Satyabati Swain

Children Stories

3  

Satyabati Swain

Children Stories

ରାକ୍ଷୀ

ରାକ୍ଷୀ

3 mins
62



ଟିନା ଆଖିରେ ଅୟୁତ ପ୍ରଶ୍ନ ।


ଜେଜେମା ଓ ଜେଜେବାପା ପାଖ ଛାଡୁ ନାହିଁ ଆସିଲା ଦିନୁ । କରୋନା ପାଇଁ ସ୍କୁଲ ବନ୍ଦ । ଏଣୁ ଏଇଥରକ ଲମ୍ବା ଛୁଟିରେ ଅଛନ୍ତି ପିଲାମାନେ । ଆଠ ବର୍ଷ ଭିତରେ ଆମେ ଟିକେ ମନ ଭରି ପୁଅ ବୋହୁ ଓ ନାତୁଣୀ ନାତି ସଙ୍ଗେ ଦିନ ବଞ୍ଚୁଛୁ । ନାତି ଟିକୁ କୁ ଦୁଇ ବର୍ଷ ପୁରିଲା । ଟିନା ପାଇଁ ଏ ଗାଉଁଲି ଜୀବନ ସମ୍ପୂର୍ଣ୍ଣ ନୂଆ । ଆଠ ବର୍ଷ ହେଲାଣି ତାକୁ । 

ପ୍ରତି ବର୍ଷ ରଜ ତିନି ଦିନ ତା ବାପା ମା ସଂଗେ ଆସେ । ଘୁମେଇଁ ପଡି ଆଖି ଖୋଲିଲା ପରି ତାଙ୍କ ଆସିବା ଲାଗେ । ହାଇଦ୍ରାବାଦରେ ସଫ୍ଟୱେର ଇଞ୍ଜିନିୟର ନିକି,ନିଖିଳ ଆମ ପୁଅ । ବୋହୁ ଇଭା ବି ସେଇଠି ଗୋଟିଏ କମ୍ପାନୀରେ ପ୍ରୋଜେକ୍ଟ ଡିଜାଇନର୍ । ଅନ୍ୟ ପୁଅ ବୋହୁ ପରି ସେମାନେ ନୁହନ୍ତି । ବର୍ଷକୁ ନିଶ୍ଚିନ୍ତ ଥରେ ରଜକୁ ଆସନ୍ତି ।

 ଇଞ୍ଜିନିୟର ହେଲେ ବି ଏବେ ନିକି ତା ବାପା ସଂଗେ ବିଲକୁ ଯାଉଛି ତା ଅନ ଲାଇନ୍ କାମରୁ ଫୁରୁସତ ପାଇଲେ । ଠିକ୍ ରେ କିଛି ଚାଷ କାମ ଆସୁନି ତାକୁ । କିନ୍ତୁ ଶିଖିବା ଆଗ୍ରହ ତା ଭିତରେ ଭରପୁର । କହୁଥିଲା ବାପା " ଟିନା ଓ ଟିକୁ ଟିକେ ବଡ଼ ହୋଇଗଲେ ଆମେ ତାଙ୍କୁ ହଷ୍ଟେଲରେ ଛାଡି ଗାଁ କୁ ଆସି ସେ ପୋଖରୀ ଉପର ବଡ଼ କିଆରୀରେ ପରିବା ଚାଷ କରିବୁ । ଏବେ ତଟକା ପରିବାର ଭାରି ଚାହିଦା । ନିକି ବାପା ଟିକେ ହସି ଦେଇ କୁହନ୍ତି ହେଉ ସେତେବେଳେକୁ ଦେଖିବା ।  


ମୁଁ ଗୁହାଳେ ଚିତା ଆଙ୍କୁଛି । ଟିନା ମୋ ପାଖେ ଥାଇ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଛି ।


ଜେଜେମା ତୁମେ ଏଠି ଏମିତି କାଇଁ କରୁଛ?ଏସବୁ କି ଚିତ୍ର । ଚିତ୍ର ନା କାର୍ଡ ବୋର୍ଡ଼ କି ଡ୍ରଇଂ ସିଟ୍ ରେ କରନ୍ତି । ତୁମେ କାନ୍ଥରେ କାଇଁ କରୁଛ?


କାଲି ପରା ଗହ୍ମା ପୂର୍ଣ୍ଣିମା ।


ଗହ୍ମା ପୂର୍ଣ୍ଣିମା କଣ?


ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା କୁହନ୍ତି ।


ଓ ରାକ୍ଷୀ ! ମୁଁ ମୋ କୁନି ଭାଇ ହାତରେ ଯେଉଁ ରାକ୍ଷୀ ବାନ୍ଧେ ।


ହଁ ।


କିନ୍ତୁ ମାମା ତ ଏମିତି କିଛି କରନ୍ତିନି?


ତୁମ ସହରରେ ଗୁହାଳ ଅଛି ନା ଗାଈ ଗୋରୁ । ଆମର ଗାଁ ରେ ଗୁହାଳ ଓ ଗାଈ ଗୋରୁ ଥିବାରୁ ସିନା ଏସବୁ ହେଉଛି ।


ଏ ଚିତ୍ର ନାଁ କଣ?


ଏଇଟା ହଳ,ଇଏ ବଳଦ, ସେ ଗାଈ,ସେଇଟି ମଇ ଓ ଯୁଆଳି । ଏସବୁ ଚାଷ କାମରେ ଲାଗେ ।


ଆଉ କଣ ହୁଏ ରାକ୍ଷୀରେ ଜେଜେମା ?


ପ୍ରତି ବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମା ପୁର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଏହି ଦିନ ବଳଭଦ୍ର ଠାକୁର ଜନ୍ମ ହୋଇଥିଲେ । ଲଙ୍ଗଳ ବଳଭଦ୍ର ଠାକୁରଙ୍କ ଆୟୁଧ । ଏହି ଦିନ ଗାଈ ଗୋରୁଙ୍କୁ ପୂଜା କରାଯାଏ । ହଳଦୀ ସିନ୍ଦୁର ତାଙ୍କ ମଥାରେ ଲଗାଇ ବେକରେ ଫୁଲମାଳ ଦିଆ ଯାଏ । ଘରେ ହୋଇଥିବା ଏଣ୍ଡୁରି ପିଠା ଆସି ଏମାନଙ୍କ ପାଖେ ଭୋଗଲାଗେ ।


ସୋ ସୁଇଟି ଜେଜେମା । ଆଉ କଣ ହୁଏ ରାକ୍ଷୀ ଦିନ?


ଆମ କୁଳ ପୁରୋହିତ ଆଣି ପଇତା ଆଣି ଦିଅନ୍ତି ।


ପ ଇ ତା କଣ ?


କୁହାଯାଏ ଗୋଟେ ବଡ଼ ମଣିଷ ଖିଆ ରାକ୍ଷସ ଥିଲା । ସେ ଗୋଡ଼ାଇ ଗୋଡ଼ାଇ ସବୁ ମଣିଷଙ୍କୁ ମାରି ଖାଇ ଦେଉଥିଲା । କିନ୍ତୁ ବ୍ରାହ୍ମଣଙ୍କୁ ମାରୁ ନଥିଲା । ସେଥି ପାଇଁ ପଇତା ପକାଇ ଲୋକେ ବ୍ରାହ୍ମଣ ହୋଇ ସେ ରାକ୍ଷସ ଠାରୁ ରକ୍ଷା ପାଇଥିଲେ ।


ଓଃ ଶୋ ଇଣ୍ଟରେଷ୍ଟିଙ୍ଗ ଜେଜେମା ।


ଏବର୍ଷ ତ କରୋନା ହୋଇଛି ଯେ ସବୁ ବନ୍ଦ । ନହେଲେ ମୋ ନାତି,ନାତୁଣୀ ଙ୍କ ବେକରେ ନନା ଆଜି ପଇତା ପକାଇଥାନ୍ତେ ।


ଓଃ ମୁଁ ବି ପଇତା ପକାଇଥାନ୍ତି ଏ ବର୍ଷ । ମଜା ହୋଇଥାନ୍ତା । ଜେଜେମା ଆଉ କଣ କଣ ହୁଏ?


ଏଇ ରାକ୍ଷୀ ପୂର୍ଣ୍ଣିମାଟି ଆମ ଦେଶର ଗୋଟିଏ ଗଣ ପର୍ବ । ଏହା ଭାଇଚାରା ଶିଖାଏ । ରାକ୍ଷୀ ପବିତ୍ର ନିରୁତା ବନ୍ଧନର ପ୍ରତୀକ । ଦେଶରେ ସମସ୍ତେ ଖୁସିରେ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ଆମ ଓଡ଼ିଶାରେ ଭଉଣୀ ମାନେ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ଭାଇକୁ ବସାଇ ବନ୍ଦାପନା କରନ୍ତି ଦୁବଅରୁଆ ଚାଉଳ ପକାଇ । ସିନ୍ଦୁର ଲଗାଇ ଦିଅନ୍ତି କପାଳରେ । ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଦିଅନ୍ତି ।


ଏହାର ଅର୍ଥ ରାକ୍ଷୀ ତା ଭାଇର ରକ୍ଷା କବଚ ହେଉ । ସୁସ୍ଥ, ଖୁସି,ଦିର୍ଘାୟୁ ଓ ସର୍ବ ମଙ୍ଗଳରେ ତା ଭାଇ ସବୁବେଳେ ରହୁ ବୋଲି ପ୍ରାର୍ଥନା କରେ ଠାକୁରଙ୍କ ପାଖରେ ଭଉଣୀ। ଏ କଥା ବି ଆଶା କରେ ଭାଇ ବଡ଼ ଓ ସଶକ୍ତ ହୋଇ ଭଉଣୀକୁ ସୁରକ୍ଷା ଦେବ । ତାକୁ ସବୁ ବିପଦ ଆପଦରୁ ରକ୍ଷା କରିବ ।


ତାହେଲେ ଟିକୁ ର ଭଲ ପାଇଁ ମୁଁ ତା ହାତରେ ରାକ୍ଷୀ ବାନ୍ଧେ?


ହଁ ଟିନା ।


ବଡ଼ ହୋଇ ସେ ମୋ ଭଲ ମନ୍ଦ ବୁଝିବ?


ହଁ ରେ ଗେହ୍ଲା ।


ବାଃ ଖୁବ୍ ସୁନ୍ଦର ପର୍ବ ତ ଏଇ ରାକ୍ଷୀ ପୂର୍ଣ୍ଣିମା !


ଟିକୁ ବି କଣ ବୁଝୁଥିଲା କେଜାଣି ତାଳି ମାରି ହସୁଥିଲା ।



Rate this content
Log in