Satyabati Swain

Others

3  

Satyabati Swain

Others

ସେଇ କୁନି ପୁଅଟିର ମାମା

ସେଇ କୁନି ପୁଅଟିର ମାମା

3 mins
418


ସମୟ ହୋଇ ଆସିଲାଣି। ନିଦ ହଜିଗଲାଣି ଶାଶୁ ଶଶୁର ସ୍ୱାମୀ ଓ ଘର ଲୋକଙ୍କର। କେତେବେଳେ କେଉଁ କଥା!!ରାତି ବିକାଳୀ ହେଲେ ବହୁତ ଅସୁବିଧା।


      ମୋର ଓଜନ କମ୍ ଓ ସ୍ୱାସ୍ଥ୍ୟ ଅତି ଖରାପ। ପିଲାସହ ମୋ ଓଜନ ଥାଏ ପଇଁତିରିଶ କିଲୋ ଗ୍ରାମ। ଉଚ୍ଚତା ପାଞ୍ଚ ଫୁଟ୍ ତିନି ଇଞ୍ଚ୍। ସେଥିପାଇଁ ଡାକ୍ତରଙ୍କ ଚିନ୍ତା। କହି ଦେଇଛନ୍ତି ଦେଢ଼ ମାସ ଥିବ ଆଣି ନର୍ସିଂ ହୋମରେ ଆଡ଼ମିଟ୍ କରିବ। ନଚେତ ଅସୁବିଧା ହେବ।


       କଣ୍ଟା କଣ୍ଟି ଦୁଇ ମାସ ଥାଏ। ରବିବାରିଆ। ଗ୍ରୀଷ୍ମ ଛୁଟି । ଏଣୁ ମୁଁ ଭୁବନେଶ୍ୱରରେ ନ ରହି ଶାଶୁ ଘରେ ଥାଏ। ମୋର ପେନ୍ ଆରମ୍ଭ ହୋଇଗଲା ସକାଳୁ। ଲାଜ ବଶତଃ କହିଲି ନାହିଁ କାହାକୁ। ସକାଳୁ ଅଣ୍ଟା ଓ ପଛ ପଟକୁ ଯେପରି କିଏ ବାଡେଇ ବାଡେଇ ମେଲା କରି ଦେଉ ଥାଏ। ଅସହ୍ୟଯନ୍ତ୍ରଣା। ଓଃ ଶବ୍ଦ ନାହିଁ ବର୍ଣ୍ଣନା କରିହେବ ସେ ପେନ୍ କୁ। ସନ୍ଧ୍ୟା ଯାଏ ଦେହେ ଦେହେ କଷ୍ଟକୁ ମାରୁ ଥାଏ। ରାତି ଏଗାର କି ବାର୍ ବେଳକୁ ଆଉ ସମ୍ଭାଳି ପାରିଲି ନାହିଁ। ସ୍ୱତଃ ଓଃ ଆଃ ପାଟିରୁ ବାହାରି ଆସୁଥାଏ। ବେଡ଼ ଉପରେ ମୁଁ କାନ୍ କାନ୍ ଭଉରୀ ଖେଳୁଥାଏ। ଶାଶୁ ଏକଥା ଲକ୍ଷ୍ୟ କରି ପଚାରିଲେ ମା ଲକ୍ଷ୍ମୀ,( ଶାଶୁ ଘର ନାଁ ମୋର ଲକ୍ଷ୍ମୀ) ଦେହ କଣ ହେଉଛି କି!


     ମୁଁ ଭୋ ଭୋ କାନ୍ଦି ପକାଇଲି ଏତିକି କଥାରେ। ଶାଶୁ ବହୁ ସାହସୀ। କିନ୍ତୁ ମୋ କାନ୍ଦ ଦେଖି ସେ ଠିଆ ଠିଆ ପରିସ୍ରା କରି ପକାଇଲେ। କାହିଁକି ନା ମୋ ଶରୀର ଦେଖିଲେ ଯେ ନାହିଁ ଭୟ କରିବ କି କେମିତି ଦି ଭାଗ ହେବ ଏ!। ପୁଣି ରାତି ଅଧ ପାଖା ପାଖି। ସେଦିନ ଶେଷ ତିଥି ବାହା ଘର ଥାଏ। କେଉଁଠି ଗାଡିଟିଏ ମିଳିଲା ନାହିଁ। ସମସ୍ତେ ବାହାଘରିଆ ଭଡାରେ ଥାଆନ୍ତି। ବାଇକିରେ ମୋତେ ତ ନେଇ ହେବନି। ଶେଷରେ ଖୋଜି ଖୋଜି ଗୋଟେ କୁକୁଡ଼ା ବୁହା ଡ଼ାଲା ଅଟୋ ମିଳିଲା। ହେଉ ପଛେ ଡାଲା ଅଟୋ ଡାକ୍ତର ଖାନା ଧରିବାର ଅଛି।


    ମୋ ମିଷ୍ଟର ଓ ଶାଶୁ କ୍ୟାବିନ ଭିତରେ ମୋତେ ଧରି ବହୁ କଷ୍ଟରେ ବସିଲେ। ଦେବରଓ ଗାଁର ଆଉ କେତେ ଜଣ ଡାଲା ରେ ବସିଲେ। ଅଧାବାଟ ଗାଡି ଭିତରେ ମୁତପୁରା ଫାଟି ଗଲା। ଶାଶୁ ଖାଲି ଦଧିବାମନ ଠାକୁରଙ୍କୁ ଡାକୁ ଥାଆନ୍ତି। ସମୟ ହୋଇନି,ପେନ୍ ପୁଣି ବାଟରେ ମୁତପୁରା ଫାଟିଲାଣି! ମୋ ମିଷ୍ଟର ବି ଗୁମ ହୋଇ ବସିଥାନ୍ତି। କିଛି ଗୋଟେ ଅଘଟଣର ଆଶଙ୍କା କରି। ମୋ ବୋଉ କିନ୍ତୁ କହିଥାଏ ତୁ ଦଧିବାମନଙ୍କୁ ଏତେ ଭଲ ପାଉ ତୋର କିଛି ଅସୁବିଧା ହେବନି।


     ମୋ ମା ହେବା ଶୁଣି ବାପ ଘରଠାରୁ ଶାଶୁ ଘର ଯାଏ ସମସ୍ତେ ଆନନ୍ଦରେ ଅଧୀର। ପିଲା ପେଟ ଭିତର କିନ୍ତୁ ନାଁ ଗାଡି ଆଗରେ ଓ ନେମ୍ ପ୍ଲେଟରେ ଲେଖା ସାରିଲାଣି"ଆ ଲ୍ ଫା"। ସମସ୍ତଙ୍କ ଇଚ୍ଛା ଝିଅଟିଏ ହେବ ଓ ତା ନାଁ ଦିଆ ଯିବ "ଆ ଲ୍ ଫା"। ମୋ ଶାଶୁ ଘର ଲୋକେ ଝିଅ କାଙ୍ଗାଳ। ହେଲେ ସେ ଡିହରେ ଝିଅ ହୁଅନ୍ତି ନି, ଯଦି ହୁଅନ୍ତି ରୁହଁନ୍ତିନି ମରି ଯାଆନ୍ତି ବୋଲି କୁହା କୋଇ ହେବାର ମୁଁ ଶୁଣିଛି। ଏଣୁ ମୋର ଝିଅଟିଏ ହେଉ ସଭିଙ୍କ ଇଚ୍ଛା।


           ଗାଡି ଭିତରେ ମୋର ପ୍ରସବ ବେଦନାର ପାଟି ଓ ଅନ୍ୟ ମାନଙ୍କ ଆକୁଳ ଭାଵ। ଅଟୋ ଟିକେ ଶୀଘ୍ର ଚଲାଅ ଶୀଘ୍ର ଚଲାଅ ଶାଶୁଙ୍କ ନିର୍ଦେଶ। ଆସିଗଲା ଡାକ୍ତର ଖାନା। ନାଳ ଜୁଡୁବୁଡୁ ମୋତେ ଶୁନ୍ୟେ ଶୁନ୍ୟେ ଲେବର୍ ରୁମକୁ ନେଇ ଗଲେ ମୋ ମିଷ୍ଟର। କାରଣ ପିଲା ଆସିଯିବା ସମୟ ହୋଇଯାଇଥାଏ ସେତେବେଳେକୁ। ମାତ୍ର ପାଞ୍ଚ ମିନିଟ୍ ଯାଇଛି କି ନାହିଁ ଶୁଭିଲା କୁଆଁ କୁଆଁ। ଥରେ କୁଆଁ ରାଵ ଶୁଣି ମୁଁ ଅଚେତ ହୋଇ ଗଲି। କାରଣ ଦୁର୍ବଳ ଶରୀରକୁ ଅପେକ୍ଷାକୃତ ଅତ୍ୟଧିକ ବାନ୍ତିରେ ମୋର ଟିକେ ବି ବଳ ନଥାଏ। ସୋମବାର ଭୋର ପାଞ୍ଚଟା ପାଞ୍ଚ ରେ ଆଲ୍ ଫା ଜନ୍ମ ନେଇଥିଲା। ମୋ ଚେତା ଆସିଲା ୱାର୍ଡ ରେ ବୋଧେ ଗୋଟେ କି ଦୁଇଟା ସୁଦ୍ଧା।


       ପାଖରେ ଶୋଇଥିଲା ଧୋବ ଫର ଫର ସୁନ୍ଦର ପୁଅ ଛୁଆଟିଏ। ତା ମୁହଁକୁ ଦେଖି ଭୁଲି ହୋଇ ଗଲା ସବୁ କଷ୍ଟ। ଜୁଳୁ ଜୁଳୁ ଚାହୁଁ ଥାଏ ସେ। ସେତେବେଳେ ମୋ ପାଖେ ଆଉ କେହି ନଥିଲେ ମୋ ଭାଇ ବ୍ୟତୀତ। କାରଣ ଝିଅ ନ ହୋଇ ପୁଅଟିଏ ହୋଇଥିବାରୁ ସମସ୍ତ ମନ ଦୁଃଖ। କିଏ କୁଆଡେ ମୋତେ ଛାଡ଼ି ପଳେଇ ଯାଇଛନ୍ତି। ଭାଇ କହିଲେ କଣ କହିବ ଏ ମୁର୍ଖଙ୍କୁ। କିଏ ପୁଅ ପୁଅ ମୁଣ୍ଡ ବାଡ଼ଉଛନ୍ତି ଆଉ ଏଗୁଡାଙ୍କୁ ଗନ୍ଧଉଛି। ମୋତେ ଆଉଁସି ଆଉଁସି ପଚାରିଲେ କେମିତି ଲାଗୁଛି?କଣ ମୋତେ କିନ୍ତୁ ଖୁସି ଲାଗିଲା ଏ ଯୁଗରେ ଏମିତି ଶାଶୁଶଶୁର, ସ୍ୱାମୀ ଦିଅର ଅଛନ୍ତି ଯେ ଝିଅଟିଏ ପାଇଁ ପାଗଳ। ପୁଅ ହେବା ଶୁଣି ମନ ଦୁଃଖରେ କିଏ କୁଆଡେ ଯାଇ ବସିଛନ୍ତି। କେଜାଣି ମୁଁ ସେଦିନ ନିଜକୁ ଧନ୍ୟ ମନେ କଲି ଏମିତି ଲୋକ ମାନଙ୍କୁ ମୋତେ ଦେଇଥିବାରୁ। ନ ହେଲେ ତ କେତେ କନ୍ୟା ଭ୍ରୁଣ ଓ ଝିଅ ଜନ୍ମକୁ ନେଇ କେତେ ନିଷ୍ଠୁର ଘଟଣା ଘଟୁଛି ପ୍ରତିଦିନ। ଭାଇ କହିଲେ କଣ ଖାଇବୁ??


   ମୁଁ କହିଲି ତଣ୍ଟି ଶୁଖି ଯାଉଛି ପାଣି। ସେଦିନ ଥିଲା ଜୁନ ବାର୍ ଆଜି ବି ଅଠର ବର୍ଷ ପରେ ସେଇ ଜୁନ ବାର। ଝିଅ ସିନା ହେଲାନି, କିନ୍ତୁ ପୁଅର ନାଁ ରହିଗଲା ସେଇ ଆ ଲ୍ ଫା। ଆଜି ତାର ଜନ୍ମ ଦିନ। ଏ ଦିନ ଯେତେ ଥର ଆସେ ମନ ପଡେ ମୋର ସେଇ ଯନ୍ତ୍ରଣା,କୁକୁଡ଼ା ବୁହା ଡାଲା ଅଟୋ ଓ ମୋତେ ଏକା ଛାଡ଼ିଦେଇଯିବା କଥା।


 ଏବେ କିନ୍ତୁ ଲାଗେ ସେଇ କୁନି ପୁଅଟିର ମାମା ମୁଁ ନୁହେଁ ସେ ମୋ ବାପା ଓ ମୁଁ ତା କୁନି ଝିଅଟିଏ। ବହୁତ ଯତ୍ନ ନିଏ ଯେବେଠୁ ମୁଁ ଗୋଟିଏ ଆକସ୍ମିକ ଦୁର୍ଘଟଣା ରୁ ମରୁ ମରୁ ବଂଚିଗଲି। ଆଲଫା ଗୋଟେ ସୁନା ପୁଅ। ମୋତେ ଲାଗେ ଆଲଫା ଟା ସତରେ କେଉଁ ଜନ୍ମର ମୋ ବାପା ନିଶ୍ଚିନ୍ତ ଥିଲା।



Rate this content
Log in