Satyaprakash Sethy, M. A(UGC NET)

Others

5.0  

Satyaprakash Sethy, M. A(UGC NET)

Others

ସମ୍ବର୍ଦ୍ଧନା ସଭା ଓ ପଣ୍ଡିତ ସାର୍

ସମ୍ବର୍ଦ୍ଧନା ସଭା ଓ ପଣ୍ଡିତ ସାର୍

6 mins
721


ବିଦାୟ ସମ୍ବର୍ଦ୍ଧନା ଓ ପଣ୍ଡିତ ସାର୍। ମୋ ତରାଗୋ ଉଚ୍ଚ ବିଦ୍ୟାପୀଠ-ଏକ ନିଆରା ପରମ୍ପରାର ଭିନ୍ନ ଏକ ଆସ୍ବାଦନ। ଅନେକ ଉତ୍ତମ ଛାତ୍ର/ଛାତ୍ରୀ ସୃଷ୍ଟି କରିବାରେ ସକ୍ଷମ। ତହିଁ ଉତ୍ତାରୁ ଆମ ପରି କିଛି କୃତୀ ଛାତ୍ରଛାତ୍ରୀ, ଯେଉଁମାନେ କି ଦୂର ଦୂରାନ୍ତରେ ରହିଛୁ ସେଇ ସ୍କୁଲର ସ୍ମୃତି ମନେ ପକାଇ ବେଶ୍ କିଛି ଭାବ ବିହ୍ଵଳ ହୋଇଥାଉ। ବେଶ୍ କିଛି ଭଲ ଖରାପ, ମିଠା ପିତା, ତିକ୍ତ ସତୃପ୍ତ ବା ଉଭୟ ମୋଡ଼- ମଣିଷ ଜୀବନରେ ଆସିଥାଏ। ମାତ୍ର ସ୍କୁଲ୍ ଜୀବନ ଓ ପିଛିଲା ଦିନର ସ୍ମୃତିଗୁଡ଼ାକ ମନକୁ ଆସି ଭାରି ଆନ୍ଦୋଳିତ କରିଥାଏ। ତେଣୁ ମୁଁ ଗାଏ –


ଇଚ୍ଛା ହୁଏ କାହିଁ ବେଳେ ବେଳେ ମୋର

ପଛକୁ ଯିବାକୁ ଫେରି

ଜିଇଁବାକୁ ପୁଣି ଆଉ ଥରେ ସେହି

ପିଛିଲା ଦିନକୁ ଭରି।।


ଆଜି କାହିଁକି କେଜାଣି ମୁଁ ବୋଧହୁଏ ଟିକିଏ ବେଶୀ ପ୍ରଗଲ୍ଭ ହୋଇ ଉଠୁଛି ।ସବୁ କଥା ଗୁଡ଼ାକ ରୋମନ୍ଥନ କରିବାକୁ ଭାରି ଇଚ୍ଛା ହେଉଛି। ବାକି କଥା ଗୁଡ଼ାକ ମାଡ଼ି ବସୁଛି।ସାଙ୍ଗ ସାଥୀ, ଶ୍ରେଣୀ ଶିକ୍ଷକ – ସବୁକିଛି। ସେମାନଙ୍କ ମଧ୍ୟରୁ ଆଜି ଅନେକ ସମୟର ଗର୍ଭରେ ଲୀନ ହୋଇ ଯାଇଛନ୍ତି । ତଥାପି ତ ଆହୁରି ଅନେକ ଅଛନ୍ତି, ଯେଉମାନଙ୍କ ଭିତରୁ କେତକ ଝାପ୍ସା ମନେ ପଡ଼ୁଛନ୍ତି। ହେଇ ଯେମିତି ବବୀ, ଅଲେଖ, ବାପି, କୂଳ, ବିନାୟକ, ଓ ଆଉ ଅନ୍ୟମାନେ। ସେଇ ସ୍କୁଲ୍ ଅଛି, ଯେଉଁଠି ସେଦିନ ମୁଁ ଏମିତି ପାଠ ପଢୁଥିଲି। ସାଙ୍ଗମାନଙ୍କ ସହ ବେଶ୍ କିଛି ଆତ୍ମୀୟତା ବାଣ୍ଟୁଥିିିିଲି ବା ହସାହସି ହୋଇ କମ୍ପାଉଥିଲି। ଖେଳ ଛୁଟିରେ ଅନନ୍ତ ହାଜିରା ଘୁଗୁନିବାଲା ବା କୁରୁପା ଭାଇ ଗୁଲଗୁଲା ଦୋକାନ ଆଗରେ ଲାଇନ୍ ଲଗାଇ ଛିଡା ହେଉଥିଲୁ , ନତୁବା ମାଲଡିହ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ସଂଗ୍ରହ କରି,  ଚେନାଚୁର ଲୁଣ ସହିତ ଖାଇ ଟାକରା ଫୁଟାଉଥିଲୁ।ସାଥୀମାନେ ପାଟିରୁ ଲାଳ ଗଡ଼ାଇ ଖଣ୍ଡେ ଦେ ବୋଲି ମାଗି ହେଉଥା’ନ୍ତି। ଏଇ ରାଜୁଟା ଭାରି ଗୋଟେ, ସବୁ କଥାରେ ପ୍ରତିବାଦ କରିବ। ମୋତେ ଖାଲି ଚିଡ଼େଇବ।ମୁଁ ତା ‘ଉପରେ ରାଗିକି ହୂତାସନ। ଚିଡ଼ିକି ବାଇଶି କୁଟା ହେଉଥାଏ। କିନ୍ତୁ ସେ ରାଜୁଟା ଭାରି ପାଠୁଆ, ସମସ୍ତେ ତାକୁ ଭଲ ପାଆନ୍ତି। ମୋର ବି ସେ ଭାରି ପ୍ରିୟ। ପୁଣି ସାଙ୍ଗ ହୋଇ ବାଣୀବିହାରରେ ପଢୁଥିବା ଯୋଗୁଁ ଆତ୍ମୀୟତା ଟିକିଏ ଅଧିକା। ତା’ ମାନେ ନୂହେଁ ଯେ ଆଶିଷ, ଚିତ୍ତ, ରବି କୈଳାସ ବାଯଶୋବନ୍ତ ସହିତ ମୋର ଭଲ ସମ୍ପର୍କ ନୁହଁ – ଖୁବ୍ ଭଲ ସମ୍ପର୍କ।


ପୁଣି ଜୀବନର ଆଉ ଗୋଟେ ଦିଗ ଭାଗ କଥା ଏଠାରେ ଉଲ୍ଲେଖ ନକଲେ କଥାଟା ଅଧୁରା ରହିଯିବ। ସେହି ହିଁ ଆମ ଜୀବନର କେତୋଟି ବିଶେଷ ମୁହୂର୍ତ୍ତ। ସ୍କୁଲ୍ ଟାଇମର ଯଥେଷ୍ଟ ପୂର୍ବରୁ ଆମେ ପହଂଚି ଯାଉଥିଲୁ ବିଦ୍ୟାଳୟ ପାଖ ଠାକୁରାଣୀ ମନ୍ଦିର ଆଗରେ। ସେଇଠି ତେନ୍ତୁଲି ଗଛ ମୂଳରେ ବେଶ୍ ଦି ବାଜି ବାଟି ନହେଲେ ନାହିଁ ବାଳୀ ଖେଳ ହୋଇଯାଉଥିଲା। ସେପଟେ ପାର୍ଥନା ଆରମ୍ଭ ହୋଇଯାଇଥାଏ, ଆମ ବାଜିଟା ଛିଡି ନଥାଏ। ସାର୍ କିନ୍ତୁ ଠିକ୍ ନଜର ରଖିଥାନ୍ତି, ସକାଳୁ ସକାଳୁ ଗଣି ଗଣି ଜଣକା ଦି ଦି ପାହାର ହୋଇଯାଉଥାଏ। ତେଣିକି ମନଟା ଖେଳ କୁଦରୁ ହଟି ପାଠ ଆଡକୁ ଚାଲି ଯାଉଥାଏ। ପୁଣି ସ୍କୁଲ୍ ଛୁଟି ହେଲା କ୍ଷଣି ଚାଲି ଯାଉଥିଲୁ – ଝାଟିଆ ବଣକୁ, ଫୁଟବଲ୍ ଖେଳିବାକୁ। ବେଶ୍ କିଛି ପେଣ୍ଡୁ ସହିତ କସରତ ହୋଇଗଲା ପରେ ଥକ୍କା ହୋଇ ଫେରି ଆସୁଥିଲୁ ଘରକୁ। ତା’ପର ଦିନ ପୁଣି ସେଇ ସମାନ ଅଭ୍ୟାସ। ପାଠଟା ଯେତିକି ନୁହଁ ଖେଳଟାର ନିଶାଟା ସେତେ ଅଧିକା। ଏଥିପାଇଁ ଗୁରୁଜୀଙ୍କ ଠାରୁ କ’ଣ କମ୍ ତି ଶୁଣିଛୁ ନା କମ୍ ତି ମାଡ ଖାଇଛୁ। ଆହା! କି ସୁନ୍ଦର ସେ ପିଲାବେଳ ଆଉ ତା’ର ସ୍ମୃତି ବିଜଡ଼ିତ ପ୍ରତିଟି ମୁହୂର୍ତ୍ତ। ଆଉ ଥରେ ଏଇମିତି ହଟକି ପୁଣି ଥରେ ଯାଆନ୍ତୁ କି ସେଇଠି ଲଟକି।


ଆଉ ଆମ ସ୍କୁଲ୍ ଘରଟା ବି ଭାରି ବଢିଆ ଥିଲା। ସେତେବେଳକାର ଛଣ ଛପର ଘର ଯାହା ଦିନରେ ଚାନ୍ଦ ଓ ରାତିରେ ତାରା ଗଣୁଥିଲା। ତାହା ଏବେକାର ସୁଉଚ୍ଚ କୋଠା ନୁହଁ ବା ଆଲୋକ ମାଳିନୀ ଶୀତ ତାପ ନିୟନ୍ତ୍ରିତ ଜ୍ୟୋତ୍ସ୍ନା ବିଧୌତ ଆଧୁନିକ ସଫେଦ ଗୃହ ନୁହଁ। ବେଳେବେଳେ ମଧ୍ୟ ଗୋବର ଆଦାୟ କରି ଘର ଲିପା ହେଉଥିଲା। ସେଦିନଟା ଭାରି ମଜା ଲାଗୁଥିଲା, କାହିଁକିନା ଗୁଲି ଗପ କରିବା ପାଇଁ ବେଶ୍ ଗୋଟେ ଅବସର ମିଳି ଯାଉଥିଲା ଆଉ ପାଠ ପଢ଼ାରୁ ବି ଟିକିଏ ତ୍ରାହି ମିଳି ଯାଉଥିଲା। ଥାଉ ଆଉ କହିବା ନାହିଁ – ଅଧିକ କଥନ ହୋଇଯିବ। ଆହୁରି ଅନେକ କଥା ବାକି ଅଛି।


ପୁଣି ସବୁ ସାର୍ ମାନଙ୍କ କଥା ଗୋଟି ଗୋଟି ହୋଇ ମନେ ପଡିଯାଉଛି। ହେଡ୍ ମାଷ୍ଟ୍ରେ ଲେଙ୍କା ସାର୍ ଭାରି ଭଲ   ମଣିଷ। ପାଠ ସହ ଯେତକ ଉପଦେଶ ପରାମର୍ଶ ଶୁଣାଇଥାନ୍ତି।ସାଇ ବାବା, ମହାତ୍ମା ଗାନ୍ଧୀ ଆଦି ମହାପୁରୁଷଙ୍କ କାହାଣୀ ଶୁଣାଇ ପ୍ରାଭାବିତ କରିଥାନ୍ତି। ପଢ଼ା ସହ ହସର ଫରୁଆ କଥା ଆସିଲେ ଶିଅଳ ସାରଙ୍କ କଥା ମନେ ପଡିଯାଏ। ତା ଛଡ଼ା ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିିଶରେ ତାଙ୍କ ଭୂମିକାଟି ଟିକିଏ ଅଧିକାଥାଏ। ସବୁ ବେଳେ ହସୁ ଥିବା ହସହସ ମୁଖ କିଶୋର ସାର୍ ବେଶ୍ ହସେଇ ମଜ୍ଜେଇ ପାଠ ପଢାନ୍ତି। ଚନ୍ଦ୍ରମଣି ସାର ମଧ୍ଯ ବହୁତ ମଜ୍ଜା କଥା କହି ପଢାଇଥାନ୍ତି। ଏବର ହେଡ୍ ମାଷ୍ଟର ସେବର ଆମ ଅଭିମନ୍ୟୁ ସାର୍ – ସେ ତ ପିଲାଙ୍କ ସହ ପିଲା ହୋଇଯାଆନ୍ତି, ଆଦୌ ରାଗନ୍ତି ନାହିଁ। ଭାରି ଭଲ ଲୋକ। କୃଷ୍ଣ ସାର୍ ସ୍ୱାଭାବିକ ଭାବେ ଟିକିଏ ଗୁରୁ ଗମ୍ଭିର।  ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁଖ ମଣ୍ଡଳ। ମନେ ହୁଅନ୍ତି ଭାରି କଠୋର। ମାତ୍ର ବାସ୍ତବରେ ଭାରି ଛାତ୍ର ବତ୍ସଳ, ଅନୁଶାସନ ପ୍ରିୟ, ସମୟାନୁବର୍ତ୍ତିତା ଓପଙ୍କଚୁଆଲ। ତାଙ୍କୁୁ ଆମେ ବିଶେଷ ଭାବେ ମନେ ରଖିଛୁ ସିଲଭର୍ ଜୁବିଲିର ସଫଳତା ପାଇଁ। ପୂର୍ଣ୍ଣ ସାହୁ ସାର୍ ମଧ୍ଯ ଜଣେ ଭଲ ମଣିଷ। ଜଗନ୍ନାଥ ସାର୍ ଭାରି ପ୍ରିୟ ।ସାଂଗଠନିକ ଦକ୍ଷତା, ଯୋଗାଯୋଗ, ସ୍କୁଲର ବିକାଶ, ଅନ୍ଯାନ୍ଯ କ୍ଷେତ୍ରରେ ତାଙ୍କର ଦକ୍ଷତା ଟିକିଏ ଅଧିକ।ମାଟ୍ରିକ ପରୀକ୍ଷା ବେଳେ ବିଦ୍ୟାଳୟ ଠାରୁ ଅନତି ଦୂରରେ ପଡିଥିବା ପରୀକ୍ଷା କେନ୍ଦ୍ର ନିକଟରେ ମେସ କରି ରହୁଥିବା ବେଳେ ରାତି ଅଧାରୁ ପିଠିରେ ଛାଟିଆ ମାରି ଉଠାଇଥାନ୍ତି - ଏଇ ସାର୍।


ସ୍ଵର୍ଗତଃ ମୋହିନୀ ସାର୍ ଉଚ୍ଚକିତ ଚିନ୍ତା ଚେତନା ପ୍ରସୂନ ସୁଗୁଣାବଳୀର ବ୍ୟକ୍ତିତ୍ଵ। ଯିଏ କି ଆଜି ଆମ ନିକଟରେ ନଥିଲେ ହେଁ ତାଙ୍କରି ସ୍ମୃତିଟି ବେଶ୍ ତାଜା ହୋଇ ରହିଛି। ସେହି କାରଣରୁ ଏହି ଉତ୍ସବ ଅବସରରେ ତାଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ଏକ ମିନିଟ୍ ପ୍ରାର୍ଥନା କରିବାକୁ ଅନୁରୋଧ…

ଆଜି ଗୋଟେ ବଡ଼ ଖୁସିର ମାହୋଲ। ଚାରିଆଡ଼େ ବୁଣି ହୋଇପଡିଛନ୍ତି ସାଙ୍ଗସାଥୀ ଓ ସାନ ବଡ଼ ଭାଇ ଓ ଭଉଣୀମାନେ। ସବୁ ଚିହ୍ନିଲା ଚିହ୍ନିଲା ଲାଗୁଛନ୍ତି । ଆଉ ସବୁ ଗୁରୁଜୀମାନଙ୍କ ଉପସ୍ଥିତି ମଧ୍ଯ ମନରେ ଅଧିକ କୌତୁହଳ ସୃଷ୍ଟି କରିଛି।


ପଣ୍ଡିତ ସାର୍ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ। ପରିବେଶଟା ଉତ୍ସବ ମୁଖର। ମନ ଭିତରେ ଅନେକ ଆଗ୍ରହ। ସେ ଏଭଳି ଏକ ବ୍ୟକ୍ତିତ୍ଵ ଯେଉଁ ବ୍ୟକ୍ତିତ୍ଵ ନିକଟରେ ଆମେ ସମସ୍ତେ ପ୍ରାୟ ନତମସ୍ତକ।ଆଜକୁ ଠିକ୍ କିଛି ଦିନ ତଳେ ଏଇଠି ଏଇ ସ୍କୁଲରେ ବ୍ୟୟିତ ମୋର ପ୍ରତିଟି ମୁହୂର୍ତ୍ତ ମୋ ସ୍ମୃତି ଭାଲ ପଟେ ଆଜି ଉଇଁକି ଉଠେ। ସେଦିନ ମୁଁ ଠିକ୍ ତୁମ ଭଳି ବା ତୁମେ ଠିକ୍ ମୋ ଭଳି ଏଇମିତି ସ୍କୁଲ ଗୋଇଁଙ୍ଗ ବୟ। ମାଇ ସ୍କୁଲ୍ ଟାଇମ – ସ୍କୁଲ ଟାଇମ ଆସିଗଲେ, ଦୌଡ଼ି ଦୌଡ଼ି ହୋଇ ଶ୍ରେଣୀ ଗୃହକୁ ପଶି ଯାଉଥିଲି। ମନରେ କିଛିଟା ସମ୍ଭାବନା, ଦୁର୍ବାଭାବନା। ଅନେକ ଡର – ପଣ୍ଡିତ ସାର୍ ଙ୍କ କ୍ଲାସ ଅଛି। ସଂସ୍କୃତରେ ଯଦି ଭଲ କି ଦି ପଦ କହି ନ ପାରିଲି – ତା ହେଲେ ମଲି। ମାଡ଼ ଭୟରେ ପାଠ ଗୁଡ଼ାକ ମନେ ପଡ଼ି ଯାଉଥାଏ। ଏଇ ଯେଉଁ ପଣ୍ଡିତ ସାର୍ ଙ୍କୁ ଆମେ ଦେଖୁଛେ ବା ଆଗରୁ ଦେଖିଛେ, ସେ ଶ୍ରେଣୀ ଗୃହ ଭିତରେ ବେଶ୍ କଠୋର ଅନୁଶାସନ ଭିତରେ ଛାତ୍ରଛାତ୍ରୀଙ୍କୁ ଗଢିବାର ସଙ୍କଳ୍ପ ନେଇ ଟିକିଏ କଠୋର ହୋଇଥାନ୍ତି। ଏବେ ବି ମୋର ମନେ ଅଛି ସେଇ ଝାଉଁ ଡାଳର ପାହାର। ମାତ୍ର ଟିକିଏ ଶ୍ରେଣୀରୁ ବାହାରି ଆସିଲା ପରେ ବେଶ୍ ଶାନ୍ତ ସରଳ ମଣିଷଟିଏ। ସାଥୀ ସହକର୍ମୀ ହୁଅନ୍ତୁ ବା ଗ୍ରାମବାସୀ ଅଥବା ପୁରାତନ ଓ ଏବର ଛାତ୍ରଛାତ୍ରୀ ସମସ୍ତେ ଉପଲବ୍ଧି କରିଥିବେ ଅବା ଏଭଳି ଏକ ସରଳ ଅମାୟିକ ଅଥଚ ଛାତ୍ର ବତ୍ସଳ ଗୁରୁଜୀଙ୍କର ସଂସର୍ଗ ତଥା ସାହଚର୍ଯ୍ୟ ନିଶ୍ଚୟ ପାଇଥିବେ। ଆଜି ସେ ବିଦାୟ ନେଉଛନ୍ତି ବା ତାଙ୍କ ଉଦ୍ଦେଶ୍ଯରେ ଏହି ଉତ୍ସବଟି ଅୟୋଜିତ ହେଉଛି। ସେଥିପାଇଁ ଟେକା ଟେକି କରି ତାଙ୍କ ବିଷୟରେ କହିବା- ମୋର କହିବା ନୁହଁ। ଯାହା ହୁଏତ ଅନ୍ୟ କ୍ଷେତ୍ରରେ ଓ ଅନେକ କ୍ଷେତ୍ରରେ ଘଟିଥାଏ। ମୁଁ ସତ୍ୟ ପ୍ରିୟ, ଯାହା କହେ ସତ କୁହେ। ବାସ୍ତବରେ ସେ ଜଣେ ସରଳ ନିଷ୍କପଟ ମଣିଷ। କାରଣ କାହିଁ କେବେ ମୁଁ ଦେଖି ନାହିଁ ବା ଶୁଣି ନାହିଁ – ତାଙ୍କ ଠାରୁ କୌଣସି ଉଚ୍ଚବାଚ କଥା। ଶୁଣି ନାହିଁ ସାଥୀ ସହକର୍ମୀ ହେଉ ବା ବାହାରବାଲା ସହ ଝଗଡ଼ା ଝାଣ୍ଟିର କଥା। ତେଣୁ ସେ ବେଶ୍ ସାମାଜିକ ଓ ସାମାଜିକ ମର୍ଯ୍ୟଦାବନ୍ତ ମଣିଷ।


ବାକି ରହିଗଲା ଛାତ୍ରଛାତ୍ରୀମାନଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ। ଏହା ନିର୍ବିବାଦରେ କୁହାଯାଇପାରିବ ଯେ, ସେ ଜଣେ ଛାତ୍ର ବତ୍ସଳ, ସଂସ୍କୃତରେ ଉଚ୍ଚକୋଟୀର ଜ୍ଞାନ ରଖିଥିବା ଜଣେ ଅଭିଜ୍ଞ ଶିକ୍ଷକ, ଜୀବନଚର୍ଯ୍ୟା ଓ ଜୀବନ ଶୈଳୀ ବେଶ୍ ଲଘୁ ଭାବେ କହିଲେ ଅତି ସରଳ ଓ ନିରାଡାମ୍ବର, ମିଷ୍ଟ ଭାଷୀ, ଅଳ୍ପ କଥନ ଅଥଚ ରୁଚିବନ୍ତ । ସ୍ମିତ ହସନ୍ତି। ସମସ୍ତଙ୍କ ମନରେ ଥାଆନ୍ତି ବା ସମସ୍ତଙ୍କୁ ନିର୍ବିକାର ଚିତ୍ତରେ ଭଲ ପାଆନ୍ତି। ଆମ ମାନଙ୍କୁ ରାସ୍ତା ଘାଟରେ ଦେଖିଲେ ବଡ଼ ଖୁସିଟାଏ ହୁଅନ୍ତି। ଭଲ ମନ୍ଦ ପଚାରି ବୁଝନ୍ତି। ସବୁଠାରୁ ଭଲ ଲାଗେ ସେ ଆମ ମାନଙ୍କ ସମ୍ଵନ୍ଧରେ ଯେତେବେଳେ possessive feelings ରଖି ବା ଅଧିକାର ଜାହିର୍ କରି ‘ମୋ ‘ଲଗାଇ କଥା ହୁଅନ୍ତି।


ଦିନକର ଘଟଣା – ମୁଁ ଭଦ୍ରକରୁ ଗାଁକୁ ଆସୁଥାଏ। ସାର୍ ଛକ ପାଖରେ ଆମ୍ବ ଗଢିଆ ବଜାରରେ ଛିଡା ହୋଇଥାନ୍ତି। ଅସ୍ପଷ୍ଟ ଭାବେ ମୋ ନଜର ଟିକିଏ ତାଙ୍କ ଉପରେ ପଡ଼ିଥାଏ ଅଥଚ ମୋ ଗାଡି ତାଙ୍କୁ ଅତିକ୍ରମ କରି ସାରିଥାଏ। ସାର୍ କହୁଥାନ୍ତି ପ୍ରତିପକ୍ଷ ଲୋକକୁ ମୋ କାନରେ ଝାପ୍ସା ବାଜୁଥାଏ – "ସତ୍ୟ ଗଲା ବୋଧେ, ମୋ ଛାତ୍ର, ଭଲ ପିଲାଟିଏ" । ସେଦିନ ମନେ ମନେ ମୋତେ ଦୋଷୀ ଲାଗୁଥାଏ। ଭାବୁଥାଏ – ଯେଉଁ ଗୁରୁଜୀ ବାପା ମାଆଙ୍କ ପରିକା ଏତେଦିନ ପରେ ମଧ୍ଯ ‘ମୋ ଛାତ୍ର’ କହି ମୋ ପ୍ରତି ଶ୍ରଦ୍ଧା ଭାବ ରଖି ଆଲୋଚନା କରୁଛନ୍ତି, ମୁଁ ଟିକିଏ ଗାଡିରୁ ଓହ୍ଲାଇ ପଡ଼ି ନମସ୍କାର କରି ଚାଲି ଆସିଥିଲେ କ’ଣ ହୋଇନଥାନ୍ତା? ଏହିଭଳି ଆମେ ଛାତ୍ରଛାତ୍ରୀମାନେ ବେଳେ ବେଳେ ଅଭଦ୍ରାମି କରିଥିଲେ ମଧ୍ୟ ଆମ ଗୁରୁଜୀମାନେ ଆମକୁ ଭୁଲି ନଥାନ୍ତି। ଆମ ପ୍ରତି ତାଙ୍କର ସ୍ନେହ ଭାବ କିଛି କମି ନଥାଏ। ସେହି ଗୁରୁଜୀଙ୍କୁ ଆମେ ଭଲ ପାଇବା ସ୍ୱାଭାବିକ। ତାଙ୍କ ବିଦାୟ ବେଳାରେ ତାଙ୍କ ସହ ସାମିଲ ହୋଇ ଟିକିଏ ସୁଖ ଦୁଃଖ ବାଣ୍ଟିବା ପାଇଁ ମନରେ ଗୋଟାଏ ବଡ଼ ଆବେଗ।


ଈଶ୍ଵର କରନ୍ତୁ ତାଙ୍କର ଚଲାପଥ କୁସୁମିତ ହେଉ। ଜୀବନ ରାସ୍ତାରୁ କଣ୍ଟା ଖୁଞ୍ଚ ସବୁ ହଟି ଯାଉ। ଅବସରମୟ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଉ। ଅଥଚ ଆମ ପ୍ରତି ତାଙ୍କର ଭଲ ପାଇବାର ଶ୍ରଦ୍ଧା ସୁମନରୁ କାଣିଚାଏ ବି କମ୍ ନହେଉ। ଆମ ଭଲ ପାଇବା ମଧ୍ୟ ତାଙ୍କ ଠାରେ ସଦା ସର୍ବଦା ରହୁ।


ଶେଷରେ ମୋର ସୁଭାଷଣ – ଜୟ ତରାଗ ହାଇ ସ୍କୁଲ୍, ଜୟ ପଣ୍ଡିତ ସାର୍, ଜୟ ତୁ ଛାତ୍ର ସମାଜ - ଜୟ ହୋ!


Rate this content
Log in