ପ୍ରଭୁଙ୍କ ଦର୍ଶନ
ପ୍ରଭୁଙ୍କ ଦର୍ଶନ
ପ୍ରଭୁଙ୍କ ଦର୍ଶନ-:
ଏକଦା ନାରଦ ଆକାଶ ମାର୍ଗରେ ବୈକୁଣ୍ଠକୁ ଯାତ୍ରା କରୁଥିଲେ । ସେ ଦେଖିଲେ ପୃଥିବୀରେ ଜଣେ ମୁନିବର ଘୋର ତପସ୍ୟା କରୁଛନ୍ତି । ତେଣୁ ସେ ଚିନ୍ତା କଲେ ମୁନିବରଙ୍କ ସହିତ କିଛି ସତସଙ୍ଗ ଓ ଜ୍ଞ୍ୟାନର ଲାଭ ନେବା ଉଚିତ୍ ହେବ । ସେ ଆକାଶ ମାର୍ଗରୁ ଓହ୍ଲେଇ ପୃଥିବୀ ପୃଷ୍ଠରେ ମୁନିବରଙ୍କ ସାମାନାରେ ଆବିର୍ଭାବ ହେଲେ । ମୁନିବର ନାରଦଙ୍କୁ ଚିହ୍ନିପାରି ବହୁତ ପ୍ରସନ୍ନ ହେଲେ ଏବଂ ସସମ୍ମାନରେ ତାଙ୍କର ସ୍ବାଗତ ଅଭ୍ୟର୍ଥନା କଲେ । ତତ୍ପଶ୍ଚାତ ଆସିବାର କାରଣ ଜାଣିବାକୁ ଚାହିଁବାରୁ ନାରଦ କହିଲେ ସେ ବୈକୁଣ୍ଠକୁ ନାରାୟଣଙ୍କ ଦର୍ଶନ ନିମନ୍ତେ ଯାଉଥିଲେ । ଏହା ଶୁଣି ମୁନିବର କହିଲେ ମୁଁ ବର୍ଷ ବର୍ଷ ଧରି ପ୍ରଭୁ ନାରାୟଣଙ୍କୁ ତପସ୍ୟା କରି ଆସୁଛି । ହେଲେ ଆଜି ପର୍ଯ୍ୟନ୍ତ ଦର୍ଶନ ପ୍ରାପ୍ତ ହେଲାନାହିଁ । ବୋଧେ ମୋର ତପସ୍ୟାରେ କେଉଁଠି ତୃଟି ରହି ଯାଉଛି । ଏବେ ମୋର ବୟସ ଶେଷ ସୀମାରେ ପାଦ ଦେଲାଣି, କେଜାଣି କେଉଁ ସମୟରେ ମୋର ମୃତ୍ୟୁ ହୋଇପାରେ । ମୋ ତପସ୍ୟାର ପରିଣାମ କଣ ମିଳିବ ନାହିଁ ? ନାରଦ କହିଲେ ଆପଣ ଧର୍ଯ୍ୟ ଧରନ୍ତୁ । ସବୁ ଉତ୍ତମ ହେବ । ମୁନିବର ଜିଜ୍ଞ୍ୟାସା କଲେ ମୋର ଆପଣ ପ୍ରଭୁ ନାରାୟଣଙ୍କ ଦର୍ଶନ ନିମନ୍ତେ ଯାଉଛନ୍ତି । ଯଦି କିଛି ନଭାବନ୍ତିି ମୋର ଏକ ସନ୍ଦେଶ ପ୍ରଭୁଙ୍କ ନିକଟରେ ପହଞ୍ଚାଇ ଦେବେ କି ? ଆପଣ ମୋର ସନ୍ଦେଶ ପ୍ରଭୁଙ୍କ ନିକଟରେ ପହଞ୍ଚାଇ ଏହାର ଉତ୍ତର ଆଣି ପାରିବେ କି ? ଦେବର୍ଷି ନାରଦ କହିଲେ ନିଶ୍ଚିନ୍ତ ଆପଣଙ୍କ ସନ୍ଦେଶ ବିଷୟରେ ମୋତେ ଜ୍ଞ୍ୟାତ କରାନ୍ତୁ । ମୁନିବର ବ୍ୟକ୍ତ କଲେ ଆପଣ ପ୍ରଭୁଙ୍କୁ ପଚାରିବେ ସେ ମୋତେ କେବେ ଦର୍ଶନ ଦେବେ ? ଦେବର୍ଷି ନାରଦ କହିଲେ ବହୁତ ଭଲ କଥା । ଆପଣଙ୍କ ସନ୍ଦେଶ ପ୍ରଭୁଙ୍କୁ ଶୁଣାଇ, ଏହାର ଉତ୍ତର ନେଇ ଏହି ମାର୍ଗରେ ପ୍ରସ୍ଥାନ କରିବି । ଆପଣ ସେ ପର୍ଯ୍ୟନ୍ତ ଧର୍ଯ୍ୟର ସହିତ ମୋର ପ୍ରତିକ୍ଷା କରନ୍ତୁ । ଏବେ ମୋତେ ବିଦାୟ ଦିଅନ୍ତୁ । ଏତିକି କହି ଦେବର୍ଷି ନାରଦ ଚାଲିଗଲେ ଓ ମୁନିବର ତାଙ୍କ ଫେରିବା ପଥକୁ ଚାହିଁ ବସିଲେ ।
ଦେବର୍ଷି ନାରଦ ବୈକୁଣ୍ଠରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କଲେ ଓ ମୁନିବରଙ୍କ ସନ୍ଦେଶ ପ୍ରଭୁଙ୍କ ନିକଟରେ ବ୍ୟକ୍ତ କଲେ । ପ୍ରଭୁ ଶ୍ରୀ ନାରାୟଣ କହିଲେ ଆପଣ ଯାଇ କୁହନ୍ତୁ, ସେ ଯେଉଁ ବୃକ୍ଷ ତଳେ ବସି ମୋର ତପସ୍ୟା କରୁଛନ୍ତି, ସେ ବୃକ୍ଷରେ ଯେତିକି ପତ୍ର ଅଛି ସେତକ ଜନ୍ମ ପରେ ତାଙ୍କୁ ଦର୍ଶନ ମିଳିବ । ଦେବର୍ଷି ନାରଦ ଉତ୍ତର ପାଇ ବୈକୁଣ୍ଠରୁ ଫେରି ଆସିଲେ । ମୁନିବରଙ୍କ ନିକଟରେ ପହଞ୍ଚି ସେ ପ୍ରଭୁଙ୍କ ନିକଟରୁ ଆଣିଥିବା ଉତ୍ତର ଜଣାଇଲେ । ମୁନିବର ଦର୍ଶନ ମିଳିବ ଶୁଣି ଖୁସିରେ ଭାବବିହ୍ବଳ ହୋଇଗଲେ ଓ ପ୍ରସନ୍ନ ମନରେ ଗୀତ ଗାଇ ଗାଇ ନାଚିବାକୁ ଲାଗିଲେ । ହଠାତ୍ ପ୍ରଭୁ ନାରାୟଣ ପ୍ରକଟ ହେବାର ଦେବର୍ଷି ଦେଖିଲେ । ସେ ପ୍ରଭୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ନିଜ ମନର ଶଙ୍କା ଦୂର କରିବାକୁ ଯାଇ ପଚାରିଲେ ପ୍ରଭୁ ଆପଣ ମୋତେ ମିଥ୍ୟାବାଦୀ ସଜେଇ ଦେଲେ । ଆପଣ କହିଥିଲେ ବୃକ୍ଷର ଥିବା ପତ୍ର ଯେତିକି ମୁନିବର ସେତିକି ଜନ୍ମ ନେବା ପରେ ଦର୍ଶନ ଦେବେ । କିନ୍ତୁ ଆପଣ ମୋ ପଛେ ପଛେ ଚାଲି ଆସିଲେ । ଏପରି କେମିତି ହେଲା ପ୍ରଭୁ ? ପ୍ରଭୁ ନାରାୟଣ କହିଲେ ନାରଦ ମୁଁ ସତ୍ୟ କହିଥିଲି । ବାସ୍ତବରେ ମୁନିବର ଯେଉଁ ଭାବାର୍ଥ ନେଇ ତପସ୍ୟା କରୁଥିଲେ, ତାଙ୍କୁ ସେତିକି ଜନ୍ମ ପରେ ମୋର ଦର୍ଶନ ପ୍ରାପ୍ତ ହେବାର ଥିଲା । କିନ୍ତୁ ଏବେ ତୁମ ମୁଖରୁ ମୋର ଦର୍ଶନ ମିଳିବା ସମ୍ବାଦ ଶୁଣିବା ପରେ ତାଙ୍କ ହୃଦୟର ଭାବାର୍ଥ ଚରମ ସୀମାରେ ପହଞ୍ଚି ଯାଇଥିଲା, ଭକ୍ତିର ଅଗ୍ରଭାଗକୁ ସେ ସ୍ପର୍ଷ କରିଥିଲେ, ହୃଦୟରୁ ତାଙ୍କର ସ୍ନେହ ପ୍ରେମର ଏକ ଉଚ୍ଛଳ ତରଙ୍ଗ ପ୍ରବାହିତ ହୋଇଥିଲା । ଯାହା ଦ୍ବାରା ତାଙ୍କର ସବୁ ଜନ୍ମର ବାଧା ଦୂର ହୋଇଗଲା ଓ ତାଙ୍କ ଭକ୍ତିର ଚରମ ସ୍ପର୍ଷରେ ମୁନିବରଙ୍କୁ ଦର୍ଶନ ଦେବା ପାଇଁ ମୁଁ ବାଧ୍ୟ ହେଲି ।
ତେଣୁ କୌଣସି ବି କାର୍ଯ୍ୟ କରନ୍ତୁ ନା କାହିଁକି, ଯଦି ଭାବାର୍ଥର ଚରମରେ ପହଞ୍ଚି, ହୃଦୟର ସହକାରେ ସମସ୍ତ ସ୍ନେହ ପ୍ରେମର ସ୍ପର୍ଷ ଦେଈ ସେ କାର୍ଯ୍ୟ କରିବା, ଆମକୁ ସଫଳତା ନିଶ୍ଚିତ ମିଳିବ । ଏଥିରେ କୌଣସି ଦ୍ବିମତ ନାହିଁ ।