STORYMIRROR

sushama Parija

Children Stories Inspirational

3  

sushama Parija

Children Stories Inspirational

ସାବାସ୍ ପ୍ରିନ୍ସ

ସାବାସ୍ ପ୍ରିନ୍ସ

4 mins
223



 ଅମୀର୍ ଖାନ୍ ଅଭିନୀତ ସିନେମା ଟିଏ ଦେଖିଥିଲି “ ତାରେଁ ଜମିନ୍ ପର”। ସେଇ ସିନେମା ଟିର ଅନ୍ତଃସ୍ୱର କେବଳ ମୋତେ ନୁହେଁ ସମସ୍ତଙ୍କୁ ମୁଗ୍ଧ କରିଥିଲା। ସେଥିପାଇଁ ଅନେକ ଗୁଡିଏ ପୁରସ୍କାର ମିଳିଥିଲା ସେଇ ସିନେମା କୁ। ସେ ଥିରେ ପାଠ ପଢାରେ ମନ ଲାଗୁଥିବା ବାଳକ ଟିଏ ପରିବାର ଆଉ ସ୍କୁଲ୍ ରେ କେମିତି ସମସ୍ତଙ୍କ ପାଖରୁ ଅନାଦୃତ ହେଲା ପରେ ଆଉ ଗୋଟିଏ ବୋର୍ଡିଂ ସ୍କୁଲ୍ କୁ ଯାଉଛି ଏବଂ ସେଠାରେ ତା’ର ଭେଟ ହେଉଛି ଆଉ ଜଣେ ଶିକ୍ଷକ ଙ୍କ ସହିତ ଯିଏ ତା’ର ମନ କଥା ବୁଝି ତା’ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା କୁ ପରିପ୍ରକାଶ କରିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଛନ୍ତି । ଶେଷରେ ସମସ୍ତଙ୍କୁ ଚମତ୍କୃତ କରି ସେଇ ବୋକା ପିଲାଟି ଶ୍ରେଷ୍ଠ ଚିତ୍ରକରଟିଏ ପାଲଟିଛି। ସେତେବେଳେ ମନେ ହୋଇଥିଲା ଏଭଳି ଘଟଣା କେବଳ ଚଳଚିତ୍ର ରେ ହିଁ ସମ୍ଭବ କିନ୍ତୁ ପ୍ରକୃତରେ ଏମିତି ସମ୍ଭବ ନୁହେଁ ।ହେଲେ ସେହିପରି ଗୋଟିଏ ଘଟଣା ଏବେ ଘଟିଛି ଗୁଜୁରାଟ ରାଜ୍ୟ ରେ, ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଖୁବ୍ କଳହ ସୃଷ୍ଟି କରିଛି ।  

ଗୁଜୁରାଟ ରାଜ୍ୟ ର ବରୋଦା ସହର । ସେଇଠି ତାଙ୍କର ପରିବାର ସହିତ ରହେ ପ୍ରିନସ୍ ପାନ୍ଚାଲ୍ ନାମକ ଜଣେ ବାଳକ। ସମୟ କ୍ରମେ ସେ ବଡ ହୋଇ ସ୍କୁଲ୍ ରେ ପାଠ ପଢିଲେ, ହେଲେ ପାଠ ପଢାରେ ତା’ର ମନ ଜମା ଲାଗୁନଥାଏ। ବହି ଧରି ବସିଲେ ଅକ୍ଷରମାନେ ଝାପସା ଦିଶନ୍ତି, ମନ ଥାଏ ଖାଲି ଖେଳ କୁଦ ଆଉ ଖେଳନା ମାନଙ୍କ ପାଖରେ। ସବୁବେଳେ ପରୀକ୍ଷା ରେ କମ୍ ନମ୍ବର ରଖି ବାପା ମାଆଙ୍କ ପାଖରୁ ମାଡ ଗାଳି ଖାଏ, ଟିଉସନ ସାର୍ ଙ୍କ ପାଖକୁ ଯାଏ ତଥାପି ପାଠ ଯୋଉଠି କୁ ସେଇଠି । ପରିବାରର ବାଧ୍ୟବାଧକତା ରେ ସେ ବହି କୁ ଅନେଇଁ ବସିଥାଏ ସିନା ପାଠ କିଛି ମୁଣ୍ଡରେ ପଶେ ନାହିଁ । ବେଶୀ ସମୟ ବସିଲେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ। ଚଟାପଟ ଉଠି ଚାଲିଯାଏ ବାହାରକୁ ସାଙ୍ଗ ମାନଙ୍କ ସହିତ ଖେଳିବାକୁ । ଏମିତି ସେମିତି ଘୋଷାରି ଓଟାରି ହୋଇ ନବମ ଶ୍ରେଣୀ ଯାଏଁ ଗଲା ସିନା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଆଉ ପାଶ୍ କରି ପାରିଲାନି। ସବୁ ବିଷୟରେ ଫେଲ୍ ହେଲା । ସ୍କୁଲ୍ କୁ ତା’ ବାପାଙ୍କୁ ଡକାଇ ହେଡ୍ ସାର୍ କହିଲେ “ ତୁମ ପୁଅ ପ୍ରିନ୍ସ ସଂପୂର୍ଣ୍ଣ ଗଧ ଟିଏ ! ୟା’ ଦ୍ୱାରା ପାଠ ଶାଠ ହୋଇ ପାରିବନି , ୟା’କୁ ଆଉ ସ୍କୁଲ୍ କୁ ନପଠାଇ କାମଧନ୍ଦା ରେ ଲଗାଇ ଦିଅ । ଅପମାନିତ ହୋଇ ବାପା ଘରକୁ ଫେରିଲେ , ଖୁବ୍ ପିଟିଲେ ପୁଅକୁ ଆଉ କହିଲେ” ଯା’ ଏବେ ଯେତେ ଖେଳିବୁ ଖେଳ, ତୋ’ ପାଇଁ ସ୍କୁଲ୍ ଦ୍ୱାର ମନା, କାଲିଠାରୁ କାମ କରିବାକୁ ଯିବୁ “। ମାଡ ଗାଳି ଖାଇ ମନ ଦୁଃଖ ରେ ଘରୁ ବାହାରି ଗଲା ପ୍ରିନ୍ସ । ସେମିତି କାନ୍ଦୁଥାଏ, ତା’ର ମନେ ପଡୁଥାଏ ଜେଜେ ବାପାଙ୍କ କଥା। କେତେ ଗେଲବସର କରିଥିଲେ ସିଏ ତା’କୁ । କେତେ ପ୍ରକାର ର ଖେଳନା ଆଣି ଦେଉଥିଲେ । ଜେଜେବାପା ମଲାପରେ ତା’କୁ ଆଉ କେହି ଭଲ ପାଉ ନାହାଁନ୍ତି, କେହି ଖେଳନା ଆଣି ଦେଉନାହାଁନ୍ତି । 

ମନ ଦୁଃଖ ରେ ପ୍ରିନ୍ସ ଚାଲିଲା ଘର ର ପଛ ପଟକୁ, ଯେଉଁଠି ଘରର ଯାବତୀୟ ଅଳିଆ ସବୁ ଜରି ଅଖାରେ ବନ୍ଧା ହୋଇ ପଡି ରହିଥିଲା। ସେଇଠି ବସି କାନ୍ଦି କାନ୍ଦି ଜେଜେ ଙ୍କ କଥା ମନେ ପକାଇଲା , କେମିତି ଜେଜେ ଯେତେବେଳେ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ଉଡାଜାହାଜ ରେ ଚଢି ତା’ର ଦାଦାଙ୍କ ପାଖକୁ ଦିଲ୍ଲୀ ଯାଇଥିଲେ ସିଏ କାନ୍ଦି କାନ୍ଦି

ଗଡି ଯାଇଥିଲା ତାଙ୍କ ସହିତ ଯିବ ବୋଲି । କିନ୍ତୁ ଅନିବାର୍ଯ୍ୟ କାରଣ ବଶତଃ ଜେଜେ ତା’କୁ ନେଇ ପାରିନଥିଲେ । କେମିତି ମାସଟିଏ ପରେ ଜେଜେ ଦିଲ୍ଲୀ ରୁ ଫେରିଲା ବେଳକୁ ତା’ ପାଇଁ ଖେଳନା ଉଡାଜାହାଜ ଟିଏ ଆଣିଥିଲେ ଏବଂ ଖୁବ୍ ଗେହ୍ଲା କରି ତା’କୁ କହିଥିଲେ “ ତୁ ଏବେ ଏଇ ଖେଳନା ଉଡାଜାହାଜ ଧରି ଖେଳୁଥା’ । ତୁ ଯେତେବେଳେ ବଡ ହେବୁ ନିଜେ ଗୋଟିଏ ଉଡାଜାହାଜ ତିଆରି କରିବୁ, ସେଇଥିରେ ବସି ଉଡିବୁ “। ବହୁତ ଦିନ ଯାଏଁ ସେଇ ଉଡାଜାହାଜ ଧରି ମନ ଖୁସି ରେ ଖେଳିଥିଲା ପ୍ରିନ୍ସ, ସେଇଟି ଭାଙ୍ଗି ରୁଜି ଗଲା ପରେ ମଧ୍ୟ ସାଇତି ରଖିଥିବା ତା’କୁ, ପରେ ମାଆ ସେଇଟା ଅଳିଆ ଡବା ରେ ପକାଇ ଦେଇଥିଲେ । ଖେଳନା କଥା ମନେ ପଡି ଯିବାରୁ ଅଳିଆ ଜରି ଅଖା ସବୁକୁ ଖେଳେଇ ପକାଇ ସେଇ ଭଙ୍ଗା ଉଡାଜାହାଜ ଖେଳନା ଟିକୁ ଖୋଜି ବାହାର କଲା ସେ। ହାତରେ ଧରି ଓଲଟ ପାଲଟ କରି ଦେଖି ଦେଖି ତା’କୁ କେମିତି ସଜାଡି ସେଥିରେ ଆଉଥରେ ଖେଳିବ ବୋଲି ଭାବିଲା।

 ବେଶ୍ କିଛି ଦିନ ଚେଷ୍ଟା କରିବା ପରେ ବିଭିନ୍ନ ପ୍ରକାର କାଗଜପତ୍ର , ଫ୍ଲେକ୍ସ ଜାରି, ପ୍ଲାଷ୍ଟିକ୍ ଇତ୍ୟାଦି ବ୍ୟବହାର ଜରି ସେଇ ଖେଳନା ଉଡାଜାହାଜ ଟିକୁ ସଜାଡିବାରେ ସଫଳ ହେଲା ସେ। ଯୋଗ କୁ ତା’ର ରିମୋଟ୍ କଣ୍ଟ୍ରୋଲ୍ ଟି ମିଳିଗଲା ତା’କୁ, ତା’ପରେ ଖେଳନା ଉଡାଜାହାଜ ଟିକୁ ଉଡେଇବାରେ ସଫଳ ହେଲା ପ୍ରିନ୍ସ । ଏବେ ତା’ର ଖୁସି ଦେଖେ କିଏ ? ସେ ସବୁ କଥା ଜଣାଇଲା ତା’ ମାଆଙ୍କୁ । ଘରଲୋକ ମାନେ ମଧ୍ୟ ପ୍ରିନ୍ସ ର ଏଇ କାରନାମା ଦେଖି ଖୁସି ହେଲେ । ଏଥରକ ପ୍ରିନ୍ସ ଆଉ ଚୁପ୍ ଚାପ୍ ହୋଇ ବସି ରହିଲାନି, ସାହି ପଡିଶା ରୁ ରିମୋଟ୍ ଚାଳିତ ଭଙ୍ଗା ଖେଳନା ସଂଗ୍ରହ କଲା , ରାସ୍ତାଘାଟ ରେ ଲାଗିଥିବା ଫ୍ଲେକ୍ସ ବ୍ୟାନର୍ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ଖଣ୍ଡ ସବୁ ସଂଗ୍ରହ କରି ନୂଆ ନୂଆ ଖେଳନା ଉଡାଜାହାଜ ତିଆରି କଲା। ସେ ସବୁ ବିକ୍ରି କରି ସେଇ ପଇସାରେ ଆହୁରି କିଛି ସରଞ୍ଜାମ କିଣି ୟୁ ଟିଉବ୍ ର ସହାୟତା ନେଇ ଆହୁରି ବଡ ବଡ ଖେଳନା ଉଡାଜାହାଜ ସବୁ ତିଆରି କଲା ଯାହା ଲୋକ ମାନଙ୍କୁ ଆହୁରି ଆକୃଷ୍ଟ କଲା । ସେଇ ସବୁ ଉଡାଜାହାଜ କୁ ସାଇତି ରଖିଲା ପ୍ରିନ୍ସ । ଲୋକ ମାନଙ୍କୁ ଖୋଲା ପଡିଆରେ ତା’ ହାତ ତିଆରି ଉଡାଜାହାଜ କୁ ଉଡେଇ ଦେଖାଇଲା । ସମସ୍ତେ ତା’କୁ ବାଃ ବାଃ କଲେ । ତା’ର କାମ କୁ ଏବେ ଘରଲୋକମାନେ ମଧ୍ୟ ପ୍ରଶଂସା କଲେ। ତା’ର ଆଗ୍ରହ ଦେଖି ତା’କୁ ଉତ୍ସାହିତ କଲେ। ଏମିତି କାମ କରି ସେ ତା’ର ଜେଜେବାପା ଙ୍କର ଇଚ୍ଛା କୁ ସେ ପୂରଣ କରୁଛି ବୋଲି ଭାବିଲା ପ୍ରିନ୍ସ ।

 ସତର ବର୍ଷର ପ୍ରିନ୍ସ ଏବେ ସୁଦ୍ଧା ତିଆରି କରି ସାରିଲାଣି ଚଉତିରିଶି ଟି ବଡ ବଜ ଉଡାଜାହାଜ ଯାହା ରିମୋଟ୍ କଣ୍ଟ୍ରୋଲ୍ ରେ ଆକାଶରେ ବେଶ୍ କିଛି ଦୂର ଯାଏଁ ଉଡି ପାରୁଛି । କିଛି ସରକାରୀ ସାହାଯ୍ୟ ମିଳିଲେ ସେ ଆଗକୁ ଆହୁରି ଅନେକ ଉନ୍ନତମାନର ଉଡାଜାହାଜ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରିନ୍ସ । ସ୍କୁଲ୍ ପାଠରେ ସବୁଠାରୁ ଗଧ ଥିବା ପିଲାଟି ଏବେ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ତା’ର ନିଜସ୍ବ ପ୍ରତିଭା ରେ ।କେହି ବହି ପାଠ ପଢି ଖାଲି ବଡ ମଣିଷ ହୁଅନ୍ତି ନାହିଁ ବରଂ ପିଲା ର ନିଜର ଆଗ୍ରହ ଥିବା ବିଦ୍ୟା ରେ ପ୍ରୋତ୍ସାହିତ କଲେ ସେ ଚମତ୍କାର ସୃଷ୍ଟି କରିପାରେ ଏହା ହିଁ ପ୍ରମାଣିତ କରିଛି ପ୍ରିନ୍ସ । ସାବାସ୍ ପ୍ରିନ୍ସ ! ସାରା ଦେଶ ଏବେ ତୁମ କାରିଗରୀ ର ଉତ୍ତରୋତ୍ତର ଉନ୍ନତି କାମନା କରୁଛି । 



Rate this content
Log in