Sachidananda Kar

Others

2.5  

Sachidananda Kar

Others

ପ୍ରଜାପତି ଓ ପ୍ରେମ

ପ୍ରଜାପତି ଓ ପ୍ରେମ

2 mins
346


ଗୋଟେ ପ୍ରଜାପତି ପଛରେ ଧାଇଁ ଧାଇଁ ଥକି ପଡିଥିଲା ଝିଅଟି। ମନ ଦୁଃଖରେ ବସିଥିଲା। ଝିଅଟି ଭାବୁଥିଲା,ଏତେବେଳେ କେହି ଜଣେ ନିଜର ତା' ପାଖକୁ ଆସନ୍ତାକି!ସଜାଡି ଦିଅନ୍ତାକି ତା'ର ଅଲରା ଚୁଟି ଗୁଡିକୁ!ଛାତିକି ଆଉଜାଇ ନିଅନ୍ତାକି!ଥକ୍କା ମେଣ୍ଟିଯାନ୍ତା।ଦୁଃଖ ଭୁଲି ହୁଅନ୍ତା। ସତରେ ଏ ପ୍ରଜାପତି ଗୁଡାକ କାହିଁକି ଧରା ଦିଅନ୍ତିନି କେଜାଣି ? ଏମାନଙ୍କୁ ଏତେ ସୁନ୍ଦର କିଏ କଲା ? କିଏ ଦେଲା ଏମାନଙ୍କୁ ମଖମଲି ଡେଣା ? ଧରିବା ପାଇଁ ଏମାନଙ୍କୁ କାହିଁକି ଲୋଭ ଲାଗେ ? ମନକୁମନ କହୁଥିଲା ଝିଅଟି । ବିରକ୍ତ ହେଉଥିଲା।

ନିଜର ନହେଲା ନାହିଁ, ଜଣେ ସହୃଦୟ କେହି ଆସନ୍ତାକି ! ପ୍ରଜାପତିଟାକୁ ଧରି ଦିଅନ୍ତାକି ହାତରେ!

ଏମିତି ପୁଣି ଭାବୁଥିଲା ଝିଅଟି । ବଗିଚାରେ ବହୁଥିବା ସୁଲୁସୁଲୁ ପବନରେ ବସି ଥକ୍କା ମେଣ୍ଟାଉଥିଲା।

- ' ଏଇ ନିଅ । ମୁଁ ତୁମ ପାଇଁ ପ୍ରଜାପତି ଧରି ଆଣିଛି। ' ଦୂରରୁ ଝିଅଟିକୁ ଦେଖୁଥିବା ପୁଅଟିଏ ତା' ପାଖରେ ପହଞ୍ଚି ତାକୁ ଏତିକି କହିଲା । ସତକୁସତ ତା' ହାତରେ ଥିଲା ଝିଅଟି ପାଇଁ ଗୋଟେ ସୁନ୍ଦର ପ୍ରଜାପତି ।

ଝିଅଟି ଉଲୁସି ଉଠିଲା - ବର୍ଷାଦିନର ନଈ ପରି । ସବୁ ଦୁଃଖକୁ ଝାଡିଝୁଡି ଠିଆ ହେଲା । ମୁର୍କି ହସିଲା । ପୁଅଟିର ହାତରୁ ପ୍ରଜାପତି ନେଉନେଉ କହିଲା - କିପରି ଧରିଲ ? କେତେ ଧାଇଁଛି ମୁଁ ୟା ପାଇଁ!

- ମୋତେ କିନ୍ତୁ ସହଜରେ ଧରା ଦେଇଛି ଇଏ। ପୁଅଟି କହିଲା।

- ଦୁଷ୍ଟ ପ୍ରଜାପତି ! ପ୍ରଜାପତିକୁ ଲକ୍ଷ୍ୟ କରି ସ୍ନେହ ମିଶା ରାଗରେ କହିଲା ଝିଅଟି । ପୁଅଟି ମୁହଁ ବୁଲେଇ ଫେରି ଯାଉଥିଲା।ଏତିକିବେଳେ ଝିଅଟି ପଛରୁ କହିଲା - ହେଲେ ତୁମେ କେମିତି ଜାଣିଲ ଯେ - - -?

- ସବୁ କଥା କହିବାକୁ ପଡେନି । କିଛି କଥା ନ କହି ବି ବୁଝି ହୁଏ । ଆଉ ଏଇ ଛୋଟ ଛୋଟ କଥାରୁ ସଂପର୍କ ଗଢ଼ି ହୋଇଥାଏ। ପୁଅଟି କହିଲା ।

- ମୋ ମନ ବୁଝି ଆଜି ପ୍ରଜାପତି ଦେଲ । ଭାବୁଛି ଯଦି ମୁଁ ତୁମ ସାଥିରେ ରହେ, କାଲି ଅନେକ କିଛି ଦେଇ ପାରିବ ତୁମେ। ଏତିକି କହିବାକୁ ଚାହିଁଲା ଝିଅଟି, ହେଲେ କହି ପାରିଲାନି। କେମିତି କହି ପାରିଥାନ୍ତା ! ଲାଜେଇ ଗଲା । ମୁର୍କି ହସିଲା।

ପୁଅଟି କ'ଣ ଭାବିଲା କେଜାଣି, ସଙ୍ଗେସଙ୍ଗେ ସଂପର୍କର ହାତ ବଢାଇ ଦେଲା । ମୁର୍କି ହସି ପୁଅଟିର ହାତ ଧରିନେଲା ଝିଅଟି । ପ୍ରେମ ହେଲା । ପୁଣି ତା'ର ଛାତି ଉଲୁସି ଉଠିଲା - ବର୍ଷାଦିନର ନଈ ପରି । ସତେ ପ୍ରଜାପତି ଟେ ଧରିଥିଲା ଝିଅଟି !


Rate this content
Log in