Rajalaxmi Tripathy

Others

3  

Rajalaxmi Tripathy

Others

ପଂଚୁକ ଏକାଦଶୀ ର ସ୍ମୃତି

ପଂଚୁକ ଏକାଦଶୀ ର ସ୍ମୃତି

3 mins
351


ସ୍ୱାତୀ କଲେଜରୁ ଫେରି ପଢାରୁମରେ ବସିଥିଲା । ଝରକା ବାଟେ ଆକାଶକୁ ଚାହିଁଲା । ସଂଧ୍ୟା ହୋଇ ଆସୁଛି । ହାଲକା ଶୀତ ଟିକେ ପଡିଲାଣି । ଆସନ୍ତାକାଲି ପଂଚୁକ ଏକାଦଶୀ । ବାପା କହିଛନ୍ତି ସକାଳେ ସେମାନେ ଜେଜେମାଙ୍କୁ ଦେଖିବାକୁ ଗାଁ କୂ ଯିବେ । ଏମିତି ବି ସେ ତା ଜେଜେମା'ଙ୍କୁ ଅନେକ ଦିନ ହେଲା ଦେଖିନି । ତେଣୁ ଗାଁକୁ ବାପା ମା'ଙ୍କ ସହ ସେ ବି ପ୍ରସ୍ତୁତ ହୋଇ ସାରିଛି । 

ପରଦିନ ସକାଳ ଛଅଟାରେ ସମସ୍ତେ ଗାଁକୁ ବାହାରିଲେ । ଗାଁ ଟି ପୁରୀ ଜିଲ୍ଲାର ଏକ ଶାସନ ବ୍ରାହ୍ମଣ ଗାଁ,ବଳଭଦ୍ର ପୁର । ଗ୍ରାମ ପ୍ରବେଶ ପଥରେ ଗୋପୀନାଥଙ୍କ ମନ୍ଦିର । ତା'କଡ଼ରେ ଗ୍ରାମ ଦେବତୀ ଜାଗୁଳାଇ ଠାକୁରାଣୀଙ୍କ ମନ୍ଦିର । ସାମ୍ନାରେ ବିରାଟ ପୋଖରୀ । ଚାରିଆଡ ଚାହିଁଲେ ଖାଲି ନଡ଼ିଆ ଗଛ । ଏ ମନୋରମ ଦୃଶ୍ୟ ଦେଖି ସ୍ୱାତୀ ବହୁତ ଖୁସି ହୋଇଗଲା । ଗାଁର ବାମକଡ଼ରେ ଥିବା ପ୍ରଥମ ଘର ଟି ତାଙ୍କର । ବାପା, ମା'ଙ୍କୁ ପଛରେ ରଖି ସ୍ୱାତୀ ଜେଜେମା ବୋଲି ଡାକି ଘର ଭିତରକୁ ପଶିଗଲା । ସକାଳ ଆଠଟା । ଜେଜେମା, କନକ ଦେବୀଙ୍କର କାର୍ତ୍ତିକ ବ୍ରତ ଚାଲିଛି । ସ୍ୱାତୀ ଦେଖିଲା ଜେଜେମା ତୁଳସୀ ଚଉରାମୂଳେ ବସି ଚଉରାପୂଜା କରୁଛନ୍ତି । ଆଶ୍ଚର୍ଯ୍ୟ ହୋଇଗଲା ସ୍ୱାତୀ । ସତୁରୀ ବର୍ଷ ବୟସରେ ପଂଚରଙ୍ଗ ମୁରୁଜରେ ଜେଜେମା କେତେ ସୁନ୍ଦର ଚିତ୍ର ଆଙ୍କିଛନ୍ତି । ରାଧା ଦାମୋଦର, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସହ ଆହୁରି ଅନେକ ଫୁଲ, ହାତୀ, କଳସର ଛବି ଇତ୍ୟାଦି । ଚଉରାକୁ ଗେଣ୍ଡୁଫୁଲ ମାଳରେ ସୁନ୍ଦର କରି ସଜ୍ଜାଇଛନ୍ତି । ସାମ୍ନାରେ ଠାକୁରଙ୍କ ପାଇଁ ଭୋଗ ଥାଳି ସଜାଡି ରଖିଛନ୍ତି । ସ୍ୱାତୀ ଏସବୁର ଫଟୋ ତା ମୋବାଇଲରେ ସାଇତି ରଖିଲା । ଜେଜେମା ପୂଜା ସାରି ବୃନ୍ଦାବତୀଙ୍କୁ ମୁଣ୍ଡିଆ ମାରି କହୁଥିଲେ: 'ହେ ଦୀନ ତାରକ ମୋତେ ପରିତ୍ରାଣ କର' । 

ସ୍ବାତୀ ଏତିକିବେଳେ ଡାକିଲା,ଜେଜେମା,ମୁଁ ଆସିଛି । ଚମକି ପଡିଲେ କନକ ଦେବୀ । ପାଖରେ ପୁଅ,ବୋହୁ ଓ ନାତୁଣୀ ସ୍ୱାତୀକୁ ଦେଖି ଅତି ଖୁସି ରେକହିଲେ- ମୁଁ ଜାଣିଥିଲି, କାର୍ତ୍ତିକ ମାସରେ ତମ ଯେମିତି ହେଲେ ମୋ ପାଖକୁ ଆସିବ । ସ୍ୱାତୀକୁ ଚାହିଁ କହିଲେ-ଭଲହେଲାଆଜି ମୋ ନାତୁଣୀ ଓ ତମେ ହବିଷ ଖାଇ ଫେରିଯିବ । କାରଣ କନକ ଦେବୀ ଜାଣିଥିଲେ ପିଲେ ଘରକୁ ଆସିଲେ ରାତିରେ ରହନ୍ତି ନାହିଁ । ସହରକୁ ଫେରିଯାନ୍ତି । କନକ ଦେବୀ ଚଉରାପୂଜା ସାରି କିଛି ପୂଜା ତୁଳସୀ ପତ୍ର ଆଣି ସମସ୍ତଙ୍କୁ ଦେଲେ । ସ୍ୱାତୀ ହାତକୁ ତୁଳସୀ ବଢ଼ାଇ ଗାଇ ଉଠିଲେ:

'ବିଶେଷ କାର୍ତ୍ତିକ ମାସରେ

ତୁଳସୀ ସେବା କରି ନରେ

ଲଭିବେ କୈବଲ୍ୟ ମୁକତି

ଖଣ୍ଡିବେ ଅଶେଷ ବିପତ୍ତି । '

ଜେଜେମା ସ୍ୱାତୀକୁ କହିଲେ, ଏ ଗୀତ "ତୁଳସୀ ପୁରାଣ"ରେ ଲେଖାଅଛି । ତୁଳସୀ ପତ୍ରକୁ ପାଟିରେ ପୁରାଇ ସ୍ୱାତୀ ଭାବିଲା, ତୁଳସୀ ଧାର୍ମିକ ତତ୍ତ୍ୱ ଅନୁସାରେ ଏକ ସାତ୍ତ୍ଵିକ ବୃକ୍ଷ ଓ ବିଭିନ୍ନ ରୋଗ ନାଶକ । ତେଣୁ ତାକୁ ଯତ୍ନରେ ରୋପଣ କରି ତା'ମୂଳରେ ଜଳଦାନ କଲେ ମନରେ ପବିତ୍ର ଭାବ ଆସେ । ଏହାଛଡା ପରିବେଶ ପାଇଁ ତୁଳସୀ ଅମୃତ ତୂଲ୍ୟ । 

ଏହାଭିତରେ ଜେଜେମା 'ସମସ୍ତଙ୍କୁ ଚଉରା ଭୋଗ ଖାଇବାକୁ ଦେଲେ । ସମୁଦାୟ ଚଉରାପୂଜାର ଭିଡିଓ ଚିତ୍ର ଟିକୁ ବାହାର କରି ସ୍ୱାତୀ ଦେଖୁଥିଲା । 

ମଧ୍ୟାହ୍ନରେ ବିଶ୍ରାମ ସମୟରେ ଜେଜେମା "କାର୍ତ୍ତିକ ମାହାତ୍ମ୍ୟ"ପୁରାଣ ବୋଲିବା ସମୟରେ ସ୍ୱାତୀ ତାଙ୍କ ପାଖରେ ବସି ସବୁ ଶୁଣୁଥିଲା । ପଢା ସରିବାପରେ ଏଥର କହିଲା: ଜେଜେମା, ତୁମେ କାହିଁକି କାର୍ତ୍ତିକ ବ୍ରତ କରୁଛ?

-ଶୁଣୁ ମା'ମଣିଷ ଯେ ପର୍ଯ୍ୟନ୍ତ ଦେବତା ପରି ସବୁ ଭଲ ଗୁଣର ଅଧିକାରୀ ହୋଇନି,ସେ ପର୍ଯ୍ୟନ୍ତ ତାକୁ ବାରମ୍ବାର ଜନ୍ମ ନେଇ ପୃଥିବୀକୁ ଆସିବାକୁ ପଡେ । ଜନ୍ମ ପରେ ଜନ୍ମ ଅତିକ୍ରମ କରେ ସେ । ପ୍ରତି ଜନ୍ମରେ ନାନାବିଧ କର୍ମ କରେ ସେ । ତେଣୁ ସେ ସବୁ କର୍ମର ଫଳ ଭୋଗିବାକୁ ପଡେ ତାକୁ । ଅନ୍ୟକୁ ଦୁଃଖ କଷ୍ଟ ଦେଲେ ତାର ପରିଣାମ ଦିନେ ନା ଦିନେ ଆମକୁ ଭୋଗିବାକୁ ପଡେ । 

ଜେଜେମା'ଙ୍କର ଏହି କଥାର ସାରାଂଶ ବୁଝିପାରିଲା ଯେ ନିଜର ସତ୍ କର୍ମ ହିଁ ଜୀବନକୁ ସାର୍ଥକ କରେ । 

ସଂଧ୍ୟାରେ ଜେଜେମା ସମସ୍ତଙ୍କ ପାଇଁ ହବିଷ ଅନ୍ନ ରାନ୍ଧିଥିଲେ । ଏଥିପାଇଁ ରୋଷେଇରେ ତାଙ୍କୁ ପଡିଶା ଘର ରଂଜୁ ମାଉସୀ ସାହାଯ୍ୟ କରିଥିଲେ । ରଂଜୁ ମାଉସୀ ତାଙ୍କ ବାଡ଼ି କଦଳୀ ପତ୍ର ଆଣି ଭଲଭାବେ ଧୋଇ ଆଣିଲେ । ଜେଜେମା କନକଦେବୀ ନିଜେ ଶ୍ରଦ୍ଧାରେ ରାନ୍ଧିଥିଲେପିଲାଙ୍କ ପାଇଁ ଗୁଆଘିଅପକା ହବିଷ ଅନ୍ନ,କଦଳୀ ,ସାରୁ ପଡ଼ିଥିବା ଅଫୁଟା ମୁଗଡାଲି,ଆଉ ଅଗସ୍ତି ଶାଗ । ଶେଷରେ ଥିଲା ସ୍ୱାଦିଷ୍ଟ ଗଇଁଠା ଓ ଅଟ୍ଟକାଳି । ସେଇଟା ସେଦିନ ଜେଜମା ସ୍ବତନ୍ତ୍ର ଭାବେ ନାତୁଣୀ ପାଇଁ ପ୍ରସ୍ତୁତ କରିଥିଲେ । ଜୀବନରେ ଏପରି ସ୍ୱାଦିଷ୍ଟ ସାତ୍ତ୍ଵିକ ଖାଦ୍ୟ ସ୍ୱାତୀ ପ୍ରଥମ କରି ଖାଇବାର ଅନୁଭବ କଲା । ଭାବିଲା,ଏମିତି ସାତ୍ତ୍ୱିକ ଖାଦ୍ୟ ବୋଧହୁଏ ମଣିଷ ଚେତନାକୁ ଜାଗ୍ରତ କରେ ଓ ମନରେ ସାତ୍ତ୍ୱିକ ଭାବ ଆଣେ । ସତରେ ଅନନ୍ୟ ଏ କାର୍ତ୍ତିକ ବ୍ରତ,ଅପୂର୍ବ ଆମ ପରମ୍ପରା । ବିରଳ ଏ ପୂଜା । ଫେରିବା ବେଳେ ଜେଜମାଙ୍କୁ କୁଣ୍ଢେଇ ସ୍ୱାତୀ କହିଲା:ଆରବର୍ଷ କାର୍ତ୍ତିକ ମାସରେ ମୁଁ ନିଶ୍ଚୟ ତୁମ ପାଖକୁ ଆସିବି । କନକଦେବୀ ଦେବୀ ଅଳ୍ପ ହସି ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ । 

ଗାଡ଼ିରେ ବସି ଘରକୁ ଫେରିଲା ବେଳେ ସ୍ୱାତୀ ମନପକାଉଥିଲା ଜେଜମା ବୋଲିଥିବା "କାର୍ତ୍ତିକ ମାହାତ୍ମ୍ୟ"ର ସେହି କେତୋଟି ଧାଡ଼ି:

କାହାକୁ କେଉଁ ଭାବେ ଦୟା

କେ ଜାଣିପାରେ ତୋର ମାୟା । 

ସତରେ ସେହି ପରମ କାରୁଣିକ ବିଷ୍ଣୁ ରୂପୀ ଶ୍ରୀଜଗନ୍ନାଥଙ୍କ ମାୟା କାହାକୁ ବା ଜଣା!ସ୍ୱାତୀ ଛଳ ଛଳ ଆଖିରେ ଭାବୁଥିଲା । 


Rate this content
Log in