Trushna Das

Children Stories Fantasy

4.7  

Trushna Das

Children Stories Fantasy

ରହସ୍ୟ

ରହସ୍ୟ

6 mins
483


ଏକଦା ଗୋଟିଏ ରାଜ୍ୟରେ ଜଣେ ବହୁତ ଭଲ ରାଜା ଓ ରାଣୀ ଥିଲେ। ସେମାନେ ବହୁତ ଦୟାଳୁ ଥିଲେ। ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିଲେ।ରାଜକୁମାରୀ ଦିଶା ବଡ ଥିଲେ ଓ ରାଜକୁମାର ଦିବ୍ୟ ସାନ ଥିଲେ। ରାଜକୁମାରୀ ଦିଶାଙ୍କ ପାଖ ରାଜ୍ୟର ରାଜକୁମାର ସାହିଲଙ୍କ ସହ ବିବାହ ହୋଇ ଥିଲା। 


ରାଜକୁମାର ଦିବ୍ୟ ବହୁତ ବୁଦ୍ଧିମାନ ଓ ଯୁଦ୍ଧକଳାରେ ନିପୁଣ ଥିଲେ। ତାଙ୍କ ବିବାହ ପାଇଁ ସେମିତି ବୁଦ୍ଧିମତୀ ଝିଅ ଖୋଜା ଚାଲିଛି। ଦିନେ ରାଜକୁମାର ଦିବ୍ୟ ତାଙ୍କ ସେନାବାହିନୀ ସହ ଶୀକାର କରିବାକୁ ଜଙ୍ଗଲକୁ ଯାଇ ଥାଆନ୍ତି। ଗୋଟିଏ ହରିଣକୁ ମାରିବା ପାଇଁ ଯିବା ସମୟରେ ଗୋଟିଏ ସୁନ୍ଦର ଯୁବତୀ ଆସି ତାଙ୍କୁ ଅଟକାଇଲା। ତାଙ୍କୁ କହିଲା ଏ ନୀରିହ ଜୀବଟିକୁ କାହିଁକି ମାରୁଛନ୍ତି। 


ଯୁବତୀଟି ଦେଖିବା ପାଇଁ ବହୁତ ସୁନ୍ଦରୀ। ବେଶରୁ ଲାଗୁ ଥାଏ ସେ ଜଣେ ରାଜକୁମାରୀ। ତାଙ୍କର ରୂପରେ ରାଜକୁମାର ନିଜ ମନ ହଜେଇ ଦେଲେ। ସେ ସେମିତି ଯୁବତୀକୁ ଚାହିଁ ରହିଥାନ୍ତି। ହଠାତ୍ କଣ ହେଲା କେଜାଣି ଯୁବତୀଟି ଦୌଡ଼ି ପଳାଇଲା। ସନ୍ଧ୍ୟା ହୋଇ ଆସିଥିଲା।ଆଉ ଅନ୍ଧାରରେ ଦେଖା ବି ଗଲା ନାହିଁ। ରାଜକୁମାର ରାଜ ଦରବାରକୁ ଫେରି ଆସିଲେ। ହେଲେ ଆଖି ଆଗରେ କେବଳ ସେହି ଯୁବତୀଟିର ମୁହଁ ନାଚି ଉଠୁଥାଏ। ରାତିରେ ରାଜକମାର ଦିବ୍ୟଙ୍କୁ ଆଉ ନିଦ ହେଲା ନାହିଁ। 


ସକାଳ ହେଲାରୁ ପୁଣି ରାଜକୁମାର ଜଙ୍ଗଲକୁ ଶୀକାର କରିବା ପାଇଁ ସୈନ୍ୟବାହିନୀ ସହ ଗଲେ। ଶୀକାର ଖୋଜିବା ବଦଳରେ ସେ ସେହି ଯୁବତୀକୁ ଖୋଜୁ ଥାଆନ୍ତି। ଖୋଜୁ ଖୋଜୁ ତାଙ୍କୁ ଗୋଟିଏ ଝିଅ ନଦୀ କୂଳରେ ଗୀତ ଗାଉଥିବା ଶୁଣାଗଲା । ସେ ଯାଇ ଲୁଚି ଲୁଚି ଦେଖିଲେ ସେଇ ଯୁବତୀଟି ନଦୀ କୂଳରେ ଗୀତ ଗାଉଛି। ଠେକୁଆ ମାନଙ୍କ ସହ ଖେଳୁଛି। ଯୁବତୀ ପାଖରେ ପହଞ୍ଚିବା ବେଳକୁ ପୁଣି ସନ୍ଧ୍ୟା ହୋଇ ଯାଇଥିଲା। ଆଉ ଯୁବତୀଟି କୁଆଡେ ପଳାଇଲା..... ରାଜକୁମାର ଦିବ୍ୟ ଆଉ ଖୋଜି ପାଇଲେ ନାହିଁ। 


ତାପର ଦିନ ଦିବ୍ୟ ଭୋର ସକାଳୁ ଉଠି ଏକୁଟିଆ ଜଙ୍ଗଲର ନଦୀ କୂଳକୁ ଗଲେ। ସେ ପୁଣି ସେଇ ଯୁବତୀକୁ ଦେଖିଲେ। ସେ ସିଧା ଯାଇ ଯୁବତୀ ସହ କଥା ହେଲେ।ଯୁବତୀକୁ ନିଜ ପରିଚୟ ଦେଲେ ଏବଂ ଯୁବତୀକୁ ତାର ନାମ ପଚାରିଲେ।


ଯୁବତୀ କହିଲେ ତାଙ୍କ ନାମ ରେଶମା। ସେ ଜଙ୍ଗଲ ପାଖରେ ରୁହନ୍ତି। ଘର ବିଷୟରେ ପଚାରିବାରୁ ସେ କହିଲେ ସେ ପୁରା ଏକୁଟିଆ। ତାଙ୍କ ସାଙ୍ଗ କହିଲେ ଏଇ ଜଙ୍ଗଲର ପଶୁ ପକ୍ଷୀ। ଦିନଯାକ ସେମାନେ ଦୁହେଁ କଥା ହେଲେ। ସନ୍ଧ୍ୟା ହେବା ଦେଖି ରେଶମା ବିଚଳିତ ହୋଇ କହିଲେ..... ସଞ୍ଜ ହେଲାଣି ମୁଁ ଘରକୁ ଯିବି। ରାଜକୁମାର ଦିବ୍ୟ କହିଲେ ହଉ ଠିକ ଅଛି ମୁଁ ତୁମକୁ ତୁମ ଘରେ ଛାଡି ଦେବି। କିନ୍ତୁ ରେଶମା ମନା କରି ଦୌଡି ପଳାଇଲେ। 


ରାଜକୁମାର ଦିବ୍ୟ ରେଶମା କଥା ଭାବୁ ଥାନ୍ତି ଯେ ସେ ତ ଏକୁଟିଆ..... ତେବେ ତାଙ୍କ ବେଶଭୂଷା ପୁରା ରାଜକୁମାରୀ ପରି କେମିତି। କିଛି ତ ରହସ୍ୟ ଅଛି। 


ତାପର ଦିନ ଜଙ୍ଗଲ ଯିବାକୁ ବାହରୁ ଥାଆନ୍ତି। ହଠାତ କିଛି କାମ ଆସିବାରୁ ତାଙ୍କୁ ଯିବାରେ ଡେରି ହେଲା।ସେ ଜଙ୍ଗଲର ସେହି ନଦୀ କୂଳକୁ ଯିବାରୁ ଦେଖିଲେ ଯେ ତାଙ୍କ ଭିଣେଇ ସାହିଲ ରେଶମା ସହ କଥା ହେଉଛନ୍ତି। ରେଶମାକୁ କୁଣ୍ଢାଇ ଧରିଛନ୍ତି।ଦୁଇଜଣ ଯାକଙ୍କ ଆଖି ଛଳ ଛଳ। ଏହା ଦେଖି ରାଜକୁମାର ଦିବ୍ୟ ଆଶ୍ଚର୍ଯ୍ୟ ହେଲେ। ସେ ଭାବିଲେ ବୋଧେ ସାହିଲଙ୍କ ରେଶମା ସହ ଖରାପ ସମ୍ପର୍କ ଅଛି। ସେଥିପାଇଁ ସେ ରେଶମାଙ୍କୁ ଲୁଚି ଲୁଚି ଜଙ୍ଗଲରେ ଦେଖା କରୁଛନ୍ତି। ଆଉ ରେଶମାଙ୍କ ବେଶଭୂଷା ବି ରାଜ ପରିବାର ଭଳି।ସାହିଲ ଯିବା ପର୍ଯ୍ୟନ୍ତ ଦିବ୍ୟ ଲୁଚି ଲୁଚି ରହିଲେ। ସନ୍ଧ୍ୟା ହେବାରୁ ସାହିଲ ପଳାଇଲେ। ରେଶମା ଉଠି ଯିବା ପାଇଁ ବାହାରିବାରୁ ଦିବ୍ୟ ଯାଇ ତାଙ୍କୁ ଅଟକାଇ ପଚାରିଲେ ଯେ ସାହିଲ ସହ ତଙ୍କର ସମ୍ପର୍କ କଣ? 


ଏହା ଶୁଣି ରେଶମା ଦିବ୍ୟଙ୍କୁ ମୋତେ ଛାଡ କହି ଠେଲି ଦେଇ କୁଆଡେ ଦୌଡି ପଳାଇଲେ।ଦିବ୍ୟ ବି ସେ ଦିନ ଜିଦ୍ ରେ ଥାଆନ୍ତି। କାରଣ ସେ ରେଶମାକୁ ମନେ ମନେ ଭଲ ପାଉଥିଲେ। ପୁଣି ସାହିଲ ଆଉ ରେଶମାଙ୍କ ସମ୍ପର୍କ କଣ.....? ସାହିଲ କଣ ତାଙ୍କ ଭଉଣୀ ଦିଶାଙ୍କୁ ଧକା ଦେଉଛନ୍ତି.....? 


ଦିବ୍ୟ ଜଙ୍ଗଲରେ ରେଶମାଙ୍କୁ ଖୋଜୁ ଥାଆନ୍ତି। ହଠାତ୍ ବହୁତ ବାଘମାନଙ୍କ ରୋଡି ଶୁଣି ଦିବ୍ୟ ପାଖ ଗୁମ୍ପାରେ ପଶି ଗଲେ....କାରଣ ତାଙ୍କ ପାଖରେ କିଛି ଅସ୍ତ୍ର ନ ଥିଲା। ଗୁମ୍ପାଟି ବହୁତ ବଡ। ସଠାରେ ସେ ରେଶମାଙ୍କ ଲୁଗାପଟା ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ। ପ୍ରକୃତରେ ରେଶମାଙ୍କ ରହସ୍ୟ କଣ? 


ହଠାତ୍ ଦିବ୍ୟଙ୍କୁ ଗୋଟିଏ ସ୍ତ୍ରୀ ଲୋକର ବିକଟାଳ ହସ ଶୁଣିବାକୁ ମିଳିଲା। ସେ ଦେଖିଲେ ଗୋଟିଏ ବହୁତ ବଡ ରାକ୍ଷସୀ ଗୁମ୍ପା ଭିତରକୁ ପ୍ରବେଶ କଲା। ସେ ଗୋଟିଏ ହରିଣ ଛୁଆକୁ  ଜିଅନ୍ତା ଧରି ଖାଉଛି। 


ଦିବ୍ୟ ସେ ଗୁମ୍ପାର ରହସ୍ୟ ବୁଝି ନ ପାରି ଲୁଚି ଲୁଚି ଦେଖୁ ଥାଆନ୍ତି। ରାକ୍ଷସୀ ଗର୍ଜି ଉଠିଲା.....ଏଇଠି କିଏ ଅଛ। ମୋତେ ମଣିଷ ବାସ୍ନା ହେଉଛି।ଭଲ ହେଲା.....ବହୁତ ଦିନ ପରେ ମୁଁ ଗୋଟିଏ ମଣିଷ ଖାଇବି କହି ସେ ବାସ୍ନା ସୁଙ୍ଘି ସୁଙ୍ଘି ଦିବ୍ୟଙ୍କୁ ଧରି ପକାଇଲା। 


ଦିବ୍ୟ ବି ବହୁତ ସାହସୀ। ସେ ନ ଡରି ରାକ୍ଷସୀକୁ କହିଲେ ସାହାସ ଅଛି ତ ମୋ ସହିତ ଯୁଦ୍ଧ କର। କିନ୍ତୁ ପ୍ରଥମେ ଆଗେ ମୋର ପ୍ରଶ୍ନୋତ୍ତର ଦେ କି ଏଠି କଣ ଚାଲିଛି। ଯଦି ଏ ଗୁମ୍ପା ତୋର.... ତେବେ ରେଶମାର ଲୁଗା ଏଇଠି କେମିତି? ରେଶମା ସହ ତୁ କଣ କଲୁ? ଏ କଥା ଶୁଣି ରାକ୍ଷସୀ ଟିକିଏ ଅଟକି ଗଲା। ଆଉ କହିଲା ଲାଗୁଛି ତୁ ବହୁତ ସାହସୀ ଆଉ ବୁଦ୍ଧିମାନ। ତୁ ମୋର ପ୍ରଶ୍ନୋତ୍ତର ଦେଇ ପାରିଲେ ମୁଁ ତୋତେ ଛାଡି ଦେବି। ଆଉ ରେଶମା ବିଷୟରେ ବି ସବୁ ଜାଣି ଯିବୁ।ଆଉ ପ୍ରଶ୍ନୋତ୍ତର ନ ଦେଲେ ତୋତେ ମୁଁ ଖାଇ ଦେବି। 


ଦିବ୍ୟ ସାହସର ସହ କହିଲେ ମୁଁ ପ୍ରଶ୍ନୋତ୍ତର ଦେଲେ ତୁ ମୋତେ ଛାଡିବା ସହ ରେଶମାର ରହସ୍ୟ ବି କହିବୁ। 


ରାକ୍ଷସୀ କହିଲା ହଉ ଠିକ ଅଛି। 


ରାକ୍ଷସୀ କହିଲା ମୁଁ ଚାରଟି ପ୍ରଶ୍ନ ପଚାରିବି କିନ୍ତୁ ଆଜି ପଚାରି ଥିବା ପ୍ରଶ୍ନୋତ୍ତର ତୁ ମୋତେ କାଲି କହିବୁ..... ଆଜି ନୁହେଁ। 


ଦିବ୍ୟ କହିଲେ ହଁ ପଚାର..... ମୁଁ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛି। 


ରାକ୍ଷସୀ କହିଲା ମୋର ପ୍ରଥମ ପ୍ରଶ୍ନ ହେଉଛି : 

ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ଉପରେ ପତ୍ର। କହ ଫଳର ନାମ କଣ? 


ଦ୍ୱିତୀୟ ପ୍ରଶ୍ନ: 

କଣା ତ କଣା..... ତୋ ପଛରେ ଶହସ୍ର କଣା ମୋ ପଛରେ ଗୋଟିଏ କଣା। ଏଇଠି କାହା ବିଷୟରେ କୁହା ଯାଇଛି।?


ତୃତୀୟ ପ୍ରଶ୍ନ:

ଠଣା ଉପରେ ଠଣା ଗୋଟିଏ ଚଟକଣା ମାରିଦେଲେ ବଂଶ ସାରା କଣା। ସେ ଜିନିଷଟିର ନାମ କଣ?


ଚତୁର୍ଥ ପ୍ରଶ୍ନ: 

ମାମୁଁ ଘରେ ଗୋଠେ ଗାଈ ସକାଳ ପାଇଲେ ଗୋଟିଏ ବି ନାହିଁ। ଏଠାରେ କାହା ବିଷୟରେ କୁହା ଯାଇଛି? 


ପ୍ରଶ୍ନ ଶୁଣିବା କିଛି ସମୟ ପରେ ରାଜକୁମାର ଦିବ୍ୟ ଅଚେତ ହୋଇ ଗଲେ। ତାଙ୍କର ଚେତା ଆସିଲା ବେଳକୁ ଦିନ ହୋଇ ଯାଇଥାଏ। ଗୁମ୍ପାର ପ୍ରବେଶ ମୁହଁଟି ପଥରରେ ବନ୍ଦ ଥାଏ। ଗୁମ୍ପାର ଗୋଟିଏ ପାଖର ଉପରେ ଟିକିଏ କଣାରୁ ସୂର୍ଯ୍ୟ କିରଣ ପଡୁଥାଏ। ଲାଗୁଥାଏ ଯେମିତି ଦ୍ୱିପହର ହୋଇ ଯାଇଛି। ରାଜକୁମାର ଦିବ୍ୟ ବାହାରକୁ ଯାଇ ନ ପାରି ଗୁମ୍ପାରେ ବସି ରାକ୍ଷସୀର ପ୍ରଶ୍ନୋତ୍ତର ଭାବୁ ଥାଆନ୍ତି। ହେଲେ ଭୋକ ବି ଲାଗୁ ଥାଏ। 


ଦିବ୍ୟ ଦେଖିଲେ ସେଠାରେ ଗୋଟିଏ ପାତ୍ରରେ ବହୁତ ପ୍ରକାରର ଫଳ ଅଛି। ଫଳ ଦେଖି ରାକ୍ଷସୀର ପ୍ରଥମ ପ୍ରଶ୍ନ ଉତ୍ତର ଭାବିଲେ। ସବୁପ୍ରକାର ଫଳକୁ ଭାବୁ ଭାବୁ ତାଙ୍କର ମନେ ପଡିଲା ସପୁରୀ।ସପୁରୀ ଏମିତି ଫଳ ଯାହାର ଉପରେ ପତ୍ର ଜଡିତ ହୋଇ ରହି ଥାଏ। ପ୍ରଥମ ପ୍ରଶ୍ନୋତ୍ତର ପାଇଗଲେ। 


ତାପରେ ଦିବ୍ୟ ଫଳ ଖାଇ ସାରି ବାକି ପ୍ରଶ୍ନୋତ୍ତର କଥା ଭାବୁ ଥାନ୍ତି। ଭାବୁ ଭାବୁ ସେ ଯାଇ ରେଶମାର ପୋଷକ ଦେଖୁଥାଆନ୍ତି। ହଠାତ୍ ତାଙ୍କ ହାତରେ ଛୁଞ୍ଚି ଫୋଡିଗଲା। ରେଶମା ପୋଷାକରେ ଲାଗିଥିଲା। 


ସାଙ୍ଗେସାଙ୍ଗ ସେ ରାକ୍ଷସୀର ଦ୍ୱିତୀୟ ପ୍ରଶ୍ନୋତ୍ତର ପାଇଗଲେ। ଯେ ଛୁଞ୍ଚିର ତୋ ଗୋଟିଏ କଣା..... ସେପଟେ ଚାଲୁଣିର ଶହସ୍ର କଣା। ତେବେ ଉତ୍ତର ଛୁଞ୍ଚି ଆଉ ଚାଳୁଣି। 


ବାକି ଦୁଇଟି ପ୍ରଶ୍ନୋତ୍ତର ଆଉ ରାଜକୁମାର ପାଉ ନ ଥାଆନ୍ତି। ଏମିତି ଭାବୁ ଭାବୁ ଦିବ୍ୟଙ୍କ ଆଖି ଲାଗିଗଲା। 


ସେପଟେ ରାଜକୁମାର ଦିବ୍ୟଙ୍କୁ ନ ପାଇ ଚାରି ଆଡେ ଖୋଜା ଖୋଜି ଚାଲିଛି। 


ରାଜକୁମାର ଦିବ୍ୟଙ୍କ ଆଖି ଖୋଲିଲା ବେଳକୁ ସନ୍ଧ୍ୟା। ସେ ଦେଖିଲେ ଗୁମ୍ପା ଭିତରେ କାଠିକୁଟା ଦେଇ ନିଆଁ ଜଳା ହେଇଛି। 


ରାକ୍ଷସୀ ବିକଟାଳ ଭାବେ ହସି ହସି ଭିତକୁ ଆସିଲା। ଆଉ ପଚାରିଲା ମୋ ପ୍ରଶ୍ନୋତ୍ତର ଜଣା ଅଛି ତ। 


ରାକ୍ଷସୀ କହିଲା କୁହ ମୋ ପ୍ରଶ୍ନୋତ୍ତର। 


ରାଜକୁମାର ପ୍ରଥମ ଦୁଇଟି ପ୍ରଶ୍ନୋତ୍ତର ଦେଇ ଦେଲେ। 


ତାପରେ ଚୁପ ହୋଇ ଗଲେ। 


ରାକ୍ଷସୀ ତୃତୀୟ ଉତ୍ତରଟି କଣ.... ପଚାରିଲା। 


ଠିକ୍ ସେହି ସମୟରେ ଜୋରରେ ପବନ ବହିଲା ଆଉ ନିଆଁ ଲିଭିଗଲା।। 


ରାଜକୁମାର ଦିବ୍ୟ ତୃତୀୟ ପ୍ରଶ୍ନୋତ୍ତର ପାଇଗଲେ।ସେ କହିଲେ ମହମବତୀ। ମହମବତୀ ଠଣା ଉପରେ ଜଳୁଥାଏ।ପବନର ଗୋଟିଏ ଚଟକଣାରେ ଲିଭି ଯାଏ। ଆଉ ସମସ୍ତେ ଅନ୍ଧାରରେ କଣା ହୋଇ ଯାଆନ୍ତି। 


ତାପରେ ରାକ୍ଷସୀ ଖୁସି ହୋଇ କହିଲା ବହୁତ ବଢିଆ.....ଚତୁର୍ଥ ପ୍ରଶ୍ନୋତ୍ତର କଣ? 


ରାଜକୁମାର ଟିକେ ଭାବୁ ଥାଆନ୍ତି। ହଠାତ ତାଙ୍କର ଗୁମ୍ପାର ସେ ଉପର ଭାଗ କଣାରେ ନଜର ପଡିଲା। ସେ ଆକାଶକୁ ଦେଖି ନିଜ ପ୍ରଶ୍ନୋତ୍ତର ପାଇଗଲେ ଏବଂ କହିଲେ ତାରା। ଜହ୍ନ ମାମୁଁ ଘର ହେଉଛି ଆକାଶ। ଆକାଶରେ ରାତିରେ ବହୁତ ତାରା। ଆଉ ସକାଳେ ଗଟେ ବି ନାହିଁ। 


ରାକ୍ଷସୀ ଖୁସିରେ ସହିବାକୁ ଲାଗିଲା ଏବଂ ସାଙ୍ଗେ ସାଙ୍ଗ ସେ ସୁନ୍ଦର ଯୁବତୀରେ ପରିବର୍ତ୍ତନ ହୋଇ ଗଲା। ରାଜକୁମାରଙ୍କୁ ସେ ଧରି ଗୁମ୍ପାରୁ ବାହାରକୁ ଗଲା। ଜହ୍ନ ଆଲୁଅରେ ରାଜକୁମାର ଦେଖିଲେ ସେ ଯୁବତୀ ଆଉ କେହି ନୁହେଁ..... ସେ ହେଉଛି ରେଶମା। 


ଦିବ୍ୟ ପଚାରିଲେ ରେଶମା ଏ ସବୁର ରହସ୍ୟ କଣ?


ରେଶମା କହିଲେ ବହୁତ ବର୍ଷ ତଳର କଥା। ମୋ ଜେଜେବାପାଙ୍କ ଭଉଣୀ ଜଣେ ରାଜକୁମାରଙ୍କୁ ବିବାହ କରିଥିଲେ..... ତାଙ୍କ ବାପାଙ୍କ ଜିଦ ପାଇଁ। ହେଲେ ସେ ଯାହାକୁ ବିବାହ କରିଥିଲେ ସେ ଦେଖିବା ପାଇଁ ଭଲ ନ ଥିଲେ ଏବଂ ମୁର୍ଖ ଥିଲେ। ତେଣୁ ପ୍ରଥମ ରାତିରେ ଜେଜେବାପାଙ୍କ ଭଉଣୀ ତାଙ୍କୁ ଛାଡି ଦେଲେ। ଅପମାନ ସହି ନ ପାରି ସେ ଲୋକ ଆତ୍ମହତ୍ୟା କଲେ ଏବଂ ଆମ ବଂଶର ରାଜକୁମାରୀମାନଙ୍କୁ ଅଭିଶାପ ଦେଲେ ଆମେ ଯୁବତୀ ହେଲେ ଦିନରେ ମଣିଷ ଓ ରାତିରେ ରାକ୍ଷସୀ ହେବୁ। ତାପର ଠାରୁ ଜେଜେବାପାଙ୍କ ଭଉଣୀ ଆଉ ମୋ ପିଉସୀ ଆଉ ମୋ ଅବସ୍ଥା ଏମିତି।ରାକ୍ଷସୀ ହେଲା ପରେ ଆମେ କିଛି ବୁଝି ପାରୁ ନାହିଁ। ନିଜ ଲୋକଙ୍କୁ ବି ମାରିବା ପାଇଁ ପଛାଉ ନାହିଁ। ସେଥିପାଇଁ ଜେଜେବାପାଙ୍କ ଭଉଣୀ ଆଉ ମୋ ପିଉସୀଙ୍କୁ ବାଧ୍ୟ ହୋଇ ମାରି ଦିଆ ଗଲା। ଆଉ ମୋତେ ଛୋଟ ବେଳୁ ପ୍ରଜାମାନଙ୍କୁ ନ ଜଣାଇ ଏଇ ଜଙ୍ଗଲରେ ରଖିଛନ୍ତି ମୋ ଘର ଲୋକ। ଜଣେ ସାଧୁବାବା କହିଥିଲେ ଯେ ଯଦି କେହି ମୁଁ ରାକ୍ଷସୀ ଅବସ୍ଥାରେ ମୋ ପ୍ରଶ୍ନୋତ୍ତର ଦେଇପାରିବ ତେବେ ଆମ ବଂଶ ଏ ଅଭିଶାପରୁ ମୁକ୍ତ ହେବ। 


ରେଶମାର ରହସ୍ୟ ଜାଣି ଦିବ୍ୟ ନିଶବ୍ଦ ହୋଇ ଛିଡ଼ା ହୋଇଥିଲେ। 


ତାପରେ କିଛି ସମୟ ପରେ ରେଶମା କହିଲେ ମୁଁ ଜାଣି ଥିଲି ତୁମେ ମୋ ପ୍ରଶ୍ନୋତ୍ତର ଦେଇପାରିବ। ତଥାପି ମୁଁ ତୁମକୁ ସଙ୍କେତ ଦେବା ପାଇଁ ସବୁ ଜିନିଷ ରଖିଥିଲି।ଆଉ ସତରେ ତୁମେ ସବୁ ପ୍ରଶ୍ନୋତ୍ତର ଦେଇ ଦେଲ। 


କିଛି ସମୟ ପରେ ଦିବ୍ୟ ପଚାରିଲେ ସାହିଲ ଓ ତୁମର ସମ୍ପର୍କ କଣ? 


ରେଶମା କହିଲେ ସେ ମୋ ବଡ ଭାଇ। ମଝିରେ ମଝିରେ ଘରୁ ମୋତେ ଦେଖା କରିବାକୁ ଆସନ୍ତି। 


ସେହି ସମୟରେ ସୈନ୍ୟମାନେ ଦିବ୍ୟଙ୍କୁ ଖୋଜି ଖୋଜି ଆସି ସେଠାରେ ପହଞ୍ଚିଲେ। 


ରେଶମାଙ୍କ ହାତ ଧରି ଦିବ୍ୟ ସୈନ୍ୟମାନଙ୍କ ସହ ରାଜଦରବାରକୁ ଗଲେ।ସେ ଦିଶା, ସାହିଲ ଓ ତାଙ୍କ ପରିବାରକୁ ରାଜ ଦରବାରରକୁ ଡାକିଲେ। ସାହିଲ ଓ ତାଙ୍କ ପରିବାର ଲୋକ ରେଶମାଙ୍କୁ ଦେଖି ଖୁସି ହୋଇଗଲେ। ଦିବ୍ୟଙ୍କ ଠାରୁ ସବୁ କଥା ସମସ୍ତେ ଜାଣିଲେ। ତାପରେ ଦିବ୍ୟ ରେଶମାଙ୍କୁ ବିବାହ କରବା ପାଇଁ ପ୍ରସ୍ତାବ ଦେଇଥିଲେ।


ଦିବ୍ୟ ଓ ରେଶମାଙ୍କ ବିବାହ ବହୁତ ଧୁମଧାମରେ ହେଲା।


Rate this content
Log in