STORYMIRROR

Salila Sarangi

Others

3  

Salila Sarangi

Others

ସେଵା

ସେଵା

3 mins
133

    ସେଵା ଏକ ସ୍ୱର୍ଗୀୟ ପ୍ରବୃତ୍ତି। ସମସ୍ତେ ଏହାର ମହତ୍ତ୍ଵ ଉପଲବ୍ଧି କରି ପାରନ୍ତି ନାହିଁ। ଉଦାର,ନିର୍ମଳ ଚରିତ୍ର, ନିଷ୍ଠାବାନ,ଦୟାଶୀଳ ଏବଂ ନିଃସ୍ଵାର୍ଥପର ବ୍ୟକ୍ତି ହିଁ ସେଵାର ମହତ୍ଵକୁ ହୃଦୟଙ୍ଗମ କରି ସେହି ପଥରେ ଅଗ୍ରସର ହୋଇଥାଏ।

       ମାଧବୀ ପିଲାଟି ଦିନରୁ ମାଆକୁ ହରାଇଛି।ତାର ଦୁନିଆ କହିଲେ ସେ ଓ ତାର ବାପା। କାଳେ ଦ୍ଵିତୀୟ ବିବାହ କଲେ ଝିଅର କିଛି ଅସୁବିଧା ହେବ ଭାବି ଝିଅର ଲାଳନପାଳନ ଦାୟିତ୍ଵ ନିଜେ ବହନ କରି ତାକୁ ମାଆ ଓ ବାପା ଉଭୟଙ୍କର ସ୍ନେହ ମମତା ଦେଇ ଛୋଟରୁ ଵଡ କରିଛନ୍ତି। ମାଧବୀ ବାପାଙ୍କୁ ଦେଖିଛି ସେ ରୋଗରେ ପଡ଼ିଲେ କେତେ ରାତି ଵିନିଦ୍ର ରହି ବାପା ତାର ସେବା ଶୁଶ୍ରୁଷା କରି ତାକୁ ଭଲ କରିଛନ୍ତି।ସେ ମଧ୍ୟ ଶପଥ କରିଛି ତା ଵାପାଙ୍କୁ ଛାଡି କୁଆଡେ ଯିବ ନାହିଁ।

   ‌ ସମୟ କାହାକୁ ଅପେକ୍ଷା କରେ ନାହିଁ। ଅବିରାମ ଗତିରେ ଚାଲିଥାଏ। ଯେଉଁ ଛୋଟ ଝିଅଟି ଜାମା ପ୍ୟାଣ୍ଟ ପିନ୍ଧି ଘର ଅଗଣାରେ ଡେଉଁ ଥିଲା ସେ ଆଜି ଶାଢ଼ୀ ପିନ୍ଧା ବୟସରେ ଉପନୀତ ହେଲାଣି। କଲେଜ ପାଠ ଶେଷ କରି ସେବା କାର୍ଯ୍ୟରେ ମନୋନିବେଶ କରି ତା ବାପାଙ୍କ ସାଙ୍ଗରେ ଖୁବ୍ ଜୋରରେ ଲାଗିଛି ନର୍ସିଂ ଟ୍ରେନିଂ ନେବା ପାଇଁ।ଵାପା ମଧ୍ୟ ଝିଅର ଆଗ୍ରହକୁ ଦେଖି ତାକୁ ଅନୁମତି ଦେଇଛନ୍ତି। ଯାହା ହେଉ ଦୃଢ଼ ଇଚ୍ଛାଶକ୍ତି ବଳରେ ନର୍ସିଂ ଟ୍ରେନିଂ ସମାପ୍ତ ହେଵା ପରେ

ଗୋଟିଏ ବେସରକାରୀ ଡାକ୍ତରଖାନାରେ ଚାକିରୀ ଟିଏ ପାଇ ଯାଇଛି ମାଧବୀ। କାର୍ଯ୍ୟ ଶୈଳୀ ରେ କିଛି ଠିକଣା ନାହିଁ। କେବେ ସକାଳ କେବେ ରାତି। ମାନବ ସେବା ମାଧଵ ସେଵା ଭାଵି ରୋଗୀ ମାନଙ୍କର ସେଵା ଶୁଶ୍ରୁଷା ନିୟମିତ ଭାବରେ କରୁଥାଏ। କାହାକୁ ଠିକ୍ ସମୟରେ ଔଷଧ ଦିଆଯିବ କାହାକୁ ଇଞ୍ଜେକସନ ଦରକାର ସର୍ବୋପରି କାହାକୁ ଦୁଇ ପଦ ମିଠା କଥା କହି ଆଶ୍ଵାସନା ଦେଵା

ସବୁଥିରେ ପାରଙ୍ଗମ ମାଧବୀ।ସେ ଡାକ୍ତର ଖାନାରେ ସମସ୍ତ କର୍ମଚାରୀ ଓ ରୋଗୀମାନେ

ସମସ୍ତେ ତାକୁ ବହୁତ ଭଲ ପାଆନ୍ତି। ଯେତେ କଷ୍ଟ ହେଲେ ବି ତାକୁ ଦେଖିଦେଲେ ରୋଗୀମାନଙ୍କ ମୁଖରେ ସ୍ବତଃ ପୂର୍ତ୍ତ ଭାବେ ହସର ଏକ ଝଲକ ପରିଲକ୍ଷିତ ହୁଏ।

      ସେଦିନ ରାତି ଡ୍ୟୁଟି ସାରି ଘରକୁ ଫେରୁଥାଏ।ଶୀତ ସକାଳ। ଚତୁର୍ଦ୍ଦିଗ କୁହୁଡି ଆଚ୍ଛାଦିତ ହୋଇ ରାସ୍ତା ମଧ୍ୟ ଠିକ୍ ଭାବରେ ଦେଖାଯାଉ ନାହିଁ। କିଛି ବାଟ ଗଲାପରେ ଦେଖିଲା ରାସ୍ତା କଡରେ କିଏ ଜଣେ ମୁମୂର୍ଷୁ ଅବସ୍ଥାରେ ପଡ଼ିଛି।ତା ପାଖକୁ ଯାଇ ଦେଖିଲା ସ୍ତ୍ରୀ ଲୋକଟିଏ ବୟସ ପଚାଶ ପାଖାପାଖି ହେବ।କାଳ ବିଳମ୍ବ ନକରି ଆମ୍ବୁଲାନକୁ ଫୋନରେ ଡ଼ାକି ସେହି ଅସହାୟ ମହିଳା ଜଣକୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଲା।ତାର ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ମୁଣ୍ଡରେ ଭୀଷଣ ଆଘାତ ଲାଗି ସେ କୋମା ଅବସ୍ଥାକୁ ଚାଲି ଯାଇଛି।

ନିରନ୍ତର ଚେଷ୍ଟା ଡାକ୍ତର ମାନଙ୍କର ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଅବସ୍ଥାରେ କିଛି ପରିବର୍ତ୍ତନ ଆସୁ ନ ଥାଏ। କିନ୍ତୁ ମାଧବୀ ଆଶା ହରାଇ ନ ଥାଏ।ସେ ଭଗବାନଙ୍କୁ ଦିନ ରାତି ଡାକୁଥାଏ ସେହି ଅପରିଚିତା ମହିଳା ପାଇଁ। କେଉଁଠି ତାର ଘର ତା ପରିବାର ଏବଂ ତାର ପିଲାମାନଙ୍କ କଥା ଭାବି ମନଟା ଗୋଳେଇ ଘାଣ୍ଟି ହେଉଥାଏ। କିନ୍ତୁ କିଏ କହିଵ ତାର ବିଷୟରେ।ହୁଏତ ସେ ଭଲ ହୋଇଗଲା ପରେ ଜଣା ପଡ଼ିବ କିଛି ଭଲ ମନ୍ଦ କଥା।ପିଲା ଦିନରୁ ମାଆକୁ ହରାଇଛି।ମାଆ ନଥିଵା ପିଲାର ଦୁଃଖ ସେ ମର୍ମେ ମର୍ମେ ଅନୁଭବ କରୁଛି।ନିଜର ଡ୍ୟୁଟି ସରିଗଲା ପରେ କିଛି ସମୟ ସେହି ସ୍ତ୍ରୀ ଲୋକ ପାଖରେ କଟାଇ ଘରକୁ ଫେରେ।ତାର ଉଦାସ ମୁଖ ଦେଖି ବାପା ପଚାରନ୍ତି କ'ଣ ହୋଇଛି ବୋଲି।ମନ ଦୁଃଖ ରେ ବାପାଙ୍କ ଆଗରେ ସବୁ ଵିଷୟ ବର୍ଣ୍ଣନା କରେ।ଵାପା ଆଶ୍ଵାସନା ଦିଅନ୍ତି ଧୈର୍ଯ୍ୟ ଧରି ରହିବା ପାଇଁ ଓ ଭଗବାନ ନିଶ୍ଚିତ ଦିନେ ସଵୁ ଠିକ୍ କରିଦେଵେ।

       ହଠାତ୍ ଦିନେ ଡାକ୍ତର କୁହନ୍ତି ଯେ ସେ ମହିଳା ଙ୍କର ଅବସ୍ଥା ଧୀରେ ଧୀରେ ଠିକ୍ ହେଵାକୁ ଲାଗୁଛି ଓ ଆଉ କିଛି ଦିନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିଵେ। ଡାକ୍ତରଙ୍କର କଥା ଶୁଣି ମାଧଵୀର ମନ ଆକାଶରୁ ଉଁଆସ ଅନ୍ଧାର ହଟିଯାଇ ସତେ ଯେପରି ପୂର୍ଣ୍ଣି ଶଶୀ ଉଇଁ ଆସିଲେ। କିଛି ଦିନ ଅତିବାହିତ ହେଵା ପରେ ଡାକ୍ତର ଘରକୁ ନେଇ ଯିବା ପାଇଁ କହିଲେ। କିନ୍ତୁ ମାଧବୀ ତ ସେ ଅପରିଚିତା ମହିଳା ଙ୍କର

ଘର ଠିକଣା ଜାଣି ନାହାଁନ୍ତି କେଉଁଠାରେ ତାଙ୍କୁ ନେଇ ଛାଡିଵେ। ଅଗତ୍ୟା ନିଜ ଘରକୁ ତାଙ୍କୁ ନେଇ ଆସିଲେ।ନିଜେ ତାଙ୍କର ଖାଇଵା ପିଇବା ଔଷଧାଦିର ଦାୟିତ୍ଵ ବହନକରି ନିଜ ମାଆ ପରି ତାଙ୍କର ଯତ୍ନ ନେଲେ।ସେ ମଧ୍ୟ ନିଜ ବିଷୟରେ କିଛି ନ କହି ପାରିଲେ ମଧ୍ୟ

ମାଧଵୀକୁ ନିଜ ଝିଅ ମାନି ନେଇଥାନ୍ତି। ଯାହାର ସେଵା, ତ୍ୟାଗ, ନିଷ୍ଠା ଏବଂ ଦୃଢ଼ ବିଶ୍ୱାସ ଵଳରେ ଆଜି ଗୋଟିଏ ଜୀଵନ ଦୀପ ଲିଭିଯିଵା ପରିବର୍ତ୍ତେ ପୁଣି ଜଳି ଉଠିବାର ଦୁର୍ଵାର ପ୍ରୟାସ କ'ଣ ବ୍ୟର୍ଥ ଯିଵ। ଭଗବାନ ଙ୍କୁ ଅଶେଷ ଧନ୍ୟବାଦ ଦେଇଛି ଯେ ଭଗବାନ ତା ମାଆକୁ ଯେଉଁ ରୂପରେ ହେଲେ ମଧ୍ୟ ତା ପାଖକୁ ପଠାଇ ଥିବାରୁ।


Rate this content
Log in