Lalita Mohan Mishra

Others

3  

Lalita Mohan Mishra

Others

ପରିଚୟ

ପରିଚୟ

7 mins
61



ସମାଜରେ ପ୍ରତିଦିନ କିଛି ନା କିଛି ଘଟଣ ଅଘଟଣ ଘଟି ଯାଉଛି । ତାହା ଆମ ଦୃଷ୍ଟି ପଥରେ ହେଉ ଅଥବା ନେପଥ୍ୟରେ । କିଛି ଘଟଣାକୁ ଆମେ ହେୟ ଜ୍ଞାନ କରୁ । ଆଉ କିଛି ଘଟଣା ଆମକୁ ବିଚଳିତ କରେ । କିଛି ଘଟଣା ସହିତ ବେଳେ ବେଳେ ଆମେ ଜଡିତ ହୋଇଯାଉ ।


ଶୈଳେନ୍ଦ୍ର ବାବୁ ଦିନେ ସେହି ବସଷ୍ଟାଣ୍ଡର ଫୁଟପାଥକୁ ଯାଇ ଭାବବିହ୍ୱଳ ହୋଇ ପ୍ରଶ୍ନ କଲେ - ହେ ମହିୟସୀ ! ତୁମେ କେଉଁଠି ? ? କ'ଣ ମୋର ଜନ୍ମ ପରିଚୟ ? ମୁଁ ଅବାଞ୍ଛିତ ଲାଞ୍ଚ୍ଥିତ ପ୍ରପୀଡ଼ିତରେ ଜୀବନ ବିତାଉ ଅଛି । ମୋର ପୁଣ୍ୟତୋୟା ଜନନୀ କିଏ ? କିଏ ମୋହର ପୂଜନୀୟ ତାତ ? ଦୁନିଆଁ ଯାକର ସନ୍ଦେହୀ ଆଖି ମୋ ଉପରେ ? କେତେ କୁଚ୍ଛିତ ଟୀକା ଟିପ୍ପଣୀ ତାଚ୍ଛଲ୍ୟ ହାସ୍ୟ କରରୋଳ ଭିତରେ ମୁଁ ବେଳେ ବେଳେ ଗତି କରେ ? କୁହ ହେ ସ୍ନେହମୟୀ ! ଜବାବ ଦିଅ.... ମୋର ଆତ୍ମ ପରିଚୟ ? ମୁଁ କ'ଣ ସତେ ଜାରଜ... ଅବୈଧ ସନ୍ତାନ ? ସତେ କ'ଣ ନିର୍ଜୀବ ? ସମାଜର ଏଇ ନିଷ୍ଠୁର ରୀତି ନୀତି ପାଇଁ ମୁଁ ଏକା ଅବୈଧ ସନ୍ତାନ ବା ଜାରଜ ନୁହେଁ.... ମୋ ପରି ଅନେକ । ଯଦି ଅସତୀ ମାତାର ସନ୍ତାନ ଜାରଜ, ତାହାହେଲେ ଅସତୀ ପିତାର ଦାୟାଦ ସବୁ ଅବୈଧ... ଜାରଜ ନୁହେଁ କି ? ? ? 


ସାଧାରଣତଃ "ଅବୈଧ"... "ଜାରଜ "ଏ ପ୍ରକାର ଶବ୍ଦରେ ଭରି ରହିଛି କଟୁତା,ରୁକ୍ଷତା ଆଉ ମେଞ୍ଚା ମେଞ୍ଚା ଘୃଣା। ଏ ସବୁ ଶୁଣିବାକୁ ଭଲ ଲାଗେ ନାହିଁ । କି କାହାକୁ କହିବାକୁ ଭଲ ଲାଗେ ନାହିଁ । କିଏ ଏ ଶବ୍ଦ... ଆମକୁ କହିଦେଲେ ଆମେ କ୍ରୋଧରେ ଜଳିଯାଉ । ଅବୈଧ ସନ୍ତାନଟିଏ ହୋଇ ଦୁନିଆ ଦାଣ୍ଡରେ ଚାଲିଲା ବେଳେ ଶୁଣିବାକୁ ମିଳିଥାଏ ଅନେକ କଟୁକଥା, ଇଙ୍ଗିତତା, ଆଉ ଘୃଣ୍ୟତା। ଆମ ସମାଜରେ ଅବୈଧ ସମ୍ପର୍କ - ବିନା ବିବାହରେ ଜନ୍ମିତ ସନ୍ତାନକୁ ଆମେ ଜାରଜ ବା ଅବୈଧ ସନ୍ତାନ ବୋଲି କହିଥାଉ। କାହାର ଗୋଟିଏ ମୁହୂର୍ତ୍ତର ଖୁସି ପାଇଁ ଆଉ ଜଣକୁ ଜୀବନ ସାରା ଶୁଣିବାକୁ ହୁଏ ଅନେକ ଯାତନା ତାଡ଼ନା । ଏ ତୁ ଗୋଟେ ଅବୈଧ ସନ୍ତାନ, ଜାରଜ, ବାଷ୍ଟାର୍୍େ । ଜୀବନର ଶେଷ ପର୍ଯ୍ୟନ୍ତ କର୍ଣ୍ଣ ଏହି ଭଳି ଏକ ଶଦ୍ଦରେ ବ୍ୟଥିତ ଏବଂ ଅପମାନିତ ହୋଇଥିଲେ । ଓଃ କି ଯନ୍ତ୍ରଣା ! ଭରି ରହିଛି ଏ ଶବ୍ଦରେ ସତେ। ଏତେ ବଡ ପଦପଦବୀରେ ଥାଇ ମଧ୍ୟ ନିଜକୁ ଘୃଣିତ ଅନୁଭବ କରନ୍ତି ବେଳେ ବେଳେ ଶୈଳେନ୍ଦ୍ର ବାବୁ ।


ଅମରେଶ ବାବୁଙ୍କ ପାଳିତ ପୁତ୍ର ଶୈଳେନ୍ଦ୍ର । ମନେ ପଡେ ଅମରେଶ ବାବୁଙ୍କର ସେଦିନର କଥା - ପରିବହନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଯୋଗ ଦେଇଥାନ୍ତି । ସୁଖ ଶାନ୍ତି ଭିତରେ ସ୍ୱାମୀ ସ୍ତ୍ରୀ । ଏହା ଭିତରେ ବିବାହର ଦଶ ବର୍ଷ ବିତିଗଲାଣି କିନ୍ତୁ ଘରକୁ ନୂତନ ଅତିଥିଙ୍କର ଆଗମନ ନାହିଁ । ସ୍ତ୍ରୀ ସୁଜାତାଙ୍କୁ ଏଥିପାଇଁ କେତେ ଡାକ୍ତରଙ୍କୁ ଦେଖେଇଲେଣି । କିଏ କହୁଛି ପୁରୁଷର ଦୋଷ ତ କିଏ କହୁଛି ସ୍ତ୍ରୀର । ଠାକୁରଙ୍କ ପାଖରେ କେତେ ଓଷା ବ୍ରତ ପାଳନ କଲେଣି । ସୁଫଳ ନାସ୍ତି । ଘରକୁ ସନ୍ତାନଟିଏ ନ ଥିଲେ ଘରଟି ଘର ନୁହେଁ ଏପରି ଲାଗେ । ପର ପିଲାମାନଙ୍କୁ ଦେଖିଲେ ଭାରି ଖୁସି ଲାଗେ । ନିଜେ ଜନ୍ମ ନ କରିବାର ଅବଶୋଶରେ ଅଭିଶପ୍ତ ହୁଅନ୍ତି । ଭଗବାନ ସୁଜାତାର କୋଳକୁ ମଣ୍ଡିତ କଲେ ନାହିଁ ସେଥିପାଇଁ ସଦାସର୍ବଦା ଦୁଃଖ ଅନୁଭବ କରନ୍ତି ଦୁଇପ୍ରାଣୀ ।


ସେଦିନ ବସଷ୍ଟାଣ୍ଡରେ କରୁଣ କ୍ରନ୍ଦନ ଧ୍ୱନି ଶୁଣି ସେଆଡକୁ ଗତି କରିଥିଲେ ଅମରେଶ ବାବୁ । ବସଷ୍ଟାଣ୍ଡର ଉପରକୁ ଯିବା ପାଇଁ ସିଡି ତଳେ ଅଳିଆ ଆବର୍ଜନା । ତା ମଧ୍ୟରେ ପ୍ରସବ ବେଦନାରେ ଛଟପଟ ହେଉଛି ବାୟାଣୀ ନେତୀ...... । ବାର ଲୋକଙ୍କର ବାର କଥା । କିଏ ତାକୁ ବାୟାଣୀ କହିଲା ତ କିଏ କହିଲା ବେଶ୍ୟା । କିଏ କହିଲା ଚାରିତ୍ରହୀନା । ଦୁନିଆ ଯାକର ନିନ୍ଦା ଅପନିନ୍ଦାକୁ ସେ ଏକା ମୁଣ୍ଡେଇନେଲା । ରାତି ରାତି ଅନିଦ୍ରା.... ଅଖିଆ ଅପିଆ ରହି ସେ ନିଷ୍ପାପ ପିଣ୍ଡକୁ ଶାରୀରିକ ଗଠନ ଦେଲା । ନିଜ ସ୍ୱପ୍ନ ଆଉ ଯୌବନକୁ ଜଳାଞ୍ଜଳି ଦେଇ ସମାଜରେ ଚରିତ୍ରହୀନା ବେଶ୍ୟା ଏବଂ ବାୟାଣୀର ଆଖ୍ୟା ପାଇଲା । 


ବେଳେ ବେଳେ ମନୁଷ୍ୟ ସମାଜ ଅନୁସାରେ ନିଜକୁ ସଜାଡି ହୁଏ । ସମାଜ ଯାହା ଇଚ୍ଛା କରେ.... ବାଧ୍ୟବାଧକତାରେ ଏବଂ ପରିସ୍ଥିତି ଦୃଷ୍ଟିରୁ ସେମିତି ହେବାକୁ ହୁଏ । ବେଶ୍ୟା ବା ଚରିତ୍ରହୀନା ଶବ୍ଦ ଶୁଣିବାକୁ କାହାକୁ ଭଲ ଲାଗେ ? କିନ୍ତୁ ସେହି ମିଞ୍ଜିମିଞ୍ଜି ଅନ୍ଧାରରେ ଯେ ଚରିତ୍ରହୀନା ସହିତ ନିଜର କାମନା ବାସନା ପରିତୃପ୍ତ କରିଥାନ୍ତି । ମୁହଁରେ ହେଲମେଟ୍ ପିନ୍ଧି ଦେଲେ କ'ଣ ପ୍ରକୃତ ଚେହେରା କିଏ ଜାଣି ପାରିବେ ନାହିଁ । ହେଲେ ବେଶ୍ୟା - କିଏ ପେଟ ଚାଖଣ୍ଡକ ପାଇଁ ହୁଏ ତ କାହାକୁ ସେ ନର୍କକୁ ଠେଲି ଦିଆଯାଏ । ଏହା ମାନବ ସଭ୍ୟତାର ସବୁଠାରୁ ଘୃଣ୍ୟ, ଅପବିତ୍ର, ବିଷାକ୍ତ ଶବ୍ଦ ।


ନେତୀ ପିଲାଟି ଦିନରୁ ଦେଖିବାକୁ ଯଦିଓ ସୁନ୍ଦର ନୁହେଁ ତଥାପି ଅସୁନ୍ଦର ନୁହେଁ । କିନ୍ତୁ ତାର ସୁନ୍ଦରତାରେ ଯେମିତି ଭଗବାନଙ୍କ ନଜର ଲାଗିଗଲା । ଛୋଟ ବେଳେ ବାପା ମାଆ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ନେତୀ ବାପା ମାଆ ଛେଉଣ୍ଡ ହୋଇଗଲା । କିଏ ତାକୁ ସାହାରା ଦେଲେ ନାହିଁ । ଭିକ୍ଷା ବୃତ୍ତି କରି ପେଟ ପୋଷିଲା । ଭିକ ମାଗି ମାଗି ଦିନେ ଭୁବନେଶ୍ୱର ଗାଡିରେ ଭୁବନେଶ୍ୱର ଆସିଲା । ଭୁବନେଶ୍ୱର ବସଷ୍ଟାଣ୍ଡରେ ତାର ସେତେଟା ଅସୁବିଧା ହେଲା ନାହିଁ । ଭିକ୍ଷା ମାଗି ଚଳିଯାଏ । ଯିଏ ଯାହା ଦେଲା ଖାଇଲା । ନହେଲେ ହୋଟେଲର ବାସନକୁସନ ସଫା ସଫି କଲେ ଦିଓଳି ଖାଇବାକୁ ମିଳିଯାଏ । ଏମିତି ତାର ଦିନ ଗଡି ଚାଲିଲା । 


ପିଲା ବୟସଟା ତାର ଧିରେ ଧିରେ ବଦଳି ବଦଳି ଗଲା । ଶିଶୁ ବଡ଼ ହୁଏ । ଦିନ ବହିଯାଏ ଖରସ୍ରୋତା ନଦୀପରି । ବଢ଼ିଯାଏ ବୟସର ନଈ । ଫୁଟିଯାଏ କଳି.... ସୁରଭିରେ ଅମୋଦିତ କରେ ଚାଇତାଳିକୁ । ତାର ଦେହଟା ବେଳକୁ ବେଳ ତୋଫା ଦେଖାଗଲା । ଯେଉଁମାନେ କେବେ ତା ଆଡେ ନଜର କରୁ ନ ଥିଲେ ଏବେ କାହିଁକି ତାକୁ ଡାହାଣିଆ ଆଖିରେ ବାରମ୍ବାର ଦେଖୁଛନ୍ତି । ସେ ବି ଥରକୁ ଥର ଆଇନାରେ ମୁହଁ ଦେଖିବାକୁ ଭଲ ପାଉଛି । ତାର ବିଭିନ୍ନ ଅଙ୍ଗ ଗୁଡିକ ନାରୀ ସୁଲଭ ସୌନ୍ଦର୍ଯ୍ୟରେ ପରିସ୍ପୁଟିତ ହେଲା । ପୂର୍ବ ଅପେକ୍ଷା ଏବେ ସେ ଆହୁରି ସୁନ୍ଦର ଦିଶୁଛି । 


ସେ ହେଲା ଯୁବତୀ, ସେ ଆଦ୍ୟ ଯୌବନରେ । ଦେହର ଭାଷା ବଦଳି ଗଲା । ଦିନରେ ସୂର୍ଯ୍ୟ କିରଣ ଓ ରାତିରେ ଚନ୍ଦ୍ର ଆଲୋକ ନିଜକୁ ନଜର କରେ । ବେଳେ ବେଳେ ଭାବେ...... ସତେ ଯେପରି ଏଠାରେ ଦାରିଦ୍ରତା ତାକୁ ଉପହାସ କରୁଛି । ଲୋକଙ୍କର ଡାହାଣିଆ ଆଖିଗୁଡିକ ତାକୁ ଭୟଭୀତ କରେ । ରାତ୍ରୀ ଆସିବା କ୍ଷଣି ନେତୀ ଥରି ଉଠୁଥିଲା । ରାତିରେ ଭୂତ ପ୍ରେତ କି କୁକୁରକୁ ସେ ଭୟ କରୁନଥିଲା। ସେ ଡରୁଥିଲା ରାତ୍ରିଚର ଖଳଚରିତ୍ର ମଦ୍ୟପ ଅସାମାଜିକ ବ୍ୟକ୍ତି ମାନଙ୍କୁ । ନେତୀକୁ ଷୋହଳ ବର୍ଷ ଛୁଇଁଲା ।ସେ ଛୋଟ ଟେ ବେଳଠୁ ରାସ୍ତାରେ ବୁଲି ବୁଲି ଭିକ ମାଗି ଚାଲୁଥିଲା। ସେ ଅଧିକାଂଶ ସମୟ ଭିକ୍ଷା ମାଗି ରାତିରେ ସେ ସିଡି ତଳେ ଶୋଇପଡେ । ତା ଆଖ ପାଖରେ ମଧ୍ୟ କିଛି ଭିକାରୀ ଭିକାରୁଣୀ ଶୁଅନ୍ତି । 

ଦିନବେଳା ନିର୍ଭୟରେ ରହି ଯାଉଥିଲା । ଏବେ ରାତି ହେଲେ ତାକୁ ଡର ଲାଗୁଛି । ଦିନ ଯେନତେନ ପ୍ରକାରେଣ ନେତୀର ଚାଲିଥିଲା । 


ଦିନେ ରାତ୍ରୀରେ ଝିପିଝିପି ବର୍ଷା ହେଉଛି । ନେତୀ ଖାଇକରି ଗତାନୁଗତିକ ରୀତିରେ ବସଷ୍ଟାଣ୍ଡର ସିଡି ତଳେ ଶୋଇଛି । ରାତ୍ରୀ ଏଗାର କି ବାରଟା ହେବ । ତିନି ଜଣ ଡଉଲ ଡାଉଲ ମଦୁଆ ଲହରୀ ଲହରୀ ସେହି ସିଡି ଉପରେ ବସିଲେ । ସବୁଆଡେ ଶୁନ୍ ଶାନ୍ । ନେତୀ ଅଯତ୍ନ ଭାବରେ ସିଡି ତଳେ ଶୋଇଛି । ତିନି ଜଣ ଯାକ ମଦୁଆ ଯାଇ ନେତୀ ପାଖରେ ବସିଗଲେ । ନେତୀର ସମ୍ବେଦନଶୀଳ ଅଙ୍ଗଗୁଡିକୁ ସେମାନେ ଆଉ଼ଁସିବାକୁ ଲାଗିଲେ । ଦିନସାରା ନେତୀ ଖରା ତରାରେ ଏଣେତେଣେ ବୁଲି ଭିକ ମାଗିଥିଲା । କ୍ଲାନ୍ତରେ ଶୋଇଯାଇଛି । ନେତୀ ପ୍ରଥମେ ପଶୁ ଘୃଣ୍ୟ ସ୍ପର୍ଶକୁ ଅନୁଭବ କରି ପାରିଲା ନାହିଁ । ସେମାନଙ୍କର ପଶୁତ୍ଵ ମାତ୍ରା ଯେତେବେଳେ ବଢିଲା, ସେ ଭୟଭୀତ ହୋଇ ଚମକି ପଡି ବସିଲା । ଆଉ ଚିତ୍କାର କଲା । ତାର ଚିତ୍କାର କେହି ଶୁଣିଲେ ନାହିଁ । ଝିପିଝିପିରୁ ଘୋର ବର୍ଷା ହେଲା । ବୋଧହୁଏ ବର୍ଷା ତାକୁ ଉପହାସ କରୁଥିଲା । ନେତୀ ହାରିଗଲା ।


ନେତୀ ଚିରାମିରା ଡ୍ରେସଟିଏ ପିନ୍ଧିଥିଲା । ସେହି ଚିରା ଡ୍ରେସଟିକୁ ଆହୁରି ଚିରା କରିଦେଲେ । ତାର ଯୌବନକୁ ଖଣ୍ଡ ଖଣ୍ଡ କରି ଖାଇଗଲେ । ପରିଶେଷରେ ମରିଗଲା ଭାବି ସେମାନେ ଛାଡି ଚାଲିଗଲେ। ନେତୀର ସେତେବେଳକୁ ଚେତା ନ ଥାଏ । ନେତୀ ଚେତା ପାଇଲା ବେଳକୁ ତାର ଶରୀରର ସମ୍ବେଦନଶୀଳ ଅଙ୍ଗଗୁଡିକ ପଶୁର ପଞ୍ଝାରେ ରକ୍ତାକ୍ତ ହୋଇ ଯାଇଛି । ବହୁତ କାନ୍ଦିଲା । ସେ ଭାବିଲା ,” ମୁଁ ଏନ୍ତୁଡିଶାଳରେ ମରିଗଲି ନାହିଁ କାହିଁକି ”। ସେ ଏତେ ନିରୀହ ଥିଲା ଯେ ଆତ୍ମହତ୍ୟା ବି କରିପାରିଲା ନାହିଁ ।


ଏମିତି କିଛି ମାସ ବିତିଗଲା । ନେତୀର କ୍ଷୀଣ କଟୀ ବର୍ତ୍ତୁଳାକାର ଧାରଣ କଲା । ଯେଉଁ ଲୋକମାନେ ତାକୁ ଦେଖୁଥିଲେ ବେଶ୍ୟା, ଚରିତ୍ରହୀନା ବୋଲି ସମ୍ବୋଧନ କରୁଥିଲେ । ଆଉ କିଏ କିଏ ତ ବାୟାଣୀ କହିଲେ । ମାସ ବଢ଼ି ବଢ଼ି ଯିବାରୁ ଯନ୍ତ୍ରଣା ଅନୁଭବ କଲା । ନେତୀ କଷ୍ଟ ସହିନପାରି ଡାକ୍ତର ଖାନାକୁ ଗଲା । ଡାକ୍ତର ଯେତେବେଳେ କହିଲେ ତୁ ମା' ହେବାକୁ ଯାଉଛୁ । ଡାକ୍ତରଙ୍କ କଥା ଶୁଣି ନେତୀର ଚେତା ହଜିଗଲା । ବହୁତ କାନ୍ଦିଲା "ଅଜାଗା ଘା ଦେଖି ହୁଏନି କି ଦେଖେଇ ହୁଏନି" । କାହାକୁ କହିବ ? ଅବିବାହିତା ଗର୍ଭବତୀ ବୋଲି ଡାକ୍ତର ମଧ୍ୟ ହୀନ ଚକ୍ଷୁରେ ଦେଖିଲେ । ନିନ୍ଦା ଅପନିନ୍ଦାରେ ତାର ଜୀବନ ଛାରଖାର ହୋଇଗଲା । ନେତୀ ଚାହିଁ ଥିଲେ ଆତ୍ମହତ୍ୟା କରି ପାରିଥାନ୍ତା । ନିଷ୍ପାପ ଶିଶୁକୁ ଜନ୍ମ ଦେବା ପାଇଁ ବଦ୍ଧ ପରିକର ହେଲା। ଏହାରି ଭିତରେ ନଅ ମାସ ଅତିକ୍ରାନ୍ତ ହୋଇଗଲା ।


ଗର୍ଭ କଷ୍ଟ ବଢ଼ି ବଢ଼ି ଚାଲିଲା । କେହି ନ ଥିଲେ ତାକୁ ଟିକେ ଆଶ୍ୱାସନା ଦେବାକୁ ବା ପାଣି ବୁନ୍ଦେ ପିଆଇ ଦେବାକୁ । ଏହି ସମୟରେ ସିଡି ତଳର ଚିତ୍କାର ଶୁଣି ଦୌଡି ଆସିଥିଲେ ଅମରେଶ ବାବୁ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଡକାଇଲେ । ନେତୀକୁ ଆମ୍ବୁଲାନ୍ସରେ ମେଡିକାଲ ନେଇଗଲେ । ନିଷ୍ପାପ ଶିଶୁକୁ ଜନ୍ମ ଦେଲା ନେତୀ । ଜନ୍ମ ଦେବାର କିଛି ସମୟ ପରେ ଅମରେଶ ବାବୁଙ୍କ ହାତକୁ ଶିଶୁଟି ଟେକିଦେଲା ନେତୀ । ଆଉ ଅପରିପକ୍ୱ ଏବଂ ଅବାଞ୍ଛିତ ମାତୃତ୍ୱ କଷ୍ଟରେ ନେତୀ ଚିର ନିଦ୍ରାରେ ଶୋଇଗଲା । 


ଅମରେଶ ବାବୁ ଏବଂ ପତ୍ନୀ ସୁଜାତା ଶିଶୁର ଲାଳନପାଳନ ଦାୟିତ୍ୱ ସୁଚାରୁରୂପେ ନେଲେ । ସମାଜରେ ମଣିଷ ପରି ମଣିଷଟିଏ କରିବାକୁ ଲାଗି ପଡିଲେ । ଶିକ୍ଷାର ଶିଖରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଲେ । ଯେମିତିକି ପରବର୍ତ୍ତୀ ସମୟରେ ସେ ଭୁଲି ଯିବ ମୁଁ ଅବୈଧ ସନ୍ତାନ। ଶୈଳେନ୍ଦ୍ର ବାବୁ ଆଇ ଏସ୍ ପାଇଲେ । ଦିନେ ଅମରେଶ ବାବୁ ପାଳିତ ପୁତ୍ର ଶୈଳେନ୍ଦ୍ରକୁ ନିଜ ମା'ର ସମସ୍ତ ଦୁଃଖ କଷ୍ଟ କଥା କହିଥିଲେ । ଆମେ ତୋର ପ୍ରକୃତ ବାପା ମାଆ ନୁହଁ, ସତ କିନ୍ତୁ ନିଜ ରକ୍ତ ଠାରୁ ଅଧିକ ଭଲ ପାଇ ତୋତେ ବଡ କରିଛୁ ।


 ଆମର ଆଉ କିଏ ନାହିଁ କି ତୋର ପରିଚୟ ଦେବାକୁ ଆଉ କିଏ ନାହିଁ । ଶୈଳେନ୍ଦ୍ର ବାବୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଉଚ୍ଚ ପଦ ପଦବୀରେ ରହିଅଛନ୍ତି । ସେ ବର୍ତ୍ତମାନ ପରିବହନ କମିଶନର । ଯେଉଁ ବସଷ୍ଟାଣ୍ଡରେ ତାଙ୍କର ସୃଷ୍ଟି । ସେ ବସଷ୍ଟାଣ୍ଡକୁ ଦେଖି ଭାବୁଥାନ୍ତି । ମୋର ମା' ପରି କେତେ ନୀରିହା ନାରୀ ଅବାଞ୍ଛିତ ମାତୃତ୍ୱ କଷ୍ଟରେ କଷ୍ଟ ଭୋଗୁଥିବେ । ସମାଜର ନିନ୍ଦା ଅପନିନ୍ଦାକୁ ଡରି ଡଷ୍ଟବିନରେ ନିଷ୍ପାପ ଶିଶୁକୁ ଫିଙ୍ଗି ଦେଉଥିବେ । ଆଉ ସେହି ନିଷ୍ପାପ ଶିଶୁ ସମାଜରେ ଅବୈଧ ସନ୍ତାନ ବୋଲାଉଥିବ । ତାହାର ପରିଚୟ କ'ଣ ଏହା ? ? ? ଉତ୍ତର ଖୋଜି ହୋଉଥିଲେ ଶୈଳେନ୍ଦ୍ର ବାବୁ । ନିରୀକ୍ଷଣ କରୁଥିଲେ ଜୀବନର ଚୌହଦୀକୁ । ଚାହୁଁଥିଲେ ମାଟିକୁ ଆକାଶକୁ ପାହାଡର ଶୀଖରକୁ । ଶୂନ୍ୟରୁ ଉତ୍ତରଟିଏ ଆସୁଥିଲା.... ମୁଁ ଯେ ଅମୃତ ସାଗର ବିନ୍ଦୁ। ପ୍ରଣାମ ଜଣାଉ ଥିଲେ ଜନନୀକୁ ଆଉ ଆଉ ଗୋଟିଏ ଜନ୍ମରେ ମାତୃତ୍ୱର ପରିଚୟକୁ....



Rate this content
Log in