ ଆୟୋଜନ ଆରମ୍ଭ କରି ଦେଇଥିଲେ । ସମସ୍ତଙ୍କ ହୃଦୟରେ ଦରଦୀଭାବଟିଏ ଭରି ଯାଉଥିଲା। “ରାମ ନାମ ସତ୍ୟ ହୈ “ ଧ୍ବନି ରେ ପ୍ରକମ୍ପିତ ହୋଇ ଉଠୁଥିଲା ସ୍ୱର୍ଗଦ୍ୱାର ଶ୍ମଶାନ ସ୍ଥଳ ।।


Rate this content
Log in