Nibedita Mishra

Others

4.0  

Nibedita Mishra

Others

ରୁଟି

ରୁଟି

2 mins
310


ମା'ତୁ କେବେଠୁ ରୁଟି କରିବା ଆରମ୍ଭ କଲୁ? ଏମିତି ପ୍ରଶ୍ନଟିଏ ଝିଅଠୁ ଶୁଣି ଟିକିଏ ଅନ୍ଯମନସ୍କ ହେଇଗଲା ମାନିନୀ।ଅତୀତ ପୁଣି ସଜ୍ଜିବୀତ ହୋଇଉଠିଲା ତା ମାନସପଟରେ।ରୁଟି ସହିତ ତା'ସମ୍ପର୍କ ଟା ଅନ୍ଯମାନଙ୍କ ଠାରୁ ବେଶ୍ ଅଲଗା ଥିଲା।

ଛୁଆଟି ଦିନରୁ ହିଁ ରୁଟି ଆଦୌ ପସନ୍ଦ ନୂହେଁ ମାନିନୀର।ଘରେ ଯେବେ ବି ରୁଟି ଖାଇବାର ଥାଏ,ସେଦିନ ଘରେ ଏକ ଅପ୍ରୀତିକର ପରିସ୍ଥିତି ଟିଏ ସୃଷ୍ଟି ହେବା ନିଶ୍ଚିତ ଥାଏ।ବାପାଙ୍କ କଡା ନିର୍ଦ୍ଦେଶ ଘରେ ଯାହା ତିଆରି ହେବ ସମସ୍ତେ ସେଇଆ ଖାଇବାକୁ ବାଧ୍ଯ।ତେଣୁ କଷ୍ଚେମଷ୍ଟେ ମାନିନୀ ବାପାଙ୍କ ନାଲିଆଖି ଡରରେ ପଟେ ରୁଟି କୁ କମ୍ ସେ କମ୍ ୩୦-୪୫ମିନିଟ୍ ସମୟ ଅପଚୟ କରି ଚଢେଇ ଖୁମ୍ପିଲା ପରି ଖୁମ୍ପି ଖୁମ୍ପି ବଡ କଷ୍ଟରେ ଖାଏ।ତେଣୁ ରୁଟି ତିଆରି କରି ଶିଖିବା ଟା ଗୋଟେ ଜରୁରୀ ଆବଶ୍ଯକତା ବୋଲି ସେ କେବେ ଭାବିନି।ତେଣୁ ଯଦିବା କେବେ ମାନିନୀର ମା'ତାକୁ ରୁଟି କରିବାକୁ କହନ୍ତି ,ମାନିନୀ କିଛିନା କିଛି ବାହାନା କରି ଏଡେଇ ଦିଏ।ରୁଟି ପ୍ରତି ମାନିନୀର ଅନାଗ୍ରହ ଦେଖି ମା'ବି ବିଶେଷ ବାଧ୍ଯ କରନ୍ତିନି ତା'କୁ।

ହେଲେ ସେଇ ରୁଟିଯେ ଦିନେ ମାନିନୀର ଜୀବନରେ ଏକ ଅଧ୍ଯାୟ ସୃଷ୍ଟି କରିବ ବୋଲି କିଏ ଜାଣିଥିଲା?

ମାନିନୀ ଯେତେବେଳେ ବାହା ହେଇ ଶାଶୁ ଘରକୁ ଆସିଲା।ସେତେବେଳେ ଶାଶୁ ଘରେ ମଣିଷ ତ ଛାଡ ଘରର ଗୃହପାଳିତ ଗାଈ ମାନେ (୪ଟା)ମଧ୍ଯ ସକାଳେ ଦୁଇ ଦୁଇ ପଟ ରୁଟି ଖାଇବାର ଦେଖି ମାନିନୀର ଅବସ୍ଥା ଖରାପ।ତେଣୁ ଯେତେବେଳେ ବି ମାନିନୀ ରୁଟି କରେ,ସବୁଥର କିଛି ନା କିଛି ଭୂଲ ହେଇଯାଏ।କେତେବେଳେ ଅଟା ଚକଟା ଟାଣ ତ କେବେ ନରମ।ପୁଣି କେବେ ରୁଟି ର ମଝିଟା ଖାଲି ଫୁଲିଛି ତ କେବେ ପୋଡିଗଲାଣି।ସେଥିପାଇଁ ଅନେକ ଟାହିଟାପରା ଓ ଅପମାନର ସମ୍ମୁଖୀନ ହେଇଛି ସେ।

 ଦିନକର କଥା ମାନିନୀ ଘରକୁ ତା'ର ଜଣେ ସମ୍ପର୍କୀୟ ନଣନ୍ଦ ଆସିଥାନ୍ତି।ରାତିରେ ଯେତେବେଳେ ରୁଟି କରିବା ସମୟ ଆସିଲା ,ମାନିନୀ ଅଟା ବହାର କରିବାକୁ ଯିବା ବେଳେ ମାନିନୀର ଶାଶୁ କହିଲେ-

-ମାନିନୀ,ଆଜି ତୁ ରୁଟି କରନି।ଆମ ଝିଅ(ମାନିନୀର ନଣନ୍ଦ)ରୁଟି କରିଦେବ।ଓ ପୁଣି ସେ ଝିଅଟିକୁ ଚାହିଁ କହିଲେ ଯେ-ଝିଅଲୋ ଆଜି ତୁ ରୁଟି କରିଦେବୁ।କଥା କ'ଣକି ଆମ ବୋହୁକୁ ରୁଟି କରି ଆସେନି(ଏକ ଉପହାସ ଭରା ହସଟିଏ ହସି)।ସେ ଝିଅଟି ଭି ସତିକା କଉ ଏକ ଅସାଧ୍ଯ ସାଧନ କରିପକେଇଲା ପରି ରୁଟି କରିବାକୁ ବାହାରିଲା।ମାନିନୀ କିନ୍ତୁ ମନେ ଭାରି,ଅପମାନିତ ହେଲା ଓ ଭାବୁଥାଏ ଯେ ଏମିତି ଅନେକ କାମ ଅଛି ଯେଉଁଥିରେକି ମାନିନୀ ପାରଙ୍ଗମ ,କିନ୍ତୁ ସେଝିଅଟି ହୁଏତ ତାହା ଜାଣି ନଥିବ।ତଥାପି.....କହିବ କିଏ?

ହଉଛାଡ.......

ଏବେ କିନ୍ତୁ ୧୨ବର୍ଷପରେ ମାନିନୀ ଓ ରୁଟି ପରସ୍ପରର ବେଶ୍ ଘନିଷ୍ଠ ହେଇସାରିଲେଣି।ଆଉ ଆଜି ତା ଝିଅ ରୁଟି ସହ ନୂଆ ନୂଆ ସମ୍ପର୍କ ଯୋଡୁଛି।ଏ ସବୁ ଦେଖି ଆଖିରୁ କେଇବୁନ୍ଦା ଲୁହ କେତେବେଳୁ ଯେ ମାନିନୀ ଅଜାଣତରେ ଗଡିଗଲାଣି,ତାହା ମାନିନୀ ଜାଣିନି।

"ଏ ମା',କ'ଣ ହେଲା,ମୋ ରୁଟି ଭଲ ହେଇନି କି?"

ବର୍ତ୍ତମାନକୁ ଫେରି ଆସିଲା ମାନିନୀ।

ଝିଅଟିର କୁନି କୁନି ହାତରେ ତିଆରି ରୁଟିକୁ ଦେଖି ମନେ ମନେ ଏକ ଅଜବ ଖୁସି ଅନୁଭବ କରୁଥାଏ ସେ।ମାନିନୀ କହିଲା-"ନାଇଁ ରେ ମା,ତୋ ରୁଟି ତ ବହୁତ ସୁନ୍ଦର ହେଇଛି।"ଝିଅଟି ବି ଖୁସିରେ ହାତରେ ରୁଟିଟିକୁ ଧରି ଦୌଡିଗଲା ସମସ୍ତଙ୍କୁ ଦେଖେଇବା ଲାଗି।

ସେପଟୁ ସ୍ବାମୀ କହୁଥାନ୍ତି-"ମାନିନୀ ରୁଟି ହେଲାକି?ବଢାବଢି କର। ଭାରି ଭୋକ ହେଲାଣି।"

ହଁ ହଁ ବାଢୁଛି।ମାନିନୀ ଆଖିପୋଛି ବଢାବଢି ଆରମ୍ଭ କଲା।


Rate this content
Log in