Narendra Prasad Behera

Others

2  

Narendra Prasad Behera

Others

ରାମଙ୍କୁ ବିଶ୍ବାମିତ୍ର

ରାମଙ୍କୁ ବିଶ୍ବାମିତ୍ର

3 mins
445


*ରାମାୟଣରୁ କିଛି.......୩୮*


*ରାମଙ୍କୁ ବିଶ୍ଵାମିତ୍ର ଋଷି କ'ଣ ସବୁ ବୁଝାଇଲେ ଏବଂ ଇନ୍ଦ୍ର ନିଜର ବ୍ରହ୍ମହତ୍ଯା ଦୋଷକୁ କେଉଁ ଚାରି ଜଣଙ୍କୁ ଦେଇ ଖୁସିରେ ସ୍ବର୍ଗକୁ ଫେରିଗଲେ*


   ବିଶ୍ବାମିତ୍ରଙ୍କ ସହ ରାମ ଲକ୍ଷ୍ମଣଙ୍କୁ ଆଶ୍ରମରେ ଥିବା ମୁନିଋଷିମାନେ ପରମ ଆନନ୍ଦରେ ସ୍ବାଗତ କଲେ । ସେଦିନ ରାତ୍ରରେ ସେଠାରେ ଏକ ଆଶ୍ରମରେ ରହି ସକାଳ ହୁଅନ୍ତେ ତିନିଜଣଯାକ ଚାଲି ଚାଲି ଗଙ୍ଗାନଦୀ କୂଳରେ ପହଞ୍ଚିଲେ । ସେଠାରେ ଥିବା ମୁନିଋଷିମାନେ ଡଙ୍ଗା ଆଣି ସେମାନଙ୍କୁ ଗଙ୍ଗା ପାର କରିଦେଲେ । ସେତିକିବେଳେ ନିରବଚ୍ଛିନ୍ନ ଭାବରେ ହେଉଥିବା ଭୟଙ୍କର ଶବ୍ଦଶୁଣି ରାମ ତହିଁର କାରଣ ଜାଣିବାକୁ ଅଭିଳାଷ କରିବାରୁ ବିଶ୍ବାମିତ୍ର କହିଲେ--ଦିନେ ପଦ୍ମଯୋନି କୈଳାସକୁ ଯାଇଥିଲେ । ସେଠାରେ ନିଜ ମନରୁ ସେ ଗୋଟିଏ ସରୋବର ଜାତ କଲେ । ତେଣୁ ସେହି ସରୋବରର ନାମ ହେଲା ମାନସରୋବର । ସେହି ମାନସରୋବରରୁ ଗୋଟିଏ ନଦୀ ଜାତ ହୋଇ ତା' ନାଆଁ ହେଲା ସରଯୂ । ସରଯୂନଦୀ ଓ ଗଙ୍ଗାନଦୀର ସଙ୍ଗମ ସ୍ଥାନରୁ ଏହି ଭୟଙ୍କର ଶବ୍ଦ ଆସୁଛି ବୋଲି ବିଶ୍ବାମିତ୍ର ରାମଙ୍କୁ କହିଲେ । ସରଯୂନଦୀ ତୁମ ଅଯୋଧ୍ୟା ଚାରିପଟେ ବଳୟ ପରି ରହି ବଡ଼ ସୁନ୍ଦର ଦେଖାଯାଉଛି । ସେହି ଦୁଇଟିଯାକ ନଦୀକୁ ତୁମେ ଦିହେଁ ନମସ୍କାର କର । ତହୁଁ ଦି' ଭାଇଯାକ ସରଯୂନଦୀ ଓ ଗଙ୍ଗାନଦୀ ଉଦ୍ଦେଶ୍ୟରେ ନମସ୍କାର କଲେ । ଏହାପରେ ସେମାନେ ଡଙ୍ଗାରୁ ଗଙ୍ଗାନଦୀର ଦକ୍ଷିଣ ତୀରରେ ଓହ୍ଲାଇଲେ । ସେଠାରେ ଅରଣ୍ଯର ଭୟଙ୍କରିତା ଦେଖି ବିଶ୍ବାମିତ୍ରଙ୍କୁ ରାମଚନ୍ଦ୍ର ତହିଁର କାରଣ ପଚାରନ୍ତେ ବିଶ୍ବାମିତ୍ର କହିଲେ--ପୂର୍ବ କାଳରେ ଏଠାରେ ଅଗସ୍ତିମୁନି ଆଶ୍ରମ କରି ସୁଖରେ ରହିଥିଲେ । ସେ ଥିଲେ ବଡ଼ ଶକ୍ତିଶାଳୀ ଋଷି । ବର୍ତ୍ତମାନ ସେ ଏ ସ୍ଥାନରେ ରହୁନାହାନ୍ତି । ଅନ୍ୟ ସ୍ଥାନକୁ ଯାଇ ସେଠାରେ ତପସ୍ଯା କରୁଛନ୍ତି । ଅଗସ୍ତିମୁନି ବଡ଼ ପ୍ରଚଣ୍ଡମୁନି । ସେ ଏକା ଚଳୁକେ ସମୁଦ୍ରକୁ ପିଇଦେଇଥିଲେ । ମେଷରୂପୀ ବାତାପି ରାକ୍ଷସକୁ ଖାଇ ହଜମ କରିଦେଇଥିଲେ । ବିନ୍ଧ୍ଯପର୍ବତକୁ ଚିର ଅବନତ ରଖି ତା'ର ଗର୍ବ ଚୂର୍ଣ୍ଣ କରିଦେଇଥିଲେ । ତାଙ୍କ ହେତୁ ଏହି ବନ ଏକ ପବିତ୍ର ତୀର୍ଥସ୍ଥଳୀ ଥିଲା । ବୃତ୍ରାସୁରକୁ ଇନ୍ଦ୍ର ବଧକରି ଏହି ତୀର୍ଥରେ ଗଙ୍ଗାସ୍ନାନ କରି ବ୍ରହ୍ମହତ୍ଯା ପାପରୁ ମୁକ୍ତି ପାଇଥିଲେ । 

    ଏହା ଶୁଣି ବିଶ୍ବାମିତ୍ରଙ୍କୁ ଶ୍ରୀରାମ କହିଲେ--ବୃତ୍ରାସୁର ବଧ ହେତୁ ଇନ୍ଦ୍ରଙ୍କୁ କାହିଁକି ବ୍ରହ୍ମହତ୍ଯା ଦୋଷ ଲାଗିଲା ସେକଥା ସମ୍ବନ୍ଧରେ ଆପଣ ମୋତେ ସବିଶେଷ ବୁଝାଇ କହନ୍ତୁ । ତହୁଁ ବିଶ୍ବାମିତ୍ର କହିଲେ --ମରୀଚି ହେଉଛି ବ୍ରହ୍ମାଙ୍କର ପୁତ୍ର । ମରୀଚିଙ୍କ ପୁତ୍ର କଶ୍ଯପ । ତ୍ବଷ୍ଟାଋଷି ହେଉଛନ୍ତି କଶ୍ଯପଙ୍କର ପୁତ୍ର । ତ୍ବଷ୍ଟାଋଷିଙ୍କ ପୁତ୍ରର ନାମ ବିଶ୍ଵରୂପ । ବିଶ୍ଵରୂପଙ୍କ ପିତୃକୁଳ ହେଉଛନ୍ତି ଦେବତା ଏବଂ ମାତୃକୁଳ ହେଉଛନ୍ତି ଦାନବ । ବିଶ୍ଵରୂପ ଯେତେବେଳେ ଯଜ୍ଞ କରନ୍ତି ସେଥିରୁ ଜାତ ହବିକୁ ଦେବତାମାନଙ୍କୁ ପ୍ରକାଶ୍ଯରେ ଦିଅନ୍ତି । ପୁଣି ନିଜର ମାତୃକୁଳ ଯେଉଁମାନେକି ଦାନବ ସେମାନଙ୍କୁ ଗୋପନରେ ହବି ଦିଅନ୍ତି । ଏକଥା ଦେବତାମାନେ ଜାଣିପାରନ୍ତି ନାହିଁ । କିଛିଦିନ ପରେ ଏକଥା ଜଣାପଡିଲା , ତହୁଁ ଇନ୍ଦ୍ର କ୍ରୋଧାନ୍ବିତ ହୋଇ ବିଶ୍ଵରୂପଙ୍କ ମୁଣ୍ଡକୁ ହାଣିପକେଇଲେ । ବିଶ୍ଵରୂପ ଯେଉଁ ମୁଖରେ ସୋମରସ ପାନ କରୁଥିଲେ ସେ ମୁଣ୍ଡ ଚାତକପକ୍ଷୀ ରୂପେ ଜନ୍ମଲାଭ କଲା । ଯେଉଁ ମୁଖରେ ସେ ସୁରାପାନ କରୁଥିଲେ ସେ ମୁଣ୍ଡ ଘରଚଟିଆ ରୂପେ ଜନ୍ମଲାଭ କଲା । ଯେଉଁ ମୁଖରେ ସେ ଅନ୍ନ ଭୋଜନ କରୁଥିଲେ ସେ ମୁଣ୍ଡ ତିତ୍ତିରୀପକ୍ଷୀ ରୂପେ ଜନ୍ମଲାଭ କଲା । ବିଶ୍ଵରୂପଙ୍କ ନିଧନରେ ଯେଉଁ ବ୍ରହ୍ମହତ୍ଯା ପାପ ହେଲା ସେ ପାପକୁ ଇନ୍ଦ୍ର ଗ୍ରହଣ କଲେ । 

    ବର୍ଷକ ପରେ ଇନ୍ଦ୍ର ସେହି ପାପକୁ ଚାରିଭାଗ କଲେ । ୧) ଗୋଟିଏ ଭାଗ ପୃଥିବୀକୁ ଦେଲେ । ପୃଥିବୀରେ ସେହି ଭାଗକ ପାପ ଯେଉଁଠି ରହିଛି ସେ ସ୍ଥାନ ମରୁଭୂମିରେ ପରିଣତ ହୋଇଛି । ୨) ଇନ୍ଦ୍ର ଆଉ ଗୋଟିଏ ଭାଗକୁ ଵୃକ୍ଷକୁ ଦେଲେ । ସେହି ପାପଭାଗକୁ ବୃକ୍ଷକୁ ଦେଇ ଇନ୍ଦ୍ର କହିଲେ, ଚୋପା ଛାଡିଗଲେ ତୋ ଦେହରୁ ଗଜା ଵାହାରିଵ । ବୃକ୍ଷର ରସ ହେଉଛି ସେହି ପାପଭାଗ । ୩) ଇନ୍ଦ୍ର ଆଉ ଏକ ଭାଗ ପାପକୁ ନେଇ ନାରୀମାନଙ୍କ ରଜରେ ରଖିଲେ । ସେହି ବ୍ରହ୍ମହତ୍ଯା ପାପଭାଗ ମାସକରେ ଥରେ ନାରୀଙ୍କଠାରୁ ଋତୁ ରୂପେ ବାହାରେ । ୪) ଇନ୍ଦ୍ର ଆଉ ଏକ ପାପ ଭାଗକୁ ଜଳକୁ ଦେଇ କହିଲେ--ତୁମ୍ଭେ ଦୁଗ୍ଧ ପ୍ରଭୁତି ଜିନିଷରେ ମିଶି ପାରିବ । ଜଳରୁ ଯେଉଁ ଫେଣ ବାହାରେ ତାହାହିଁ ହେଉଛି ଏହି ପାପଭାଗ । ଇନ୍ଦ୍ର ଏହିପରି ଭାବରେ ବ୍ରହ୍ମହତ୍ଯା ଦୋଷ ଛଡାଇ ଭାରି ଖୁସିରେ ସ୍ବର୍ଗକୁ ଫେରିଗଲେ ।  


*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, *


Rate this content
Log in