ପୋଡାମୁହିଁ
ପୋଡାମୁହିଁ
ଓଃ.....କିଏ କହେ ରବିବାର ଛୁଟିଦିନ ବୋଲି। ମୋତେ ତ ଲାଗୁଛି ରବିବାରେ ହିଁ ସବୁଠୁ ବେଶୀ କାମ"। ମନକୁ ମନ କହିକହି ଶ୍ବଶୁର ଙ୍କ ରୁମ୍ ଭିତରକୁ ପଶିଲା ଅଳକା। ପୂର୍ବ ଛଅ ଦିନର କାମ ଆଜି ଗୋଟେ ଦିନରେ ସାରିବାକୁ ପଡେ। ନିଜ ରୁମ୍ , ପିଲାଙ୍କ ରୁମ୍ ଓ ଶ୍ବଶୁର ଙ୍କ ରୁମ୍ ର ବିଛଣା ଚେଞ୍ଜ୍ କରିବା । ପିଲାଙ୍କ ବୁକ୍ ସେଲ୍ଫ ସଜାଡିବା ସବୁ ରୁମ୍ ର କପ୍ ବୋର୍ଡ ସଜାଡିବା। ଡ୍ରେସ୍ ଇସ୍ତ୍ରି କରିରଖିବା। ସୋ କେଶ୍ ସଜାଡିବା।ଛୁଟିଦିନ ବୋଲି ସ୍ପେଶାଲ ରୋଷେଇ କରି ଘରଲୋକଙ୍କୁ ଖୁଆଇବା। ସେଥିରେ ପୁଣି ଅପରାହ୍ନ ରେ ବଗିଚା କାମ କରିବା।ଏ ସବୁ ଗୁଡିକ ଅଳକାର ରୁଚି। ସବୁ ନିଜ ହାତରେ ସଜେଇ ରଖିବାକୁ ଭଲ ପାଏ ସେ ।ଆଉ କିଏ ରଖିଲେ, କୋଉଠି କ'ଣ ରଖିବେ ସେ ନିଜେହିଁ ହଇରାଣ ହେବ। ସେଥିପାଇଁ ଯେତେ କଷ୍ଟ ପଡୁ ପଛେ ସେ ଏକା ଏକା ସବୁ କରେ। ଆକାଶ ଇଛା କରିବି ଅଳକାକୁ ସାହାଯ୍ଯ କରିପାରନ୍ତିନି। ତାଙ୍କର ବି ଛୁଟିଦିନ ବୋଲି ପଡିରହିଥିବା ଅନେକ କାମ ସେହିଦିନ ସାରନ୍ତି। ଗତ କାଲି ସେକେଣ୍ଡ ସଟରଡେ ଛୁଟିଥିଲା ବୋଲି ପ୍ରାୟକାମ ଗତକାଲିଠାରୁ ସାରିଦେଇଛି। ଶାଶୁ ଶ୍ବଶୁର ନଣନ୍ଦ ଙ୍କ ଘରକୁ ଯାଇଛନ୍ତି। ଏଇ ସମୟରେ ତାଙ୍କ ରୁମ୍ ଟି ଭଲରେ ସଜାସଜି କରିପାରିବ ଭାବି ସେମାନଙ୍କ ରୁମ୍ ଭିତରକୁ ପଶିଲା ଅଳକା।
ସବୁ ସରିଲାଣି। ଆଉ ଅଳ୍ପ ଅଛି।ଅଣ୍ଟା କଟକଟ ହେଲାଣି। ପଳେଇବ କି? ଭାବିଲା ବେଳକୁ ପୁଣି ମନ ଫେରିଆସୁଛି। ଆଜି ନକଲେ ପୁଣି ଗୋଟେ ସପ୍ତାହ। ସେତେବେଳକୁ ସେମାନେ ପଳେଇଆସିବେ। ଯେତେ ପୁରୁଣା ଅସନା ଜିନିଷ ହେଲେବି ଶ୍ବଶୁର ଙ୍କ ର ସେଥିରେ ବେଶୀ ମୋହ ଆଉ ମମତା। ସେଥିପାଇଁ ଶାଶୁ ବାରମ୍ବାର କରି କହିଯାଇଛନ୍ତି "ଯାହା ପୁରୁଣା ପୁରୁଣୀ ଭଙ୍ଗା ରୁଜା ଦେଖିବୁ ସବୁନେଇ ଷ୍ଟୋର ଘରେ ରଖିଦେବୁ। ଶୋଇବା ଘରଟାକୁ କବାଡିଖାନା କରିଦେଲେଣି ଏ ଲୋକ"।
ଖଟ ତଳେ ଗୋଟେ ବଡ ଟିଣ ବାକ୍ସ। ୟାରି ପାଇଁ ଖଟତଳେ ଭଲରେ ଝାଡୁ ବୁଲେଇ ହଉନି।ୟାରି ପାଇଁ ଚାରିଖଣ୍ଡ କାଠ ଦିଆହେଇ ଖଟର ଉଚ୍ଚତା ବଢାଯାଇଛି। ରଙ୍ଗଛଡା କଳଙ୍କି ଲଗା ଟିଣ ବାକ୍ସ ଟି ଘରର ସବୁ ସୌନ୍ଦର୍ଯ୍ଯ ନଷ୍ଟ କରୁଛି। ଏକୁ ଆଜି ନିଶ୍ଚିତ ଏଠୁ ହଟେଇବି। ମନକୁ ମନ କହିଲା ଅଳକା। ଟାଣି ଆଣିଲା ବାକ୍ସ ଟିକୁ। ବାପ୍ ରେ ଏତେ ଓଜନ!କ'ଣ ଏମିତି ଅଛିଯେ ଏହା ଭିତରେ। ବାକ୍ସ ଟିକୁ ଖୋଲିଦେଇ ଥମ୍ ହେଇ ରହିଗଲା ସେ।ଖୁସିରେ ତା ଆଖି ବିସ୍ଫାରିତ ହେଇଗଲା। ଏତେ ବହି!!ପୁଣି ଏତେ ଭଲ ଭଲ ଲେଖକ ଙ୍କର। ଶ୍ବଶୁର ପୁସ୍ତକ ପ୍ରିୟ ମଣିଷ ଟିଏ ବୋଲି ସେ ଆଗରୁ ଜାଣିଥିଲା। କିନ୍ତୁ କେବେ ବହି ପଢିବାର ଦେଖିନଥିଲା। ବୟସ ଆସି ସତୁରି ପାର ହେଲାଣି। ଦୃଷ୍ଟି ଶକ୍ତି କମିଗଲାଣି। ଅତି ବେଶୀରେ ଦୈନିକ ଖବରକାଗଜ ଓ ମାସିକ ପତ୍ରିକାରେ ସନ୍ତୁଷ୍ଟ ହୁଅନ୍ତି। ତେଣୁ ପୁରୁଣାବହି ସବୁ ଏଇଠି ସୁରକ୍ଷିତ ଅବସ୍ଥାରେ ସାଇତା ହେଇଛି। ସବୁ ଝଡାଝଡି ହେଇ ଚିକ୍ ଚିକ୍ ଦିଶୁଛି। ଝାଡୁ ଫିଙ୍ଗିଦେଇ ସେଇଠି ବସିପଡି ଖେଳେଇ ଚାଲିଲା ବହିସବୁ ଅଳକା। ତା ଦେହ ର ଥକ୍କାପଣ କୁଆଡେ ଦୂରେଇ ଗଲା ସାଙ୍ଗେସାଙ୍ଗେ। ମନ ଖୁସିରେ ନାଚିଉଠିଲା। ସେ ବି ତା ଶ୍ବଶୁର ଙ୍କ ଭଳି ପୁସ୍ତକ ପ୍ରିୟ ।ପିଲାବେଳୁ ପଢା ବହିଠାରୁ ଏହି ସବୁ ବହିରେ ତା'ର ବେଶୀ ଆଗ୍ରହ।ସେଥିପାଇଁ କେତେ ଗାଳି ଖାଇଛି ବାପା ବୋଉଙ୍କ ଠାରୁ। ସେଥିପାଇଁ କେବେ କିଣି ଆଣି ବହିପଢିବାର ସୁଯୋଗ ପାଇନି ସେ।ଯାହା ପଢେ ସ୍କୁଲ କଲେଜର ଲାଇବ୍ରେରୀ ରୁ ଆଣିକି। ଚାକିରି କଲାପରେ ନିଜେ ବହି କିଣିବାକୁ ସକ୍ଷମ ହେଲାବେଳକୁ ସମୟର ଘୋର ଅଭାବ। ଚାକିରି, ପରେ ବାହାଘର ତା ପରେ ପ୍ରଥମ ସନ୍ତାନ ତାପରେ ଦ୍ବିତୀୟ ସନ୍ତାନ। ଆଉ ସମୟ କାହିଁ ଯେ ତା ସୌକ ପୂରଣ କରିବ।
ସବୁ ବହି ଖେଳେଇ ସାରି ଫକୀରମୋହନ ସେନାପତିଙ୍କ"ରେବତୀ "ଉପନ୍ଯାସ ଟିକୁ ଧରି ନିଜ ରୁମ୍ କୁ ଗଲା ଅଳକା। ଘର ସଜଡା ସେତିକି। ଯାହାକୁ ସେ ଅଳିଆ ଭାବି ସଫା କରିବାକୁ ବସିଥିଲା ସେ କ'ଣ ଜାଣିଥିଲା ତା ଭିତରୁ ତାକୁ ଖଜାନା ମିଳିବ ବୋଲି। ବହିଟିକୁ ତକିଆ ତଳେ ରଖିଦେଇ ତରବର ହେଇ ସମସ୍ତଙ୍କୁ ଡାକ ପକେଇ ଖାଇବାକୁ ବସେଇଲା। ଆକାଶଙ୍କ ଫାଇଲ ପତ୍ର ସିଧା ବନ୍ଦ କରି ଥୋଇଦେଇ ହାତ ଧରି ଡାଇନିଂ ଟେବୁଲ ପାଖେ ବସେଇଦଲା ଭଳିଆ ଏକରକମ। ପିଲାଙ୍କ ଠାରୁ ଆକାଶ, ସମସ୍ତେ ଆଶ୍ଚର୍ଯ୍ଯ ହେଇ ଚାହିଁଥାନ୍ତି ଅଳକାକୁ। କ'ଣ ହେଲା ୟାର ଅଚାନକ?ଗୋଡରେ ଯେମିତି ଚକ ଲାଗିଲା ଭଳି ଚାଲୁ ଥାଏ ଅଳକା। ଅଧଘଣ୍ଟା ଭିତରେ କାମସାରି ସିଧା ଯାଇ ଛାତ ଉପରେ। ଶୀତଦିନେ ଖରାରେ ବସି ଗପବହି ପଢିବାର ମଜା ନିଆରା। ପିଲାଦିନର ସ୍ମୃତି ଉଜ୍ଜୀବିତ ହୋଇଉଠେ।
ବହିର ଗୋଟିକ ପରେ ଗୋଟିଏ ପୃଷ୍ଠା ଲେଉଟାଇ ଚାଲିଛି ଅଳକା। ସେପଟେ ସମାନ୍ତରଳ ଭାବେ ଲେଉଟି ଚାଲିଛି ନିଜ ଜୀବନ କାହାଣୀର ପ୍ରତ୍ୟେକ ଟି ପୃଷ୍ଠା। ଲୋ ରେବୀ....ଲୋ ନିଆଁ.....ଲୋ ଚୁଲି।ଏମିତି ଡାକୁଥିଲା ରେବତୀର ଜେଜୀମା ରେବତୀକୁ। ଆଉ ଅଳକା ର ଜେଜୀମା ଆଲୋ ଏ....ପୋଡାମୁହିଁ।ଆଲୋ ଏ.... ମଉନମୁହିଁ ଚୁପୁଶଇତାନି।ଇତ୍ଯାଦି ଇତ୍ଯାଦି। କଥା କଥାକେ ବାପାଙ୍କ କାନରେ ଗୋଟିଏ କଥା ସେ ପକଉଥିଲା ଝିଅଟାକୁ ଏତେ ପାଠ ପଢାନାରେ। ଶାଶୁଘରେ ସମସ୍ତଙ୍କ ମୁହଁରେ ଜବାବ ଦେବ। ତୋରି ନାଁ ତଳେ ପକେଇବ ।ଅଳକାର ସପ୍ତମ ପଢା ସରୁସରୁ ଘରେ ରହି କାମ ଶିଖୁ ବୋଲି ସବୁବେଳେ ବାପାଙ୍କ ଉପରେ ଚାପ ପକଉଥିଲା।ସପ୍ତମ ଶ୍ରେଣୀରେ ବୃତ୍ତି ପାଇବା ପରେ ଜେଜେମାଆଙ୍କ ପାଟି ଚୁପ୍ ହେଇଗଲା। ମାଟ୍ରିକ ପରୀକ୍ଷା ପରେପରେ ବାହାଘର ପାଇଁ କେତେ ଚାପ ପକଉଥିଲା। ତା ସାଙ୍ଗରେ ଅଳକାର ବୋଉ ବି। କାମକୁ ଆଉ ପାରୁନି ବୋଲି କେତେ ବାହାନା କରି ଅଳକା ଦ୍ବାରା ଘର କାମ କରଉଥିଲେ। ପରୀକ୍ଷାରେ ସାରା ସ୍କୁଲରେ ଅଧିକ ନମ୍ବର ରଖି ପୁରସ୍କୃତ ହେବାପରେ ସେତକ ବି ବନ୍ଦ ହେଇଯାଇଥିଲା। କିନ୍ତୁ ଅଳକାର ବାପାଙ୍କ ଉପରେ କାହାରି ପ୍ରଭାବ ପଡିନଥିଲା। ପଡିଥିଲା ତ କେବଳ ଅଳକାର ସ୍କୁଲ ଶିକ୍ଷକ ମାନଙ୍କର। ସେମାନେ ଅଳକାର ପ୍ରତିଭା ଦେଖି ତା'ର ଭବିଷ୍ଯତ ଯେ ଉଜ୍ଜ୍ବଳ ସେକଥା ବାରମ୍ବାର ଅଳକା ର ବାପାଙ୍କ ଆଗରେ କହୁଥିଲେ। ସେଥିପାଇଁ ଅଳକାର ବାପା ମନପ୍ରାଣ ଦେଇ ଅଳକାର ପଛରେ ଲାଗିଥିଲେ ତାଙ୍କ ଝିଅକୁ ଆଗଧାଡିର ଜଣେ କରି ଠିଆକରିବାକୁ। ତଥାପି ଅଳକା ର ବୋଉ କି ଜେଜେମାଆଙ୍କ ମନ ବୁଝୁନଥିଲା। ଝିଅଟା ପଛରେ ଏତେ ଖର୍ଚ୍ଚ କରିବା ଅପେକ୍ଷା ସେତିକି ଖର୍ଚ୍ଚ ରେ ବାହାଘର କରି ବୋଝ ଉଠେଇଦେବା ଭଲ ବୋଲି ସେମାନଙ୍କ ର ଇଚ୍ଛାଥିଲା। ପୁଅଟା ପାଠ ନପଢି ଦିନକୁଦିନ ବାଳୁଙ୍ଗା ହେଇହେଇ ଯାଉଛି ତାକୁ ନଦେଖି ପରଧନକୁ ଦେଖିଲ ଖାଲି ବୋଲି ଅଭିଯୋଗ କରନ୍ତି ଅଳକାର ବୋଉ। ଝିଅଟି ପାଠ ପଢି ନିଜଗୋଡରେ ଛିଡାହେଇପାରିଲେ ଯେତେ ବଡ ଝଡ ଆସିଲେବି ତାକୁ କେହି ଭାଙ୍ଗିପାରିବେନି ବୋଲି ଅଳକାବାପାଙ୍କ ର ଯୁକ୍ତି ଆଗରେ ପୁଣି ମୁଣ୍ଡ ନୁଆଁନ୍ତି ।ହେଲେବି ମାଆ ମନ ତାଙ୍କର ବୁଝେନି। ଝିଅଟେ ହେଇ ଝଡ ଆଗରେ ଛିଡାହେବ କାହିଁକି ଯେ ଭାଙ୍ଗିବା ନଭାଙ୍ଗିବା କଥା ପଡିବ।ଝଡ ଆସିଲେ ମୁଣ୍ଡ ନୁଆଁଇ ଦେବାକଥା ନା। ତା ସାଙ୍ଗ ସାଥିରେ କେତେଜଣ ବାହା ସାହା ହେଇ ସଂସାର କଲେଣି,ଇଏ ଆହୁରି ଝିଅକୁ ପାଠ ପଢେଇ ଟାଣ କରୁଛନ୍ତି। ତା ବଦଳରେ କାମଦାମ ଟିକେ ଶିଖେଇଥିଲେ ଝିଅକୁ ମୋର କେହି ଆଙ୍ଗୁଠି ଉଠାନ୍ତେନି। ଅଳକାବାପାଙ୍କର ଗୋଟିଏ ପାଟିରେ ପୁଣି ଚୁପ୍ ହେଇ ଯାଆନ୍ତି ଅଳକାର ବୋଉ। ଅଳକା ମନେମନେ ଭାବେ "ବୋଉ ଲୋ ,ତୁ ତ ସବୁ କାମରେ ନିପୁଣା। ତଥାପି କେମିତି ବାପାଙ୍କ ଗୋଟିଏ ପାଟିରେ ତୋ ପାଟି ଚୁପ୍ କରିଦେଉଛୁ"।
ଶେଷରେ ଅଳକାର ଚେଷ୍ଟା ,ନିଷ୍ଠା ଆଉ ତା ବାପାଙ୍କ ର ସବୁ ସ୍ବପ୍ନ ସାକାର କରି ଅଳକା ଓଡିଶାର ଜଣେ ପ୍ରଶାସନିକ ଅଧିକାରୀ ହେଇ ବାହାରିଲା। ସେଦିନ ଜେଜେମାଆ, ବୋଉ କେତେ କୁଆଡେ ଯାଇ ପୂଜାପୂଜି କଲେ ତା'ର ହିସାବ ନାହିଁ। ଏଥର ଆଉ ଜେଜେମାଆ ଆଦେଶ ଦିଏନି ଅନୁରୋଧ କରେ "ଆଉ କେତେଟା ଦିନ ବଞ୍ଚିବିରେ ବାବୁ, ନାତୁଣୀଜୋଇଁଟା କେଉଁଠି ଅଛି ଟିକେ ଦେଖେଇ ଦେ। ଆତ୍ମା ଶାନ୍ତି ପାଇଯିବ"। ଏଥର ବାପା ଲାଗିପଡିଲେ ଜୋଇଁ ଖୋଜିବାକୁ। ଜୋଇଁ ଖୋଜିବାକୁ ପଡିଲାନି।କେତେ କେତେ ପ୍ରସ୍ତାବ ତାପଛକୁ ତାପଛ ଆସିଲା। ଶେଷରେ ଆକାଶଙ୍କୁ ସମସ୍ତେ ପସନ୍ଦ କଲେ।ତାପରେ ବାହାଘର।ଟିକେ ଡରୁଥିଲେ ଜେଜେମାଆ ଓ ବୋଉ, ଘର ଦାୟିତ୍ବ ଠିକ୍ ରେ ନେଇପାରିବ କି ନାହିଁ।ଆଶ୍ଚର୍ଯ୍ୟ କଲାଭଳି ଘର ଓ ଅଫିସ୍ ଦୁଇଟିଯାକ ସେ ଏମିତି ସମ୍ଭାଳୁଥିଲା ଯେ ଦୁଇଜଣ ଯାକ ତାଟକା ହେଇଯାଉଥିଲେ।କେତେ କ'ଣ ଆଶୀର୍ବାଦରେ ଦେଉଥିଲେ।ସତକୁ ସତ ବାହାଘର ର କିଛିମାସ ପରେ ଜେଜେମାଆ ଙ୍କର ମୃତ୍ଯୁ ଘଟିଲା।
ବହିଟିକୁ ହାତରେ ଧରି ଭାବୁଛି ଅଳକା, କାଲି ସେ ଯେଉଁଠି ଥିଲା ଆଜି ତା ଝିଅ ବି ସେଇଠି ଅଛି। ଅଳକାର ଶାଶୁ ତାଙ୍କ ନାତି କୌଣସି କଥାକୁ ନେଇ ଜିଦ୍ କରୁଥିଲେ ହସି ଦିଅନ୍ତି ସିନା ନାତୁଣୀ କିଛି ଜିଦ୍ କଲେ "ଝିଅପିଲା ଏତେ ଜିଦ୍ କରିବା ଠିକ୍ ନୁହେଁ ବୋଲି ତାଗିଦ୍ କରାନ୍ତି। ଫକୀରମୋହନଙ୍କ ସେନାପତିଙ୍କ ରେବତୀ ଉପନ୍ଯାସ ପ୍ରକାଶିତ ହେବାର ଗୋଟେ ଶତାବ୍ଦୀ ବିତି ଯାଇଥିଲେ ବି ଆଜିବି ଅନେକ ରେବତୀ ଅଛନ୍ତି ଜେଜେମାଆଙ୍କ ଦ୍ବାରା ଶ୍ରଦ୍ଧାରେ 'ପୋଡାମୁହିଁ 'ବୋଲି ନାମିତ ହୁଅନ୍ତି ସିନା ଜେଜେମାଆଙ୍କ ଦ୍ବାରା ନିଜର ଅଧିକାର ପାଇଁ ସଚେତନ ହେଇପାରନ୍ତିନି।
