Narendra Prasad Behera

Others

2  

Narendra Prasad Behera

Others

ରାକ୍ଷସ ନିଧନ

ରାକ୍ଷସ ନିଧନ

3 mins
451


*ରାମାୟଣରୁ କିଛି..........୩୬*


*ରାକ୍ଷସମାନଙ୍କୁ ନିଧନ କରିବା ପାଇଁ ସ୍ବୟଂ ନାରାୟଣ ରାମ ରୂପରେ ନରଜନ୍ମ ଗ୍ରହଣ କରିଛନ୍ତି ବୋଲି କିଏ କାହାକୁ କେତେବେଳେ କହିଥିଲେ*


ବିଶ୍ବାମିତ୍ର ରାମଙ୍କୁ ୧୦ ଦିନ ପାଇଁ ମାଗିବା ଶୁଣି ଦଶରଥ ନିଜ ମୁଣ୍ଡରେ ବଜ୍ରପାତ ହେଲା ଭଳି ଅନୁଭବ କରି ମୂର୍ଚ୍ଛାହୋଇ ପଡିଗଲେ । ପରିଜନମାନେ ସିଞ୍ଚାବିଞ୍ଚାକରିବାରୁ ତାଙ୍କ ଚେତା ଫେରିଲା । ଦଶରଥ କ୍ଷୀଣସ୍ବରରେ କହିଲେ-ମୁନିବର, ମୋ ରାମ ପିଲାଟିଏ ମାତ୍ର । ତା'ର ବୟସ ବର୍ତ୍ତମାନ ମାତ୍ର ପନ୍ଦର ବର୍ଷ । ଏତେ ଅଳ୍ପବୟସରେ ସେ ଯେ ଦୁର୍ଦ୍ଧଷ ଓ ମାୟାବୀ ରାକ୍ଷସ ରାକ୍ଷସୀମାନଙ୍କୁ ନାଶ କରିପାରିବ ଏହା ସମ୍ଭବ ନୁହେଁ । ମୁଁ ପିଣ୍ଡ ମାତ୍ର,ରାମ ହିଁ ମୋର ଜୀବନ । ତାକୁ ମୁଁ ଆପଣଙ୍କ ସହିତ ଛାଡିପାରିବି ନାହିଁ । ଏହା ଶୁଣି ବିଶ୍ବାମିତ୍ରମୁନି କ୍ରୋଧାନ୍ବିତ ହୋଇ କହିଲେ- ହେ ରାଜା ଦଶରଥ । ତୁମ୍ଭେ ନିଜ ମୁଖରେ ସତ୍ଯକରି ବର୍ତ୍ତମାନ ସତ୍ଯଭଗ୍ନ କରୁଛ ? ତୁମ୍ଭେ ଯଦି ତୁମ ସତ୍ଯ ଭଗ୍ନ କରିବାକୁ ଚାହୁଁଛ ତେବେ ମୁଁ ଏଇ ମୁହୂର୍ତ୍ତରେ ଏଠାରୁ ଫେରିଯିବି । ବିଶ୍ବାମିତ୍ରଙ୍କ କ୍ରୋଧମୟ ବାଣୀରେ ଆକାଶ ପୃଥିବୀ କମ୍ପିଗଲା । ଏହି ସମୟରେ ବଶିଷ୍ଠମୁନି ପରିସ୍ଥିତି ବୁଝିପାରି ଦଶରଥଙ୍କୁ କହିଲେ -ତୁମ୍ଭେ ମନରେ କିଛି ଭାବନା ନକରି ତୁମ ସତ୍ଯ ରକ୍ଷାକର । ରାମକୁ ବିଶ୍ବାମିତ୍ରମୁନିଙ୍କ ସହିତ ପଠେଇଦିଅ । ତହୁଁ ଦଶରଥ ଉଆସ ଭିତରକୁ ଗଲେ । ରାମ ଲକ୍ଷ୍ମଣଙ୍କ ପରିବର୍ତ୍ତେ ସେ ଭରତ ଶତ୍ରୁଘ୍ନଙ୍କୁ ରାମ ଲକ୍ଷ୍ମଣ ଵୋଲି ବିଶ୍ବାମିତ୍ରଙ୍କୁ କହି ତାଙ୍କ ସହିତ ଭରତ ଶତ୍ରୁଘ୍ନଙ୍କୁ ପଠେଇଦେଲେ । ରାମ ଲକ୍ଷ୍ମଣ ଵୋଲି ଭରତ ଶତ୍ରୁଘ୍ନଙ୍କୁ ସଙ୍ଗରେ ନେଇ ବିଶ୍ବାମିତ୍ର ଆସି ସରଯୂନଦୀ ତୀରରେ ପହଞ୍ଚିଲେ । ସେ ଦୁହିଁଙ୍କୁ ସେଠି ବିଶ୍ବାମିତ୍ର କହିଲେ- ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଏଠାରୁ ଦୁଇଗୋଟି ବାଟ ପଡିଛି । ଗୋଟିଏ ବାଟରେ ଗଲେ ଆମେ ତିନି ଦିନରେ ପହଞ୍ଚିବା । ଏହି ବାଟଟି ହେଉଛି ନିରାପଦ । ଏ ବାଟରେ ଗଲେ କୌଣସି ବାଧା ବିପଦ ପଡିବ ନାହିଁ । ଅନ୍ଯ ବାଟଟିରେ ଗଲେ ଆମେ ତିନି ପ୍ରହରରେ ପହଞ୍ଚିବା,ତେଣୁ ବହୁତ ଶୀଘ୍ର ପହଞ୍ଚିବା । କିନ୍ତୁ ଏ ବାଟରେ ତାଡକୀ ଅସୁରୀ ଜଗିରହିଛି । ସିଏ ତ ଋଷିମାନଙ୍କୁ ଦେଖିଲେ ଖାଇଯାଏ । ତେଣୁ କେଉଁ ବାଟରେ ଯିବା ? ବିଶ୍ବାମିତ୍ରଙ୍କ କଥା ଶୁଣି ଭରତ କହିଲେ-ଯେଉଁ ବାଟରେ ବିପଦ ରହିଛି ସେ ବାଟରେ ଯିବା ନାହିଁ । ଯେଉଁ ବାଟରେ ବିପଦ ନାହିଁ ସେ ବାଟରେ ତିନି ଦିନ ଲାଗୁ ପଛକେ ସେହି ବାଟେ ଯିବା । ବିଶ୍ବାମିତ୍ର କହିଲେ ଏମାନେ ବିପଦକୁ ଡରୁଛନ୍ତି । ରାମ ତ ଡରିବାର କଥା ନୁହେଁ । ତେଣୁ ଏ କେହି ରାମ ନୁହଁନ୍ତି । ତେଣୁ ସଙ୍ଗେ ସଙ୍ଗେ ଯୋଗରେ ବସି ବିଶ୍ବାମିତ୍ରମୁନି ଜାଣିପାରିଲେ ଯେ ରାଜା ଦଶରଥ ତାଙ୍କ ପ୍ରତି କପଟ କରିଛନ୍ତି । ରାମ ଲକ୍ଷ୍ମଣ ବୋଲି କହି ଭରତ ଶତ୍ରୁଘ୍ନଙ୍କୁ ପଠାଇଛନ୍ତି । ଯୋଗବଳରେ ଏକଥା ଜାଣିପାରି ବିଶ୍ବାମିତ୍ରମୁନି ଭରତ ଶତ୍ରୁଘ୍ନଙ୍କୁ ସଙ୍ଗରେ ଘେନି ସେଇଠୁ ଫେରିଲେ । ଅଯୋଧ୍ୟାରେ ପହଞ୍ଚି କ୍ରୋଧନେତ୍ରରେ ଚାହିଁ ଦିଅନ୍ତେ ବହୁ ପ୍ରଜାଙ୍କର ଘର ପୋଡିଗଲା । ସେହି ପ୍ରଜାମାନେ ବିକଳରେ ଧାଇଁ ଆସି ରାମଙ୍କୁ କହିଲେ -ବିଶ୍ବାମିତ୍ର କ୍ରୋଧ ନେତ୍ରରେ ଚାହିଁବାରୁ ଆମ ଘରସବୁ ପୋଡିଗଲା । ସତ୍ଯ ଭଗ୍ନକରି ରାଜା ଦଶରଥ କପଟରେ ଭରତ ଶତ୍ରୁଘ୍ନଙ୍କୁ ପଠାଇ ଥିବାରୁ ମୁନିଙ୍କର ଏହି କ୍ରୋଧ । କଥା ହୋଇଥିଲା । ଆପଣଙ୍କୁ ନେବାପାଇଁ । 

   କେତେକ ପ୍ରଜାଙ୍କ ମୁଖରୁ ଏପରି କଥା ଶୁଣି ରାମ ମହର୍ଷି ବିଶ୍ବାମିତ୍ରଙ୍କୁ ଖୋଜିବାକୁ ଧାଇଁଲେ । ସିଂହଦ୍ବାର ପାଖରେ ବିଶ୍ବାମିତ୍ରଙ୍କୁ ପାଇ ରାମ ବିଶ୍ବାମିତ୍ରଙ୍କ ପାଦରେ ପ୍ରଣିପାତ କଲେ ଓ ହାତଯୋଡି କହିଲେ- ମୁଁ ହେଉଛି ରାଜା ଦଶରଥଙ୍କ ଜ୍ଯେଷ୍ଠପୁତ୍ର ରାମ । ପିତୃସତ୍ଯ ରକ୍ଷାକରିବା ପାଇଁ ପିତାଙ୍କୁ କହି ମୁଁ ନିଶ୍ଚୟ ଆପଣଙ୍କ ସହିତ ଯିବି ଓ ରାକ୍ଷସମାନଙ୍କୁ ବିନାଶ କରିବି । ପ୍ରଜାମାନେ ନିର୍ଦ୍ଦୋଷ । ତେଣୁ ସେମାନଙ୍କ ଉପରେ ଆପଣ କୋପଦୃଷ୍ଟି ନ ପକେଇବା ପାଇଁ ମୋର ଆପଣଙ୍କଠାରେ ନିବେଦନ । ରାମଙ୍କ ମୁଖରୁ ଏହା ଶୁଣି ମହର୍ଷି ବିଶ୍ବାମିତ୍ର ଶାନ୍ତ ହେଲେ ଓ ସେ ଅମୃତ ଦୃଷ୍ଟିରେ ଚାହିଁଦେବାରୁ ପ୍ରଜାମାନଙ୍କ ପୋଡିଯାଇଥିବା ଘରସବୁ ନୂଆ ହୋଇଗଲା ଓ ନଷ୍ଟ ହୋଇଥିବା ଧନସମ୍ପତ୍ତି ପୁଣି ଲେଉଟିଆସିଲା । ସମ୍ବାଦ ପାଇ ରାଜା ଦଶରଥ ଧାଇଁଆସିଲେ ଓ ମହର୍ଷି ବିଶ୍ବାମିତ୍ରଙ୍କୁ ପ୍ରଣିପାତ କଲେ । ମହର୍ଷି ବିଶ୍ବାମିତ୍ର ଦଶରଥଙ୍କୁ କହିଲେ- ଶୁଣ ଅଯୋଧ୍ୟାପତି,ତୁମେ ଚିନ୍ତାନକରି ରାମଙ୍କୁ ମୋ ସହିତ ପଠାଅ । ରାକ୍ଷସମାନଙ୍କୁ ନିଧନ କରିବା ପାଇଁ ସ୍ବୟଂ ନାରାୟଣ ରାମ ରୂପରେ ନରଜନ୍ମ ଗ୍ରହଣ କରିଛନ୍ତି । ତେଣୁ କେହି ତାଙ୍କର କ୍ଷତି କରିପାରିବେ ନାହିଁ । ରାମ ଅଜେୟ । ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ । ତାଙ୍କୁ କେହି ବଧ କରିପାରିବେ ନାହିଁ । 


*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*


రచనకు రేటింగ్ ఇవ్వండి
లాగిన్