Narendra Prasad Behera

Others

3  

Narendra Prasad Behera

Others

ରାମଚନ୍ଦ୍ର

ରାମଚନ୍ଦ୍ର

4 mins
405



   ଦିନେ ସୂର୍ଯ୍ୟପରାଗ ହୋଇଥିଲା । ସେଦିନ ଦଶରଥ ବହୁ ଦାନ ଧର୍ମ କରିବା ପରେ ପୁତ୍ରମାନଙ୍କୁ ସଙ୍ଗରେ ନେଇ ଗଙ୍ଗାସ୍ନାନ କରିବା ପାଇଁ ଇଚ୍ଛା ପ୍ରକାଶ କଲେ । କୁଳଗୁରୁ ବଶିଷ୍ଠ, ମନ୍ତ୍ରୀ ସୁମନ୍ତ ଓ ଅନ୍ଯାନ୍ଯ ସଭାସଦ ତଥା ଚତୁରଙ୍ଗ ବଳ ସଙ୍ଗରେ ଘେନି ଓ ପୁତ୍ରମାନଙ୍କୁ ସାଥିରେ ରଖି ଦଶରଥ ଗଙ୍ଗାସ୍ନାନ ଉଦ୍ଦେଶ୍ୟରେ ରଥରେ ବସି ଯାତ୍ରା କଲେ । ମନ୍ତ୍ରୀ ସୁମନ୍ତ ରଥ ଚଳାଉଥାନ୍ତି । ଏହିଭଳି ଭାବରେ ଗଙ୍ଗାନଦୀକୁ ଯିବା ବାଟରେ ନାରଦମୁନିଙ୍କୁ ଦଶରଥ ଦେଖିବାକୁ ପାଇଲେ । ଦଶରଥଙ୍କୁ ନାରଦ କହିଲେ ହେ ରାଜା ଏତେ କଷ୍ଟକରି ଗଙ୍ଗାନଦୀକୁ ଯିବାର କାରଣ କ'ଣ ? ଗଙ୍ଗାନଦୀରେ ସ୍ନାନ କରିବାଠାରୁ ଆହୁରି ଅଧିକ ପୂଣ୍ଯ ଲାଭ ପାଇଁ ଭଗବାନଙ୍କର ଅବତାର ଶ୍ରୀରାମ ତୁମ ପାଖେ ପାଖେ ଅଛନ୍ତି । ଯେଉଁ ବିଷ୍ଣୁଙ୍କ ପାଦନଖର ଗୋଟିଏ କୋଣରୁ ଜାତ ହୋଇ ଗଙ୍ଗାନଦୀ ପତିତପାବନୀ ବୋଲି ପ୍ରସିଦ୍ଧା ହୋଇଛନ୍ତି, ସେହି ବିଷ୍ଣୁ ତ ରାମ ରୂପରେ ତୁମ୍ଭର ପୁତ୍ରରୂପେ ଜାତ ହୋଇଛନ୍ତି । ରାମ ହେଉଛନ୍ତି ସର୍ବତୀର୍ଥମୟ । ତେଣୁ ଅନ୍ଯତୀର୍ଥରେ ତୁମ୍ଭର ପ୍ରୟୋଜନ ନାହିଁ । ଏହାକହି ନାରଦ ଶୂନ୍ଯମାର୍ଗରେ ନିଜ ସ୍ଥାନକୁ ଚାଲିଗଲେ । ତହୁଁ ଦଶରଥ ଉଆସକୁ ଫେରିଯିବା ପାଇଁ ପ୍ରସ୍ତାବ କଲେ । ଏ ବିଷୟରେ ସେ ଶ୍ରୀରାମଙ୍କୁ ପଚାରନ୍ତେ ଗଙ୍ଗାସ୍ନାନ ପାଇଁ ଗଙ୍ଗାନଦୀକୁ ଯିବା ସକାଶେ ଶ୍ରୀରାମ ମତ ଦେଲେ । ତହୁଁ ଦଶରଥ ଉପସ୍ଥିତ ସମସ୍ତଙ୍କୁ ସଙ୍ଗରେ ନେଇ ଗଙ୍ଗାନଦୀ ନିକଟକୁ ଯାତ୍ରା କରିବାରେ ଲାଗିଲେ । ଯାଉଁ ଯାଉଁ କପଥ ମଧ୍ଯରେ ଶୃଙ୍ଗବେରପୁର ନାମକ ଏକ ଅରଣ୍ଯ ପଡିଲା । ସେହି ଅରଣ୍ଯ ଭିତରେ ଶୃଙ୍ଗବେରପୁର ନାମକ ଏକ ଵଣୁଆ ରାଜ୍ଯ ଥିଲା । ସେ ରାଜ୍ଯର ଅଧିପତି ଥିଲେ ଶବର ରାଜା ଗୁହ । ଦଶରଥ ତାଙ୍କର ସୈନ୍ଯସାମନ୍ତ ଘେନି ସେହି ବାଟଦେଇ ଗଲାବେଳେ ଶଵର ରାଜା ଗୁହ ନିଜର କିରାତ ବାହିନୀକି ନେଇ ବାଟ ଓଗାଳି କ୍ରୋଧାନ୍ବିତ ହୋଇ କହିଲା ତୁମକୁ କ'ଣ ବାଟ ମିଳିଲା ନାହିଁ ତମେ ମୋ'ରି ରାଜ୍ଯ ଭିତରେ ପଶି ସୈନ୍ଯ ଚାଳନାକରି ଯାଉଛ । ତୁମର ବିରାଟ ବାହିନୀ ମୋ ରାଜ୍ଯରେ ଚାଲି ମୋର କେତେ କ'ଣ ନଷ୍ଟ କଲେଣି ଜାଣିଛ ? ଯାହାହେଉ ତୁମେ ତୁମ ପୁତ୍ର ରାମଙ୍କୁ ମୋତେ ଦେଖାଇବ ତେବେ ମୁଁ ତୁମକୁ ବାଟ ଛାଡିଦେବି ,ନଚେତ୍ ନାହିଁ । ଏହାଶୁଣି ଦଶରଥ ରାମଙ୍କ ପ୍ରତି ବିପଦ ଥିବା ଆଶଙ୍କା କରି ରାମଙ୍କୁ ରଥ ପଛପଟେ ଲୁଚାଇ ରଖିଲେ । ନିଜେ ଦଶରଥ ଧନୁଶର ଧରି କିରାତ ରାଜା ଗୁହ ସହିତ ଯୁଦ୍ଧ କରିବାକୁ ବାହାରିଲେ । ଦଶରଥ ଓ ଗୁହ ପରସ୍ପରକୁ ତୀର ବିନ୍ଧାବିନ୍ଧି ହେଲେ । ଗୁହର ପ୍ରବଳ ଯୁଦ୍ଧ ଦେଖି ଦଶରଥ ମନେ ମନେ ଶଙ୍କାକୁଳ ହୋଇ ଉଠିଲେ । ତହୁଁ ଦଶରଥ ଲୁହାଫାଶ ପେଷି ଗୁହର ଦୁଇ ହାତକୁ ବନ୍ଦୀ କରି ରଥ ଉପରେ ରଖିଲେ ।

  ଗୁହ ରଥ ଉପରେ ରାମଚନ୍ଦ୍ରଙ୍କୁ ନ ଦେଖି ମନେ ମନେ ବଡ ନିରାଶ ହୋଇପଡିଲେ । ଏହାପରେ ସେ ପାଦରେ ଧନୁଗୁଣକୁ ଟାଣି ତୀର ବିନ୍ଧିବାରେ ଲାଗିଲେ । ଏହା ଦେଖି ଭରତ ବଡ ଆଶ୍ଚର୍ଯ୍ୟ ହୋଇ ରାମଚନ୍ଦ୍ରଙ୍କ ପାଖକୁ ଯାଇ କହିଲେ ଭାଇ, ବାପା ଗୋଟାଏ ଶବରର ହାତ ଦୁଇଟିକୁ ବାନ୍ଧି ବନ୍ଦୀ କରି ରଖିଛନ୍ତି । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ସେହି ଶଵର ତା' ପାଦ ସାହାଯ୍ୟରେ ତୀରସବୁ ବିନ୍ଧୁଛି । ଏହାଶୁଣି ଗୁହର ପାଦଦ୍ବାରା ତୀରବିନ୍ଧାକୁ ଦେଖିବା ପାଇଁ ରାମଚନ୍ଦ୍ର ଗୁହର ସମ୍ମୁଖରେ ଆସି ଉପସ୍ଥିତ ହେଲେ । ରାମଚନ୍ଦ୍ରଙ୍କୁ ଦେଖି ଗୁହ ତାଙ୍କୁ ପ୍ରଣାମ କରିବାରୁ ରାମଚନ୍ଦ୍ର ଆଉଥରେ ପାଦରେ ତୀର ବିନ୍ଧିବାକୁ କହିଲେ । ଗୁହ ଶବର ସଙ୍ଗେ ସଙ୍ଗେ ପାଦରେ ଶରବିନ୍ଧି ରାମଚନ୍ଦ୍ରଙ୍କୁ ଦେଖାଇଦେଲା । 

   ରାମଚନ୍ଦ୍ରଙ୍କୁ ପାଦରେ ଶରବିନ୍ଧି ଦେଖାଇ ସାରିଲାପରେ ଗୁହ ଶବର ରାମଚନ୍ଦ୍ରଙ୍କୁ କହିଲା ହେ ପ୍ରଭୁ ମୋ କଥା ଟିକିଏ ଅନୁଗ୍ରହ କରି ଶୁଣନ୍ତୁ । ପୂର୍ବ ଜନ୍ମରେ ମୁଁ ବ୍ରାହ୍ମଣ କୁଳରେ ମହର୍ଷି ବଶିଷ୍ଠଙ୍କ ପୁତ୍ରରୂପେ ଜାତ ହୋଇଥିଲି । ସେତେବେଳେ ମୋ ନାମ ଥିଲା ବାମଦେବ । ଆପଣଙ୍କ ପିତା ରାଜା ଦଶରଥ ଭୁଲକ୍ରମେ ଅନ୍ଧମୁନିଙ୍କ ପୁତ୍ରକୁ ହତ୍ଯା କରି ମୁନିପୁତ୍ର ହତ୍ଯା ଜନିତ ପାପରୁ ମୁକ୍ତି ପାଇବା ପାଇଁ ଆମ ଆଶ୍ରମକୁ ଆସିଥିଲେ । ଆଶ୍ରମରେ ସେତେବେଳେ ମୁଁ ଏକା ଥିଲି । ଦଶରଥ ବିକଳହୋଇ ମୋତେ ଉପାୟ ବାହାର କରିବା ପାଇଁ କହିବାରୁ ମୁଁ ତାଙ୍କୁ ତିନିଥର ଆପଣଙ୍କ ନାମ ଉଚ୍ଚାରଣ କରିବା ପାଇଁ କହିଲି । ତା'ପରେ ପାପମୁକ୍ତ ହୋଇ ଦଶରଥ ନିଜ ପୁରକୁ ଚାଲିଗଲେ । ଆପଣଙ୍କ ପିତା ଦଶରଥ ଚାଲିଯିବାର କିଛିକ୍ଷଣପରେ ମୋ ପିତା ବଶିଷ୍ଠ ଆସି ଆଶ୍ରମରେ ପହଞ୍ଚିଲେ । ମୁଁ ତାଙ୍କୁ ଏହି ସମସ୍ତ କଥା କହିବାରୁ ପିତା କ୍ରୋଧାନ୍ବିତ ହୋଇ ମୋତେ କହିଲେ ଯେଉଁ ରାମ ନାମକୁ ଥରେ ଉଚ୍ଚାରଣ କଲେ କୋଟିଏ ବ୍ରହ୍ମହତ୍ଯା ପାପ ଦୂର ହୁଏ, ସେହି ରାମ ନାମକୁ ତୁ ଦଶରଥଙ୍କୁ ତିନିଥର ଉଢଚ୍ଚାରଣ କରାଇଲୁ । ତୋ' ଠାରେ ଏହି ଅଜ୍ଞତା ଦେଖି ମୁଁ ତୋତ ଅଭିଶାପ ଦେଉଛି ଯେ ତୁ ଚଣ୍ଡାଳ ହୋଇଯା । ଏଥିରେ ମୁଁ ବିଚଳିତ ହୋଇ ପିତାଙ୍କୁ ଏଥିରୁ ମୋର ମୁକ୍ତିମାର୍ଗ ବତେଇ ଦେବା ପାଇଁ ପ୍ରାର୍ଥନା କଲି । ପିତାଙ୍କ କ୍ରୋଧ ଶାନ୍ତ ହେବାପରେ ମୋତେ କହିଲେ ଆଜିଠାରୁ ଚଣ୍ଡାଳ ହୋଇ ଶୃଙ୍ଗବେରପୁରରେ ରହିବୁ । ସ୍ବୟଂ ନାରାୟଣ ରାମ ନାମରେ ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ରରୂପେ ଜାତ ହେବେ । ସେ ପର୍ଯ୍ୟନ୍ତ ତୁ ତାଙ୍କୁ ଅପେକ୍ଷା କରି ରହିଥିବୁ । ରାମ ଯେତେବେଳେ ଦଶରଥଙ୍କ ସହିତ ଶୃଙ୍ଗବେରପୁର ଦେଇ ଗଙ୍ଗାସ୍ନାନକୁ ଯିବେ ତୁ ସେତେବେଳେ ରାମଙ୍କୁ ଦେଖିଲେ ତୁ ଚଣ୍ଡାଳ ଅବସ୍ଥାରୁ ମୁକ୍ତିଲାଭ କରିବୁ । ସେହିଦିନଠାରୁ ମୁଁ ଆପଣଙ୍କ ପଥ ଚାହିଁ ଏହି ସ୍ଥାନରେ ପଡିରହିଛି । ଆଜି ମୋର ବଡ ସୌଭାଗ୍ୟର ଦିନ ଥିବାରୁ ମୁଁ ଆପଣଙ୍କ ଦର୍ଶନ ପାଆଇଲି । ଆପଣଙ୍କ ମୋ ମସ୍ତକରେ ଆପଣଙ୍କ ପାଦ ଦେଇ ମୋତେ କୃତ୍ଯକୃତ୍ଯ କରାନ୍ତୁ । ଏହା କହି ଗୁହ କାନ୍ଦିବାରେ ଲାଗିଲା । ଗୁହକୁ କାନ୍ଦିବାର ଦେଖି ଶ୍ରୀରାମଙ୍କ ଆଖିରେ ଅଶ୍ରୁ ଉଛୁଳିଲା । ଶ୍ରୀରାମ ସଙ୍ଗେ ସଙ୍ଗେ ଯାଇ ପିତା ଦଶରଥଙ୍କୁ ବିନୟ ହୋଇ କହିଲେ ପିତା, ମୁଁ ଆପଣଙ୍କୁ ଏତିକିମାତ୍ର ମାଗୁଛି ଯେ ଆପଣ ଏହି ଶବରକୁ ବନ୍ଧନରୁ ମୁକ୍ତି କରିଦିଅନ୍ତୁ । ଶ୍ରୀରାମଙ୍କର ଏପରି ବିନୟପୂର୍ଣ୍ଣ କଥା ଶୁଣି ଦଶରଥ କହିଲେ ତୁ ଚାହିଁଲେ ମୁଁ ମୋ ମୁଣ୍ଡ କାଟି ଦେଇପାରେ । ଆଉ ଏହି ସାମାନ୍ୟ କଥାକୁ ତୋର ଏତେ ବିନୟ କାହିଁକି ? ହଉ ହେଲା ଏହି ଶବରକୁ ମୁଁ ତୋ ହାତରେ ଛାଡିଦେଲି । ତୁ ତାକୁ ମୁକ୍ତ କର । ତହୁଁ ଶ୍ରୀରାମ ଆସି ଗୁହ ଶବରକୁ ନିଜ ହାତରେ ଫିଟାଇଦେଲେ ଓ ଅଗ୍ନି ଜଳାଇ ଅଗ୍ନିଙ୍କୁ ସାକ୍ଷୀରଖି ଗୁହ ଶବର ସହିତ ହାତଧରାଧରି ହୋଇ ମିତ୍ର ବସିଲେ । ଗୁହକୁ ଶ୍ରୀରାମ କହିଲେ ଆଜିଠାରୁ ଆମ ଦୁହିଁଙ୍କ ମଧ୍ଯରେ କୌଣସି ଭେଦ ରହିବ ନାହିଁ । ଆଜିଠାରୁ ଆମେ ଦିହେଁ ଏକ ଆତ୍ମା । ତହୁଁ ଗୁହ ଶବର ଶ୍ରୀରାମଙ୍କ ପାଦରେ ପ୍ରଣିପାତ କରି ନିଜ ଘରକୁ ଗଲା । ଏହାପରେ ଶ୍ରୀରାମ ପିତାଙ୍କ ସହିତ ଗଙ୍ଗାନଦୀ କୂଳରେ ପହଞ୍ଚି ଗଙ୍ଗାସ୍ନାନ କଲେ । ପୁତ୍ରମାନଙ୍କ ମଙ୍ଗଳ କାମନାରେ ଦଶରଥ ସେଠାରେ ବହୁ ଦାନ ଦକ୍ଷିଣା ଦେଲେ । ଏହାପରେ ଶ୍ରୀରାମଙ୍କୁ ସଙ୍ଗରେ ଘେନି ଅନ୍ଯମାନଙ୍କ ସହିତ ଦଶରଥ ଅଯୋଧ୍ୟାକୁ ଫେରିଆସିଲେ । 



Rate this content
Log in