Shakti Prasad Das

Others

3  

Shakti Prasad Das

Others

ପ୍ରକୃତିପ୍ରେମୀଙ୍କ ସ୍ବର୍ଗ - ଶିମିଳିପାଳ

ପ୍ରକୃତିପ୍ରେମୀଙ୍କ ସ୍ବର୍ଗ - ଶିମିଳିପାଳ

2 mins
228



ଶିଳାଗୃହ-ଅନ୍ଧକାରବାସୀ ମୁଁ, ଜନନି !

ଉତ୍କଳ, ନା ଥିଲି ଜାଣି, ଅଛି ଲୋ ତୋ ପୁରେ

ଏମନ୍ତ ରୂପର ଲୀଳା; ନ ବାହୁଁ ତରଣୀ

ଆଜି ଏ ଜ୍ୟୋତ୍ସ୍ନାରେ ନୀଳ ମହାନଦୀପୁରେ ||


@ x x x x x x x x x @


ହାୟ ଲୋ ଉତ୍କଳଭୂମି ! ପ୍ରକୃତି-ସୁନ୍ଦରୀ;

ମନ୍ଦାକିନୀ ସମ ନଦୀ, ଶିବ ସମ ଗିରି,

କାନନେ କେଦାରେ ଲକ୍ଷ ଶୋଭାର ବହର

ଥାଉଁ ତୋର କହ କିପାଁ ଏତେ ହତଶିରୀ ?


@ x x x x x x x x x x @


କାନନ-ଶ୍ୟାମଳ-ବାସ, ଶିଖରୀ-ମୁକୁଟ

ଚରଣ ଚୁମ୍ବଇ ମହାସାଗର ଲହରୀ, -

ଏ ବେଶେ ହୁଅଇ ଯା’ର ମହିମା ପ୍ରକଟ,

କେମନ୍ତେ ଭାବିବି ତା’ରେ ଅଭିଶପ୍ତା କରି ?



ଡଃ ମାୟାଧର ମାନସିଂହ, ‘ମହାନଦୀରେ ଜ୍ୟୋତ୍ସ୍ନା ବିହାର’

ଜୀବନରେ ଶିମିଳିପାଳ ଅରଣ୍ୟ ପରିଦର୍ଶନ କରି ନଥିଲେ କବିଙ୍କର ‘ଶ୍ୟାମଳ-କାନନ-ବାସ’ ଉକ୍ତିର ଯଥାର୍ଥ ଅନୁଭବ ଠାରୁ ଦୂରରେ ରହିଥା’ନ୍ତି | ଘଂଚ ଶାଳ ବୃକ୍ଷରାଜିରେ ପରିପୂର୍ଣ୍ଣ ଶିମିଳିପାଳ ପ୍ରକୃତିପ୍ରେମୀଙ୍କ ପାଇଁ ଯଥାର୍ଥରେ ଭୂସ୍ବର୍ଗ |

ଏହି ଅରଣ୍ୟାଂଚଳ ଓଡିଶାର ମୟୁରଭଂଜ ଜିଲ୍ଲାରେ ଅବସ୍ଥିତ | ଏହାର କ୍ଷେତ୍ରଫଳ ପାଖାପାଖି ୨୭୫୦ ବର୍ଗ କି.ମି. | ଅର୍ଥାତ୍, ଏହି ଅଂଚଳ ଓଡିଶାର ଅନେକ ଜିଲ୍ଲାଗୁଡିକ (ଯଥା, ଜଗତସିଂହପୁର, ଭଦ୍ରକ, ଝାରସୁଗୁଡା, କେନ୍ଦ୍ରାପଡା ଆଦି) ଠାରୁ ଆକାରରେ ବଡ | ଏହା ଭାରତବର୍ଷର ସର୍ବ ବୃହତ୍ ସଂରକ୍ଷିତ ବନାଂଚଳ | ଏହାର ଆଭ୍ଯନ୍ତରୀଣ ଅଂଚଳକୁ କୋର୍ (Core) ଅରଣ୍ୟ ଓ ବାହ୍ୟ ଆବରଣକୁ ବଫର (Buffer) ଅରଣ୍ୟ କୁହାଯାଏ | କୋର ଅରଣ୍ୟ ମହାବଳ ବାଘଙ୍କ ନିବାସ ସ୍ଥାନ | ଏଠାକୁ ବିଦ୍ୟୁତ୍ ଖୁଣ୍ଟି ପକାଇବାକୁ ନିୟମ ନାହିଁ | ବନ ବିଭାଗର ଯେଉଁ ଅତିଥି ଭବନ ରହିଛି, ସେଥିରେ କେବଳ ସୌରଶକ୍ତି ଚାଳିତ ବିଦ୍ୟୁତ୍ ବଲବ୍ ଓ ପଂଖା ଚାଲିପାରିବ | ଟେଲିଭିଜନ ବା ମୁଜିକ ସିଷ୍ଟମ୍ ଲଗାଯାଇନାହିଁ | ସେଠାରେ ଏଗୁଡିକର ବ୍ୟବହାର କରାଯାଇ ପାରିବ ନାହିଁ | ମୋଟାମୋଟି କହିବାକୁ ଗଲେ ସେଠାରେ ବସବାସ କରୁଥିବା ଜୀବଜନ୍ତୁଙ୍କୁ ମଣିଷର ପ୍ରାଦୁର୍ଭାବ ଅନୁଭବ ହେବା ଉଚିତ ନୁହେଁ | ପର୍ଯ୍ୟଟକମାନେ ଗାଡିର ହର୍ଣ୍ଣ ବଜାଇବାକୁ ବାରଣ କରାଯାଇଛି | ଜୀବଜନ୍ତୁ, ବିଶେଷ କରି ବାଘଙ୍କର ଗତିବିଧି ଲକ୍ଷ୍ୟ କରିବା ପାଇଁ ବିଭିନ୍ନ ଗଛରେ ସି.ସି. ଟିଭି କ୍ୟାମେରା ଲାଗିଛି |  


କୋର୍ ଅଂଚଳର ପରିବେଶ ସମ୍ପୂର୍ଣ୍ଣ ପ୍ରାକୃତିକ | ଶାଳଗଛଗୁଡିକ ସୂର୍ଯ୍ୟାଲୋକ ପାଇବା ପାଇଁ ପରସ୍ପର ସହିତ ପ୍ରତିଯୋଗିତା କରିବା ହେତୁ ଅତି ଡେଂଗା ଓ ସଳଖ ହୋଇ ବଢିଥା’ନ୍ତି | ଜଂଗଲ ମଧ୍ୟ ଦେଇ ପାହାଡିଆ ଘାଟି ରାସ୍ତାମାନ ଯାଇଛି, ଯେଉଁ ବାଟେ ପର୍ଯ୍ୟଟକମାନଙ୍କ ମୋଟର ଯାନ ଯାଏ | ବର୍ଷା ଆରମ୍ଭ ହୋଇଗଲେ ଭୂସ୍ଖଳନ ଯୋଗୁ ଏହି ରାସ୍ତାଗୁଡିକ ବିପଦପୂର୍ଣ୍ଣ ହୋଇପଡେ | ଏଣୁ ବର୍ଷା ୠତୁ ଆରମ୍ଭ ହୋଇଗଲେ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକ ପ୍ରବେଶ କରିବା ମନା | ବର୍ଷା ସରିଲେ, ଖରାପ ହୋଇଯାଇଥିବା ରାସ୍ତାର ମରାମତି କାମ ହୁଏ | ନଭେମ୍ବର ମାସ ଶେଷ ବେଳକୁ ପୁଣି ଶିମିଳିପାଳକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଏ | ପର୍ଯ୍ୟଟନ ପାଇଁ ଶୀତ ୠତୁ ପ୍ରକୃଷ୍ଟ | ନୂଆ ବର୍ଷ ସମୟରେ କୋର୍ ଅଂଚଳରେ ତାପମାତ୍ରା ଦୁଇ ବା ତିନି ଡିଗ୍ରୀ ସେଲସିୟାସକୁ ଖସିଆସେ |

‘ଚିଲିକା’ କାବ୍ୟରେ କବିବର ରାଧାନାଥ ଉଲ୍ଲେଖ କରିଥିବା ମେଘାସନ ପର୍ବତ ଶିମିଳିପାଳର ଅଂଶ | ଏହା ଏକ ଉଚ୍ଚ ଏବଂ ବିସ୍ତୃତ ପର୍ବତଶ୍ରେଣୀ | ବରେହିପାଣି ଜଳପ୍ରପାତ ଏହି ପର୍ବତରାଜିର ଶୋଭାବୃଦ୍ଧି କରୁଅଛି | ଶିମିଳିପାଳର ଯୋରନ୍ଦା ଠାରେ ଆଉ ଏକ ଜଳପ୍ରପାତ ରହିଛି | ଜଳପ୍ରପାତଗୁଡିକର ଶୋଭା ଅତ୍ଯନ୍ତ ମନୋରମ | ଓଡିଶାରେ ପ୍ରବାହିତ ବୁଢାବଳଂଗ, ଖଡଖାଇ, ଖଇରୀ, ଭଣ୍ଡନ, ପଶ୍ଚିମ ଦେଓ, ପୂର୍ବ ଦେଓ, ସାଳନ୍ଦୀ ଆଦି ନଦୀମାନ ଏହି ଶିମିଳିପାଳ ଅରଣ୍ୟରେ ଥିବା ପର୍ବତରାଜିରୁ ଉତ୍ପନ୍ନ ହୋଇଛନ୍ତି |


ନିଜେ ନ ଦେଖିଲେ, ଶିମିଳିପାଳର ପ୍ରକୃତ ଶୋଭା ଅନୁଭବ କରିହେବ ନାହିଁ | ଜଣେ ବନ୍ଧୁଙ୍କ ଆତିଥ୍ୟରୁ ମୁଁ କେତେ ବର୍ଷ ତଳେ ଏହାର ସୁଯୋଗ ପାଇଥିଲି | ୧୯୮୪ ମସିହାରୁ ଏହା ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି | 


ଓଡିଶାର ଅନେକ ଅଂଚଳ ଏହିପରି ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ | ଆସନ୍ତୁ, ଏହି ପର୍ଯ୍ୟଟନ ୠତୁରେ ଏହି ନୈସର୍ଗିକ ଶୋଭାର ଆନନ୍ଦ ନେବା ଓ ସେଥିପାଇଁ ବହିରାଗତ ଅତିଥିମାନଙ୍କୁ ଉତ୍ସାହିତ କରିବା |




Rate this content
Log in