Rajalaxmi Mohanty

Others

3  

Rajalaxmi Mohanty

Others

ରଜ ମଉଜ

ରଜ ମଉଜ

8 mins
175


ରାତି ପାହିଲେ ରଜ।ଆଜି ସଜବାଜ।ପୂଜା ମନରେ ସରାଗ ନାହିଁ।ଏଇ ଦିନଟିକୁ ସେ କାହିଁ କେତେଦିନରୁ ଅପେକ୍ଷା କରି ରହିଥାଏ ବାହାଘର ପୂର୍ବରୁ।ରଜର ପ୍ରାୟ ଗୋଟେ ମାସ ଆଗରୁ ସେ ତା ମମ୍ମୀ ସାଙ୍ଗରେ ଲାଗିଥାଏ ଡ୍ରେସ୍ କିଣି ଯିବା ପାଇଁ।ମମ୍ମୀ କିଛିଦିନ ଗଡେଇଦିଅନ୍ତି ଏତେଦିନ ଆଗରୁ ନୂଆ ମାଲ୍ ଆସିନଥିବ କହି।ବହୁତ କଷ୍ଟରେ ଆଠ ଦଶ ଦିନ ଗଡେଇଲା ପରେ ପ୍ରାୟ କୋଡିଏ ଦିନ ଆଗରୁ ତା ପାଇଁ ତା ମମ୍ମୀ ଯାଇକି ଡ୍ରେସ୍ ନେଇଆସିଥାନ୍ତି ସବୁଠାରୁ ବଡ ସୋ ରୁମ୍ ରୁ।ସେ ପୁଣି ତିନିଦିନ ରଜରେ ତିନିହଳ ଡ୍ରେସ।ଗୋଟେ ସବୁଠାରୁ ଭଲ ଦାମୀ ଡ୍ରେସ ହେଇଥିଲା ବେଳେ ଆଉ ଦୁଇ ହଳ ନିତିପିନ୍ଧା ଡ୍ରେସ୍।ଏତେ ଆଗରୁ ସିନା ଡ୍ରେସ କିଣା ହେଇଗଲା,ମନ କେଉଁ ତା'ର ବୁଝେ ଯେ। ତା ପରେ ସାଙ୍ଗ ମାନେ ସବୁ ଯେତେବେଳେ ରଜ ପାଇଁ ସପିଂ କରିବାକୁ ଯାଆନ୍ତି ସେତେବେଳେ ଯାଇ ମାହୋଲ ଟା ରଜରଜ ଲାଗେ।ପୂଜା ବସେ ମୁହଁ ଫୁଲେଇ ।ପୁଣିଥରେ ତାକୁ ସାଙ୍ଗରେ ନେଇ ତା ମମ୍ମୀ ଯାଆନ୍ତି ବଜାର।ଏଥର କିଣା ହୁଏ ଡ୍ରେସ ସାଙ୍ଗରେ ନୂଆ ଜୋତା।ଜୋତା କିଣିସାରି ଖୁସିରେ ଆସି ଘରେ ପହଞ୍ଚି ସାରି ରଜ ପାଇଁ ଆବଶ୍ଯକୀୟ ସଜବାଜ ସାମଗ୍ରୀ ସଜାଡୁ ସଜାଡୁ ପୁଣି ମୁହଁ ଶୁଖିଯାଏ ପୂଜାର।ଏଇ ଲିପିଷ୍ଟିକ ଟା କେତେଥର ଲଗେଇ ଫଟୋ ଉଠେଇସାରିଲାଣି।ଏଇଟାର ଡେଟ୍ ଚାଲିଗଲାଣି।ଏଇ କଲରଟା ଏଇ ଡ୍ରେସ୍ କୁ ଆଦୌ ମ୍ଯାଚିଂ ହେଉନି।ଏମିତି କେତେ ଛଇ ଦେଖାଏ ପୂଜା।ଶେଷରେ ପୁଣିଥରେ ରଜ ପୂର୍ବରୁ ତା ମମ୍ମୀ ସାଙ୍ଗରେ ଯାଇ ସବୁ ମନେପକେଇ ଗୋଟିଗୋଟି କରି କିଣିଆଣେ।ନେଲ୍ ପେଣ୍ଟ ,ଲିପ୍ ଷ୍ଟିକ୍,କାଜଲ,ଆଇ ଲାଇନର, ମସ୍କୋରା, ମେହିନ୍ଦି ଆହୁରି କେତେ କ'ଣ।ଏମିତି ଏମିତି ରଜ ପୂର୍ବ ସଜବାଜ ଦିନ ଯାଏ ତା'ର ସପିଂ ଚାଲିଥାଏ କହିଲେ ଚଳେ।ମମ୍ମୀ ପାପା ବି କେବେ କିଛି କୁହନ୍ତିନି।ଦୁଇ ଭାଇ ପରେ ସେ ଗୋଟିଏ ଝିଅ ତା ପାପାଙ୍କର ।ଅତି ଗେହ୍ଲା ଘରେ ସମସ୍ତଙ୍କର।ଜେଜ ଜେଜେମା ଙ୍କର ତ ଆଖିର ପିତୁଳା।ତାଙ୍କର ବି ଝିଅ ନଥିଲା।ପୂଜା ପାପାଙ୍କର ଯେତେବେଳେ ଦୁଇନମ୍ବର କୁ ପୁଅ ହେଲା ସେତେବେଳେ ଜେଜେ ମନ ଦୁଃଖରେ ତିନିଦିନ ରହିଲେ।କାହାକୁ କିଛି ନକହି ।ଜେଜେମା ତ ଅନବରତ କାନ୍ଦୁଥିଲେ।ଘରେ ଝିଅ ଥିଲେ ସିନା ଘର ସୁନ୍ଦର।ମାଆ ବାପାଙ୍କର ମନକଥା ଝିଅ ଟେ ଭଲ ବୁଝିବ।ପୂଜା ମମ୍ମୀଙ୍କର ବି ଝିଅ ବହୁତ ପସନ୍ଦ।ଶେଷରେ ସମସ୍ତଙ୍କର ମନ ରଖିବାକୁ ଯାଇ ତୃତୀୟ ସନ୍ତାନ ପାଇଁ ପୂଜାର ପାପା ରାଜିହେଲେ।ଏଥର କେତେ ଦିଅଁ ଦେବତାଙ୍କୁ ମାନସିକ କରି ଥିଲେ ଘରର ପ୍ରତ୍ଯେକ ସଦସ୍ଯ ମନେମନେ।ଶେଷରେ ପୂଜା ଆସିଲା ଘରକୁ ।ତା'ର ଖିଲିଖିଲି ହସରେ ଘରେ ଖୁସିର ଲହରୀ ଖେଳିଲା।ଏଥର ସମସ୍ତେ ବହୁତ ଖୁସିଥିଲେ।ଏମିତିରେ ମମ୍ମୀ ପାପଙ୍କର କୋଳପୋଛା ସନ୍ତାନ ତେଣୁ ସମସ୍ତଙ୍କର ଟିକେ ବେଶି ଗେହ୍ଲା।ସମସ୍ତେ ତାକୁ ମୁଣ୍ଡରେ ବସେଇଥାନ୍ତି ସେଥିପାଇଁ।ଭାଇ ମାନେ ବି ବହୁତ ଗେହ୍ଲା କରନ୍ତି। ଜନ୍ମରୁ ସହରରେ ବଢିଲେ ବି ଜେଜେମା ଯେହେତୁ ପାଖରେ ତାଙ୍କର ଅଛନ୍ତି ପ୍ରତ୍ଯେକ ପର୍ବ ପର୍ବାଣିରେ ନାତୁଣୀକୁ ପାରମ୍ପରିକ ଷ୍ଟାଇଲରେ ସଜବାଜ କରାନ୍ତି।ଖାସ୍ କରି ଏଇ ରଜ ରେ।ସଜବାଜ ରାତିରେ ଗିନାଏ ହଳଦୀ ବାଟିକରି ରଖିଥାନ୍ତି ପୂଜାର ଜେଜେମା।ରାତିରେ ଖାଇସାରିଲା ପରେ ନାତୁଣୀକୁ ଛାତ ଉପରକୁ ଡାକିନେଇ ଦେହ ସାରା ଭଲକରି ହଳଦୀ ଲଗେଇ ଛଡେଇଦିଅନ୍ତି।ସୁନାଫୁଲ ଟିଏ ଭଳି ଚିକିମିକି କରେ ପୂଜା।ନିଜ ନଜର ହଟେଇବାକୁ ଯାଇ ଜେଜେମା ଟିକେ ଛେପ ଥୁଥୁ କରି ତା ଉପରକୁ ପକେଇଦିଅନ୍ତି।


ସକାଳୁ ସକାଳୁ କାହିଁ କେତେ ଅନ୍ଧାରୁ ତାକୁ କବାଡ ବାଡେଇ ଡାକି ଉଠେଇଦିଅନ୍ତି ଜେଜେମା ।ପୂଜାକୁ ବି ଏହିସବୁ ପ୍ରଥା ଓ ପରମ୍ପରା ମାନିବାକୁ ବହୁତ ଭଲ ଲାଗେ।ଜେଜେମା ଙ୍କ କଥା ମାନି ସେ ବି ସେଇ ସକାଳୁ ନିଦ ଭାଙ୍ଗି ଉଠିଯାଇ ଗାଧୁଆ ପାଧୁଆ ସାରି ନୂଆ ଡ୍ରେସ ପିନ୍ଧି ସଜବାଜ ହେଇଯାଏ।ମଥାରେ ଚନ୍ଦନ ଟିପିଟିପି କରି ସଜେଇ ହୁଏ।ବର୍ଷକୁ ଥରେ ଏମିତି ସଜବାଜ ହେବାକୁ ଭାରି ଭଲ ଲାଗେ ତାକୁ।


ପୂଜା କଲେଜରେ ପଢିବା ବେଳକୁ ଏହି ମଥାରେ ଟିପିଟିପି କରି ସଜେଇବା ଟା ବନ୍ଦ ହେଲା।ସେଇଟା ପୁଣି ସାଙ୍ଗ ମାନେ ଚିଡେଇବାରୁ।ଆଉ ନହେଲେ ଯାହାସବୁ ଥିଲା ସେମିତି ଚାଲିଥିଲା।ସେମିତି ନୂଆ ଡ୍ରେସ ।ନୂଆ ଜୋତା ।ନୂଆ ଚୁଡି।କାନ ଝୁମୁକା।ପାଉଁଜି।ସବୁ ପିନ୍ଧିଥାଏ ସେ ।ଦୁଇ ହାତରେ କହୁଣୀ ଯାଏ ମେହେନ୍ଦୀ କରିଥାଏ।ଏଇ ତିନିଦିନ ତା ପାପାଙ୍କର କାମ ବନ୍ଦ ଥାଏ।ପୂରା ପରିବାର ବାହାରକୁ ବୁଲିବାକୁ ଯାଆନ୍ତି।ବହୁତ ମଜା କରନ୍ତି।ବାଟରେ ମିଠାପାନ କିଣିକି ତା ପାପା ସମସ୍ତଙ୍କୁ ଖୁଆନ୍ତି। ତାଙ୍କର କାହାର ପାନ ଖାଇବା ଅଭ୍ଯାସ ନଥିଲେ ବି ସେଇ ତିନିଦିନ ସମସ୍ତେ ମିଠାପାନ ଖାଇବାକୁ ଚାହିଁ ଥାନ୍ତି। ତିନିଦିନ ଯାଏ ତିନି ପ୍ରକାର ପିଠା ତା ମମ୍ମୀ କରନ୍ତି।ରଜଭଳି ଦିନରେ କୌଣସି ପ୍ରକାର କାମର ଚାପ ନରଖି ପୂଜାର ପାପା ପରିବାର ସହ ବହୁତ ଭଲରେ କଟାନ୍ତି।ବହୁତ ଖୁସିହୁଏ ପୂଜା ସେଇ ତିନିଦିନ ।ତା ପରେ ପରେ ସ୍କୁଲ ଖୋଲିଯାଏ।ପୁଣି ସେଇ ପାଠପଢା ଚିନ୍ତା।ଓଃ, ପୁଣି କେବେ ଆସିବ କେଜାଣି ଏ ରଜ।ଆହୁରି ଗୋଟେ ବର୍ଷ ତାକୁ ଅପେକ୍ଷା କରିବାକୁ ପଡିବ।


ସେଇ ବହୁପ୍ରତିକ୍ଷିତ ରଜ ଉତ୍ସବରେ ଆଜି ପୂଜାର ସେହି ଖୁସି ସେହି ଆନନ୍ଦ ପୂର୍ବ ବର୍ଷ ମାନଙ୍କ ଭଳି ନାହିଁ।ସେଥିପାଇଁ ସେ ହିଁ ଦାୟୀ।ସେ ବା କ'ଣ କରିଥାନ୍ତା।ପରିସ୍ଥିତି ସେଇଭଳି ଥିଲା ସେମିତି ଏକ କଠିନ ନିଷ୍ପତ୍ତି ନେବା ପାଇଁ। ପ୍ରେମ ଏକ ମହାର୍ଘ ଅନୁଭବ।ତାକୁ ଯିଏ ପାଇଛି ପସ୍ତେଇଛି,ଯିଏ ନପାଇଛି ବି ପସ୍ତେଇଛି।ପୂଜା ଭାଗ୍ଯରେ ସେଇ ମହାର୍ଘ ଅନୁଭୂତି ଆସିଥିଲା କଲେଜରେ ପଢିବା ସମୟରେ।ରାହୁଲ ବହୁତ ଭଲ ପାଉଥିଲା ତାକୁ।ପ୍ରଥମେ ପ୍ରଥମେ ପୂଜା ରାହୁଲକୁ ଅଣଦେଖା କରୁଥିଲା।ଧିରେ ଧିରେ ରାହୁଲର ସୁନ୍ଦର ବ୍ଯକ୍ତିତ୍ବରେ ମୁଗ୍ଧ ହେଇ ସେ ତା ପ୍ରେମରେ ପଡିଗଲା।ତାଙ୍କ ଡିପାର୍ଟମେଣ୍ଟର ସବୁଠାରୁ ଟପ୍ ଷ୍ଟୁଡେଣ୍ଟ ଥିଲା ରାହୁଲ।ଦେଖିବାକୁ ରୂପ ଯେମିତି ସୁନ୍ଦର ଗୁଣ ଥିଲା ତାଠାରୁ ଆହୁରି ଶହେଗୁଣ ସୁନ୍ଦର।ଯେ କେହି ଝିଅ ହେଲେବି ତା ପଛରେ ପଡିଯିବ।ପଡିଥିଲେ ମଧ୍ଯ ଅନେକ ସୁନ୍ଦରୀ।କିନ୍ତୁ ରାହୁଲ ର ସେଇଭଳି ଉଗ୍ର ଆଧୁନିକା ଝିଅ ପସନ୍ଦ ନଥିଲେ।ପୂଜା ଭଳି ସଂସ୍କାରୀ ଝିଅ ତା'ର ପସନ୍ଦ ଥିଲା।ପୂଜାର ଚାଲିଚଳନ ବେଷଭୂଷା ସବୁକିଛି ତା ଜେଜେମାଙ୍କର ଦ୍ବାରା ନିୟନ୍ତ୍ରଣ ହୁଏ।ସେଥିପାଇଁ ରାହୁଲ ର ନଜରରେ ପୂଜା ବହୁତ ଉଚ୍ଚରେ ରହେ।ଅନ୍ଯ ଝିଅ ମାନେ ଛୋଟଛୋଟ ସ୍ଳିଭ ଲେସ୍ ଡ୍ରେସ ପିନ୍ଧି ବାହାରେ ବୁଲିଲା ବେଳେ ପୂଜା ମୁଣ୍ଡରୁ ଗୋଡଯାଏ ଢାଙ୍କି ହେଇଥିବା ଡ୍ରେସ ପିନ୍ଧିଥାଏ।ଅନ୍ଯ ଝିଅ ମାନେ କଥାକଥାକେ ଠୋଠା ହେଇ ଉଚ୍ଚ ସ୍ବରରେ କଥା ବାର୍ତ୍ତା କରୁଥିବା ସମୟରେ ପୂଜା ଚୁପିଚୁପି ଧିରେଧିରେ କଥା ହୁଏ।ଅନ୍ଯଝିଅ ମାନେ ସବୁଦିନ ଗୋଟେଗୋଟେ ପୁଅ ସାଙ୍ଗ କରୁଥିବା ବେଳେ ପୂଜା ପୁଅ ମାନଙ୍କ ପାଖ ବି ମାଡେନି।ସେଇ ସବୁ ଦେଖିଦେଖି ରାହୁଲର ହୃଦୟ ଭିତରେ ପୂଜାପାଇଁ ଜାଗାଟିଏ ତିଆରି ହେଇସାରିଥିଲା।ବାକି ଥିଲା ପୂଜାକୁ ସେଇ ହୃଦୟର ସିଂହାସନରେ ଆଣି ବସେଇବା।ସେଇଟା ଏତେ ସହଜ ନଥିଲା।ପ୍ରଥମ ସମସ୍ଯା ଥିଲା ରାହୁଲ ବି ଏକଦମ୍ ପୂଜାଭଳି ।ଏତେ ଝିଅ ମାନଙ୍କ ସହ ମିଶି ପାରେନି।ସେ ତା ମନର କଥା ପୂଜା ଆଗରେ କହିବାର ସାହସ ଜୁଟେଇ ପାରୁନଥିଲା।ଦ୍ବିତୀୟ ସମସ୍ଯା ଥିଲା ସେମାନଙ୍କ ମଧ୍ଯରେ ଥିବା ସାମାଜିକ ଚଳଣୀର ପ୍ରାଚେରୀ।ରାହୁଲ ଗାଁରୁ ଆସିଥିବା ସାଧାରଣ ପରିବାରର ପୁଅଟେ ଥିଲାବେଳେ ପୂଜା ଥିଲା ସହରର ବିଶିଷ୍ଟ ବ୍ଯବସାୟୀ ରାଜକିଶୋର ବାବୁଙ୍କର ଅଲିଅଳୀ ଝିଅ।ସେଥିରେ ପୁଣି ଦୁଇ ଭାଇ ,ଜଣେ ଡାକ୍ତର ଜଣେ ଇଞ୍ଜିନିଅର।କହିବାକୁ ଗଲେ ପୂଜାଥିଲା ରାହୁଲ ପାଇଁ ଦୂର ଆକାଶର ଜହ୍ନ ଟିଏ।


ରାହୁଲର ପାଠପଢା ଭଲ ତ ସେ ଭଲ।କେବେ କେଉଁ ଝିଅ ସହିତ ମିଶି ନିଜ ପାଠପଢା କ୍ଯାରିଅର ବରବାଦ କରିବା ତା'ର ଉଦ୍ଦେଶ୍ଯ ନୁହେଁ।କିନ୍ତୁ ପ୍ରେମ ଏମିତି ଏକ ଜିନିଷ ତାକୁ କରା ଯାଏନି ସେ ଆପେଆପେ ହେଇଯାଏ।ସେଇଭଳି ହୋଇଥିଲା ରାହୁଲ କ୍ଷେତ୍ରରେ।ସେଦିନ ଥାଏ ଶେଷରଜ। ସେହିଦିନ ଗାଁରୁ ଫେରିଆସିଥାଏ ମେସ୍ କୁ ରାହୁଲ ।ରଜପର ଦିନ କଲେଜ ଖୋଲିଯିବ ବୋଲି।ପଢିବାକୁ ବସିଲା ବେଳକୁ ମନେପଡିଲା ତା ନୋଟ ନେଇଥିଲା ପୂଜା ଛୁଟି ପୂର୍ବରୁ।ଆଜିଯାଏ ଦେଇନି।ସେ ବି ନଥିଲା ।ଛୁଟିରେ ଘରକୁ ଯାଇଥିଲା।ପୂଜାର ତ ନୋଟ୍ ଲେଖା ସରିଥିବ।ଏବେଯାଇ ନେଇଆସିଲେ ଚଳିବ ଭାବି ସାଇକେଲ ଧରି ରାହୁଲ ବାହାରିଲା ପୂଜାର ଘରକୁ।ଆଗରୁ ଥରେ ପୂଜାଠାରୁ ସେ ଜାଣିଥିଲା ତାଙ୍କ ଘରର ଠିକଣା।ତେଣୁ ପାଇବାକୁ କିଛି ସମସ୍ଯା ହେଲାନି।ଏତେବଡ ଘର!!!ତଳୁ ଉପରକୁ ଥରେ ଚାହିଁଦେଇ ଡୋର ବେଲ ଦବେଇଲା ରାହୁଲ ।କବାଟ ଯିଏ ଖୋଲିଲା ତାକୁ ଦେଖି ରାହୁଲ ତା ନିଜ ଆଖିକୁ ବିଶ୍ବାସ କରିପାରିଲାନି।ପୂଜା ଇଏ?ଏତେ ସୁନ୍ଦର ଏଇ ରଜ ସଜବାଜ ବେଶରେ? ଆଙ୍ଗୁଠିରେ ଟିପାମାରି ରାହୁଲକୁ ସଚେତନ କଲା ପୂଜା।ଲାଜେଇଗଲା ରାହୁଲ। ତାକୁ ଘରଭିତରକୁ ଡାକିନେଲା ପୂଜା।ସେଦିନ ତାଙ୍କ ଘରେ ସମସ୍ତେ ଥିଲେ ରଜ ପାଇଁ।ରାହୁଲକୁ ନେଇ ଡ୍ରଇଂ ରୁମ ରେ ବସେଇଲା ପୂଜା।ରାହୁଲକୁ ଭାରି ଅସହଜ ଲାଗୁଥାଏ। ଏତେବଡ ଘର,ଏତେ ଦାମୀ ଆସବାବ ଭିତରେ ସେ ଗୋଟିଏ ସାଧାରଣ ଗାଉଁଲି ପିଲାଟି କେମିତି ଡୁବିଗଲା ଭଳି ଲାଗୁଥାଏ।ତାକୁ ସେଇ ସମୟରେ ହିରୋ ଭଳି ଉପରେ ଟେକି ଥୋଇଦେଲା ପୂଜା କେବଳ ଗୋଟିଏ ବାକ୍ଯରେ।"ପାପା,ଇଏ ରାହୁଲ।ଆମ ଡିପାର୍ଟମେଣ୍ଟ ର ଟପ୍ ଷ୍ଟୁଡେଣ୍ଟ"।ବାସ୍ ବହୁତ ଖାତିର ବଢିଗଲା ରାହୁଲର।ପୂଜାର ଭାଇମାନେ ବି ତା ସହିତ ପାଠପଢା ସମ୍ବନ୍ଧୀୟ ଆଲୋଚନା କଲେ।ଜେଜେମା ଘର ଆଉ ଗାଁ ବିଷୟରେ କଥା ହେଲେ।ପୂଜାର ମମ୍ମୀ ଖାଇବାକୁ କେତେ ବଢିଆ ବଢିଆ ପିଠା ଆଉ ମିଠା ଆଣିଦେଲେ।ପୂଜାର ପାପା ଖାଇବାକୁ ବାଧ୍ଯ କଲେ।ସେଦିନ ସେଇଠି ପ୍ରାୟ ଗୋଟେ ଘଣ୍ଟା ବିତେଇସାରି ନିଜର ନୋଟ୍ ଆଣି ମେସ କୁ ଫେରିଲା ରାହୁଲ। ନୋଟ୍ ଖୋଲି ପଢିବାକୁ ବସିଲା।ଇଏ କ'ଣ ?ନୋଟ୍ କପିରେ ଅକ୍ଷର କାହିଁ?ସେଥିରେ କେବଳ ଦିଶୁଥିଲା ପୂଜାର ଆଜିର ମୁହଁଟି। ଯେମିତି ଗୋଟେ ଫଟୋ ଆଲବମ୍।ଯେତେ ଯେତେ ପୃଷ୍ଠା ଲେଉଟାଉଥାଏ ସେ ସେତେସେତେ ପୂଜାର ତୋଫା ଚାନ୍ଦ ଭଳି ମୁହଁଟି ପରିଷ୍କାର ଭାବେ ତାକୁ ଦିଶୁଥାଏ। ସେହିଦିନ ଠାରୁ ଯେଉଁ ଖସଡା ବାଟରେ ପାଦ ରଖିବନି ବୋଲି ରାହୁଲ ଶପଥ କରିଥିଲା ସେଇ ଖସଡା ପଥରେ ଖସିବାକୁ ଲାଗିଲା କ୍ରମାଗତ ଭାବେ।ନିଜକୁ ସମ୍ଭାଳି ପାରୁନଥିଲା ସେ।ମନର କଥା ପୂଜା ଆଗରେ କହିବାକୁ ଯେତିକି ବ୍ଯଗ୍ର ହେଉଥିଲା ସେତିକି ନିଜର ସାମାଜିକ ସ୍ଥିତି ଦେଖିକରି ପଛକୁ ଫେରି ଯାଉଥିଲା।ଆଖି ବୁଜିଲେ କେବଳ ପୂଜା।ଆଖି ଖୋଲିଲେ ବି ସେଇ ପୂଜା।କ'ଣ କରିବ ସେ ଜାଣି ପାରୁନଥିଲା।ତା ମନର ଭାବନା ପଢିପାରିଥିଲା ତା ରୁମ ମେଟ୍ ଜଣେ।କଥା କାନରୁ ଦି'କାନ ହେଇସାରିଥିଲା ।ଶେଷରେ ପୂଜା କାନରେ ବି ପଡିଯାଇଥିଲା।ପୂଜା ନିଜକୁ ବିଶ୍ବାସ କରିପାରିନଥିଲା ଯେ ସାରା କ୍ଳାସର ହିରୋ ପଛରେ ଅନେକ ରୂପସୀ ପଡିଥିଲା ବେଳେ ସେଇ ହିରୋ ପଡିଛି ତା ପଛରେ। ମନ ତ ଧାଉଁଥିଲା ବେଗମତୀ ନଦୀ ଟିଏ ଭଳି ଚିର ଇପ୍ସିତ ସାଗରକୁ ଛୁଇଁବାକୁ।ହେଲେ ସମାଜର ନାଲି ଆଖି ତାକୁ ଡରେଇଦେଉଥିଲା।କିଛିଦିନ ରାହୁଲଠାରୁ ଦୂରେଇଦୂରେଇ ରହିବା ପରେ ଆଉ ରହିପାରିଲାନି ସେଦିନ କଲେଜର ଆନୁଆଲ ଫଙ୍କସନରେ ରାହୁଲର ପର୍ଫରମାନସ ଦେଖିକରି।ଭରାନଦୀରେ କେତେଦିନ ବନ୍ଧକୁ ସମ୍ଭାଳି ରଖିପାରିଥାନ୍ତା।ଶେଷରେ ମିଶିଗଲା ସାଗର ବୁକୁରେ।


ପରୀକ୍ଷା ପରେପରେ ଗୋଟେ ବଡ ଅଘଟଣ ଘଟିଗଲା।ରାଜକିଶୋର ବାବୁଙ୍କର ଜଣେ ସାଙ୍ଗର ପୁଅ ସହିତ ପୂଜାର ବାହାଘର ଠିକ୍ କରିଦିଆଗଲା ପୂଜା ର ଅନିଚ୍ଛା ସତ୍ବେ।ପୂଜା ଯେତେ ପ୍ରତିବାଦ କଲେବି କେହି ଶୁଣିଲେନି ତା କଥା।ଏମିତି କି ତା ଜେଜେମା ମଧ୍ଯ।କାହିଁକିନା ବନ୍ଧୁ ସମାସ୍କନ୍ଧ ବନ୍ଧୁ ସେମାନଙ୍କୁ ମିଳିଯାଇଥିଲା।ପୂଜା ରାହୁଲର ବିଷୟରେ ଖୋଲିକରି କହିଲା ପରେ ଆହୁରି ଭୟଙ୍କର ହେଲା ପରିସ୍ଥିତି।ସେଦିନ ହିରୋ ଭଳି ରାହୁଲକୁ ଟେକି ଧରିଥିବା ତା ପରିବାର ଜିରୋ ଭଳି କଚାଡି ଦେଇଥିଲେ।କାରଣ ଥିଲା ସାମାଜିକ ପ୍ରତିପତ୍ତି।ବହୁତ ବୁଝେଇଥିଲେ ସାରା ପରିବାର ମିଶିକରି।କିଛି ବି ବୁଝିବାକୁ ନାରାଜ ପୂଜା।ଶେଷରେ ଦେଖିଲା ସାରା ପରିବାରର ଆଉଗୋଟେ ନୂଆ ରୂପ ସେହିଦିନ।ପିଲାବେଳୁ ଯେଉଁ ରୂପ ସେ କେବେ କାହାରି ଦେଖିନଥିଲା।ଓଃ ,ଏତେ ଭୟଙ୍କର ସେ ରୂପ।କିଏ କହିଲା ହାଣିଦେବି।କିଏ କହିଲା ମରିଯିବି।କିଏ କହିଲା କଳଙ୍କିନୀ।କିଏ କହିଲା ସାପକୁ କ୍ଷୀର ପିଆଉଥିଲି।ଏମିତି କେତେକଥା।କାନ କ'ଣ ହେଇଯାଉଥାଏ ପୂଜାର ଏସବୁ ଶୁଣିଶୁଣି।ସେ ତା ପରିବାରକୁ ବହୁତ ଭଲପାଏ।କେବେବି ସେ ନାଗୁଣୀ ନୁହେଁ।ଚୋଟ ପକେଇବନି ଆଦୌ।କାହାର ସମ୍ମାନ ହାନୀ କରିବାକୁ ତା'ର ଇଚ୍ଛା ନାହିଁ।କେବଳ ତା ମନର କଥାଟି କେହି ବୁଝିବାକୁ ନାରାଜ।ବାପା ମାଆଙ୍କୁ ଭଲ ପାଇଲେ କ'ଣ ପ୍ରେମ କରିହେବନି?ବାପା ମାଆଙ୍କ ରାଣପକେଇ ତା ପ୍ରେମିକ ଠାରୁ ଦୂରେଇରଖିବାର ଅପଚେଷ୍ଟା ହାର ମାନିଲା।ସେଇ ରଜରେ ହିଁ ସେ ଘରଛାଡି ରାହୁଲ ନିକଟକୁ ଚାଲିଆସିଲା।କୋର୍ଟରେ ଅପେକ୍ଷା କରିଥିଲେ ରାହୁଲ।


ଏଇ ରଜକୁ ଦୁଇ ବର୍ଷ ପୂରିବ।ଘର ଲୋକଙ୍କ ମୁହଁ ବି ସେ ଦେଖିନି ସେହିଦିନ ଠାରୁ।ରାତି ପାହିଲେ ସକାଳ ହେଲେ ପାପା, ମମ୍ମୀ ,ଦୁଇ ଭାଇ ଓ ଜେଜେ ଜେଜେମା ଙ୍କ କଥା ବହୁତ ମନେପଡେ। ରାକ୍ଷୀ ପୂର୍ଣ୍ଣିମାରେ ବହୁତ କାନ୍ଦେ। ରାହୁଲ ବହୁତ ବୁଝାଏ।ସେଠିକୁ ନେଇଯିବାକୁ ବି କହେ।ପୂଜା ରାଜି ହୁଏନି ଭୟରେ।ଭୟ ନିଜ ପାଇଁ ନୁହେଁ,ରାହୁଲ ପାଇଁ ଥାଏ।କାଳେକିଛି ଅଘଟଣ ଘଟିଯିବ।


ରାହୁଲର ଟ୍ଯୁସନ ଟଙ୍କାରେ ବହୁତ କଷ୍ଟରେ ଦୁହେଁ ଚଳନ୍ତି।ଏମାସର ଟଙ୍କା ସେ ମାସକୁ ନଥାଏ।ସେଥିରେ ପୁଣି ରାହୁଲ ନିଜ ପଢାଖର୍ଚ୍ଚ ବି ସେଇଥିରେ ଚଳାଏ।ଘରୁ ଟଙ୍କା ଆଣିବା ଅସମ୍ଭବ।ତା ବାପା ସଫାସଫା ମନା କରିଦେଇଛନ୍ତି ସେମାନଙ୍କୁ ଘରେ ପଶେଇବାକୁ।ଛୋଟ ଗୋଟେ ଘର ଭଡାକୁ ନେଇ ରହିବାକୁ ପଡୁଛି।ମେସ୍ ଖର୍ଚ୍ଚ ଠାରୁ ତିନିଗୁଣା ଖର୍ଚ୍ଚ କରିବାକୁ ପଡୁଛି। ସେଥିରେ ପୁଣି ନିଜର ଅସାବଧାନତାରୁ ବାହାଘରର ଦୁଇବର୍ଷ ହେଲାବେଳକୁ ଝିଅ ନିକିତାକୁ ଗୋଟେ ବର୍ଷ ହେଇଗଲାଣି। ରାହୁଲ ଦିନରାତି ପରିଶ୍ରମ କରୁଛି।ତଥାପି ନିଅଣ୍ଟ।ଆଜି ରଜଭଳି ଦିନରେ ପୂଜାପାଇଁ ଓ ଝିଅ ପାଇଁ କିଛିଗୋଟେ ଯେମିତି ହେଲେ ନେଇକି ଯିବ ଭାବୁଛି।ମାସ ମଝିରେ ରଜ ପଡିଲେ କ'ଣ କରିବ ସେ ।ଯାହା ଟଙ୍କା ବଳିଥାନ୍ତା ଛୁଆଟାର ଦେହ ଖରାପ ହେବାରୁ ଔଷଧ ଖର୍ଚ୍ଚରେ ସରିଗଲା।ଚାକିରିଟା ହେଲେ କେଉଁଠି ମିଳିଯାଆନ୍ତା।ପାଠ ତ ପଢି ହେଉନି ।ଚାକିରି ପାଇବ କେମିତି।ବହୁତ ଚିନ୍ତାରେ ଥିଲା ବେଳେ ମନେପଡିଲା ଆର ମାସରୁ ଗୋଟେ ପିଲାର ଟ୍ଯୁସନ ଫିଜ୍ ବାକିଅଛି ଦେଇନି।ମାଗିବକି ତାକୁ ଆଉ।ହେ, ଏତେ ଛୋଟ ସେ ହେଇପାରିବନି।ପାଠ ପଢେଇ ପୁଣି ଟଙ୍କା ମାଗିବ ସେ।ଆଜିଯାଏ ସେ ଟ୍ଯୁସନ ଫିଜ୍ କିଛି ସ୍ଥିର କରିନି କାହାପାଇଁ।ଯିଏ ଯାହା ଦେଇଛନ୍ତି ରଖିଛି।ଆଜି କେମିତି ମାଗିପାରିବ ।ପାଠ ପଢେଇବାରେ ତା ମନ ନଥିଲା ।ଭାରି ଅନ୍ଯମନସ୍କ ଲାଗୁଥିଲା ସେ।ପାଠପଢା ସରିଯାଇଥିଲା।ଜୋତା ପିନ୍ଧି ବାହାରୁ ବାହାରୁ ଷ୍ଟୁଡେଣ୍ଟ ଜଣଙ୍କର ବାପା ଦିନେଶ ବାବୁ ପଛରୁ ଡାକିଲେ ରାହୁଲକୁ।ହାତରେ ଧରେଇଦେଲେ ପୂର୍ବ ମାସର ଟଙ୍କା।ମନେମନେ ଖୁସିହେଇଗଲା ରାହୁଲ।ଯାହାହେଉ ପୂଜାପାଇଁ ଓ ନିକିତା ପାଇଁ ରଜ ଖର୍ଚ୍ଚ ମିଳିଗଲା।ହେଲେ ଏତିକି ଟଙ୍କାରେ କ'ଣ ପୂଜା ପିନ୍ଧିଲା ଭଳି ଡ୍ରେସ ହେଇପାରିବ? ମନଟି ମରିଗଲା ରାହୁଲର।ପକେଟ୍ ରୁ ଟଙ୍କା କାଢି ଗଣିଲା ବେଳକୁ ଚାରିହଜାର ଟଙ୍କା ଥିଲା।ସେ ପଛକୁ ଫେରିଯାଇ ଟଙ୍କା ତକ ଦିନେଶ ବାବୁଙ୍କ ହାତରେ ଫେରେଇଦେଇ କହିଲା "ଆପଣ ଭୁଲରେ ଅଧିକ ଦେଇଦେଇଛନ୍ତି"।ଦିନେଶ ବାବୁ ବି ହସିହସି କହିଲେ "ପୂର୍ବ ମାସ ମାନଙ୍କରେ ଆପଣ ବି ପ୍ରାପ୍ଯ ଠାରୁ ଖୁବ୍ କମ୍ ନେଉଥିଲେ।ମୋ ଆର୍ଥିକ ସ୍ଥିତି ଭଲ ନଥିବାରୁ ମୁଁ ଅସହାୟ ହେଇ ନୀରବ ରହୁଥିଲି।ଏବେ ମୋର ପ୍ରମୋଶନ ହେଇ ଯାଇଛି।ତମର ପ୍ରାପ୍ଯବି ବଢି ଯାଇଛି।ଏତିକି ଟଙ୍କାରୁ ଆଉ କେହି କମ୍ ରେ ଏଠି ପଢଉନାହାଁନ୍ତି"।ଖୁସିରେ ରାହୁଲର ଆଖି ଛଳଛଳ ହେଇଯାଇଥିଲା।ଏଥର ତା ସାଇକେଲ ଧାଇଁଲା ବଜାରପଟେ।


ଘର କବାଟ ବାଡେଇବା ଶବ୍ଦ ଶୁଣି ନିଜର ଭାବନାରୁ ବାହାରି ଆସି କବାଟ ଖୋଲିଲା ପୂଜା।ଆଖି ସାମ୍ନାରେ ଯାହାକୁ ଦେଖିଲା ହଠାତ୍ ଖୁସିହେବ କି ଭୟ କରିବ ଜାଣିପାରିଲାନି।ପାପା ମମ୍ମୀ ଏଠି?ଆଶ୍ଚର୍ଯ୍ଯ ହେଇ ଚାହିଁ ରହିଲା ବେଳକୁ ପଛରୁ ଗାଡିରୁ ଗୋଟିଏ ପରେ ଗୋଟିଏ ପେଟି କାଢି ଥୋଉଥିଲେ ତା'ର ଦୁଇ ଭାଇ।ଏଥର ପୂଜା ଭୟଛାଡି ମମ୍ମୀ ପାପାଙ୍କୁ କୁଣ୍ଢେଇ ଧରିଲା।ଝିଅର ଦୋଷ କ'ଣ ବେଶିଦିନ ଧରିହୁଏ।ସେ ପୁଣି ନାତୁଣୀ ହେଇସାରିଛି ବୋଲି ଜାଣିଲାପରେ।


ବ୍ଯାଗ ରୁ ଗୋଟିଏ ପରେ ଗୋଟିଏ ଡ୍ରେସ ବାହାର କରି ନାତୁଣୀ ଦେହରେ ମାପୁଥିଲେ ପୂଜାର ମମ୍ମୀ।ପାପା ଆଉ ଦୁଇ ଭାଇ ଖେଳଣା ଓ ଭାର ବାହାର କରି ରଖୁଥିଲେ।ଗୋଟେ କଣରେ ଛିଡାହେଇ ପୂଜା ଦେଖୁଥିଲା ଏଇ ଦୃଶ୍ଯକୁ।ପୁଣିଥରେ କବାଟରେ କରାଘାତ।ଏଥର ଛିଡାହେଇଥିଲା ରାହୁଲ ଆଶ୍ଚର୍ଯ୍ଯ ମୁଦ୍ରାରେ ବାହାରେ ଏତେବଡ ଗାଡି ଦେଖି।ଶାଶୁ ଶ୍ବଶୁର ଦୁହେଁ ଯାଇ ଜ୍ବାଇଁର ହାତ ଧରି ନେଇଆସିଥିଲେ।ରାହୁଲ ହାତରେ ସପିଂ ବ୍ଯାଗ ଦେଖି ସବୁ ବୁଝିଯାଇଥିଲା ପୂଜା ।ଘରେ ଏଥର ଆନନ୍ଦ ହିଁ ଆନନ୍ଦ ।ଯାହାକୁ କୁହନ୍ତି "ରଜମଉଜ"।


Rate this content
Log in