କଅଁଳ ମନରେ କରୁଣ ଭାବ
କଅଁଳ ମନରେ କରୁଣ ଭାବ
ଟୁନା କବାଟ ଖୋଲ ବାବୁ।
ତୁ ପରା ଗୁଡ୍ ବଏ ! ଗୁଡ୍ ବଏ କଥା ଶୁଣନ୍ତି, ମାନନ୍ତି। କବାଟ ଖୋଲ ଧନ।
ଟୁନା କବାଟ କିଳି ପସିଛି ଘଣ୍ଟାଏ ହେଲା।ଯେତେ ଯିଏ ଡାକିଲେ କି କବାଟ ବାଡେଇଲେ ଜବାବ ଦେଉ ନାହିଁ କି କବାଟ ଫିଟାଉ ନାହିଁ।
ଘରେ ସମସ୍ତଙ୍କ ପାଟି ପଡ଼ିଗଲାଣି ।ଟୁନା ଜେଜେ, ବାବା,ଦାଦା,ମାମା ଓ ଖୁଡି ଯିଏ ଯେତେ ଡାକିଲେ ବି କାହା କଥା ଶୁଣୁନି।କ'ଣ କରୁଛି ଛୁଆଟା କବାଟ ଦେଇ ! ସୋର ଶବ୍ଦ କିଛି ବି ତ ଶୁଭୁନି !
ଟୁନା ଛଅ ବର୍ଷର ପୁଅ ।ଭାରି ବୁଦ୍ଧିଆ।ସ୍ମରଣ ଶକ୍ତି ପ୍ରଖର।ସ୍କୁଲ ଖୋଲା ଥିଲା ବେଳେ କାର୍ଟୁନ ଦେଖିବାକୁ ଡହଳ ବିକଳ ହେଉଥିଲା। ଖୁବ୍ ଗାଳି ବି ଖାଏ ଏଇ ଟିଭି ଦେଖା ଯୋଗୁଁ।ମୋଟୁ ପତଲୁ,ଡୋରେ ମନ୍, ବେନ୍ ଟେନ୍,ଶକ୍ତିମାନ୍,ଅଗି ଆଣ୍ଡ୍ କ୍ରକୋଜ୍, ସ୍ପାଇଡ଼ର ମ୍ୟାନ୍ ତାର ସବୁ ପ୍ରିୟ ।କେତେବେଳେ ଏଇ ସିରିଏଲ୍ ଦେବ ଅନେଇଁ ବସୁଥିଲା।ଏଥି ପାଇଁ ତା ବାବା ବହୁତ ବିଗିଡନ୍ତି ତା ଉପରେ।ଯେତେ କହିଲେ କଣ ହେବ,ଠିକ୍ କାର୍ଟୁନ ଦେବା ଟାଇମ୍ ହେଲେ ଚୁପ୍ କି ଟିଭି ଖୋଲି ରିମୋଟ ଧରି ବସି ଯାଉଥିଲା।
ଏବେ କଣ ହୋଇଛି କେଜାଣି , ସବୁବେଳେ ଚୁପ୍ ଚାପ୍।ଯା କାର୍ଟୁନ ଦେଖୁବୁ କହିଲେ ମୁହଁ ମାଡି ଶୋଇବ।ମୁଁ ଦେଖିବି ନାହିଁ କହିବ। ସବୁବେଳେ ହସୁଥିବା ଖେଳୁଥିବ ପିଲାଟା ବଡ଼ ଲୋକଙ୍କ ପରି ବ୍ୟବହାର କରୁଛି ! ଘରେ ରୋଳା କରୁନାହିଁ।ମନ ମାରି ଅନେଇଁ ବସିଛୁ ଷ୍ଟାଚ୍ୟୁ ହୋଇ।ଝରକା ରେଲିଂ ଦେଇ ପଲକ ନ ପକାଇ ଅନେଇଁ ରହୁଛି ଘଣ୍ଟା ଘଣ୍ଟା।ଶୈଶବ ଉଦାସରେ ଭରି ଦେଇଛି ଏ ମହାମାରୀ ।
ଏମିତି ସମୟ କେହି ଦେଖିଥିଲା ! ନୀରବ ନିଃଶବ୍ଦ ଭୟର ପୃଥିବୀରେ ବଞ୍ଚିଥିଲା କେହି ପ୍ରିୟ ଲୋକଙ୍କୁ ହରାଇ ଜୀଅନ୍ତା ଶବ ହୋଇ ! ଖିଆ ପିଆରେ ବି ଧ୍ୟାନ ଦେଉନାହିଁ।ପିଲାମନ ଦୁହିଁ ହୋଇ ଗଲାଣି ଦେଢ଼ ବର୍ଷ ହେବ।
ଆଗେ ବହି ପତ୍ରର ଖୁବ୍ ଯତ୍ନ ନେଉଥିଲା।ତା ବହି ଉପର ସବୁବେଳେ ଚିକ୍ ଚିକ୍ ମାରେ।ଅନ୍ୟ ପିଲାଙ୍କ ପରି ବହି ଖାତା ଚିରିବା କି ପେନ୍ସିଲ କଲମ ଭାଙ୍ଗିବା ଆମେ କେହି କେବେ ଜାଣିନୁ।ସଜାଇ ଯତ୍ନରେ ତାର ବ୍ୟାଗ୍ ଠାରୁ ଆରମ୍ଭ କରି ସକସ୍ ଓ ଜୋତା ଯାଏ ସୁନ୍ଦର ଭାବେ ରଖେ।ଘରେ ଏଣେ ତେଣେ ଜିନିଷ ପଡ଼ିଥିଲେ ତାକୁ ଖରାପ ଲାଗେ।କ'ଣ ମ ମାମା ଠିକ୍ ଜାଗାରେ ଠିକ୍ ଚିଜ ରଖୁନ କାହିଁକି ଯେ କୁହେ ।
ଟୁନା ଯେତେବେଳେ ମୋ କାମ ଉପରେ କିଛି କୁହେ,ଲାଗେ ଯେମିତି ମୋ ବାପା ମୋତେ ତାଗିଦା କରି ଏମିତି କର, ଏଇଟା କର ,ସେମିତି କର ,କହୁଛନ୍ତି ଯିଏ ଏବେ ନାହାନ୍ତି ସଶରୀରେ ଅଛନ୍ତି ମୋ ଭିତରେ। ସେ ଅଛନ୍ତି ଆକାଶରେ ତାରା ହୋଇ କେବେଠାରୁ।
ସେଇ ପୁଅ ମନ ମନମାରୀ ବସୁଛି।କି ସମୟ ଆସିଲା ପିଲାଠାରୁ ବୟସ୍କ ଘରେ ବନ୍ଦୀ। ପିଲାଙ୍କ ସାଙ୍ଗ ସାଥୀ, ଖେଳ,ସ୍କୁଲ କିଛି ନାହିଁ।କେତେ ଛୁଆ ଗୁଡା ଏକା ଏକୁଟିଆ ଘରଟାରେ ବନ୍ଦୀ ହୋଇ ରୁହନ୍ତେ ! ଏଡ଼େ ଅଲକ୍ଷଣା ରୋଗ ଟା ଆସିଛି ଯେ କେତେ ମୁଣ୍ଡ ନେଲାଣି ! ତଥାପି ମନ ଶାନ୍ତି ହେଲା ନାହିଁ ଯେ ପୁଣି ଫେରିଛି ଏ ଦ୍ଵିତୀୟ ଲହର ପୁରା ମାରାତ୍ମକ ହୋଇ।ଲେଉଟିଲା ବାଘ ମଣିଷ ଖାଏ !!
ସେହିପରି ଏ ଦ୍ଵିତୀୟ ଲହର ହା ହା କାର ଭରି ଦେଲାଣି ସଭିଙ୍କ ମନରେ।ଟିକିଏ କମିଥିଲା।ଆଶାଥିଲା ସ୍କୁଲ ,କଲେଜ ଖୋଲିବ।ସ୍ୱାଭାବିକ ହେବ ଜୀବନ ଯାତ୍ରା।କିନ୍ତୁ ସ୍ୱାଭାବିକ ହେବ କଣ?ଏବେ ତ ଧୈର୍ଯ୍ୟ ରହୁନି କିଏ କିଏ କରୋନାରେ ଗଲେଣି ପେପର୍ କି ଟିଭିରୁ ଦେଖି।
ଓହୋ ଟୁନା ! କବାଟ ଖୋଲ ଧନ।କଣ କରୁଛୁ ତା ଭିତରେ । ଭୋକ ହେବଣି।ଆ ଖାଇବୁ ମୋ ସୁନା ଟା।ସମସ୍ତେ ବାଡେଇ ବାଡେଇ ଥକତ। କବାଟ ନ ଫିଟେଇବାରୁ ସଭିଙ୍କ ମନ ପାପ ଛୁଇଁଲା।ପିଲା ଲୋକ।ଅବସାଦ ଗ୍ରସ୍ତ ଜୀବନ ବଞ୍ଚୁଛି ଏବେ।କାଳେ କଣ କରିଦେଲା କି ! ସ୍ଥିର ହେଲା କବାଟ ଭାଙ୍ଗିଦେବେ।ସମସ୍ତେ ମିଶି କବାଟକୁ ଧକ୍କା ମାଇଲେ।କବାଟ ଫିଟା ଟୁନା; ନଲେ ଭଙ୍ଗା ଯିବ।ଟୁନା ସୁନା ପିଲା କବାଟ ଖୋଲ ଧକ୍କା ଦେବା ସହ ତା ବାବା,ଦାଦା ଓ ପଡିଶା ଘର ଆଉ ଦୁଇ ପିଲା କହୁଥିଲେ।
ଏଥର ଟୁନା କଥା ଶୁଭିଲା।
ରୁହ ରୁହ ଖୋଲୁଛି।
ଓହୋ ଛାତିରେ ହାତ ଦେଲି, ଟୁନା ମୋ ସୁନା।
କବାଟ ଖୋଲ ବାବୁ।
ରୁହ ରୁହ ମୁଁ ଗୋଟେ କଥା କରୁଛି,ସରୁ ଫିଟେଇବି।
ସମସ୍ତଙ୍କ ଦେହରେ ଜୀବନ ପଶିଲା।ଯା ହେଉ ଟୁନା ଭିତରେ ଭଲ ଅଛି।
ମୁଁ ତ ବେହୋସ୍ ହେବା ଅବସ୍ଥାରେ।ଗୋଟିଏ ବୋଲି ଛୁଆ।ଆଜି ଭଲ ମନ୍ଦ କିଛି ହୋଇଗଲେ...।ଛିଃ ଲୋ ଏ ମାଆ ଗୁଡା ପ୍ରଥମେ ଖରାପ ଆଶଙ୍କା କରନ୍ତି କାହିଁକି ଯେ !
ସମସ୍ତେ ଟୁନା କବାଟ ଫିଟେଇ ବାହାରକୁ ଆସିବାକୁ ଅନେଇଁ ବସିଥାନ୍ତି।ତା ଜେଜେ କହୁଥାନ୍ତି ବାହାରୁ ହାରାମ୍ଜାଦା।ଦେବି ଦି ପାହାର ଆଜି।ଆମେ ହାର୍ଟ ଫେଲ୍ ହୋଇ ସାରନ୍ତାଣି ତାକୁ ମଜା ଲାଗୁଛି।
ଟୁନା ! ସଇଲା ତୋ କାମ ?
ରୁହ ରୁହ ଆଉ ଟିକେ।
ଏମିତି କିଛି ସମୟ ଗଲା।କବାଟ ଫିଟିଲା।ହେଲେ ଟୁନା କାଇଁ ! ଏ କଣ ଏମିତି ରୂପ ଭେକ ହୋଇଛି।ତା ଦାଦା ଚିପା ପ୍ୟାଣ୍ଟ୍, ତାର ଶକ୍ତିମାନ ଥିବା ଲୋଗୋ ଗଞ୍ଜି ପିନ୍ଧିଛି । ଜେଜେଙ୍କ ହୋମ କରିବା ଟସର ଧୋତିକୁ ରାଜାଙ୍କ ପରି ପଛପଟେ ଦୁଇ କାନ୍ଧରେ ବାନ୍ଧି ଓହଲାଇ ଦେଇଛି ଗୋଡ଼ ପର୍ଯ୍ୟନ୍ତ।ମୁଣ୍ଡରେ ବାବାଙ୍କ ହେଲମେଣ୍ଟ୍।ହାତରେ କାର୍ଡ ବୋର୍ଡ଼ ତିଆରି ଚକ୍ର।ପାଦରେ ତା ବାବାଙ୍କ କଳା ବୁଟ୍।
ବୋକା ପରି ସମସ୍ତେ ନିରୀକ୍ଷଣ କରି କହିଲେ, ହଇରେ ଟୁନା ଇଏ କି ଅଦ୍ଭୁତ ବେଶ ! ଏଇଆ କରୁଥିଲୁ ପଶି ଘରଟା ଭିତରେ ! ଆମର ଏଣେ ପିଳେହି ପାଣି ହେଲାଣି । ବଡ଼ ହେଲେ ବେହେଲିଆଟେ ହେବୁ ଲାଗୁଛି।
ସେ କାହା କଥା ନ ଶୁଣି ଉପରକୁ ହାତ ଟେକି ଗୋଲ ଗୋଲ ବୁଲୁଥିଲା।
ହା ହା ହା ମୁଁ ଶକ୍ତିମାନ । ଆରେ ରେ କରୋନା !ଏଇ ଦେଖ୍ ତୋତେ ମୁଁ ଧ୍ୱଂସ କରି ଦେବି।ଆସିଗଲା ଶକ୍ତିମାନ । ମାରିଦେବ କରୋନାକୁ।
ତୁ କରୋନାକୁ ମାରିବୁ ?
ହଁ ମାମା ଶକ୍ତିମାନ ସମସ୍ତଙ୍କୁ ମାରିଦିଏ।ମୁଁ ଶକ୍ତିମାନ ହୋଇ କରୋନାକୁ ମାରିଦେବି।
ଟୁନାର ପିଲାଳିଆମୀ ଦେଖି ସମସ୍ତେ ହସିବା ବନ୍ଦ କରି ଗମ୍ଭୀର ହୋଇଗଲେ।ପିଲା ମନ ଉପରେ କରୋନା କି ପ୍ରଭାବ ପକାଇଲାଣି ! ଅବୁଝା ପିଲା ମାନେ ଏତେ ଅତିଷ୍ଠ ହୋଇ ଗଲେଣି ଯେ ମରିବାକୁ ପୁଣି ମାରିବାକୁ ବସିଲେଣି!
ମୁଁ ଟୁନାକୁ କୋଳେଇ ନେଇ ମନେ ମନର କହି ହେଲି ସତରେ କେହି" ଶକ୍ତିମାନ" ଆସନ୍ତେ କି ଏ ପୃଥିବୀକୁ କରୋନାକୁ ସମୂଳେ ବିନାଶ କରିବାପାଇଁ।
ସମସ୍ତେ କହିଲେ କଅଁଳ ମନରେ କି କରୁଣ ଭାବ ଦେଲା ଏ ବିଶ୍ୱ ଥରା କରୋନା !!
