ପ୍ରଜାତି
ପ୍ରଜାତି


କୌଣସି ଏକ ନଗରରେ ଏକଦା ଜଣେ ରାଜା ଥିଲେ । ରାଜାଙ୍କ ସୁଶାସନରେ ପ୍ରଜାଜନମାନେ ବେଶ୍ ସୁଖି ଥିଲେ । ଧନଧାନ୍ୟ ରେ ପରିପୂର୍ଣ୍ଣ ରାଜ୍ୟଟିରେ ଦୁଧଦହିର ନଦୀ ବୋହୁଥିଲା । ଜଣେ ହେଲେ କେହି ଗରିବ ଅଥବା ଭିକାରୀ ଦେଖିବାକୁ ମିଳୁ ନଥିଲେ । ନିଜର ବଂଶ ପ୍ରଜାତି ଉପରେ ଅଭିମାନ ଆସିଲା ତାଙ୍କ ମନରେ । ଟିକେ ଟିକେ ସ୍ଵେଚ୍ଛାଚାରିତା ଆଡ଼କୁ ସେ ଗତି କରିବାକୁ ଆରମ୍ଭ କଲେ । ବୟୋବୃଦ୍ଧ ଅସାଧାରଣ ବୁଦ୍ଧି ସମ୍ପନ୍ନ ପ୍ରଧାନମନ୍ତ୍ରୀ ପ୍ରମାଦ ଗଣିଲେ । ଶାସକ ସ୍ଵେଚ୍ଛାଚାରି ହେଲେ ରାଜ୍ୟର ପତନ ଅବଶ୍ୟମ୍ଭାବି । ସେ ତାଙ୍କୁ ବାଟକୁ ଆଣିବା ପାଇଁ ଉପାୟ ପାଞ୍ଚିଲେ ।
ଦିନେ ଜଣେ ଭିକାରୀ ଭଳି ଦିଶୁଥିବା ଲୋକଟିଏ ତାଙ୍କୁ ଭେଟିଲା । ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀ ପଚାରିଲେ ,
- ରାଜ୍ୟରେ ତ ଭିକାରୀ ନାହାନ୍ତି , ତୁମେ କିଏ କିହୋ ?
- ଓଳଗୀ ମହାଶୟ , ମୁଁ ପଡୋଶୀ ରାଜ୍ୟର ଏକ ସାଧାରଣ ପ୍ରଜା । ସେ ରାଜ୍ୟର ଅଭାବ ଅନାଟନରେ ବ୍ୟାକୁଳ ହୋଇ ମୁଁ ଆସିଛି ଚାକିରୀ ଅନ୍ଵେଷଣରେ ।
- ହଇହୋ , ତୁମେ କି କାମ କରି ପାରିବ ?
- ମୁଁ ମଣିଷ ହେଉ କିମ୍ବା ପଶୁପକ୍ଷୀ ହେଉ ସମସ୍ତଙ୍କର ସଠିକ ପ୍ରଜାତି ଗଣନା କରି ପାରିବି ।
ମହାମନ୍ତ୍ରୀ ଖୁସି ହୋଇ ତାକୁ ନେଇ ରାଜାଙ୍କ ଛାମୁରେ ହାଜର ହେଲେ ମନରେ ଗୂଢ ଉଦ୍ଦେଶ୍ୟ ନେଇ ।
- ମହାରାଜଙ୍କ ଜୟ ହେଉ । ମହାରାଜ ଏ ଲୋକଟି ପଡୋଶୀ ରାଜ୍ୟରୁ କାର୍ଯ୍ୟ ଅନ୍ଵେଷଣରେ ଆସିଛି । ସେ ଯେ କୌଣସି ଜୀବର ସଠିକ କୁଳ ଓ ପ୍ରଜାତି ବିଷୟରେ କହି ଦେଇ ପାରିବ । ତାକୁ ଆମର ପଶୁଶାଳା ଓ ଅସ୍ତବଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଲେ ଉତ୍ତମ ହୁଅନ୍ତା । ଆମେ ଉଚ୍ଚ ପ୍ରଜାତିର ପଶୁ ଆମଦାନୀ କରି ପାରନ୍ତେ ।
ରାଜା ରାଜୀ ହୋଇଗଲେ । ଲୋକଟି ଚାକିରୀରେ ରହିଲା ।
ଦିନେ ରାଜା ଅସ୍ତବଲରେ ଉପସ୍ଥିତ ହୋଇ ନିଜର ପ୍ରିୟ ଘୋଡ଼ାର ପିଠି ଆଉଁସୁ ଆଉଁସୁ ପଚାରିଲେ ,
- ହଇହୋ କହିଲ , ମୋ ଘୋଡ଼ା ତୁମକୁ କେମିତି ଲାଗୁଛି ?
- ମହାରାଜ , କ୍ଷମା ଚାହୁଁଛି । ଘୋଡ଼ାଟିର ସବୁ ଭଲ , କିନ୍ତୁ ଏ ଉଚ୍ଚ ଜାତିର ଘୋଡ଼ା ନୁହେଁ । ଆପଣ ଯାହାଠାରୁ ଘୋଡ଼ା କିଣିଛନ୍ତି ତାକୁ ପଚାରି ପାରନ୍ତି ।
ରାଜା ଘୋଡ଼ା ବେପାରୀକୁ ଯାଇ ପଚାରିଲାରୁ ଜାଣିଲେ ଯେ ସତକୁ ସତ ଘୋଡ଼ାଟି ନିକୃଷ୍ଟ ପ୍ରଜାତିର । ତାଲିମ ଦେଇ ତାକୁ ଉଚ୍ଚ ପ୍ରଜାତି ଦାମରେ ବିକ୍ରୟ କରା ଯାଇଛି ।
ରାଜା ଖୁସି ହୋଇ ଲୋକଟିକୁ ପଶୁଧନ ଉପହାର ଦେଇ ନିଜର ରାଣୀ ଅନ୍ତପୁରର ଦେହରକ୍ଷୀ ନିଯୁକ୍ତ ଅଲେ ।
ଦିନେ ରାଜାରାଣୀ ବାଟିକାରେ ଭ୍ରମଣ କରୁକରୁ ଅଚାନକ ରାଜା ରକ୍ଷୀକୁ ପଚାରିଲେ ,
ମହାରାଣୀ ଙ୍କ ସ୍ଵଭାବ ଲକ୍ଷଣ କଣ କହୁଛି ତେବେ ?
ଲୋକଟି ଭୟରେ କହିଲା ,
- ଛାମୁ ଅଭୟଦାନ ଦେଲେ କହିବି ।
- ନିର୍ଭୟରେ କୁହ । ମୁଁ ଅଭୟଦାନ ଦେଉଛି ।
- ଆଜ୍ଞା ମହାରାଜ । ମହାରାଣୀ ଅତ୍ୟନ୍ତ ସୁମିଷ୍ଟ ସ୍ଵଭାବର , ଅତ୍ୟନ୍ତ ଦୟାବତୀ ଓ ଉଚ୍ଚ ମନା , କିନ୍ତୁ ସେ ଉଚ୍ଚ କୁଳର କନ୍ୟା ନୁହନ୍ତି । ଆପଣ ତାଙ୍କର ମାତାପିତାଙ୍କୁ ପୁଚ୍ଛା କରି ପାରନ୍ତି ।
ରାଜା ତତ୍କ୍ଷଣାତ୍ ନିଜର ଶ୍ଵଶୁର ଅମ
ାତ୍ୟ ରାଜାଙ୍କୁ ଡକାଇ ପଚାରିଲେ । ଜଣା ପଡିଲା ଯେ ଯେଉଁ ରାଜକୁମାରୀଙ୍କ ସହ ରାଜାଙ୍କର ବାଲ୍ୟ ବିବାହ ହୋଇଥିଲା ସେ ମରିଯାଇଥିବାରୁ ତାଙ୍କରି ଭୟରେ ନିଜର ଦାସୀକନ୍ୟାକୁ ପାଳନ ପୋଷଣ କରିଥିଲେ ଓ ଆଜି ସେହି ଦାସୀକନ୍ୟା ହିଁ ତାଙ୍କର ପାଟରାଣୀ ।
ରାଜା ତାର ଅସାମାନ୍ୟ ଜ୍ଞାନରେ ପ୍ରଭାବିତ ହୋଇ ଅନେକ ପଶୁଧନ ପୁରସ୍କାର ଦେଇ ନିଜର ମୁଖ୍ୟ ଅନୁଚର ନିଯୁକ୍ତ କଲେ ।
ଦିନେ ଖରାବେଳେ ନିଜର ପଦ ସଞ୍ଚାଳନ କରୁଥିବା ସେହି ଅନୁଚରକୁ ହସି ହସି ସେ ପଚାରିଲେ ।
- ହଇହୋ , ମୁଁ ପୁଣି କୁଳୀନ କି ନୁହେଁ ?
ଭୟରେ କାତର ହୋଇ ସେ କହିଲା ,
- ମହାରାଜ ଏ ପ୍ରଶ୍ନର ଉତ୍ତର ମୁଁ ଏହି ନିଭୃତ ପ୍ରକୋଷ୍ଠରେ ଦେଇ ପାରିବି ନାହିଁ । କିଛି ନହେଲେ , ଆପଣ ଅନ୍ତତଃ ମହାମନ୍ତ୍ରୀଙ୍କୁ ଡାକନ୍ତୁ , ତାଙ୍କ ସମ୍ମୁଖରେ ମୁଁ ରହସ୍ୟୋଦ୍ଘାଟନ କରିବି ।
ଅଗତ୍ୟା ମହାମନ୍ତ୍ରୀ ଆସିଲେ , ଅନେକ ଥର ଲୋକଟି କ୍ଷମା ଯାଚନା ପରେ କହିଲା ,
- ମହାରାଜ , ଯଦିଓ ଆପଣ ଏ ମହାନ୍ ଦେଶର ଶାସକ ଓ ସୁଶାସନ ନିମନ୍ତେ ଆପଣଙ୍କର ସୁଖ୍ୟାତି ରହିଛି , କିନ୍ତୁ କ୍ଷମା ମହାରାଜ ଆପଣ ମଧ୍ୟ କୁଳୀନ ନୁହନ୍ତି । ଆପଣ ଜାତିରେ ବଗାଳ ( ଗାଈଆଳ ) । ଆପଣ ରାଜମାତାଙ୍କ ଠାରୁ ଏହାର ଉତ୍ତର ପାଇ ପାରିବେ ।
ରାଜା ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀଙ୍କୁ ଚାହିଁଲେ , ସର୍ବଜାଣ ମନ୍ତ୍ରୀ ମୁଣ୍ଡ ପୋତି ରାଜାଙ୍କ ଠାରୁ ଦୃଷ୍ଟି ବଞ୍ଚେଇ କହିଲେ ,
- ଚାଲନ୍ତୁ ମହାରାଜ , ରାଜମାତାଙ୍କ ନିକଟକୁ ।
ରାଜମାତାଙ୍କ ଠାରୁ ଜଣା ପଡ଼ିଲା ଯେ , ରାଜା ପ୍ରକୃତରେ ରାଜବଂଶୀ ନୁହନ୍ତି । ପୂର୍ବତନ ରାଜା ନିଃସନ୍ତାନ ହୋଇଥବା ଯୋଗୁଁ ଉତ୍ତମ ଲକ୍ଷଣ ଅନୁଧ୍ୟାନ କରି ତାଙ୍କୁ ଜଣେ ଗାଈଆଳ ଠାରୁ ଆଣି ଉତ୍ତର ଦାୟାଦ ରୁପେ ପାଳନ ପୋଷଣ କରାଯାଇଥିଲା ।
ରାଜାଙ୍କର ଗର୍ବ ଚୂର୍ଣ୍ଣ ହୋଇଥିଲା । ରାଜା ଲୋକଟିକୁ ରାଜ୍ୟର ଖଜଣା ର ରକ୍ଷୀ ନିଯୁକ୍ତି ଉପରାନ୍ତେ ଅନେକ ପଶୁ ଉପହାର ଦେଇ ପଚାରିଲେ ଯେ କେଉଁ ଲକ୍ଷଣ ଦେଖି ସେ ପ୍ରଜାତି ନିର୍ଦ୍ଧାରଣ କରୁଥିଲା ।
ବିନୟ ସହକାରେ ସେ କହିଲା ,
- ମହାରାଜ , ପ୍ରଥମେ ଘୋଡ଼ା କଥା ନିଆଯାଉ , ଉଚ୍ଚ କୁଳର ଘୋଡ଼ା ମାନେ ନଡ଼। ଘାସ ପାଟିରେ ନେଇ ମୁଣ୍ଡଟେକି ଖାଆନ୍ତି , କିନ୍ତୁ ସାଧାରଣ ଘୋଡ଼ା ମାନେ , ଗାଈଗୋରୁ ଭଳି ନଡ଼।ଘାସରେ ମୁହଁ ଲଗେଇ ତଳମୁହାଁ ହୋଇ ଖାଇଚାଲନ୍ତି ।
ତାପରେ ରାଣୀଙ୍କ କଥା , ରାଣୀ ରାଜକୁଳର ଲୋକମାନଙ୍କ ସହ ମିଳାମିଶା କରିବାକୁ ଭଲ ପାଆନ୍ତି ନାହିଁ । ସେ ସଦା ସର୍ବଦା ଦାସୀମାନଙ୍କ ଗହଣରେ ରହିଥାଆନ୍ତି , ଏପରିକି ଦାସୀମାନଙ୍କ ପ୍ରକୋଷ୍ଠରେ ଯାଇ ତାଙ୍କ ସହିତ ସମୟ ଅତିବାହିତ କରନ୍ତି ।
ରହିଲା ଆପଣଙ୍କ କଥା , କୁଳୀନ ରାଜାମାନେ ପ୍ରସନ୍ନ ହେଲେ ଧନରତ୍ନ ଉପହାର ଦିଅନ୍ତି , କେବଳ ପଶୁ ସମ୍ପତ୍ତି ନୁହେଁ । ତା ଛଡ଼ା ଜାତି ଗୋତ୍ର , ଚରିତ୍ର ଜାଣି ନଥିବା ଗୁଣୀ ବ୍ୟକ୍ତିକୁ ପ୍ରସନ୍ନ ହେଲେ ରାଜ ଦରବାରରେ ନରଖି ସିଧା ରାଣୀ ଅନ୍ତପୂରର ତତ୍ତ୍ୱାବଧାନରେ ରଖନ୍ତି ନାହିଁ ।
ମନ୍ତ୍ରୀଙ୍କ ମନୋବାଞ୍ଛା ପୂରଣ ହୋଇଥିଲା । ରାଜା ପୁଣିଥରେ ସୁଶାସନରେ ପ୍ରଜାପାଳନ କଲେ ।