STORYMIRROR

Gayatri Singh

Children Stories Inspirational Children

3  

Gayatri Singh

Children Stories Inspirational Children

ସେଇ ଅପାସୋରା ସମୟ

ସେଇ ଅପାସୋରା ସମୟ

3 mins
201

ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ... ସତରେ ମାମୁଁ ଘର ନାଁ ଶୁଣିଲେ ଯେଉଁ ମିଠା, ଯେଉଁ ସ୍ନେହ, ଯେଉଁ ଭଲ ପାଇବା ଥାଏ ତାହା ଆଉ କେଉଁଠି ମିଳେନି । ମାମୁଁ ଘରକୁ ଯିବା ନାଆଁ ଶୁଣିଲେ ମନ ଖାଲି ଖୁସିରେ କୁରୁଳି ଉଠେ । ଯେତେ ସବୁ ଦୁଷ୍ଟାମି ମାମୁଁ ଘରେ ବାହାରେ । କାରଣ ସେତେବେଳେ ଆଉ ବାପା ମାଆଙ୍କର ନାଲି ଆଖିକୁ ଡର ନଥାଏ କି ଗାଳି ମାଡକୁ ଭୟ ନଥାଏ । ଏ ସବୁଥିରୁ ବଂଚାଇବା ପାଇଁ ପାଖରେ ମାମୁଁ ମାଇଁ ଥାଆନ୍ତି । ତେଣୁ ଇଚ୍ଛା ଅନୁସାରେ ମନ ପ୍ରଜାପତିକୁ ସେଠାରେ ବୁଲାଇ ହୁଏ । ହେଲେ ହଠାତ୍ ମାମୁଁଙ୍କ ଚାଲିଯିବା କଥା ଟାକୁ ମୁଁ ସହଜରେ ଗ୍ରହଣ କରିପାରିଲିନି । ମାମୁଁଙ୍କ ଦେହ ଖରାପ ଭିତରେ ତାଙ୍କୁ ଯାଇ ଦେଖା କରିବି ଭାବି ଭାବି ବ୍ୟସ୍ତତା ଭିତରେ ରହିଗଲି । ମାମୁଁ କିନ୍ତୁ ଚାଲିଗଲେ । ମନରେ ଅନେକ ଅବଶୋଶ ରହିଗଲା । ମାମୁଁଙ୍କ ମଜାଳିଆ କଥା ସହିତ ପରକୁ ଆପଣାର କରିନେବାର କଳା କଥା କହିବାର କୌଶଳ ତାଙ୍କୁ ଖୁବ୍ ଜଣାଥିଲା । ଯେତେ ରାଗୀ ମଣିଷ ହେଉ ନା କାହିଁକି ତାଙ୍କ କଥା ଶୁଣିଲେ ଶାନ୍ତ ପଡିଯିବ । ମନଟା ମାମୁଁ ଘର ଗାଆଁକୁ ଚାଲିଗଲା । ପ୍ରତି ବର୍ଷ ଗ୍ରୀଷ୍ମ ଛୁଟିରେ ମାମୁଁ ଘରକୁ ଯାଉ । ବାର୍ଷିକ ପରୀକ୍ଷା ସରୁ ସରୁ ଅଜା ଆଇ ମାମୁଁ ମାଇଁଙ୍କ ଠାରୁ ଅର୍ନ୍ତଦେଶୀୟ ପତ୍ରରେ ଘରକୁ ଚିଠି ଆସି ପହଞ୍ଚିଯିବ । ସେଥିରେ ନିର୍ଦ୍ଦେଶ ଥିବ ଯେ ପରୀକ୍ଷା ସରିଲେ ପିଲାମାନଙ୍କୁ ନେଇ ଆସିବୁ । ମାଙ୍କ ଠାରୁ ଚିଠି କଥା ଶୁଣି ମନ ଖାଲି ଗଗନେ ପବନେ ଉଡୁଥିବ । ପରୀକ୍ଷା ସରୁ ସରୁ ରେଜଲ୍ଟ ଯାହା ହେଉ ଆଉ ଖାତିର ନଥାଏ । କେମିତି ମାମୁଁ ଘରେ ପହଞ୍ଚିବୁ ଖାଲି ସେଇ ଚିନ୍ତାରେ ଦିନ ବିତେ । ଆଉ ଆଖିରେ ନିଦ ନଥାଏ । ଏମିତି ଟିଉସନ ଯିବାକୁ ହେଲେ ମାଆଙ୍କର ହଜାରେ ଡାକରେ ସକାଳୁ ଆଖି ଖୋଲେ । ସେ ପୁଣି ବହୁତ କଷ୍ଟରେ । ହେଲେ ମାମୁଁ ଘରକୁ ଯିବା ପୂର୍ବ ଦିନ ଆଉ ଆଖିରେ ନିଦ ନଥାଏ, କେମିତି ସକାଳ ପାହିବ ସେଇ ଖିଆଲରେ ରାତି ପାହିଯାଏ । ମାଆ ଉଠେଇବା ପୂର୍ବରୁ ଆପେ ଉଠି ଭାଇ ଭଉଣୀ ଭିତରେ ଆରମ୍ଭ ହୋଇ ଯାଇଥାଏ କିଏ ଆଗ ବାହାରି ପାରୁଛିର ପ୍ରତିଯୋଗିତା । କେମିତି ବସରେ ବସିବୁ ଆଉ ମାମୁଁ ଘରେ ପହଞ୍ଚିବୁ ତତ୍ପରତାରେ ସବୁ କାମ ଏପଟ ସେପଟ ହୋଇ ଗାଳି ଶୁଣିବାକୁ ମିଳେ କିନ୍ତୁ ସେ ସବୁ ଖାତିର ନଥାଏ । ଏ କାନରେ ଶୁଣି ସେ କାନରେ ସବୁ ବାହାରି ଯାଏ । ମାମୁଁ ଘରେ ପହଞ୍ଚିଲା ପରେ ମନେ ହୁଏ ଦୁନିଆର ସବୁ ଖୁସି ଯେମିତି ହାତ ମୁଠାରେ । ପହଞ୍ଚୁ ପହଞ୍ଚୁ ମାଇଁଙ୍କର ସ୍ନେହ ବୋଳା କଥା, ପାଖରେ ବସି ବଳେଇ ବଳେଇ ଖୁଆଇବା ସୂତ୍ର ତାଙ୍କୁ ବେଶ୍ ଜଣାଥିଲା । ଅନ୍ୟ ମାଉସୀ ମାନଙ୍କର ପିଲାମାନେ ମଧ୍ୟ ଆସି ରୁଣ୍ଡ ହୋଇଥାନ୍ତି । ପ୍ରତି ବର୍ଷ ଖରା ଛୁଟିରେ ମାମୁଁ ଘରେ ସମସ୍ତଙ୍କର ଭିଡ ଜମେ । ମାମୁଁ ମାଇଁ କାହାକୁ ହତାଦର କରନ୍ତି ନାହିଁ । ସବୁ ଭଣଜା ଭାଣିଜୀଙ୍କ ପାଇଁ ତାଙ୍କ ସ୍ନେହ ସମାନ ଥାଏ । ଏତେ ସବୁ ଭଣଜା ଭଣିଜୀଙ୍କ ଅଳି ଅର୍ଦ୍ଦଳି ଅଭିଯୋଗ ସବୁ ଶୁଣନ୍ତି, ଆଉ ତାର ସମାଧାନ ମଧ୍ୟ କରନ୍ତି । ମାମୁଁଙ୍କ ସହିତ ସିନେମା ଯିବା, ଗାଆଁ ହାଟରେ ବୁଲିବା,ଗାଆଁ ପୋଖରୀରେ ଗାଧୋଇବା ନାଁରେ ଯାଇ ବଦମାସି କରିବା ଭାରୀ ମଜା ଲାଗେ । ମାମୁଁ ସବୁ ଦେଖନ୍ତି, ହସିଦେଇ କୁହନ୍ତି ଏଇଟା ତୁମ ମାନଙ୍କର ଦୁଷ୍ଟାମିର ସମୟରେ ପିଲାମାନେ, ମଜାକର । ଖରାଦିନେ ସକାଳ ଓଳିର ପଖାଳ ସାଙ୍ଗକୁ ଭଜା, ଶାଗ, ବଡିଚୁରା, ଗାଆଁ ତୋଟା ଆମ୍ବ ଭାରୀ ସୁଆଦିଆ ଲାଗେ । ଦ୍ୱିପହର ଖାଇବାରେ ବାଡି ପୋଖରୀର ମାଛ କଙ୍କଡାର ନାଲି ରଙ୍ଗର ଝୋଳ ଖାଇବାରେ ମଜା ଆସିଯାଏ । ସନ୍ଧ୍ୟାରେ ସଞ୍ଜ ଆଳତୀ ପରେ ପରେ ମୁଢି,ମିକ୍ସର,ବାଦାମକୁ ମଝିରେ ରଖି ଦେଇ ଘେରି ହୋଇ ବସି ଯାଉ ସବୁ । ତା’ପରେ ଆରମ୍ଭ ହୋଇଯାଏ ଅନ୍ତାକ୍ଷରୀ, ଡ୍ୟାନ୍ସ, କମେଡି ଯେତେ ସବୁ ଏଣ୍ଟରଟେନମେଣ୍ଟ କାର୍ଯ୍ୟକ୍ରମ । ମଝିରେ ମଝିରେ ମାଇଁ ଆସି ଡ୍ୟାନ୍ସ କରି ଚାଲି ଯାଉଥିବେ । ପୁରୁଣା ଓଡିଆ ହିନ୍ଦି ସିନେମା ଗୀତର ତାଳେ ତାଳେ ତାଙ୍କର ଯେଉଁ ନାଚ ଆଜି ବି ଆଖି ଆଗରେ ନାଚିଯାଏ । କିଛି ସମୟ ପାଇଁ ମାମୁଁ ମାଇଁ ଉଭୟ ପିଲାଙ୍କ ସହିତ ପିଲା ହୋଇଯାଆନ୍ତି । ପରିବେଶଟା ଖୁସିରେ ଭରିଯାଏ ।


ମାମୁଁ ଘର ଗାଆଁ ଯେତେ ବର୍ଣ୍ଣନା କଲେ ବି ଶବ୍ଦ ନିଅଣ୍ଟ ପଡିଯିବ । ଜଣଙ୍କୁ ବାନ୍ଧି ରଖିବାର ସମସ୍ତ ସୌନ୍ଦର୍ଯ୍ୟ ସେ ଗାଆଁରେ ଭରପୁର । ଗାଆଁ ମଠରୁ ସଞ୍ଜ ହେଲେ ଭାସି ଆସେ ଜୁଇ ଜାଇ ମାଳତୀ ଗଙ୍ଗଶିଉଳିର ବାସ୍ନା । ଗାଆଁ ମନ୍ଦିରରୁ ସକାଳ ସଞ୍ଜେ ଘଂଟ ଶଙ୍ଖ ନାଦରେ ଭକ୍ତିର ତରଙ୍ଗ ଖେଳିଯାଏ । ଗାଆଁ ଆମ୍ବ ତୋଟାରୁ ଆମ୍ବ ତୋଳିବା, ଗାଆଁ ପୋଖରୀ, ଗାଡିଆରୁ ମାଛ ଧରିବା, ଗାଆଁ ଦାଣ୍ଡ କୂଅରୁ ପାଣି ବୋହିବା ସହିତ ନାକେ ଓଢଣା ଦେଇ ଗାଆଁ ମାଇପିଙ୍କର କାଖରେ ପାଣିଗରା ଧରି ପାଣି ଆଣିବାର ଦୃଶ୍ୟ ସତରେ ଉପଭୋଗ୍ୟ । ଗାଆଁ ବାଡିପଟେ ବାଉଁଶ ବଣ ଭିତରେ ପକ୍ଷୀଙ୍କର କାକଳି, କୋଇଲିର କୁହୁ ତାନ, ପାଳ ଗଦା ଭିତରେ ବୋହୁ ଚୋରୀ ଖେଳ ଆଜି ସବୁ ସ୍ମୃତି । ‘ଛୋଟ ମୋର ଗାଆଁ ଟି ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଁ ଟି’ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ସେହି ଗାଆଁ ଠାରୁ ଆହୁରି ସୁନ୍ଦର ମୋ ମାମୁଁ ଘର ଗାଆଁ । ଆଜି ମାମୁଁଙ୍କ ଅବର୍ତ୍ତମାନରେ ଆମେ ମାମୁଁ ମାଇଁ ହେଲା ପରେ ବୁଝି ପାରିଲୁ ଏତେ ଭଣଜା ଭାଣିଜିଙ୍କର ଦାୟିତ୍ୱ ଆଉ କର୍ତ୍ତବ୍ୟ ନେବା କେତେ କଷ୍ଟକର । ସତରେ ମାମୁଁ ଆପଣ ମହାନ । ମାମୁଁଙ୍କ ଉଦ୍ଦେଶ୍ୟରେ ମୋ ଆଖିରୁ ଝରିପଡିଲା ଲୁହ । ଏଇ ଲୁହ ଟୋପା ଥିଲା ମାମୁଁଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି । 



Rate this content
Log in