Salila Sarangi

Others

3.0  

Salila Sarangi

Others

ପତି ପତ୍ନୀ

ପତି ପତ୍ନୀ

4 mins
164


  ପରମେଶ୍ବର ପ୍ରଜାପତିଙ୍କର ଅପୂର୍ବ ସଂଯୋଗ। ଦୁଇଟି ଅଜଣା ଅଶୁଣା ସମ୍ପର୍କ

ବିହାହର ସେହି ପବିତ୍ର ବନ୍ଧନ ସୂତ୍ରରେ ବାନ୍ଧି ହୋଇ ସାତ ଜନ୍ମ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଯାଆନ୍ତି ପତି ପତ୍ନୀର ପରିଚୟ ସୃଷ୍ଟି କରି। ସଂସାର ରୂପକ ଗାଡ଼ିର ଦୁଇଟି ଚକ ହେଉଛନ୍ତି ପତି ପତ୍ନୀ। ଗୋଟିଏ ଚକ ଵିନା ଗାଡିଟି ସମାନ୍ତରାଳ ଭାବରେ ଗଡି ପାରିଵ ନାହିଁ। ତେଣୁ ସଂସାର ରୂପକ ଗାଡ଼ିକୁ ଆଗକୁ ଗଡାଇବା ପାଇଁ ପତି ପତ୍ନୀ ଦୁଇ ଜଣଙ୍କର ପୂର୍ଣ୍ଣ ସହଯୋଗ ଆବଶ୍ୟକ ଏବଂ ବିଶ୍ଵାସ ରୂପକ ଶବ୍ଦଟିକୁ ସୁଦୃଢ କରି ସମ୍ପର୍କର ସେତୁ ବନ୍ଧକୁ ନିର୍ମାଣ କରିବାକୁ ପଡିଵ।

   ସାଗର ଓ ତଟିନୀ ପିଲାଟି ଦିନରୁ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ। ସାଗର ଖୁବ୍ ଶାନ୍ତ ଏବଂ ଭଦ୍ର। ତେଣୁ ସ୍କୁଲରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ସେ ପ୍ରିୟ ପାତ୍ର ଥିଲା। ସ୍କୁଲ ପାଠ ସମାପ୍ତ ପରେ ସାଗର ବାହାରକୁ ଯାଇ ଗୋଟିଏ କଲେଜରେ ପାଠ ପଢିଲା। କିନ୍ତୁ ତଟିନୀର ପାଠ ପଢା ସେହି ଠାରେ ହିଁ ରହିଗଲା।ଝିଅ ପିଲା ଵାହାରେ ରହି ପାଢ ପଢ଼ିବା ପାଇଁ ହୁଏତ ସୁବିଧା ସହିତ ଅସୁବିଧାର ଆଶଙ୍କା କରି ତା ଵାପା ତାକୁ ଆଉ ଅଧିକ ପାଠ ପଢାଇବା ପାଇଁ ଉଚିତ୍ ମନେ କଲେ ନାହିଁ।ସେ ଘର ପାଖରେ ଗୋଟିଏ ସିଲେଇ ଶିକ୍ଷା କେନ୍ଦ୍ରରେ ଟ୍ରେନିଂ ନେଇ ସେହି ଶିକ୍ଷା କେନ୍ଦ୍ରରେ ନିଯୁକ୍ତି ପାଇଗଲା।ଏଣେ ସାଗର କଲେଜ ପାଠ ପଢା ସରିବା ପରେ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ କିରାଣୀ ଚାକିରି ଜୀବନ ଆରମ୍ଭ କରିଥାଏ। ଏହିପରି ଭାବରେ ଦୁଇ ତିନି ବର୍ଷ କଟିଗଲା। ତଟିନୀ ଘରେ ତା ପାଇଁ ଵରପାତ୍ର ଖୋଜା ଖୋଜିରେ ଥାଆନ୍ତି।ଝିଅ ଘିଅ କେତେ ଦିନ ଘରେ ରଖିଵେ।ହାତକୁ ଦି ହାତ କରିଦେଲେ ଦାୟିତ୍ୱରୁ ମୁକ୍ତି ହେବା ପାଇଁ ଚାହୁଁ ଥାନ୍ତି। ଏହି ସମୟରେ ସାଗର ଘରୁ ତଟିନୀ ପାଇଁ ପ୍ରସ୍ତାବ ଆସିଲା।ଘର ସେତେ ଉନ୍ନତ ନ ହେଲେ ମଧ୍ୟ ଭଲ ପିଲା ଚାକିରି କରିଛି ଭାଵି ତଟିନୀର ମା,ବାପା ସେହି ପ୍ରସ୍ତାବରେ ରାଜି ହୋଇଗଲେ।ପୁଅ ଘର ଲୋକମାନେ ମଧ୍ୟ ତଟିନୀକୁ ଦେଖି ପସନ୍ଦ କରି ମୁଦି ପିନ୍ଧାଇ ଚାଲିଗଲେ। ରୀତି ନୀତି ପରମ୍ପରା ଅନୁଯାୟୀ ବିବାହ କାର୍ଯ୍ୟ ସମାପନ ହେଲା। ସାଗର ତଟିନୀ ଏଵେ ପତି ପତ୍ନୀ ହୋଇ ତାଙ୍କର ଭବିଷ୍ୟତ ଜୀବନକୁ ସୁଖମୟ କରିଵା ପାଇଁ ସର୍ବଦା ଚେଷ୍ଟା କରୁଥାନ୍ତି। ସୁନେଲି ସ୍ଵପ୍ନରେ ଵିଭୋର ହୋଇ ଏହା ଭିତରେ ପାଞ୍ଚ ବର୍ଷ ଅତିକ୍ରମ କରିସାରିଲାଣି। ସେମାନଙ୍କର କୋଳରେ ଗୋଟିଏ ପୁଅ ଜନ୍ମ ହୋଇ ତାଙ୍କ ବୈବାହିକ ଜୀବନକୁ ସାର୍ଥକ କରି ସାରିଥାଏ।

   ସାଗର ଏଵେ ତା ସ୍ତ୍ରୀ ଏବଂ ପୁଅକୁ ନେଇ ସହରରେ ଗୋଟିଏ ଭଡା ଘରେ ରହୁଥାଏ। ଉତ୍ତମ ବୁଝାମଣା ପରସ୍ପର ଭିତରେ ରହି ସୁଖ ଦୁଃଖର ସଂସାରଟି ସୁରୁଖୁରୁରେ ଚାଲିଥାଏ। ପୁଅକୁ ଗୋଟିଏ ସ୍କୁଲରେ ନାମ ଲେଖାଇ ଦେଇ ଥାନ୍ତି। ସୁଖର ଦିନ ହାତୀ ପିଠିରେ ଯାଏ। ସେହିପରି ତାଙ୍କର ସୁଖର ଦିନଗୁଡ଼ିକ ଖୁବ୍ ଶୀଘ୍ର ଅତିକ୍ରମ କରିଗଲା। ଦୁଃଖର କଳା ପାହାଡ଼ଟି ମଥା ଉପରେ ଯେପରି ହଠାତ୍ ଆସି ଉପରେ ଛିଡି ପଡିଲା। ଅର୍ଥ ଅଭାବରୁ ସାଗର କାମ କରୁଥିବା କମ୍ପାନୀଟି ଵନ୍ଦ ହୋଇଗଲା। କ'ଣ କରିଵ।ଘର ଭଡା, ଖାଇବା, ପୁଅର ପାଠ ପଢ଼ା ସଵୁ ପାଇଁ ଅର୍ଥ ଦରକାର। କେତେ ପଇସା ଵା ସଞ୍ଚୟ ଖାତାରେ ଅଛି। ବସି ଖାଇଲେ ନଈ ଵାଲି ସରେ। ତେଣୁ ସାଗର ସବୁଦିନ ସକାଳୁ ଚାକିରି ଅନ୍ଵେଷଣ ରେ ଵାହାରି ଯାଏ। ପୁଣି ସନ୍ଧ୍ୟାରେ ନିରାଶ ହୋଇ ଘରକୁ ଫେରିବାକୁ ପଡେ। ବହୁତ ମନ ଦୁଃଖ କରେ। ତଟିନୀ ଆଶ୍ଵାସନା ଦେଇ କୁହେ କାହିଁକି ବ୍ୟସ୍ତ ହେଉଛ ଆଜି କିଛି କାମ ମିଳିଲାନି ତ କ'ଣ ହେଲା। କିଏ କହିଵ କାଲିର ସୂର୍ଯ୍ୟୋଦୟ ଆମ ପାଇଁ କିଛି ନୂତନ ବାର୍ତ୍ତା ଆଣି ନ ଆସିବ ବୋଲି। ତୁମେ ପରା ସାଗର।ସାଗର ଗର୍ଭରେ କେତେ ଯେ ତଟିନୀ ମିଶିବା ପାଇଁ କେତେ ଦୂର ପଥ ଅତିକ୍ରମ କରି ଆସିଥାନ୍ତି ସେ ସମସ୍ତଙ୍କୁ ତାର ବିଶାଳ ଵକ୍ଷରେ ସ୍ଥାନ ଦେଇଥାଏ ଖୁସି ଖୁସି ଆପଣାର କରି ନେଇ। ଆଉ ତୁମେ କ'ଣ ଗୋଟିଏ ତଟିନୀକୁ ତୁମ ଵକ୍ଷରେ ସ୍ଥାନ ଦେଇ ପାରିବନି। ତୁମେ ନିଶ୍ଚୟ ପାରିଵ ସାଗର।ତଟିନୀର କଥାରେ ସାଗର ମନରେ ଉଠି ଥିବା ଅଶାନ୍ତ ଝଡ କିଛି ସମୟ ପାଇଁ ସିନା ଥମିଯାଏ କିନ୍ତୁ ପର ମୁହୂର୍ତ୍ତରେ ତାର ପୈ।ରୁଷତ୍ଵ ତାକୁ ଧିକ୍କାର କରେ। ଯେଉଁ ସ୍ତ୍ରୀକୁ ଵିଵାହ ବେଦୀରେ ସାତ ଵଚନ ଦେଇ ଅର୍ଦ୍ଧାଙ୍ଗିନୀ ଭାଵେ ଗ୍ରହଣ କରିଥିଲା ଶେଷରେ ତା ପେଟକୁ ମୁଠାଏ ଦାନା ଦେଇ ପାରିବନି।ପିନ୍ଧିବା ପାଇଁ ଖଣ୍ଡେ ଲୁଗା ମଧ୍ୟ ଦେଇ ପାରିବନି। ସାଗର ଘରେ ତାର ଭାଇମାନେ ସଵୁ ଵିଷୟ ଜାଣିବା ପରେ ମଧ୍ୟ କେହି ତାକୁ ସହାୟତାର ହାତ ବଢାନ୍ତି ନାହିଁ। ଯେତେବେଳେ ତାର ରୋଜଗାର ଥିଲା ଘରର ସମସ୍ତ ଆବଶ୍ୟକତା ପୂରଣ କରିଛି।କାହା ପାଇଁ ଅର୍ଥ ଦାନ କାହା ପାଇଁ ଶ୍ରମଦାନ କେଉଁ ଥିରେ ପଛାଇ ଯାଇନାହିଁ। କିନ୍ତୁ ତା ପାଇଁ ପଦେ କଥା କହିବାକୁ ମଧ୍ୟ କେହି ଆବଶ୍ୟକ ମଣୁ ନାହାଁନ୍ତି।ଏଇତ ସ୍ଵାର୍ଥପର ଦୁନିଆ।ମନର କଥା ଓ ବ୍ୟଥା ମନ ଭିତରେ ରହି ଦିନକୁ ଦିନ ଭାରାକ୍ରାନ୍ତ କରିବାରେ ଲାଗିଥାଏ। ହଠାତ୍ ଦିନେ କାମ ଖୋଜିବାକୁ ଯିଵା ସମୟରେ ଅଚାନକ ଗୋଟିଏ ଗାଡି ତାକୁ ପଛରୁ ଧକ୍କା ଦେଇ ଚାଲିଗଲା।ଭୀଷଣ ଆଘାତ ଲାଗି ରାସ୍ତାର ଗୋଟିଏ କଡରେ ଚେତାଶୂନ୍ୟ ହୋଇ ପଡିଥାଏ।ତା ଘର ପାଖର ଜଣେ ବ୍ୟକ୍ତି ସେହି ଵାଟ ଦେଇ ଯାଉଥିବା ସମୟରେ ତାକୁ ଦେଖି ସଙ୍ଗେ ସଙ୍ଗେ ଲୋକମାନଙ୍କ ସହାୟତାରେ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଲେ ଏବଂ ତା ସ୍ତ୍ରୀ ପାଖକୁ ସଙ୍ଗେ ସଙ୍ଗେ ଖଵର ପଠାଇଲେ। କିଛି ସମୟ ପରେ ସାଗରର ଚେତା ଫେରିପାଇଲା ଓ ନିଜକୁ ଡାକ୍ତରଖାନାରେ ଦେଖି ବିଶ୍ଵାସ କରିପାରୁନଥାଏ। କିଏ ତାକୁ ଏଠାରେ ପହଞ୍ଚାଇଲା କେତେ ଟଙ୍କା ଖର୍ଚ୍ଚ ହେଵ ଭାଵି ନିଜକୁ ଧିକ୍କାର କରୁଥାଏ। ତଟିନୀ ବାରମ୍ବାର ବ୍ୟସ୍ତ ନ ହେବା ପାଇଁ ଵୁଝାଉଥାଏ। ଯାହା ହେଉ ପାଖରେ ଯାହା ଟଙ୍କା ଥିଲା ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ କିଛି ଦିନ ଚିକିତ୍ସିତ ହେବାପରେ ଡାକ୍ତର ଖାନାରୁ ଘରକୁ ଆସିଲା ହେଲେ ସବୁଦିନ ପାଇଁ ଚାଲିବାର ଶକ୍ତି ହରାଇ ଵସିଲା। ତଟିନୀର ଦିନ ରାତି ସେବା ଓ ସ୍ବାନ୍ତନାର କେତେ ପଦ କଥା ତା ମନରେ ଅପୂର୍ବ ସାହାସ ଯୋଗାଇଥାଏ। ଦିନେ ତଟିନୀ କହିଲା ଆଉ ଏଠାରେ ରହି ଲାଭ କ'ଣ?ଚାଲ ଗାଆଁକୁ ପଳାଇବା। ଯାହା ଛୋଟ ମୋଟ କାମ କରି ସେଠାରେ ଚଳିଯିବା। ତାପରେ ଦୁଇ ଜଣ ପୁଅକୁ ଧରି ତଟିନୀର ବାପ ଘରକୁ ପଳାଇ ଆସିଲେ। ତଟିନୀ ଯେଉଁ ସିଲେଇ ସ୍କୁଲରେ କାମ କରୁଥିଲା ସେଠାରେ ତାର ଅସହାୟ ପରିସ୍ଥିତି ଦେଖି ସ୍କୁଲ କର୍ତ୍ତୃପକ୍ଷ ତାକୁ ସେ ଚାକିରୀରେ ରଖିଵା ପାଇଁ ଅନୁମତି ଦେଲେ। ଯାହା ହେଉ ତଟିନୀକୁ କିଛି ରୋଜଗାର କରିଵାର ପନ୍ଥା ମିଳିଗଲା।ଏଣେ ସାଗର ମଧ୍ୟ ଗାଆଁର କିଛି ପିଲାଙ୍କୁ ଟିଉସନ୍ ପଢ଼ାଇ କିଛି ଅର୍ଥ ଉପାର୍ଜନ କରିପାରିଲା। ଏବେ ଦୁଇ ଜଣ ବହୁତ ଖୁସି। ଭଗବାନ ଦୁଃଖ ଦେଲେ ମଧ୍ୟ ତା ଭିତରେ ମଣିଷର ଧୈର୍ଯ୍ୟର ପରୀକ୍ଷା ନେଇ ନିଶ୍ଚିତ ରୂପରେ ଖୁସିର କିଛି ଝଲକ ଦେଖାଇ ଥାନ୍ତି।

   ଆଜିକାଲି ଦୁନିଆରେ ସ୍ଵାମୀର ଦୁର୍ଦ୍ଦିନରେ ସ୍ତ୍ରୀ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଛାଡି ଚାଲିଯିବା ନଚେତ କିଛି ଅନୈତିକ କାର୍ଯ୍ୟ କରିଵା କିମ୍ବା ସ୍ଵାମୀ ମାନସିକ ଭାରସାମ୍ୟ ହରାଇ ବିପଥଗାମୀ ହେଵା କିଛି ବଡ କଥା ନୁହେଁ। କିନ୍ତୁ ସଵୁ ସୁଖ ଦୁଃଖ ସମଭାଵରେ ଅଙ୍ଗେ ଲିଭାଇ ବଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ କରି ଏ ସମାଜ ପାଇଁ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ସାଗର ଓ ତଟିନୀ ପତି ପତ୍ନୀ ଭାବରେ।



Rate this content
Log in