Rajalaxmi Mohanty

Others

4  

Rajalaxmi Mohanty

Others

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

4 mins
201



    ବସ୍ ଷ୍ଟପ୍ ରେ ବସ୍ ରହୁରହୁ ଚାରି ସାଙ୍ଗ ଫଟାଫଟ୍ ଚଢିଗଲେ ବସ୍ କୁ।ଲିପି,ଦୀପା,ମୋନା ଓ ଏଲି।ଚାରିଜଣଙ୍କ ଘର ପାଖାପାଖି ଚାରୋଟି ଗାଁରେ।ଗୋଟିଏ ଷ୍ଟାଣ୍ଡରେ ଓହ୍ଲାଇବେ।ଗୋଟିଏ ସହରରେ ଗୋଟିଏ କଲେଜରେ ସାଙ୍ଗ ହୋଇ ପଢୁଛନ୍ତି।ଯାହା ହେଉ ଲାଷ୍ଟ ସିଟ୍ ଟା ସଂପୂର୍ଣ୍ଣ ଫାଙ୍କା ଥିଲା। ସାଙ୍ଗ ହେଇ ବସିପାରିଲେ ବୋଲି ସମସ୍ତେ ବହୁତ ଖୁସି। ଗପ ଆସର ରେ ବସ୍ ଭିତର ଟା କମ୍ପି ଉଠୁଥାଏ। ଆସନ୍ତା କାଲି ରବିବାର ,ପୁଣି ରାକ୍ଷୀ ପୂର୍ଣ୍ଣିମା।ସେଥିପାଇଁ ସମସ୍ତେ ଗାଁ କୁ ଯାଉଛନ୍ତି। ମନ ତ ବହୁତ ଖୁସି। ଆଉଥରେ ବ୍ଯାଗ୍ ରୁ ରାକ୍ଷୀ ବାହାର କରି ଦେଖିବାକୁ ଇଛାହେଲା। ସମସ୍ତେ ନିଜ ନିଜ ବ୍ଯାଗ ରୁ ରାକ୍ଷୀ ବାହାର କରି ଆଉ ଥରେ ଥରେ ଦେଖାଦେଖି ହେଲେ।ଏକା ଦୀପାକୁ ଛାଡି।"ଦୋକାନରେ ତ ଦେଖିକି ଆଣିଲ, ପୁଣି ଆଉଥରେ କ'ଣ? ମୁଁ ଆଉ ବାହାର କରିପାରିବିନି ବ୍ଯାଗ୍ ଭିତରୁ"।ତା ଆଡୁ ଆଗୁଆ କହିଦେଲା ଦୀପା। ତା ସାଙ୍ଗ ମାନେ ସମସ୍ତେ ଆଣିଛନ୍ତି ଶହେ ଦେଢଶହ ଟଙ୍କିଆ ରାକ୍ଷୀ।ସେ ଆଣିଛି ମାତ୍ର ତିରିଶ ଟଙ୍କାର ରାକ୍ଷୀ। ତା'ର ଅର୍ଥ ନୁହେଁ ତା ପାଖରେ ଟଙ୍କା ନାହିଁ। କଥା ହେଲା ତା ଭାଇଙ୍କର ଏସବୁ ପସନ୍ଦ ନୁହେଁ।ରାକ୍ଷୀ ର ମୂଲ୍ୟକୁ ଟଙ୍କାରେ ତଉଲିବାକୁ ସେ ଘୋର ବିରୋଧ କରନ୍ତି। ପରମ୍ପରା, ସ୍ନେହ ମମତା କୁ ବହୁତ ସମ୍ମାନ ଦିଅନ୍ତି। ଦୀପା ମଧ୍ୟ ତା ଭାଇଙ୍କର ଏହି ଚିନ୍ତାଧାରାକୁ ସମ୍ମାନ ଦିଏ। କହିବାକୁ ଗଲେ ଦେବାକୁ ବାଧ୍ଯ ହୁଏ।ନହେଲେ ଅତି ଗେହ୍ଲା କରୁଥିବା ଭାଇଟି ତିନିଦିନ ଧରି ଚୁପ୍ ପଡିଯାଏ। 



     ଲିପି ମୋନାକୁ କହୁଥିଲା "ମୋ ମୋବାଇଲ ଟା ପୁରୁଣା ହେଇଗଲାଣି। ଏଥର ରାକ୍ଷୀ ରେ ଭାଇଙ୍କ ଠାରୁ ନିଶ୍ଚୟ ନୂଆ    ଆଇଫୋନ୍  ଗୋଟେ ଝଡେଇବି"। ଏଲି କହୁଥିଲା "ମୋ ଭାଇଙ୍କର ପସନ୍ଦ ଜମା ଭଲ ନୁହେଁ। ମୁଁ ତାଙ୍କ ଠାରୁ ସିଧା କ୍ଯାସ୍ ନେଇଆସିବି। ପରେ ମୋ ପସନ୍ଦର କିଛି କିଣି ଆଣିବି।ମୋନା, ଲିପି ଆଉ ଏଲି ଆଡକୁ ଚାହିଁ ପାଟିରେ ଆଙ୍ଗୁଠି ଦେଇ ଚୁପ୍ ରହିବାକୁ କହି ନିଜେ ଚୁପ୍ ଚୁପ୍ କରି କହିଲା "ସେ ଟପିକ୍ ବନ୍ଦ କର ।ବିଚରା ଦୀପା କୁ ଖରାପ ଲାଗିବ।ତା ଭାଇ ତାକୁ କୌଣସି ରାକ୍ଷୀ ପୂର୍ଣ୍ଣିମାରେ କିଛି ବି ଗିଫ୍ଟ ଦିଅନ୍ତିନି"। ପ୍ରକୃତରେ ସେ ଦୀପା ସାମ୍ନାରେ ଏସବୁ ଆଲୋଚନା କରିବାକୁ ଚାହୁଁ ନଥିଲା ନା ଜାଣିଜାଣି ତାକୁ ଶୁଣେଇ ଶୁଣେଇ କହୁଥିଲା ସେକଥା ଦୀପା ବୁଝିପାରିଲାନି। ଅଭିମାନରେ ତା ମୁଣ୍ଡ ଭିତରଟା ଭାରି ହେଇଗଲା। ମିଛରେ ମୁଣ୍ଡ ବିନ୍ଧାର ବାହାନା କରି ସେ ଆଖି ବନ୍ଦ କରି ଶୋଇବାର ନାଟକ କରି ସେମାନଙ୍କ ଆଲୋଚନା ଭିତରୁ ବାହାରି ଆସିଲା। ଭାଇଙ୍କ ଉପରେ ପ୍ରବଳ ଅଭିମାନରେ ଫୁଲି ଉଠୁଥାଏ ସେ ।ତା ଭାଇବି ଚାହିଁଲେ ତାକୁ ବହୁତ ଭଲ ଗିଫ୍ଟ ଦେଇପାରିବେ। ମାତ୍ର ନା, ସେ କେବେ ଦିଅନ୍ତିନି। କେବଳ କୋଳକୁ ଆଉଜେଇ ଆଣି "ମୋ ପାଗେଳିଟା।ଏମିତି ସବୁବେଳେ ଖୁସିରେ ଥା " କହି ମୁଣ୍ଡକୁ ଆଉଁସି ଦିଅନ୍ତି ।ଦୀପା ବି ବହୁତ ସ୍ବାଭିମାନୀ। ମନରେ ଥିଲେବି ତୁଣ୍ଡ ଖୋଲି କିଛି ମାଗେନି। ପିଲାବେଳେ ସାଙ୍ଗ ମାନେ ଯେତେବେଳେ ନିଜ ନିଜ ଗିଫ୍ଟ ବିଷୟରେ ଆଲୋଚନା କରନ୍ତି, ସେ ମିଛରେ କିଛି ଗୋଟେ କହିଦେଉଥିଲା। ହେଲେ ଧରାପଡିଯାଇଥିଲା ଭାଇଙ୍କ ପାଖରେ। ଭାଇ ତାକୁ ଡାକିକି ପଚାରିଥିଲେ "ତୋର ଏ ଭାଇ ସଂପୂର୍ଣ୍ଣ ତୋର।ତଥାପି ତୁ ଭାଇଠାରୁ ଗିଫ୍ଟ ଚାହୁଁଛୁ ନା ତୋ ଭାଇକି ଚାହୁଁଛୁ"?ପିଲା ମୁଣ୍ଡରେ କିଛି ନବୁଝି ପାରିଲେ ବି ସେଦିନ ସେ ତା'ର ତା ଭାଇ ଦରକାର କହି ଦେଇଥିଲା। ହେଲେ ବି ମନଭିତରୁ ଗିଫ୍ଟ ର ଲୋଭ ଛାଡି ନଥିଲା କି ଆଜି ପର୍ଯ୍ୟନ୍ତ ବି ଛାଡିନାହିଁ।



ଓହୋ ଏତିକି ବେଳେ ଏ ବସ୍ ଖରାପ ହେବାକୁ ଥିଲା। ବସ୍ ସଜଡା ସରି ପୁଣିଥରେ ଆଗକୁ ଗଡିବାକୁ ଘଣ୍ଟାଏ ବିଳମ୍ବ ହେଲା। ପହଞ୍ଚୁ ପହଞ୍ଚୁ ରାତି ହେଇଯିବ ଯାହା ଜଣା ପଡୁଛି। ଚାରିସାଙ୍ଗଙ୍କ ମଧ୍ୟରେ ଭୟାତୁର ଆଲୋଚନା ଚାଲିଥାଏ। ସତକୁ ସତ ସନ୍ଧ୍ୟା ଛଅ ଟାରେ ଷ୍ଟାଣ୍ଡ ରେ ଲାଗିବା ବସ୍ ଲାଗିଲା ସନ୍ଧ୍ୟା ସାତ ଟା ରେ । ବସ୍ ରୁ ଓହ୍ଲାଉ ଓହ୍ଲାଉ ଆହୁରି ଏକ ବିପଦ ସେମାନଙ୍କୁ ଅପେକ୍ଷା କରିଥିଲା। ପ୍ରବଳ ବେଗରେ ସୁ ସୁ ଗର୍ଜନ କରି ବର୍ଷା ମାଡି ଆସୁଥିଲା। ଚାରିଜଣ ଯାକ ସାଙ୍ଗ ଗୋଟେ ଦୋକାନ ବାରଣ୍ଡା ଉପରକୁ ଉଠିଗଲେ।ଆଗରୁ ବି ସେଠି କିଛି ଲୋକ ଉପସ୍ଥିତ ଥାଆନ୍ତି। ଭାରି ଅସହଜ ଲାଗୁଥାଏ ସେଠି ଛିଡା ହେବା ପାଇଁ। କିଛି ଚାରା ବି ନାହିଁ। ମୋନା, ଲିପି ଓ ଏଲି ତିନିଜଣ ଯାକ ନିଜ ନିଜ ଘରକୁ ଫୋନ ଲଗଉଥାନ୍ତି। 

ମୋନାର ଭାଇ ଫୋନ ରିସିଭ କରି ମୋନାଠାରୁ କିଛି ଶୁଣିବା ଆଗରୁ-ହଁ ହଁ ତୁ ବ୍ଯସ୍ତ ହଅନା।ମୁଁ କାଲି ଯେମିତି ହେଲେ ଯାଇ ପହଞ୍ଚିବି।ଦିନ ସାରା ତ ରାକ୍ଷୀ ପୂର୍ଣ୍ଣିମା ଅଛି।ମୁଁ ତୋ ଭାଉଜଙ୍କ ଘରକୁ ଆସିଛି। ତାଙ୍କ ସାନ ଭଉଣୀ ବହୁତ ବାଧ୍ଯ କଲା ତ।କାଲି ଲଞ୍ଚ ପରେ ଆମେ ବାହାରିକି ସନ୍ଧ୍ଯା ସୁଦ୍ଧା ଯାଇ ପହଞ୍ଚିବୁ।ନେଟୱର୍କ ପାଉନି ।ମୁଁ ଘରକୁ ଗଲେ କଥାହେବା"କହି ଫୋନ୍ କାଟିଦେଲେ। ମୋନାର ମନେ ପଡିଲା ଏ ବର୍ଷ ତା ଭାଇର ବାହାଘର ପରେ ପ୍ରଥମ ରାକ୍ଷୀ ପୂର୍ଣ୍ଣିମା। ସେଥିପାଇଁ ସେ ସ୍ଯାଡେ ପଳେଇଛନ୍ତି। 


ଏପଟେ ଏଲିର ଭାଇ ଏଲି ଅନେକ ଥର କଲ୍ କରିବା ପରେ ଫୋନ୍ ରିସିଭ ତ କଲେ, ମଦ ନିଶା ରେ ସେ କ'ଣ ଶୁଣିଲେ କ'ଣ ବୁଝିଲେ ସେ ନିଜେ ଜାଣିଥିବେ।କିଛି ସମୟ ପରେ କୌଣସି ଉତ୍ତର ନପାଇ ଫୋନ କାଟି ଦେଲା ସେ।


ଲିପିର ଭାଇ ଲିପିକୁ ପରାମର୍ଶ ଦେଇ କହିଲେ "ଏତେ ଜୋର୍ ରେ ବର୍ଷା ହେଉଛି ମୁଁ ଯିବି କେମିତି? ତୁ ଗୋଟେ କାମ କର ।କିଛି ସମୟ କେଉଁଠି ଟିକେ ଛିଡା ହେଇଯା। ବର୍ଷା ଛାଡୁଛାଡୁ ମୁଁ ଯାଇ ନେଇ ଆସିବି" ।


ଲାଷ୍ଟ କୁ ଥିଲା ଦୀପା। ସେ କଲ୍ କରିବା ଆଗରୁ ତା ଫୋନ ରିଙ୍ଗ ହେଲା। ବ୍ଯାଗ୍ ରୁ ମୋବାଇଲ ବାହାର କରି ଦେଖିଲା ତିନିଟା ମିସ୍ଡକଲ୍ ତା ଭାଇଙ୍କର। ବର୍ଷା ଶବ୍ଦରେ ତାକୁ ଶୁଭିନି। ଚାରିଥର ବେଳକୁ ଶୁଭିଲା। ଫୋନ୍ ରିସିଭ କଲା ସେ। ସେପଟୁ ବ୍ଯସ୍ତ ହେଇ ତା ଭାଇ ପଚାରୁଥାନ୍ତି "କେଉଁଠି ଅଛୁ? ମୁଁ ବସ୍ ଷ୍ଟାଣ୍ଡର ସାମ୍ନା ସରସ୍ବତୀ ପୁସ୍ତକ ଭଣ୍ଡାର ପାଖେ ଛିଡା ହେଇଛି"। ଆରେ--ବୁକ୍ ଷ୍ଟୋର ତ ତା ଠାରୁ ମାତ୍ର ଦୁଇଟି ଦୋକାନ ଛାଡି। ବୁଲିକି ଚାହିଁଲା ଦୀପା। ତା ଭାଇ ବ୍ଯସ୍ତ ହେଇ ଏପଟ ସେପଟ ହେଉଛନ୍ତି। ଦୀପା ହାତ ଠାରି ଭାଇଙ୍କୁ ଦେଖାଦେଲା।ତା ଭାଇ ଆସି ପହଞ୍ଚିଲେ ତା ନିକଟରେ।ଅନ୍ଯ ତିନିଜଣଙ୍କ ଆଡକୁ ଚାହିଁ ପଚାରିଲେ କେମିତି ଯିବ ?


" ଘରୁ ଆସିବେ ବର୍ଷା ଛାଡିଲାପରେ "

ସେମାନେଉତ୍ତର ଦେଲେ। 


ନା-ଏମିତି ଅବସ୍ଥାରେ ତମ ମାନଙ୍କୁ ଏକା ଛାଡିବା ଟା ଠିକ୍ ହେବନି।ଚାଲ ସମସ୍ତେ ମୋ ସାଙ୍ଗରେ। ମୁଁ ଦୁଇଥର କରି ନେଇଯିବି ମୋ ବାଇକ ରେ ।ଦଶ ମିନିଟ ତ ଲାଗିବ।ସେମାନେ ରାଜିନଥିଲେ ବି ପରିସ୍ଥିତି ସେମିତି ଥିବାରୁ ବାଧ୍ଯ ହେଇ ରାଜିହେଲେ। ଦୁଇଥର ବର୍ଷାରେ ଭିଜିଭିଜି ଦୀପାର ଭାଇ ସେମାନଙ୍କୁ ନିଜ ଘରକୁ ନେଇ ଆସିଲେ। 


ସକାଳୁ ସକାଳୁ ଦୀପା ତା ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିସାରି ଦେଖିଲା ବେଳକୁ ତା ପଛରେ ଲିପି,ମୋନା ଓ ଏଲି ମଧ୍ୟ ସେମାନଙ୍କ ଭାଇଙ୍କ ପାଇଁ ଆଣିଥିବା ଦାମୀ ରାକ୍ଷୀ ଧରି ତା ଅନୁମତି ଅପେକ୍ଷାରେ ଛିଡା ହେଇଛନ୍ତି। ଦୀପା ହଁ କହିଲା ପରେ ତିନିଜଣ ଯାକ ଜଣଙ୍କ ପରେ ଜଣେ ଯାଇ ରାକ୍ଷୀ ବାନ୍ଧି ଦେଲେ। ତିନିଜଣଙ୍କ ହାତକୁ ତିନୋଟି ପାଞ୍ଚ ଶହ ଟଙ୍କିଆ ନୋଟ ବଢେଇ ଦେଲେ ଭାଇ।ଆଉ ସବୁଥର ପରି ଦୀପାକୁ କୋଳକୁ ଆଣି ଆଉଁସି ପକେଇଲେ "ମୋ ପାଗେଳୀ ଟା"କହି। ଦୀପାର ସବୁ ଅଭିମାନ ଲୁହ ହେଇ ବୋହିଯାଉଥାଏ ତା ଭାଇଙ୍କ ଛାତିରେ। ସତରେ ତା ଭାଇ ଭଳି ଭାଇଟେ ତା'ର ଥାଉଥାଉ ଆଉ କେତେ ଦାମୀ ଗିଫ୍ଟ ତା'ର ଦରକାର?ସବୁ ଗିଫ୍ଟ ର ଗନ୍ତାଘର ତ ତା ଭାଇ।ଆଜି ପର୍ଯ୍ୟନ୍ତ ତା'ର ସବୁ ଖର୍ଚ୍ଚ ସବୁ ଦାୟିତ୍ବ ସେ ହିଁ ନେଇଛନ୍ତି।କେବଳ କାଲି ରାତିରେ ନୁହେଁ, ଏମିତି ଅନେକ ଥର ବିପଦ ଆସିବା ଆଗରୁ ତା ଭାଇ ଢାଲ ପରି ତା ଆଗରେ ଛିଡା ହେଇଛନ୍ତି।ସବୁଠୁ ମୂଲ୍ଯବାନ ଉପହାର ଏବେ ତା' ହାତରେ। ଯାହାକୁ ଦେଖି ତା ସାଙ୍ଗ ମାନେ ବି ଈର୍ଷା କରୁଛନ୍ତି।ନିଜକୁ ଧନ୍ଯ ମନେ କରୁଥିଲା ଦୀପା। ଆଜି ସେ ବୁଝିପାରୁଥିଲା ତା'ର କେବଳ ତା ଭାଇ ଦରକାର ,ଗିଫ୍ଟ ନୁହେଁ। 

     

     


Rate this content
Log in