Deepak Sarangi

Others

3  

Deepak Sarangi

Others

ପୁପୁ ଓ ବେଲୁନ ବାଲା

ପୁପୁ ଓ ବେଲୁନ ବାଲା

3 mins
444




ବଜାର ଉପରେ ଗୋଟେ ବେଲୁନ୍ ବାଲାକୁ ଦେଖି ୭ବର୍ଷ ର ପୁପୁ ରହିଗଲା କିଛି କ୍ଷଣ । ନାଲି,ନୀଳ,ହଳଦିଆ,ସବୁଜ ଆଦି ରଙ୍ଗବେରଙ୍ଗର ବେଲୁନ ବଡ ସୁନ୍ଦର ଭାବରେ ତା ଉପରେ ସବୁ କାର୍ଟୁନର ଚିତ୍ର ଅଙ୍କI ହୋଇଛି । ବେଲୁନ ବାଲା ସେଥିରେ ପବନ ପୁରେଇଲା ମାତ୍ରେ ଆପେ ଆପେ ଉପରକୁ ଉଠି ଯାଉଛି । ତା ଚାରି ପାଖରେ ତା ଭଳି ଆହୁରି କେତେ ଛୋଟ ଛୋଟ ପିଲା ମାନଙ୍କର ଭିଡ ଲାଗିଛି । ପକେଟ୍ ଅଣ୍ଡାଳିଲା ପୁପୁ । ପକେଟରେ ଗୋଟେ ଦୁଇ ଟଙ୍କିଆ କଏନ୍ । ପଇସା କୋଉଠୁ ଆଣିବ ସେ । ବାପା ତା’ର ମାଲଗୋଦାମ ରେ ଟଲି ଟାଣି ଯାହା ରୋଜଗାର କରୁଛି ରାତିରେ ସବୁ ମଦରେ ଉଡେଇ ଦଉଛି । ମା ତା’ର ପର ଘର ବାସନ ମାଜି ଯେତିକି ଯାହା ଆଣେ ତାକୁ ମଧ୍ୟ ବାପା ତାର ଚୋରି କରି ନେଇ ଯାଉଛି । ତା ଭାଗ୍ୟରେ ଏ ପିଲା ମାନଙ୍କ ଭଳି ମଉଜ ମସ୍ତି କାଇଁ । ଏମିତି ଭାବି ଭାବି ସେ ଯାଇ ବେଲୁନ ବାଲା ପାଖରେ ପହଞ୍ଚିଲା । ତାକୁ ସେ ହଳଦିଆ ରଙ୍ଗର ଛୋଟା ଭୀମ ବେଲୁନ ମାଗିଲା । ବେଲୁନ ବାଲା କହିଲା “ଏଇଟା ୨୦ ଟଙ୍କା । ପଇସା ଅଛି ଯଦି କିଣି କି ନେ, ନହେଲେ ଯା ଏଠୁ” । ମୁଣ୍ଡ ଆଉଁସି ପୁପୁ ସେଇଠୁ ପଳେଇ ଆସିଲା ବେଳକୁ କିଛି ସମୟ ପରେ ସେ ବେଲୁନ ବାଲା ପୁଣି ତାକୁ ପଛରୁ ଡାକିଲା କହିଲା “ହଉ ହଉ ନେ ଏ ବେଲୁନ କିନ୍ତୁ ମୁଁ କାଲି ଠିକ ଏଇ ଜାଗାରେ ଛିଡା ହେଇଥିବି ମୋତେ ଆଣି ତୁ ମୋ ଟଙ୍କା ଦେଇ ଯିବୁ” । ପୁପୁ ଖୁସିରେ ତା ପାଖରେ ଥିବା ଦୁଇ ଟଙ୍କିଆ କଏନ୍ ଟି କାଢି କି ତାକୁ ଦେଲା । ଆଉ କଥା ଦେଇ କି ଗଲା ଯେ କାଲି କି ଯେମିତି ହେଲେ ସେ ତା ଅବଶିଷ୍ଟ ଅଠର ଟଙ୍କା ତାକୁ ଆଣି ଦେଇ ଯିବ ବୋଲି ।


ତା’ପର ଦିନ ବେଲୁନ ବାଲା ଆସି ସେଇ ଜାଗାରେ ଛିଡା ହେଇ ବେଲୁନ ବିକ୍ରି କରୁଥାଏ । ମନେମନେ ସେ ପୁପୁକୁ ଖୋଜୁ ଥାଏ । ରାତି ହୋଇ ଆସିଲାଣି । ବେଲୁନ ବାଲା ଭବିଲା ଯେ ସେ ମେଞ୍ଚଡ ଟୋକା ଟା ବୋଧେ ତାକୁ ଠକି ଦେଇ କୋଡିଏ ଟଙ୍କିଆ ବେଲୁନକୁ ଦୁଇ ଟଙ୍କାରେ ନେଇ ଛୁ ମାରିଲା । ତାକୁ ଆଉ ଅପେକ୍ଷା ନ କରି ବେଲୁନ ବାଲା ଘରକୁ ବାହାରିଲା ବେଳକୁ ବେଲୁନ ବାଲା ମଉସା ବୋଲି କିଏ ଜଣେ ପଛରୁ ଡାକିଲା । ଆରେ ଏ କଣ ଏ ତ ସେଇ ପିଲା । ଧଇଁସଇଁ ହେଇ ଆସି ପୁପୁ ବେଲୁନ ବାଲା କୁ ତା ଅବଶିଷ୍ଟ ପଇସା ଦେଲା । କହିଲା “ମଉସା ମୋତେ କ୍ଷମା କରି ଦେବେ ମୁଁ ଆସିବାରେ ଟିକେ ଡେରି ହେଇଗଲା । ମୋ ପାଖରେ ଆଉ ପଇସା ନ ଥିଲା ସେଥିପାଇଁ ମୁଁ ମାଲଗୋଦାମ ରେ ଆଜି ମୋ ବାପା ସହ ଅଖା ବୋଝ ଉଠେଇଲି ଆଉ ୫୦ ଟଙ୍କା ପାଇଲି । ଆପଣ ଆପଣଙ୍କ ଅବଶିଷ୍ଟ ପଇସା ରଖି ମୋତେ ଆଉ ଗୋଟେ ବଡ ବେଲୁନ୍ ଦିଅନ୍ତୁ ମୋ ସାନ ଭଉଣୀ ମିକି କି ଦେବି ସେ ମୋ ଛୋଟା ଭୀମ ବେଲୁନକୁ ଦେଖି ଜିଦି କରି ବସିଛି । ମୁଁ ବେଲୁନ ନେଇ କି ଘର କୁ ଗଲେ ଯାଇଁ ସେ ଖାଇବ” । ବେଲୁନ୍ ବାଲାର ଆଖି ଛଳଛଳ ହେଇଗଲା । ଏତେ ଛୋଟ ପିଲା ଭିତରେ ସଚୋଟତା ଦେଖି ସେ ନିଜକୁ ଧିକାର କଲା ଆଉ ଭବିଲା ଯେ ମୁଁ କଣ ଭାବି ଯାଇଥିଲି ୟେ ପିଲା ବିଷୟରେ । ପୁପୁ ମୁଣ୍ଡରେ ହାତ ବୁଲେଇ ଆଣି ବେଲୁନ ବାଲା କହିଲା “ହଉ ଦେ ମୋ ପଇସା । ଆଉ ଏ ବଡ ବେଲୁନ୍ ଟା ମୋ ତରଫରୁ ତୋ ସାନ ଭଉଣୀ ପାଇଁ ଗୋଟେ ଉପହାର ଏ ବେଲୁନ ପାଇଁ ତତେ କିଛି ପଇସା ଦବାକୁ ପଡିବନି” । କିନ୍ତୁ ପୁପୁ ସେ ସବୁ କିଛି ନ ଶୁଣି ବେଲୁନ ବାଲା ହାତରେ ଆଉ କୋଡିଏ ଟଙ୍କା ଗୁଞ୍ଜି ଦେଇ ବେଲୁନ ଧରି ଦଉଡି ପଳେଇଲା । ବେଲୁନ ବାଲା ଚାହିଁ ରହିଥାଏ ପୁପୁ ର ସେଇ ଖୁସି ଓ ଆନନ୍ଦର ମୂହର୍ତ୍ତକୁ ।



ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


Rate this content
Log in