STORYMIRROR

Arjuni charan Behera

Others

3  

Arjuni charan Behera

Others

ସେ ବ୍ରଜନାରୀଙ୍କ ପୟରେ

ସେ ବ୍ରଜନାରୀଙ୍କ ପୟରେ

4 mins
231


ଗୋଟିଏ ଦିନ ଦ୍ୱାରିକା ନବରରେ ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ଦ୍ୱାରକାଧୀଶଙ୍କୁ ଅଷ୍ଟପାଟ ବଂଶୀ ପ୍ରଶ୍ନ କଲେ,“ ପ୍ରଭୁ ଆପଣ ଗୋପ ପୁର ଛାଡ଼ି ମଥୁରା ଆସିଲେ l କଂସ ସଂହାର ପରେ ସେଠାରୁ ଆସି ଏଠାରେ ଅତି ମନୋରମ ଦ୍ୱାରିକା ନବର ନିର୍ମାଣ କଲେ l ଆମ୍ଭମାନଙ୍କୁ ମଧ୍ୟ ବିବାହ କରି ଆପଣଙ୍କ ଚରଣଦାସୀ ପତ୍ନୀର ମର୍ଯ୍ୟାଦା ଦେଲେ l ହେଲେ ଆଶ୍ଚର୍ଯ୍ୟର କଥା, ଆମ୍ଭ ମାନଙ୍କ ମଧ୍ୟରୁ କାହାରି ଜଣକ ନାମ ସହିତ ଆପଣଙ୍କ ନାମ ଯୁକ୍ର ହୋଇ ପାରି ନାହିଁ l ମାତ୍ର ଗୋପପୁରର ଗୋପାଳୁଣୀଙ୍କ ପାଇଁ ଆପଣ ନାମ ରଖିଲେ ଗୋପିବଲ୍ଲଭ,ଗୋପି ନାଥ,ଗୋପିଜୀବନ ଇତ୍ୟାଦି l ପୁଣି ପରକୀୟା ପ୍ରୀତି କରି ରାଧାରାଣୀଙ୍କ ନାମ ଆପଣଙ୍କ ନାମ ଆଗରେ ଯୋଗ କରି ବୋଲାଉଛନ୍ତି ରାଧାକାନ୍ତ,  ରାଧିକା ଜୀବନ,ରାଧା ରମଣ ଇତ୍ୟାଦି l କାହିଁକି ଏପରି ହେଲା,ଆମ୍ଭର କ'ଣ କିଛି ଭୁଲ ରହିଗଲା କି? ଦୟାକରି ଆମର ଏ ସଂଶୟ ଦୂର କରନ୍ତୁ l" ପ୍ରଭୁ କହିଲେ,“ ତୁମ୍ଭମାନଙ୍କ ମନରେ ଏ ଯେଉଁ ଦ୍ୱନ୍ଦ୍ୱ ଉଠିଛି ଅଚିରେ ଏହାର ସମାଧାନ ହେବ l”

ଏମିତି କିଛିଦିନ ବିତିଗଲା,ପ୍ରଭୁଙ୍କର ମନେ ଥାଏ ଏ କଥା l ପ୍ରଭୁ ପ୍ରଶ୍ନର ସମାଧାନ ପାଇଁ ଗୋଟିଏ ମାୟା ରଚନା କଲେ l ଦିନେ ପ୍ରଭୁ ଜ୍ୱରରେ ପଡି ଗଲେ ଏବଂ ଅନେକ ଚେଷ୍ଟା ସତ୍ତ୍ୱେ ଅସୁସ୍ଥତାର କୌଣସି ଉପଶମ ହେଲା ନାହିଁ l ଶେଷରେ ପ୍ରଭୁ ଉଦ୍ଧବଙ୍କୁ ଡକାଇ ଏହା କିପରି ଉପଶମ ହେବ ତାହା ପଚାରିଲେ l ଉଦ୍ଧବ ତ ପ୍ରଭୁଙ୍କର ମରମ ଜାଣି ଥିବା ପରମ ଭକ୍ତ l ସେ କହିଲେ,” ପ୍ରଭୁ ! ଏ ରୋଗର ଗୋଟିଏ ମାତ୍ର ନିଦାନ ଅଛି l ନାରୀ ମାନଙ୍କର ପଦଧୂଳି ଯଦି ଆପଣଙ୍କର ମସ୍ତକରେ ଲେପନ କରାଯାଏ ତେବେ ଏହା ଉପଶମ ହୋଇ ପାରିବ l ସେ ପୁଣି ଅଷ୍ଟ ପାଟବଂଶୀଙ୍କୁ କହିଲେ, ତୁମ୍ଭେ ମାନେ ତୁରନ୍ତ ଏହି ବ୍ୟବସ୍ଥା କର l“ ଅଷ୍ଟ ପାଟବଂଶୀ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ ଚାହାଁ ଚାହିଁ ହେଉଥାନ୍ତି,କିଛି ନିଷ୍ପତ୍ତିରେ ଉପନୀତ ହୋଇପାରୁ ନଥାନ୍ତି l ନିଜ ଭିତରେ ଆଲୋଚନା କରି କହୁଥାନ୍ତି,"ଆମେ କିପରି ଏ ଅନ୍ୟାୟ,ଅଧର୍ମ କରିବୁ ? ସ୍ବାମୀ ଆମର ଦେବତା ! ତାଙ୍କୁ ଦେବୁ ପାଦ ଧୂଳି ? ଏହା ଅସମ୍ଭବ ! ଭକ୍ତ ଉଦ୍ଧବଙ୍କୁ ସ୍ପଷ୍ଟ ଭାବେ ଏ କଥା ଜଣାଇ ଦେଲେ ଦେବୀମାନେ l ନିରୁପାୟ ଉଦ୍ଧବଙ୍କୁ ଦେଖି ପ୍ରଭୁ କହିଲେ,”ହଉ ! ତେବେ ତୁମେ ଗୋଟିଏ କାମ କର l ଟିକିଏ କଷ୍ଟ କରିବାକୁ ହେବ l ତୁମେ ଗୋପ ପୁର ଯାଅ ଏବଂ ଗୋପି ମାନଙ୍କୁ ଏକଥା ଜଣାଅ l ମୋର ବିଶ୍ୱାସ, ସେମାନେ ନିଶ୍ଚୟ ରାଜିହେବେ l ଅବିଳମ୍ବେ ତୁମେ ଗମନ କର ଓ ସେମାନେ କ’ଣ କହୁଛନ୍ତି ଫେରି ଆସି ମୋତେ ଜଣାଅ l"

ଉଦ୍ଧବ ଚାଲିଲେ ଗୋକୁଳ lସେ ସେଠାରେ ପହଞ୍ଚି ଗୋପୀମାନଙ୍କୁ ସମସ୍ତ କଥା କହିଲେ l ପାଦଧୂଳି କଥାଟା କହିବାକୁ ଟିକିଏ ସଙ୍କୋଚ ଲାଗୁଥାଏ l କିନ୍ତୁ ଶୁଣିବା ମାତ୍ରେ ଗୋପୀମାନେ କହି ଉଠିଲେ, ”ଏଇ ନିଅ ଆମର ପାଦଧୂଳି l କାହ୍ନାର ମୁଣ୍ଡସାରା ବୋଳିଦେବ ଏବଂ କହିବ ଆମ୍ଭମାନଙ୍କର ଆୟୁଷ ତାକୁ ପ୍ରାପ୍ତ ହେଉ, ସେ ଚିରଦିନ ବଞ୍ଚିରହୁ l“

     ଆମ୍ଭ ଆୟୁଷ ତୋତେ ହେଉ l

      ତୋ ଦେହ ଚିରକାଳ ରହୁ ll

ଉଦ୍ଧବ ଆଶ୍ଚର୍ଯ୍ୟ ! ଧନ୍ୟ ଏ ବ୍ରଜାଙ୍ଗନା ଗଣ,ଧନ୍ୟ ଏହାଙ୍କର ପ୍ରଭୁଙ୍କ ସହ ଅତ୍ମୀୟତା,ଏକାତ୍ମତା !!!

ଆଉ କାଳବିଳମ୍ବ ନ କରି ଉଦ୍ଧବ ଗୋପୀଙ୍କ ପାଦ ଧୂଳିକୁ ଗାମୁଛାରେ ବାନ୍ଧି ମୁଣ୍ଡେଇ କରି ଦ୍ୱାରକା ପ୍ରତ୍ୟାବର୍ତ୍ତନ କଲେ l

ଉଦ୍ଧବ ପହଞ୍ଚିବା କ୍ଷଣି ଭଗବାନ ସେ ପାଦ ଧୂଳିକୁ ଅତ୍ୟନ୍ତ ଭାବାବେଗ ଓ ଶ୍ରଦ୍ଧା ସହକାରେ ଗ୍ରହଣ କରି ନିଜ ଶିର ଭାଗରେ ସିଞ୍ଚି ଦେଲେ ଓ ତୁରନ୍ତ ତାଙ୍କର ଜ୍ୱର ଛାଡିଗଲା l ଏହାକୁ ଜଡବତ୍‌ ଠିଆ ହୋଇ ଦେଖୁ ଥିଲେ ଅଷ୍ଟମହିଷୀ ଓ ଭକ୍ତ ଉଦ୍ଧବ l ଅଷ୍ଟପାଟବଂଶୀ ତାଙ୍କ ପ୍ରଶ୍ନର ଉତ୍ତର ପାଇ ଯାଇ ଥିଲେ l ଭକ୍ତ ଉଦ୍ଧବ କଳନା କରୁଥିଲେ ଭଗବତ ପ୍ରେମ ଓ ବିଭୁଭକ୍ତିର ସେହି ଅତଳ ଗଭୀରତାକୁ l

ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ପ୍ରକାରର ସଂଶୟ, ଅବିଶ୍ୱାସ, ଦ୍ୱିଧା, କୁଣ୍ଠା କିମ୍ବା ବିକାରର ପ୍ରଶ୍ନ ନାହିଁ l ଏହି ଭାବ ହିଁ ଥିଲା ଗୋପୀ ମାନଙ୍କ ଠାରେ,ଗୋପୀଭାବ,ନିର୍ମଳଭାବ,ଅନାବିଳ ପ୍ରେମ ଓ ସମ୍ପୂର୍ଣ୍ଣ ସମର୍ପଣ l ତେଣୁ ଗୋପୀ ଭଗବାନଙ୍କୁ ଲାଭ କରିଥିଲେ ତାଙ୍କର ଅତି ଆଦରର ପ୍ରିୟତମ କାହ୍ନା ଭାବେ l ଭାବ ନଥିଲେ ଭଗବାନ ମିଳନ୍ତି ନାହିଁ l ଏଣୁ ଗୋସ୍ୱାମୀ ତୁଳସୀଦାସ ରାମଚରିତ ମାନସରେ କହିଛନ୍ତି :-

     କମଠ ପୀଠ ବରୁ ଜାମହି ବାରା l

     ବନ୍ଧ୍ୟା ସୂତ ବରୁ କାହାହୁ ମାରା ll

     ଫୁଲଇ ନଭ ବରୁ ବହୁବିଧ ଫୁଲା l

     ଜୀବ ନ ଲହ ସୁଖ ହରି ପ୍ରତିକୂଲା ll

ଅର୍ଥାତ କଇଁଛ ପୃଷ୍ଠରେ କେଶ ଜାତହେବା,ବନ୍ଧ୍ୟା ନାରୀ ଠାରୁ ବଳଵାନ ପୁତ୍ର ଜାତହେବା,ଶୂନ୍ୟରେ ନାନା ବିଧ ଫୁଲ ଫୁଟିବା ଆଦି ଅସମ୍ଭବ ସମ୍ଭବ ହୋଇ ପାରେ କିନ୍ତୁ ହରିଭଜନ ବିନା, ହରିପ୍ରେମ ବିନା କେହି ସୁଖଲାଭ ବା ହରିଲାଭ କରିବ ଏହା ସମ୍ପୂର୍ଣ୍ଣ ଅସମ୍ଭବ l

ପ୍ରଭୁ ହେଉଛନ୍ତି ଭାବକୁ ନିକଟ,ଅଭାବକୁ ଦୂର, ସେ ଭାବଗ୍ରାହୀ, ଭକ୍ତବଲ୍ଲଭ l ଏଭଳି ଭାବ ମଧ୍ୟ ପ୍ରଭୁଙ୍କ କୃପା ବିନା ଅସମ୍ଭବ l ଶ୍ରୀମଦ ଭାଗବତ ଭାଷାରେ :-

          ମୁଁ ଯାକୁ ହୁଅଇ ସଦୟ l

          ଜ୍ଞାନ ତା’ ହୃଦରୁ ଉଦୟ ll

ଏହି ପ୍ରଭୁ କୃପା ବଳରେ ଦସ୍ୟୁ ରତ୍ନାକର ଦିନେ ମହାକବି ବାଲ୍ମୀକି ହୋଇଥିଲେ,ମହାମୁର୍ଖ କାଳି ଦାସ ମହାପଣ୍ଡିତ ହୋଇଥିଲେ,ଗଜମୁର୍ଖ ଶାରଳା ଦାସ ଉତ୍କଳର ଆଦିକବି ହୋଇଥିଲେ l ଭାବରେ ଶ୍ରୀବତ୍ସ ବ୍ରାହ୍ମଣର ପଦାଘାତକୁ ପ୍ରଭୁ ହୃଦୟରେ ବହନ କରିଛନ୍ତି,ଭାବରେ ଦରିଦ୍ର ଭକ୍ତ ସୁଦାମାକୁ କୋଳ କରି ନେଇଛନ୍ତି ପ୍ରଭୁ l କୁରୁସଭା ତଳେ ଲଜ୍ଜା ନିବାରଣ ପାଇଁ ପାଞ୍ଚାଳୀ ସତତ ଚେଷ୍ଟିତ ଥିଲେ l କିନ୍ତୁ ନିତାନ୍ତ ଅସହାୟ ହୋଇ ଯେତେ ବେଳେ ସେ ସମ୍ପୂର୍ଣ୍ଣ ସମର୍ପଣ ଭାବରେ ଶୂନ୍ୟକୁ ହାତ ଟେକିଦେଲେ ସେତିକି ବେଳେହିଁ ଭଗବାନ ଶ୍ରୀକୃଷ୍ଣଙ୍କର ସହାୟତାର ହାତ ଲମ୍ବି ଆସିଥିଲା ତାଙ୍କ ଆଡ଼କୁ l

ପ୍ରଭୁଙ୍କୁ ମଣିଷ ଅବା କ’ଣ ଦେଇ ପାରିବ? ସବୁ ତ ତାଙ୍କରି ଦାନ l ନିଜର ଦାନକୁ ବା ସେ କିପରି ଗ୍ରହଣ କରନ୍ତେ l ସେ ଯାହା ଗ୍ରହଣ କରନ୍ତି ତାହା ହେଲା ଭାବ l ପ୍ରଭୁ,କୁରୁପତି ମାନି ଦୁର୍ଯ୍ୟୋଧନର ବିଳାସପୂର୍ଣ୍ଣ ଭୋଜନସାମଗ୍ରୀକୁ ପ୍ରତ୍ୟାଖ୍ୟାନ କରି ଭାବରେ ବାନ୍ଧି ହୋଇ ଭକ୍ତ ବିଦୂର ଘରେ ଶାକାନ୍ନ ଭୋଜନ କରିଥିଲେ,ଶବରୀ ଉଚିଷ୍ଟ ଫଳକୁ ଅତି ଆନନ୍ଦରେ ଖାଇଥିଲେ l ବ୍ରଜବାଳା ପ୍ରଭୁଙ୍କୁ ବାନ୍ଧି ଥିଲେ ଭାବରେ ତେଣୁ କରି ସେ ନିଃସଙ୍କୋଚରେ, ନିର୍ବିକାର ଚିତ୍ତରେ ପ୍ରଭୁଙ୍କୁ ପାଦଧୂଳି ବାଢି ଦେଇ ଥିଲେ l ଏଣୁ ଭାଗବତ ପାରାୟଣ ବେଳେ ଭକ୍ତ ଉଦାତ୍ତ କଣ୍ଠରେ ଗାଇ ଉଠିଥାଏ :-

         ସେ ବ୍ରଜ ନାରୀଙ୍କ ପୟରେ l

         ମନ ମୋ ଥାଉ ନିରନ୍ତରେ ll

ରସ କଲ୍ଲୋଳରେ ଭକ୍ତକବି ଦୀନକୃଷ୍ଣ ଦାସ ଏହା ପ୍ରକାଶ କରି କହିଛନ୍ତି :-

     କଲେ ବେଦପତି ନାନା ରୂପେ ସ୍ତୁତି

             ବିମୁଖ ଯେ ଶୁଣିବାକୁ l

     କର୍ଣ୍ଣ ଡ଼େରିଥାନ୍ତି ବରଜ ଯୁବତୀ

             କରତାଙ୍କ ଡାକିବାକୁ ll

ପ୍ରଭୁ ଭାବରେ ବସ ହୋଇ ଗୋପୀଙ୍କ ବସ୍ତ୍ର ଚୋରି କରନ୍ତି, ଲବଣି ଚୋରି କରନ୍ତି, ପୁଣି ତାଙ୍କ ମାଡ଼ ଗାଳି ଖାଇପାରନ୍ତି l ତେଣୁ ଶ୍ରୀମଦ ଭାଗବତରେ କୁହାଗଲା :-

       ଗାଳି ଶୁଣଇ ଗୋପୀ ମୁଖେ l

      ବେଦ ନ ଶୁଣେ ତେତେ ସୁଖେ ll

ଏହି କଥାକୁ ଚୈତନ୍ୟ ଚରିତାମୃତରେ ମଧ୍ୟ କୁହା ଯାଇଛି :-

ପ୍ରୀୟା ଯଦି ମାନ କରି କରୟେ ଭରତ୍ସନ l

ବେଦସ୍ତୁତି ହୈତ ସେଇ ହରେ ମୋର ମନ ll

ବ୍ରଜନାରୀମାନଙ୍କର ଭଗବାନ ଶ୍ରୀକୃଷ୍ଣଙ୍କୁ ପାଦ ରେଣୁ ପ୍ରଦାନ ପ୍ରସଙ୍ଗକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରି ମହର୍ଷି ବ୍ୟାସଦେବ କୃତ ସଂସ୍କୃତ ଶ୍ରୀମଦ ଭାଗବତର ଦଶମସ୍କନ୍ଧ ଷଡ଼ଚାଳିଶ ଅଧ୍ୟାୟ ଷଷ୍ଠ ତମ ଶ୍ଳୋକରେ କୁହାଯାଇଛି :-

     ବନ୍ଦେ ନନ୍ଦ ବ୍ରଜସ୍ତ୍ରୀଣାମ୍

           ପାଦରେଣୁ ମତ୍ତୀକ୍ଷ୍ମଣଃ l

     ଯାସାଂ ହରିକଥୋହଗୀତଂ

            ପୁନାତି ଭୁବନ ତ୍ରୟମ୍ ll

            

              !!! ଜୟ ଶ୍ରୀକୃଷ୍ଣ !!!

      ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ

      ହେ ନାରାୟଣ ହେ ବାସୁଦେବ !!!

               


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ