STORYMIRROR

Narendra Prasad Behera

Others

2  

Narendra Prasad Behera

Others

ଶୁକ୍ରାଚାର୍ଯ୍ଯ

ଶୁକ୍ରାଚାର୍ଯ୍ଯ

4 mins
581


*ରାମାୟଣରୁ କିଛି........୪୨*


*ଶୁକ୍ରାଚାର୍ଯ୍ଯଙ୍କର ଗୋଟିଏ ଆଖି କଣା କାହିଁକି ଓ ବାମନରୂପୀ ବିଷ୍ଣୁ ଦ୍ବାରପାଳ ହୋଇ ସର୍ବଦା ରକ୍ଷା କରିବାକୁ ବଳିକୁ କହିଲେ କାହିଁକି*


     ବାମନରୂପୀ ବିଷ୍ଣୁ ଦଣ୍ଡ , କମଣ୍ଡଳୁ ଓ ଛତ୍ର ଧାରଣକରି ବଳିଦୈତ୍ଯର ଯଜ୍ଞସ୍ଥଳକୁ ଯାତ୍ରାକଲେ ଓ ସେଠାରେ ପହଞ୍ଚି ଯଜ୍ଞ ଦ୍ବାରରେ ଉଭାହୋଇ ଉଚ୍ଚସ୍ବରରେ ବେଦଧ୍ବନି କଲେ । ବାମନଙ୍କ ରୂପ ଦେଖି ବଳି ବିମୁଗ୍ଧ ହୋଇ ତାଙ୍କର ପାଦ ଧୋଇଦେଲା । ଯଥାବିଧିରେ ତାଙ୍କୁ ପୂଜାକରି ତାଙ୍କୁ ଦାନ ମାଗିବାକୁ କହିଲା । ବାମନ ତାକୁ ତିନିପାଦ ଭୂମି ଦାନ ମାଗିଲେ । ତିନିପାଦ ଭୂମି ତ ଅତି ଅଳ୍ପ । ପୁଣି ବାମନଙ୍କ ପାଦ ଆହୁରି ଛୋଟ । ଏହା ଦେଖି ବଳି ଭାବିଲା ବାମନ ବୋଧହୁଏ ଭ୍ରମରେ ପଡିଛି । ତେଣୁ ସେ ବହୁତ ଭୂମି ଦାନ ମାଗିବାକୁ ବାମନଙ୍କୁ କହିଲା । ଵାମନ କହିଲେ--ମୋ ପାଦମାପରେ ମୋର ତିନିପାଦ ଭୂମିହିଁ ଆବଶ୍ଯକ । ମୁଁ ଯାହା କହିଛି ସେଥିରୁ ଓହରିବି ନାହିଁ । ଏହା ଶୁଣି ବଳି ହସି ହସି କହିଲା--ହଉ , ତାହା ହିଁ ନିଅନ୍ତୁ । ଏହା କହି ବଳି ଦାନ ସ୍ବୀକାର କରିବା ପାଇଁ ଜଳପୂର୍ଣ୍ଣ ଗଡୁ ଟେକନ୍ତେ ରାକ୍ଷସମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ଯ ଉଠିପଡି ବଳିର ଗଡୁଧରିଥିବା ହାତକୁ ଧରି ଦାନ ଦେବାକୁ ମନାକଲେ । ବଳିକି ଶୁକ୍ରାଚାର୍ଯ୍ଯ କହିଲେ--ଯାହାକୁ ତୁମ୍ଭେ ବାମନ ରୂପରେ ଦେଖୁଛ ସେ ହେଉଛନ୍ତି ପ୍ରକୃତରେ ସ୍ବୟଂ ବିଷ୍ଣୁ । ସେ ବର୍ତ୍ତମାନ ଦେବତାମାନଙ୍କୁ ରକ୍ଷାକରିବା ପାଇଁ ତୁମ୍ଭର ପତନ ଘଟାଇବା ସକାଶେ ଏଠାକୁ ଆସିଛନ୍ତି । ତିନିପାଦ ମାତ୍ର ଭୂମି ମାଗିବା ତାଙ୍କର ଏକ କପଟ । ତେଣୁ ତୁମ୍ଭେ ତାଙ୍କୁ ଦାନ ଦିଅ ନାହିଁ । ତାଙ୍କୁ ଦାନ ଦେଲେ ତୁମ୍ଭେ ବିପଦରେ ପଡିବ । କାରଣ ବିଷ୍ଣୁ ବଡ଼ କପଟୀ । 

    କିନ୍ତୁ ବଳି ସତ୍ଯ କରିସାରିଥିବାରୁ ସତ୍ଯଭଗ୍ନ କରିବାକୁ ଅନିଛୁକ ହେଲା । ତେଣୁ ସେ ବାମନଙ୍କୁ ତିନିପାଦ ଭୂମିଦାନ କରିବାକୁ ଗଡୁ ଟେକନ୍ତେ ଗଡୁ ନଳୀରେ ଶୁକ୍ରାଚାର୍ଯ୍ଯ ମାଛି ରୂପରେ ରହି ଜଳ ପତନକୁ ବାଧାଦେଲେ । ନଳୀବାଟେ ଜଳ ନ ପଡିବାରୁ ବାମନ ନିଜ ଆଙ୍ଗୁଠିରେ ଥିବା କୁଶରେ ନଳୀଭିତର କେଞ୍ଚିଦେବାରୁ ତାହା ସେହି ମାଛି ଆଖିରେ ବାଜି ଗୋଟିଏ ଆଖି ଫୁଟିଗଲା । ତହୁଁ ମାଛିରୂପୀ ଶୁକ୍ର କଲବଲ ହୋଇ ସ୍ବଦେହରେ ରକ୍ତ ବଲବଲ ଅବସ୍ଥାରେ ବାହାରି ବଡିଲେ । ସେହିଦିନୁଁ ଶୁକ୍ରାଚାର୍ଯ୍ଯଙ୍କର ଗୋଟିଏ ଆଖି କଣା । ମାଛିରୂପୀ ଶୁକ୍ର ଗଡୁନଳୀରୁ ବାହାରିପଡିବାରୁ ଗଡୁ ମଧ୍ଯରୁ ସେହି ବାଟେ ଜଳ ପଡିଲା । ଏହା ଦେଖି ଶୁକ୍ରାଚାର୍ଯ୍ଯ ବଳିକୁ ଅଭିଶାପ ଦେଲେ--ତୋର ସକଳ ସମ୍ପତ୍ତି ନାଶ ପାଉ । ବଳି କହିଲା--ମୋର ସର୍ବସ୍ବ ଯାଉ ପଛକେ ମୁଁ ସତ୍ଯଭଗ୍ନ ହେବି ନାହିଁ । ବଳି ଦୈତ୍ଯର ଏହି ଦାନରେ ବଳିର ପତ୍ନୀ ବିନ୍ଧ୍ଯାବଳୀ ସହଯୋଗ କରିଥିଲା । ବାମନ କେଉଁଠି ତିନିପାଦ ଭୂମି ନେବବୋଲି ବଳି ପଚାରିବାରୁ ସଙ୍ଗେ ସଙ୍ଗେ ବାମନରୂପୀ ବିଷ୍ଣୁ ବିଶ୍ଵରୂପ ଧାରଣ କଲେ । ତାଙ୍କର ଗୋଟିଏ ପାଦ ସମଗ୍ର ପୃଥିବୀକି ଆବୃତ କଲା । ଦ୍ବିତୀୟ ପାଦଟିକୁ ସେ ସ୍ବର୍ଗରେ ସ୍ଥାପନ କରନ୍ତେ ସ୍ବର୍ଗ ନିଅଣ୍ଟ ହେଲା । ସେହି ପାଦଟି ସ୍ବର୍ଗପଟେ ତପଲୋକ ଅତିକ୍ରମ କରି ସତ୍ଯଲୋକ(ବ୍ରହ୍ମଲୋକ) ପର୍ଯ୍ୟନ୍ତ ବ୍ଯାପିଗଲା । ସେହି ପାଦକୁ ଦେଖି ତେତିଶକୋଟି ଦେବତାଙ୍କ ସମେତ ବ୍ରହ୍ମା ନିଜେ ସେହି ପାଦକୁ ଧୋଇବା ପାଇଁ ଗଙ୍ଗାଜଳ ଢାଳିଲେ । କିନ୍ତୁ ଗଙ୍ଗା ସେହି ପାଦର ଗୋଟିଏ ନଖ କୋଣରେ ରହିଗଲେ । ସେହି ପାଦକୁ ଧୋଇନପାରି ବ୍ରହ୍ମା ଲଜ୍ଜିତ ଅନୁଭବକଲେ ଓ ବିଷ୍ଣୁଙ୍କୁ ସ୍ତୁତି କରିବାରେ ଲାଗିଲେ । ବ୍ରହ୍ମାଙ୍କ ଅଭିଶାପ ଜାଣି ବିଷ୍ଣୁ ନିଜ ପାଦକୁ ସଂକୁଚିତ ବରିବାରୁ ବ୍ରହ୍ମା ସେହି ପାଦକୁ ଧୋଇଦେଲେ । ବାମନଙ୍କର ଦୁଇପାଦଦ୍ବାରା ମର୍ତ୍ତ୍ଯ ଓ ସ୍ବର୍ଗରେ ବଳିର ଥିବା ସମସ୍ତ ସମ୍ପଦ ଚାଲିଯିବାରୁ ରାକ୍ଷସମାନେ କ୍ରୋଧାନ୍ବିତ ହୋଇ

ବାମନ ଵା ତ୍ରିଵିକ୍ରମଙ୍କ ସହିତ ଯୁଦ୍ଧ କରିବାକୁ ବାହାରିପଡିଲେ । କିନ୍ତୁ ବଳି ସେମାନଙ୍କୁ ସେଥିରୁ ନିବୃତ କଲା । 

   ବାମନଙ୍କର ମନ ଜାଣିପାରି ଗରୁଡ ସେଠାରେ ଉପସ୍ଥିତ ହୋଇ ବଳିକି ବରୁଣ ପାଶରେ ବାନ୍ଧିପକେଇଲେ । ଏହାଦେଖି ଚାରିଆଡୁ ହାହାକାର ଧ୍ବନି ଉଠିଲା । ଏହି ସମୟରେ ବଳିକୁ ବାମନ କହିଲେ--ମୋର ଦୁଇପାଦ ଥୋଇ ମୁଁ ମର୍ତ୍ତ୍ଯ ଓ ସ୍ବର୍ଗ ନେଲି । ବର୍ତ୍ତମାନ ଆଉପାଦେ ଭୂମି କେଉଁଠି ନେବି କୁହ । କାରଣ ତୁମେ ମୋ ପାଦ ମାପରେ ତିନିପାଦ ଭୂମି ଦେବ ବୋଲି ସତ୍ଯ କରିଛ । ଏହା ଶୁଣି ବଳି କହିଲା --ଦୁଇ ପାଦରେ ତୁମେ ସ୍ବର୍ଗ ଓ ମର୍ତ୍ତ୍ଯ ନେଲ । ତୁମ୍ଭର ତୃତୀୟ ପାଦ ଦେଖିଲେ ମୁଁ ସ୍ଥାନ ଦେଖାଇବି । ଏହାଶୁଣି ବାମନ ନିଜ ନାଭିରୁ ଆଉ ଗୋଟିଏ ପାଦ ବାହାର କଲାମାତ୍ରେ ବଳି ନିଜର ମୁଣ୍ଡ ଦେଖାଇଦେଲା । ବଳି କହିଲା--ଆଉ ତ ଭୂମି ନାହିଁ । ତେଣୁ ମୋ ମୁଣ୍ଡ ଉପରେ ତୃତୀୟ ପାଦକୁ ସ୍ଥାପନ କରନ୍ତୁ । ଏହି ସମୟରେ ବଳିର ଅଜା ପ୍ରହ୍ଲାଦ ସେଠାରେ ଉପସ୍ଥିତ ହେଲେ । ପ୍ରହ୍ଲାଦକୁ ଦେଖି ବନ୍ଧନରେ ପଡିଥିବା ବଳି ଭକ୍ତିରେ ମୁଣ୍ଡ ନୁଆଁଇଲା । ତା ଆଖି ଛଳ ଛଳ ହେବାରୁ ସେ ତଳକୁ ମୁହଁ ପୋତିଦେଲା । ବାମନଙ୍କ ପାଦରେ ପ୍ରହ୍ଲାଦ ନମସ୍କାର କଲେ । ଏହି ସମୟରେ ବଳିର ପତ୍ନୀ ବିନ୍ଧ୍ଯାବଳୀ ସେଠାରେ ଆସି ପହଞ୍ଚିଲେ । ପ୍ରହ୍ଲାଦ ଓ ବିନ୍ଧ୍ଯାବଳୀ ଉଭୟେ ମିଶି ବଳି ସପକ୍ଷରେ ବାମନଙ୍କୁ ବିନୟର ସହିତ ବହୁତ କଥା କହିଲେ । ବ୍ରହ୍ମା ସେଠାରେ ଥିଲେ । ବ୍ରହ୍ମା ମଧ୍ଯ ବଳିର ଦୋଷ କ୍ଷମା କରିବାକୁ ଵାମନଙ୍କୁ କହିଲେ । ତହୁଁ ବିଷ୍ଣୁ ବ୍ରହ୍ମାଙ୍କୁ କହିଲେ-ମୋ କପଟ ବଳରେ ବଳି ସର୍ବହରା ହେଲେ ମଧ୍ଯ ବଳି ସତ୍ଯକୁ ଛାଡି ନାହିଁ । ବଳିକୁ ବଳି ସତ୍ଯବାଦୀ ଓ ଭକ୍ତ ଜଗତରେ ମିଳିବ ନାହିଁ । ତେଣୁ ଦେବତାଙ୍କୁ ଯେଉଁ ସ୍ଥାନ ଦୁର୍ଲଭ ସେହିପରି ସ୍ଥାନରେ ମୁଁ ବଳିକୁ ରଖାଇବି । ଏହି ମନୁ ଶେଷ ପର୍ଯ୍ୟନ୍ତ ମୋ କଥା ମାନି ସେ ସପ୍ତ ପାତାଳ ମଧ୍ଯରୁ ସୁତଳ ପୁରରେ ଥାଉ । ମୋ ଆଜ୍ଞାରେ ସେଠାରେ ତାକୁ କୌଣସି ପ୍ରକାରର କଷ୍ଟ ହେବ ନାହିଁ । 

   ଏହାପରେ ବାମନ ବଳିକୁ କହିଲେ --ଵର୍ତ୍ତମାନ ତୁମ୍ଭେ ତୁମ୍ଭର ବନ୍ଧୁବାନ୍ଧବଙ୍କୁ ନେଇ ସୁତଳପୁରକୁ ଯାଅ । ଅସୁରମାନଙ୍କୁ ନେଇ ସେହିଠାରେ ରହ । ଇନ୍ଦ୍ର ପ୍ରଭୃତି ଦେଵତାମାନେ ସେଠାକୁ ଯାଇ ତୁମ୍ଭର କୌଣସି କ୍ଷତି କରିପାରିବେ ନାହିଁ । ସବୁ ରାକ୍ଷସ ଯାଇ ସେଠାରେ ତୁମ୍ଭର ସେବା କରିବେ । ଯିଏ ତୁମ୍ଭଙ୍କୁ ସେଠି ଅବଜ୍ଞା କରିବ ମୋ ଚକ୍ର ଯାଇ ସଙ୍ଗେ ସଙ୍ଗେ ତାକୁ ନିଧନ କରିବ । ମୁଁ ନିଜେ ସେଠାରେ ଦ୍ବାରପାଳ ହୋଇ ରହିବି ଓ ସର୍ବଦା ତୁମ୍ଭଙ୍କୁ ରକ୍ଷା କରୁଥିବି । ତୁମ୍ଭେ ମଧ୍ଯ ସଵୁଦିନେ ମୋର ଦର୍ଶନ ପାଉଥିବ । ସଙ୍ଗଦୋଷ ଫଳରେ ତୁମ୍ଭର ଯେଉଁ ମନ୍ଦ ସ୍ବଭାବମାନ ଘଟିଥିଲା ସେସଵୁରୁ ତୁମ୍ଭେ ମୁକ୍ତିଲାଭ କରିବ । ଏହା କହି ବାମନ ନିଜ ହାତରେ ବଳିର ବନ୍ଧନକୁ ଖୋଲିଦେଲେ । ବଳି ଦୁଇହାତ ଯୋଡି ବାମନଙ୍କୁ ସ୍ତୁତି କଲା । ଏହାପରେ ବଳି ଆନନ୍ଦ ମନରେ ବାମନକୁ ପ୍ରଣାମ କରି ଅସୁରମାନଙ୍କ ସହିତ ସୁତଳକୁ ଗଲା । ବାମନରୂପୀ ବିଷ୍ଣୁ ବୈକୁଣ୍ଠକୁ ଗଲେ । ସେହି ବାମନଙ୍କ ପ୍ରସାଦରୁ ସିଦ୍ଧାଶ୍ରମର ମହତ୍ତ୍ବ ବଢିଯାଇଛି ବିଶ୍ଵାମିତ୍ର ଶ୍ରୀରାମଙ୍କୁ କହିଲେ । ହେ ରାମ,ସେହି ବାମନଙ୍କୁ ଭକ୍ତି କରି ମୁଁ ଵର୍ତ୍ତମାନ ସେହି ସିଦ୍ଧାଶ୍ରମର ଅଧିକାରୀ । ଆଉ କିଛି ସମୟପରେ ଆମେ ଯାଇ ସିଦ୍ଧାଶ୍ରମରେ ପହଞ୍ଚିବା । ସେଠାରେ ଯଜ୍ଞନାଶ କରିବାକୁ ଅସୁରମାନେ ସେଠାକୁ ଆସୁଛନ୍ତି । ତୁମ୍ଭେ ସେମାନଙ୍କୁ ବିନାଶ କରିବ । ଏହାଶୁଣି ବିଶ୍ଵାମିତ୍ରଙ୍କୁ ଶ୍ରୀରାମ କହିଲେ--ଆପଣ ଆଜିଠାରୁ ଯଜ୍ଞଦୀକ୍ଷା କରନ୍ତୁ । ଆମେ ଯଜ୍ଞରକ୍ଷାର ଦାୟିତ୍ୱ ନେଉଛୁ । ଶ୍ରୀରାମଙ୍କ କଥା ଶୁଣି ବିଶ୍ଵାମିତ୍ର ଯଜ୍ଞରେ ଦୀକ୍ଷିତ ହେଲେ ।


*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, *


Rate this content
Log in