ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ପ୍ରେରଣାର ଅନ୍ୟନାମ ସ୍ଥିତିପ୍ରଜ୍ଞା

ପ୍ରେରଣାର ଅନ୍ୟନାମ ସ୍ଥିତିପ୍ରଜ୍ଞା

3 mins
536



ଝିଅଟି ଖୁବ୍ ମେଧାବୀ l ମାଟ୍ରିକୁଲେସନ୍ ପରୀକ୍ଷାରେ A1 ଗ୍ରେଡ୍ ରେ ପାଶ୍ କରିବା ପରେ ବାପା ମା ସ୍ଥିର କଲେ ଝିଅକୁ ବିଜ୍ଞାନ ପଢାଇ ଭବିଷ୍ଯତରେ ଡାକ୍ତର କରିବେ l କିନ୍ତୁ ଖୁବ୍ ଅଭାବ ଅନଟନରେ ଗତିକରୁଥାଏ ତାଙ୍କ ସଂସାର l ଦୃଢ ମନୋବଳ ଆଗରେ ଅର୍ଥ ବାଧକ ହୋଇ ଠିଆ ହେଲେ ମଧ୍ୟ ଶେଷକୁ ଜିତାପଟ୍ ହୋଇଥାଏ ଦୃଢ ଇଚ୍ଛା ଶକ୍ତିର l


ଏମିତି ଏକ ବାସ୍ତବ ଘଟଣା ଘଟିଛି ଆମ ଜଗତସିଂହପୁର ଜିଲ୍ଲା ନାଉଁଗା ହାଟ ଚମ୍ପେଶ୍ୱର ଗ୍ରାମରେ l ସେଇ ଗ୍ରାମର ବିଶ୍ୱଜିତ୍ ପାଢୀ ନିଜ ବଡ ଝିଅ ସ୍ଥିତିପ୍ରଜ୍ଞାକୁ ମାଟ୍ରିକ୍ ପରେ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ଜିଲ୍ଲାର ସର୍ବ ବୃହତ୍ତମ ତଥା ସର୍ବ ପୁରାତନ କଲେଜ ଏସ୍.ଭି.ଏମ୍. ରେ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଲେ l 


ସବୁବେଳେ ଅଭାବ ସଂସାର l ତା' ଭିତରେ ଝିଅକୁ ବାହାରେ ରଖି ପଢାଇବା କି କଷ୍ଟ ଯିଏ ସେମିତି ପରିସ୍ଥିତି ଦେଇ ଗତିକରୁଥିବେ ସେମାନେ ହିଁ କେବଳ ହୃଦୟଙ୍ଗମ କରିପାରୁଥିବେ l ଝିଅକୁ ମଣିଷ କରିବା ଲକ୍ଷରେ ବିଶ୍ୱଜିତ୍ ନାଉଁଗା ସରସ୍ୱତୀ ଶୁଶୁ ବିଦ୍ୟାମନ୍ଦିରରେ ଟ୍ରେକର ଚଳାଇ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରନ୍ତି l ଏଥିରୁ ମିଳୁଥିବା ଅର୍ଥ ପ୍ରର୍ଯ୍ୟାପ୍ତ ହେଉନଥିବାରୁ ଅନ୍ୟକିଛି କାମଦାମ କରିବାକୁ ମଧ୍ୟ ପଛାନ୍ତି ନାହିଁ l


ବାପା ପରିଶ୍ରମ କରୁଥିବାର ଚିତ୍ରକୁ ନିଜ ଆକ୍ଷିରେ ସବୁବେଳେ ଦେଖୁଥାଏ ସ୍ଥିତିପ୍ରଜ୍ଞା l ସେ ମଧ୍ୟ ନିଜ ପାଠପଢାରେ କେତେବେଳେ ବି ଢିଲା ଦେଇନି l ଫଳତଃ ଦୁଇ ବର୍ଷ ତଳେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମୋଟ ୬୦୦ ନମ୍ୱରରୁ ୫୧୬ ନମ୍ୱର ରଖି ଏସ୍.ଭି.ଏମ୍. କଲେଜ ସହିତ ଜଗତସିଂହପୁର ଜିଲ୍ଲ୍ଲାରେ ୨ୟ ସ୍ଥାନ ହାସଲ୍ କରି ଉତ୍ତୀର୍ଣ୍ଣ ହେଲା l 


ଝିଅର ଏହି ସଫଳତାରେ ଯେକୌଣସି ବାପା ମା ଗର୍ବ କରିବେ l ବର୍ତ୍ତମାନ ବିଶ୍ୱଜିତଙ୍କ ଗୋଟିଏ ସ୍ଥିରୀକୃତ ଲକ୍ଷ୍ୟ - ଝିଅକୁ ନିଶ୍ଚୟ ଡାକ୍ତର କରିବି l ଏତେ ଭଲ ପଢୁଛି ମାନେ ଝିଅ ନିଶ୍ଚୟ ପାରିବ l କେବଳ ତାକୁ ସବୁ ପ୍ରକାରର ସୁବିଧା ଯୋଗାଇଦେବାର ଅଛି l ବିଶ୍ୱଜିତଙ୍କର ତାଙ୍କ ଝିଅର ପ୍ରତିଭା ଉପରେ ଥିଲା ପ୍ରଚଣ୍ତ ବିଶ୍ୱାସ l ତେଣୁ ଝିଅକୁ କଟକରେ ରଖି ମେଡିକାଲ୍ କୋଚିଂ ଦେବାର ବ୍ୟବସ୍ଥା କଲେ l


ଝିଅ ମନଦେଇ ପାଠ ପଢିବା ସ୍ୱାବାବିକ୍ l ବାପା ମାଙ୍କର କଷ୍ଟ ଯେତେବେଳେ ତା' ଆଖିଆଗରେ ନାଚିଉଠୁଥିବ ସେତେବେଳେ ଅଧିକ ଜୋସ୍ ରେ ଝିଅଟି ନିଶ୍ଚୟ ପାଠ ପଢାରେ ମନ ନିବେଶ କରିଥିବ l


କିନ୍ତୁ ଭଗବାନଙ୍କ ଲୀଳା ବଡ ବିଚିତ୍ର l ଯେଉଁମାନେ ଖୁବ୍ ଦୁଃଖ କଷ୍ଟରେ ଥାଆନ୍ତି ଠିକ୍ ସେମିତିଆ ଲୋକ ଦେଖିକି ହିଁ ଦୁଃଖର ପାହଡ ତାଙ୍କ ଉପରେ ଲଦି ଦିଅନ୍ତି l ଏପ୍ରିଲ୍ ମାସରେ ମେଡିକାଲ୍ ପ୍ରବେଶିକା ପରୀକ୍ଷା " ନିଟ୍ " ହେବାକୁ ସ୍ଥର ହୋଇ ସାରିଥାଏ l ସ୍ଥିତିପ୍ରଜ୍ଞା ନିଜକୁ ସେଇ ପରୀକ୍ଷା ପାଇଁ ପୁରା ଦମ୍ ରେ ଲଗାଇଦେଇଥାଏ l ହଠାତ୍ ଫେବ୍ରୁଆରି ମାସରେ ହୃଦଘାତରେ ବାପା ବିଶ୍ୱଜିତ୍ ଆରପାରିକୁ ଚାଲିଗଲେ l 


ସ୍ଥିତିପ୍ରଜ୍ଞାର ଯିଏ ସମସ୍ତ ପ୍ରେରଣାର ଉତ୍ସଥିଲେ , ଯିଏ ନିଜ ରକ୍ତକୁ ପଣିକରି, ଅହରହ ଝାଳବୁହା ପରିଶ୍ରମ କରି ତାକୁ ସଂସାରରେ ପ୍ରତିଷ୍ଠିତ କରିବାକୁ ଚାହୁଁଥିଲେ ହଠାତ୍ ସେ ଚାଲିଗଲେ l ଘରର ପରିସ୍ଥିତି କଣ ହୋଇଥିବ ? ସ୍ଥିତିପ୍ରଜ୍ଞାର ମନର ଅବସ୍ଥା କଣ ହୋଇଥିବ ? ଘରର ଏକମାତ୍ର ରୋଜଗାରୀଆ ଲୋକଟି ଚାଲିଗଲେ ଏମିତି ବହୁତ ପ୍ରଶ୍ନ ଉଠେ ଜାହାର ଉତ୍ତର ଯେତେ ଖୋଜିଲେ ବି ମିଳିବା ଅସମ୍ଭବ l


କିନ୍ତୁ ଏସବୁ ଭିତରେ ମଧ୍ୟ ବାପା ଦେଖିଥିବା ସ୍ୱପ୍ନକୁ ସାକାର କରିବାକୁ ନିଜ ହୃଦୟରେ ସମସ୍ତ ଦୁ୍ଃଖ କଷ୍ଟକୁ ଚାପିରଖି ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲା ସ୍ଥିତିପ୍ରଜ୍ଞା l ଶେଷକୁ ସେ ତା ବାପାଙ୍କ ସ୍ୱପ୍ନକୁ ସଫଳ କଲା l ଏଇ ତା ୦୬/୦୬/୨୦୧୯ ରିଖରେ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଲା l ସ୍ଥିତିପ୍ରଜ୍ଞା ୫୫୮ ନମ୍ୱର ରଖି ଜଗତସିଂହପୁର ଜିଲ୍ଲାରେ ଟପର୍ ହେବା ସହ ସରକାରୀ ମେଡିକାଲ୍ କଲେଜରେ ସିଟ୍ ପାଇବା ଏକବାରେ ପକ୍କା କରିଛି l 


ସତରେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ସଫଳତାର ପାହାଚ ପରେ ପାହାଚ ଚଢିବା ଆମ ଜଗତସିଂହପୁର ଜିଲ୍ଲାରେ ଯଦି କେଉଁଠି ସମ୍ଭବ ହୋଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏଇ ଝିଅ ସ୍ଥିତିପ୍ରଜ୍ଞା ପାଢୀ l ବସ୍ତବରେ ସେ କେବଳ ଆମ ଏସ୍.ଭି.ଏମ୍. କଲେଜ କିମ୍ୱା ଜଗତସିଂହପୁର ଜିଲ୍ଲା ନୁହେଁ ବରଂ ସାରା ଓଡିଶାର ଗର୍ବ l 


ଏସବୁ ଭିତରେ ସ୍ଥିତିପ୍ରଜ୍ଞାର ସମସ୍ତ ଆନନ୍ଦ ଯେମିତି କେଉଁଠି ଚପି ଯାଉଥିଲା l ତା ମନ ଭିତରେ କେଉଁଠି ବାରମ୍ୱାର ପ୍ରଶ୍ନ ଉଠୁଥିଲା , " ଆଜି ବାପା ଥିଲେ କେତେ ଖୁସି ହେଉନଥାନ୍ତେ ସତରେ ???"



Rate this content
Log in