Arati Sahoo

Others

4.0  

Arati Sahoo

Others

ସାଇଡ ସିଟ

ସାଇଡ ସିଟ

2 mins
123


 ମହେନ୍ଦ୍ରଙ୍କ ବିକଳିଆ ଆଖି ଦୁଇଟା ଦେଖି ପ୍ରଜ୍ଞାର ମନ ବିଷେଇ ଉଠେ। କହି ଦେବାକୁ ଇଚ୍ଛା ହୁଏ ଦିଅର ମନୁଙ୍କୁ, " ମୋ ସ୍ଵାମୀଙ୍କ ସାଇଡ୍ ସିଟରେ ତ ମୋର ଅଧିକାର ମନୁ "


କିନ୍ତୁ କୋଉ କହିପାରେ ।


ତାର ଭଲ ଭାବରେ ମନେ ଅଛି, ବାପା ଡ୍ରାଇଭିଂ ସିଟରେ ବସିବା ପୂର୍ବରୁ ମାଆଙ୍କ ପାଇଁ ଫ୍ରଣ୍ଟ ଡୋର୍ ଖୋଲି ଦିଅନ୍ତି। ମାଆ ସାଥିରେ ଗଲେ ବାପା କସ୍ମିନ୍ କାଳେ କାହାକୁ ପାଖ ସିଟରେ ବସେଇ ଦିଅନ୍ତି ନାହିଁ । ସେ ତାର ସାନ ଭଉଣୀ ସ୍ଵାତୀ ସହିତ ବେକ୍ ସିଟରେ ବସେ । ହେଲେ ଯୋଉଦିନ ମାଆ ଯାଆନ୍ତିନି ସେଦିନ ଦୁଇ ଭଉଣୀଙ୍କ ଭିତରେ ଖୁବ୍ ତେରିମେରୀ ହୁଏ, ବାପାଙ୍କ ସହିତ ଫ୍ରଣ୍ଟ ସିଟରେ ବସିବା ପାଇଁ । ବାପା ସେଥିପାଇଁ ପାଳି କରି ଦିଅନ୍ତି । ଗଲାବେଳେ ପ୍ରଜ୍ଞା ଆଉ ଫେରିଲା ବେଳେ ସ୍ଵାତୀ।


 ବାପା ମାଆଙ୍କୁ ଦେଖି ଦେଖି ପ୍ରଜ୍ଞା ମଧ୍ୟ ମିଠା ସ୍ଵପ୍ନଟାଏ ପାଳି ରଖିଥିଲା। ତା ସ୍ଵାମୀଙ୍କ ସହିତ ଫ୍ରଣ୍ଟ ସିଟ । ହେଲେ ସ୍ଵପ୍ନ ରହିଗଲା ପଛରେ, ଆଗରେ ଆସି ବାଟ ଓଗାଳିଲେ ନଣନ୍ଦ ସୁମିତା। ଯେ ପର୍ଯ୍ୟନ୍ତ ସେ ରହିଲେ ପ୍ରଜ୍ଞା ପଛ ସିଟରେ ବସି ସନ୍ତୁଷ୍ଟ ହେଉଥିଲା। ଇଚ୍ଛା ତୀବ୍ରତର ହେଲେ ବି ମନକୁ ବୁଝେଇ ଦେଇଥିଲା। ହଁ, କଣ ହେଇଗଲା, ବସନ୍ତୁ ନା । ତାଙ୍କ ବାହାଘର ପର୍ଯ୍ୟନ୍ତ ସେ ସବୁର୍ କରି ପାରିବ ନାହିଁ ନା ? 


 ବେଳେବେଳେ ମହେନ୍ଦ୍ର ତାକୁ ଆଗେଇ ନେଇ ଡୋର୍ ଖୋଲିଦେଲା ବେଳକୁ କୁଆଡୁ କେଜାଣି ଟପକି ପଡ଼ି ଧସେଇ ପଶି ଯାଆନ୍ତି ସୁମିତା। ସେ ଭକୁଆ ହେଇଯାଏ, ଆଉ ମହେନ୍ଦ୍ର ବିକଳିଆ।

 

 ବର୍ତ୍ତମାନ କିନ୍ତୁ ସୁମିତା ଶାଶୁଘରେ। ଏତେଦିନ ପରେ ସେ ବସିବ ତା ସ୍ଵାମୀ ସହିତ ଆଗରେ। ଭାରି ଖୁସି ହେଇ ମହେନ୍ଦ୍ର ଫ୍ରଣ୍ଟ ଡୋର୍ ଖୋଲିଦେଲା ବେଳକୁ ପ୍ରଜ୍ଞାର କଳ୍ପନାରେ ରେଡ୍ କାର୍ପେଟ୍ ବିଛେଇ ହେଇ ଯାଉଥିଲା। ସେ ନିଜର ପାଦ ଟେକୁ ଟେକୁ ଦିଅର ମନୁ ଶଟ୍ କିନା ବସିଗଲେ ଫ୍ରଣ୍ଟ ସିଟରେ। 


 - ଯାହାହେଉ, ଅପାଟା ବା' ହେଇ ବିଦା ହେଲା । ଏଥର ଫ୍ରଣ୍ଟ ସିଟ୍ ମୋର ।


ପୁଣିଥରେ ପ୍ରଜ୍ଞା ଭକୁଆ, ଆଉ ମହେନ୍ଦ୍ର ବିକଳିଆ।



Rate this content
Log in