ରୋଜା ମହିନା
ରୋଜା ମହିନା
ଇନ୍ସଆଲହା ଆଜି ପରା ରୋଜା ମହିନାର ଶେଷ ଦିନ । ବହୁତ ଭଲ ଭଲ ଆଇଟମ କରି ବନ୍ଧୁ ଚର୍ଚ୍ଚା କରିବି । ହେଲେ ଏତେ ଆଇଟମ ଘରେ ରୋଷେଇ କରିବା ତ ସମ୍ଭବ ନୁହେଁ । ସକାଳୁ ସକାଳୁ ନମାଜ ପଢା ଶେଷ କରି ବଜ଼ାର ବାହାରିଲି । ବଜ଼ାରରୁ ଖଜୁରୀ , ହାଲିମ ,ରମଜାନ କବାବି ,ଫୁଲ ମେଡମ୍ମିଶ ,କୋଲକ ,କୋନାଫହ ଇତ୍ୟାଦି ବହୁତ ପ୍ରକାର ଖାଦ୍ୟ ଦ୍ରବ୍ୟ କିଣିଲି । ଶେଷରେ ବଜ଼ାର ବୁଲି ବୁଲି ଯାଇ ସଲିମ ଚାଚାଙ୍କ ସମୋସା ଦୋକାନରେ ପହଞ୍ଚିଗଲି । ସଲିମ ଚାଚା ଗୋଟେ ବଡ କଢେଇରେ ତେଲ ଢାଳୁଥିଲେ ସମୋସା ଛାଣିବାପାଇଁ ।
ମୁଁ ସଲିମ ଚାଚାଙ୍କୁ ଦେଖି ମୋ ହାତକୁ ମୋ ମଥାରେ ଛୁଆଇଁ କହିଲି - ଆସ ସଲାମ ୱାଲୀକୁମ ଚାଚା ।
ଚାଚା ମତେ ଦେଖି ହସିଦେଇ କହିଲେ - ୱା ୱାଲୀକୁମ ଆସସଲାମ ୱା ରହମ୍ମାତୁଲଲହା । କୈଫା ହଲୋକୀ ? (କେମିତି ଅଛ)
ମୁଁ ଉତ୍ତର ଦେଲି - ବହୁତ ବଢିଆ ।
ଚାଚା କହିଲେ - ସମୋସା ନେବ କି ?
ମୁଁ କହିଲି - ହଁ ଚାଚା ହଜାରେ ସମୋସା ବଇନା ଦେଇଯାଉଛି , ସନ୍ଧ୍ୟା ବେଳେ ଆସି ନେଇଯିବି । ଟଙ୍କା ଦେଇଯାଉଛି | କେତେ ଟଙ୍କା ?
ଚାଚା ହସିଲେ ଆଉ କହିଲେ - କେତେ ଟଙ୍କା ଦେଇପାରିବ ବେଟି ?
ମୁଁ ଚାଚାଙ୍କ କଥାରେ ଆଶ୍ଚର୍ଯ୍ୟ ହେଇ ଦୁଇଟି ସମୋସା ଅଧିକା ହିସାବରେ ଟଙ୍କା ଚାଚାଙ୍କ ହାତକୁ ବଢ଼ାଇଲି ।
ଚାଚା କହିଲେ - ଟଙ୍କାଟା ସାମ୍ନା ଦୋକାନ ବାରଣ୍ଡାରେ ବସିଥିବା ବୁଢାକୁ ଦେଇଦିଅ ବେଟି । ଦୁଇଦିନ ହେଲା ତାର କିଛି ବି ରୋଜଗାର ହେଇନି । ମୁଁ ବି ଏଠି ସେମିତି ଗରାଖ ପାଇନି । ସେଥିପାଇଁ ତାକୁ ଦେଇପାରୁନି ।
ମୁଁ ସାମ୍ନା ଦୋକାନର ବାରଣ୍ଡାକୁ ଦେଖିଲି ,ସେଠି ଏକ ରୁଗ୍ଣ ,ଜୀଣ୍ଣ-ଶୀର୍ଣ୍ଣ ବୁଢା ଲୋକଟିଏ ବସି ଭିକ ମାଗୁଛି ହେଲେ କେହି ତାକୁ କିଛି ଦେଉନାହାନ୍ତି ।
ମୁଁ ଚାଚାଙ୍କୁ ପଚାରିଲି - ସେ ବୁଢା କଣ ତୁମ ସମ୍ପର୍କୀୟ ?
ଚାଚା କହିଲେ - ସେ ମୋ ବାପା,ଭାଈ ,ପୁଅ କିଏ ବି ହେଇପାରେ । ଦୁଇ ଦିନ ହେବ ସେଠି ବସି ଭିକ ମାଗୁଛି । ଖାଲି ପେଟରେ ତା ଦେହର ବଳ ସବୁ ଧୀରେ ଧୀରେ ହରଣ ହେଇଯାଉଛି । ଲୋକମାନେ ଭଳି ଭଳି ଦରବ ରୋଜା ପାଇଁ କିଣୁଛନ୍ତି ହେଲେ କେହି ତାକୁ କିଛି ହେଲେ ଦେଉନାହାନ୍ତି ।
ପୁରା ମାସ ରୋଜା ରଖି ଯଦି କାହାର ପେଟର ଭୋକକୁ ଅନୁଭବ କରି ନହେବ ତେବେ ରୋଜା ରଖିବାର ମୂଲ୍ୟ କଣ ?
ମୁଁ ଟଙ୍କା ନେଇ ସେଇ ବୁଢା ଲୋକଙ୍କ ପାଖକୁ ଯାଉଥାଏ ଆଉ ମନେ ମନେ ଭାବୁଥାଏ ଏ ଟଙ୍କା ପ୍ରକୃତରେ ମୋର ନା ସଲିମ ଚାଚାଙ୍କର ।
