ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟ
ଧାନୀ ଛୋଟ ବେଳୁ ମୁମ୍ବାଇରେ ବଢିଛି । ତା ବାପା ମାଆ ଓଡିଶାର । କିନ୍ତୁ ସେ ଜନ୍ମ ପାଖରୁ ମୁମ୍ବାଇରେ ଅଛି । ସେଠାରେ ତାର ସବୁଠାରୁ ପ୍ରିୟ ସାଙ୍ଗ ହେଉଛି ପରୀ । ପରୀର ବାହାଘର ଠିକ ହୋଇଛି । ବାହାଘର ଓଡିଶାରେ ପରୀର ଗ୍ରାମରେ ହେବାର ଅଛି । ସେଥିପାଇଁ ଧାନୀ ମଧ୍ୟ ପରୀ ସହ ଓଡ଼ିଶା ଆସିଛି ।
ଶୀତ ଦିନ । ସକାଳୁ ସକାଳୁ ଧାନୀ, ପରୀ ଆଉ ପରୀର ପରିବାର ସବୁ ଆସି କଟକରେ ପହଞ୍ଚିଛନ୍ତି । କଟକରୁ ବାହାରି ସବୁ ପରୀର ଗ୍ରାମ ଆଡକୁ ଗାଡିରେ ଯାଉଛନ୍ତି ।
ଧାନୀ କେବେ ବି ଆଗରୁ ଗାଁ ଦେଖି ନ ଥିଲା । କିନ୍ତୁ କଟକରୁ ପରୀର ଗ୍ରାମ ବାଟର ପ୍ରକୃତିର ସୌନ୍ଦର୍ଯ୍ୟ ଧାନୀକୁ ଆକର୍ଷିତ କରିଛି ।
ନଦୀର କୂଳ ଦେଇ ରାସ୍ତା । ସୂର୍ଯ୍ୟର ପ୍ରଥମ ସୁନେଲି କିରଣ ନଦୀ ପାଣିରେ ପଡିଛି । ସେଇ ସୁନେଲି କିରଣରେ ପାଣିର ଲହରୀର ଦୃଶ୍ୟ ମନକୁ ହରଣ କରିନେଉଛି । ସାଙ୍ଗରେ କୁହୁଡିରେ ବେଶୀ ଦୂର ଦେଖା ଯାଉ ନାହିଁ । ଯେତେ ନଦୀ ପାଖ ଗାଡି ହେଉଛି, ତାର ସୌନ୍ଦର୍ଯ୍ୟ ସେତେ ସୁଲଭ ହେଉଛି । ତା ସହ ଧୀର ମୃଦୁ ଶୀତଳ ସୁଲୁସୁଲିଆ ପବନ.... ମନକୁ ଚୋରୀ କରି ନେଉଛି ।
କାକରର ବିନ୍ଦୁର ଛିଟା ଘାସ ଉପରେ ବିଛାଇ ହୋଇ ପଡିଛି । ଲାଗୁଛି ଘାସ ଉପରେ ମୁକ୍ତାର ବିନ୍ଦୁ ଆଚ୍ଛାଦିତ ହୋଇଛି ।
ଧାନୀ ପ୍ରଥମେ ଏ ସବୁ ଦେଖି ଖୁସିରେ ପାଗଳୀ ପରି ହୋଇଛି । ଫୋନରେ ଭିଡିଓ କରି ତା ମାଆ ବାପାଙ୍କୁ ଦେଖାଇଛି ।
କିଛି ରାସ୍ତା ଗଲା ପରେ ଧାନୀ ଦେଖିଲା ଧଳା ରଙ୍ଗର ପର ଭଳି ଦେଖାଯାଉଥିବା ଫୁଲର ଗଛ ପୁରା ନଦୀ କୂଳରେ ଭର୍ତ୍ତି । ସେ ଫୁଲ ପୁରା ପକ୍ଷୀର ପର ଭଲି ଦେଖା ଯାଉଛି । ଲାଗୁଛି ଯେମିତି ନଦୀ ମାଆ ହୀରାର ହାର ପିନ୍ଧିଛନ୍ତି । ନଦୀର କୂଳରେ ଗଙ୍ଗା ମାଆ ସବୁଜ ରଙ୍ଗ ଶାଢ଼ୀ ପିନ୍ଧି ହୀରାର ହାର ପିନ୍ଧି ମୁକ୍ତାରେ ଆଚ୍ଛାଦିତ ହୋଇ ଶୋଇଛନ୍ତି । ଧାନୀ ପରୀ ଠାରୁ ଜାଣିବାକୁ ପାଇଲା ସେ ଧଳା ଫୁଲ ହେଉଛି କାଶତଣ୍ଡୀ ଫୁଲ ।
ନଦୀ କୂଳରେ ଗାଁର ସ୍ତ୍ରୀ ଲୋକମାନଙ୍କର ପାଣି ଆଣିବା ଦୃଶ୍ୟ, ଲୋକଙ୍କର ଥଣ୍ଡା ପାଣିର ଗାଧୋଇବା ଦୃଶ୍ୟ, କୃଷକର ତରତର ହୋଇ ବିଲକୁ ଯିବା ଦୃଶ୍ୟ ଧାନୀକୁ ଆକର୍ଷିତ କରିଛି ।
ଧାନୀ ଆଉ ପରୀ ଗାଡ଼ିରୁ ଓହ୍ଲେଇ କାଶତଣ୍ଡୀ ବୁଦା ଭିତରକୁ ଯାଇ ଫୋଟ ଉଠାଇଛନ୍ତି । ଲାଇଭ ଭିଡିଓ ଫେସବୁକରେ କରି ଛାଡିଛନ୍ତି । ପୁରା ରାସ୍ତା ଯାକ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିଛନ୍ତି । ଧାନୀ କିଛି କାଶତଣ୍ଡୀ ଫୁଲ ତୋଳି ନେଇଛି । ତାପରେ ଗାଡ଼ିରେ ବସି ସେମାନେ ପରୀର ଗାଁକୁ ଗଲେ ।
ଧାନୀ ଓଡିଶାର ପ୍ରାକୃତି ଓ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇ ପରୀକୁ କହିଛି ଯେ ସେ ଏହାପରେ ପ୍ରତି ବର୍ଷ ଓଡ଼ିଶାକୁ ବୁଲିବା ପାଇଁ ଆସିବ । ସେ ଜାଣି ନ ଥିଲା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ସୁନ୍ଦର । ତାର ପ୍ରକୃତ ଘର ଓଡିଶା ହୋଇ ଥିବାରୁ ସେ ନିଜକୁ ଗର୍ବ ଅନୁଭବ କରୁଛି ।
