Salila Sarangi

Others

3.2  

Salila Sarangi

Others

ଆଦର୍ଶ ଜୀବନ

ଆଦର୍ଶ ଜୀବନ

3 mins
220


  ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସମାଜରେ ରହି ଆଦର୍ଶ ଜୀବନ ଯାପନ କରିବାକୁ ହେଲେ କେତେ ଗୁଡିଏ ନୀତି ନିୟମ ଓ ଶୃଙ୍ଖଳା ମାନିବାକୁ ପଡ଼ିଥାଏ। ସେହି ନୀତି, ନିୟମ, ଶୃଙ୍ଖଳା ଭିତରେ ଚଳୁଥିବା ପ୍ରାଣୀ କେତେବେଳେ ଯେ ସଫଳତାର ପାହାଚ ଅତିକ୍ରମ କରି ଯାଏ ତାହା ସେ ନିଜେ ମଧ୍ୟ ଜାଣି ପାରେ ନାହିଁ।ଆଉ ବିଶୃଙ୍ଖଳିତ ଆଚରଣ ଶେଷରେ ମଣିଷର ପତନର କାରଣ ହୋଇଥାଏ।

    ଏହି ମର୍ମରେ ଗୋଟିଏ କାହାଣୀ ଉପସ୍ଥାପନା କରୁଅଛି। ଗୋଟିଏ ଗ୍ରାମରେ ଦୁଇ ଜଣ ପିଲା ଥିଲେ ରାମ ଓ ଦିବ୍ୟ । ଦୁଇ ଜଣ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ।ରାମ ଅତି ଗରିବ ଘରର ପିଲା। ଘରେ ବାପା, ମା ଓ ରାମକୁ ମିଶାଇ ତାଙ୍କର ପରିବାର। ବାପା ପ୍ରତିଦିନ ଯାହା କିଛି କାମ ଅନ୍ୟ ଘରେ କରି ଯେଉଁ ପାରିଶ୍ରମିକ ଆଣନ୍ତି ସେଇଥିରେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚଳି ଯାଉଥାଏ। କିନ୍ତୁ ଅଭାଵ ସଂସାର ମଧ୍ୟରେ ଵି ସେ ପୁଅକୁ ସଂସ୍କାର ଭିତରେ ଗଢି ତୋଳିଥାନ୍ତି। ନିତି ସଞ୍ଜ ବେଳେ କାମରୁ ଫେରିଲା ପରେ ଡିଵିରି ର ମିଞ୍ଜି ମିଞ୍ଜି ଆଲୁଅ ଭିତରେ ରାମାୟଣ ଅଧ୍ୟାୟ ପ୍ରତିଦିନ ପଢନ୍ତି।ଛୋଟ ପିଲାଟିଏ ରାମ ହେଲେ ମଧ୍ୟ ମନ ଧ୍ୟାନ ଦେଇ ଶୁଣୁଥାଏ ମାଆ କୋଳରେ ଥାଇ। ଶ୍ରୀରାମଙ୍କ ନୀତି ଆଦର୍ଶ ତା ମନରେ ଗଭୀର ରେଖାପାତ କରିଥାଏ। ତୁଳସୀ ଦୁଇ ପତ୍ରରୁ ଵାସ ପରି ରାମ ପିଲାଟି ଦିନରୁ ଦୟାଶୀଳ ଓ ପରୋପକାରୀ। ଖାଇବାକୁ ନ ଥିଲେ ଉପାସ ରହିଛି କିନ୍ତୁ ନିଜର ସ୍ଵାଭିମାନ ହରାଇ ନାହିଁ। ସେହି ଅଭାଵ ହିଁ ତାକୁ ଜୀଵନର ଲକ୍ଷ୍ୟ ପଥରେ ଆଗେଇ ଯିବାପାଇଁ ଯେପରି ଵାଟ କଢାଉଛି। ଗାଁ ରେ କିଏ ଅସୁବିଧାର ସମ୍ମୁଖୀନ ହେଲେ ତା ପାଖରେ ଆପେ ଆପେ ପହଞ୍ଚିଯାଏ।ତାର ଭଲ ମନ୍ଦ ବୁଝେ। କେଉଁ ପିଲା ପାଠରେ ଦୁର୍ବଳ ତାକୁ ମଧ୍ୟ ପାଠ ବିଷୟରେ ସୁନ୍ଦର ଭାବରେ ଵୁଝାଇ ଦିଏ। ସ୍କୁଲରେ ସବୁଥିରେ ପ୍ରଥମ ସ୍ଥାନ ଅଧିକାର କରେ। ଗାଆଁର ସମସ୍ତ ଲୋକ ତାକୁ ବହୁତ ଭଲ ପାଆନ୍ତି ଏବଂ କୁହନ୍ତି ତୁ ବଡ ହୋଇ ଦିନେ ନା ଦିନେ ତୋ ଵାପର ନାଆଁ ନିଶ୍ଚୟ ରଖିବୁ ।

   ତାର ସାଙ୍ଗ ଦିବ୍ୟ ଧନୀ ଘରର ପୁଅ।ପଇସା ପତ୍ରରେ ଅଭାଵ ନାହିଁ। ବାପା ମାଆର ଗେଲ ଵସରର ପୁଅ।ପାଠ ପଢା ପ୍ରତି ଏତେ ନଜର ଦିଏ ନାହିଁ। ସ୍କୁଲରେ ଅନ୍ୟ ପିଲାମାନେ ପାଠ ପଢୁଥିବା ବେଳେ ସେ ଅନ୍ୟମନସ୍କ ହୋଇ ଏଣୁତେଣୁ କଥା ଭାଵୁଥାଏ।ଧନୀ ଘରର ପୁଅ ବୋଲି ତାକୁ କେହି କିଛି କୁହନ୍ତି ନାହିଁ।ତାର ବାପା ମଧ୍ୟ ନିଜ ବ୍ୟବସାୟ ଭିତରେ ବୁଡ଼ି ରହି ପୁଅ ଉପରେ ଏତେଟା ନଜର ଦିଅନ୍ତି ନାହିଁ।ପଇସା ଭଲ କି ସିଏ ଭଲ।ମନେ ମନେ ଭାବନ୍ତି ପଇସା ବଳରେ ସାରା ଦୁନିଆକୁ କିଣି ଦେଵେ।ପାଠ ନ ପଢି ମଧ୍ୟ ଶ୍ରେଣୀ ପରେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଚାଲିଥାଏ।

  ସମୟ କାହାକୁ ଅପେକ୍ଷା କରେ ନାହିଁ।ଅଵିରାମ ଗତିରେ ଚାଲିଥାଏ।ରାମର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସମୟ ପାଖେଇ ଆସିଲା।ଶେଷ ସମ୍ଵଳ ଘର ଡିହ ଖଣ୍ଡିକ ସାହୁକାର ପାଖରେ ଵନ୍ଧକ ରଖି ତା ବାପା ପଇସା ସଂଗ୍ରହ କରିଥାନ୍ତି ତା ପଢା ପାଇଁ। ତାର ବାପା ତାକୁ ସବୁବେଳେ ସାହାସ ଦେଉଥାନ୍ତି। ଧୈର୍ଯ୍ୟ ହରା ନ ହୋଇ କର୍ତ୍ତବ୍ୟ ପଥରେ ନିଷ୍ଠାର ସହିତ ଆଗେଇ ଯିବାକୁ ପ୍ରୋତ୍ସାହନ ଦେଉଥାନ୍ତି। ସୁରୁଖୁରୁରେ ପରୀକ୍ଷା ଶେଷ ହେଲା। ପରୀକ୍ଷା ଫଳ ପ୍ରକାଶିତ ହେଲା ରାମ ସ୍କୁଲରେ ସମସ୍ତ ପିଲାମାନଙ୍କ ମଧ୍ୟରେ ଅଧିକ ନମ୍ବର ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଅଛି। ରୁଦ୍ର ପରୀକ୍ଷାରେ ଫେଲ ହୋଇଛି।

    ରାମର ପାଠ ପ୍ରତି ପ୍ରଗାଢ ନିଷ୍ଠା ଦେଖି ସ୍କୁଲର ଜଣେ ଶିକ୍ଷକ ତାର ପାଠ ପଢାର ସମସ୍ତ ଦାୟିତ୍ବ ଵହନ କରିଛନ୍ତି।ସେ କଲେଜରେ ପାଠ ପଢ଼ିବାକୁ ବାହାରକୁ ଯାଇଛି। ଅକ୍ଳାନ୍ତ ପରିଶ୍ରମ କରି କଲେଜ ପାଠ ଶେଷରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇ ଥାଏ।ତାର ଶାନ୍ତ ସରଳ ବ୍ୟବହାର ଏବଂ ଅମାୟିକ ଗୁଣ ଯୋଗୁଁ ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ସାରିଥାଏ। ଶେଷରେ ପ୍ରଶାସନିକ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ତାଙ୍କ ଜିଲ୍ଲାର କଲେକ୍ଟର ଭାବରେ ଦାଇତ୍ୱ ଗ୍ରହଣ କରିଛି।ତାର ମା ଵାପା ଆଜି ବହୁତ ଖୁସି। ଗାଁ ସ୍କୁଲର ସମସ୍ତ ଶିକ୍ଷକମାନଙ୍କର ଗର୍ଵରେ ଛାତି ଫାଟିଯାଉ ଥାଏ।

  ଏଣେ ଦିଵ୍ୟ ମାଟ୍ରିକ ଫେଲ୍ ହେବା ପରେ ପାଠରେ ଡୋରି ବାନ୍ଧି କୁସଙ୍ଗତରେ ପଡି ରାତି ଦିନ ନିଶା ସେବନ କରି ଅମଣିଷ ପାଲଟି ଯାଇଛି।ଚୋରା ନିଶା ଦ୍ରବ୍ୟ କାରବାର କରି ପୋଲିସ ଦ୍ୱାରା ଗିରଫ ହୋଇ ଆଜୀବନ ଵନ୍ଦୀ ଜୀବନକୁ ଆପଣାଇ ନେଇଛି।ତାର ବାପା ମଧ୍ୟ ଲାଜରେ ମୁଁହ ଦେଖାଇ ପାରୁନଥାନ୍ତି।ଚୋର ମାଆ କାନ୍ଦେ ନାହିଁ ଯେଵେ କାନ୍ଦେ ଲୁଚି ଲୁଚି। ସେହି ଅବସ୍ଥା ଏବେ ଦିବ୍ୟ ଵାପାଙ୍କର।ଅଯାଗା ଘାଆ ଦେଖି ହେଉଛି ନା ଦେଖାଇ ହେଉଛି। ଥରେ ରାମର ବାପାକୁ କହିଥିଲେ ପକେଟରେ ଟଙ୍କାଟିଏ ନାହିଁ ସରଗକୁ ନିଶୁଣି ବାନ୍ଧୁଛି। ଆଜି ସେ କଥା ମର୍ମେ ଅନୁଭବ କରୁଛନ୍ତି।

   ଆଖ ପାଖ ଅଞ୍ଚଳରେ ରାମର ଭୁରି ଭୁରି ପ୍ରଶଂସା ଶତ ମୁଖରେ।ରାମ କଲେକ୍ଟର କାର୍ଯ୍ୟ ଭାର ଗ୍ରହଣ କଲାପରେ ନିଜ ଗାଆଁ କୁ ଆସିଛି ନିଜ ମା ବାପା ଓ ଗ୍ରାମବାସୀମାନଙ୍କୁ ଦେଖା କରିବା ପାଇଁ। ଯେଉଁ ମାନଙ୍କ ଆଶୀର୍ବାଦ ତାକୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି ସେମାନଙ୍କୁ ଭୁଲି ଯିଵ କିପରି। ଯେଉଁ ଗାଆଁ ମାଟିର ଧୂଳି ତା ମଥାର ତିଳକ। ଯେଉଁଠି ତାର ପିଲାଦିନ କଟିଛି ଯାହାର ପାଣି ପଵନ ତା ଦେହରେ ପ୍ରବାହିତ ସେ ଗାଆଁ ତ ତାର ସ୍ବର୍ଗଠୁ କିଛି କମ୍ ନୁହେଁ। ଗ୍ରାମର ସମସ୍ତ ଲୋକ ତାକୁ ଫୁଲ ମାଳ ଦେଇ ସ୍ବାଗତ କରି ତାର ଜୟଗାନ କରିଛନ୍ତି।ସେ କିନ୍ତୁ ସମସ୍ତଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରି କହିଛି ଏ ସଫଳତାର ଶ୍ରେୟ ମୋର ମାତା ପିତା ଓ ମୋ ସ୍କୁଲର ଶିକ୍ଷକମାନେ ଆଉ ତୁମ ସମସ୍ତଙ୍କର ଆଶୀର୍ବାଦ ଯେଉଁ ମାନଙ୍କ ପ୍ରେରଣା ପାଇ ମୁଁ ଆଜି ଏ ସ୍ଥାନରେ ପହଞ୍ଚି ପାରିଛି। ସମସ୍ତେ ହତଵାକ୍ୟ ହୋଇ ତା କଥା ଶୁଣୁଛନ୍ତି ଏବଂ କହୁଛନ୍ତି ଧନ୍ୟ ତୋର ପିତା ମାତା ଧନ୍ୟ ତୋର ଜୀବନ ଆଦର୍ଶ।



Rate this content
Log in