ପକ୍ଷୀରାଜ ଘୋଡ଼ା
ପକ୍ଷୀରାଜ ଘୋଡ଼ା


"ତୁ କଣ ଚାହୁଁଛୁ କହ?ଯାହା ଚାହୁଁଚୁ ଆଣିବି ଆଉ ଯାହା କହିବୁ କରିବି" ରାଜୁ କହିଲା ପିଙ୍କି ଆଡକୁ ଚାହିଁ I ରାକ୍ଷୀ ବାନ୍ଧିଛି ରାଜୁର ହାତରେ ପିଙ୍କି ଆଉ ରାଜୁ ତାକୁ ଦଶ ଟଙ୍କା ଧରେଇଛି ଯାହା ସିଏ ନିଜ ପକେଟ ଖର୍ଚ୍ଚକୁ ବଞ୍ଚେଇ ରଖିଥିଲା ଆଜି ପାଇଁ I
"ତମେ ତ ଦେଇ ପାରିବନି," ପିଙ୍କି କହିଲା I
"କଣ କି," ରାଜୁ ପଚାରିଲା I
"ଆଗରୁ ବି ତ କହିଥିଲି, ତୁମେ ମୋତେ ପକ୍ଷୀରାଜ ଘୋଡାଟିଏ ଆଣିଦିଅ I ଯେମିତି ମୁଁ ସେଦିନ ସପନରେ ଦେଖିଥିଲି I ଯାହା ବିଷୟରେ ତୁମକୁ କହିଥିଲି I ଆମେ କେମିତି ସେ ଘୋଡା ଉପରେ ବସି ସ୍କୁଲକୁ ଯାଉଥିଲେ I ମୁଁ ତୁମ ସାଥିରେ ଏ ବହି ବ୍ୟାଗଟି ଧରି ବସିଥିଲି I ସତରେ ବହୁତ ଭାରି ଲାଗୁଛି ଏହି ବ୍ୟାଗ I ଜମା ଉଠେଇକି ଯିବାକୁ ଭଲ ଲାଗୁନି," ପିଙ୍କି କହିଲା I
"ପକ୍ଷୀରାଜ ଘୋଡା କଣ ସତରେ ଥାଏ କି? ସେଇଟା ତ କାହାଣୀ ଖାଲି ," ରାଜୁ କହିଲା," ଚାଲେ ଡେରି ହେଇଗଲାଣି ସ୍କୁଲକୁ I"
"କିନ୍ତୁ ଘୋଡା ସିନା ହବନି, ସାଇକେଲଟିଏ ତ ହବ ! ତୁମେ ଚଲେଇବ ଆଉ ମୁଁ ପଛରେ ବସିବି I ମିଶିକି ସ୍କୁଲ ଯିବା I ତାକୁ ଆମେ ପକ୍ଷୀରାଜ ନାଆ ଦେଇଦେବା," ପିଙ୍କି କହିଲା ," ମୁଁ ଏ ଦଶ ଟଙ୍କା ରଖିଦେବି ମୋ ବାକ୍ସରେ I ଯେତେ ଟଙ୍କା ମିଳିବ ସବୁ ରଖିବି I ତୁମେ ବି ରଖ I ମିଶିକି କିଣିବା I "
"ହଉ I ରଖିଦେ I ମୁଁ ବି ଏଥର ରଖିବି I ଆଉ ଅଦରକାରୀ ଖର୍ଚ୍ଚ କରିବିନି," ଚାଲେ ଯିବା ଏଥର," ରାଜୁ କହିଲା I
ପିଙ୍କି ଚାଲିବାକୁ ଲାଗିଲା I ଘରଠାରୁ କିଛି ଦୂରରେ ପିଙ୍କି ଅଟକି ଗଲା ଆଉ ଦେଖେଇଲା ରାଜୁକୁ ସାମନାରେ ଥିବା କୋଠା ଆଡ଼କୁ I ସବୁ ଦିନେ ତ ସେଠାରେ ବନ୍ଧା ହେଇଥାଏ 'ପକ୍ଷୀରାଜ' ! ଆଜି ମଧ୍ୟ ଅଛି I
ରାଜୁ କିନ୍ତୁ ତର ତର ହେଉଥିଲା I ଅଟକି ଗଲା ପିଙ୍କି ଆଉ ଆଉ ପୁଣି ଥରେ ଟାଣିଲା ରାଜୁର ଶାର୍ଟ ଆଉ ଦେଖେଇଲା ରାସ୍ତା ଆର ପଟକୁ I ଆଜି ମଧ୍ୟ ଥୁଆ ହୋଇଛି କାନ୍ଥକୁ ଆଉଜେଇ ହୋଇ ସେହି ସୁନ୍ଦର ସାଇକେଲଟି I ତାହାର ପିଠି ଥାପୁଡ଼େଇ ଦେଲା ରାଜୁ ଆଉ କହିଲା, " ହଁ ତୋ ପାଇଁ ନିଶ୍ଚୟ ସାଇକେଲଟେ ଆଣିବି I ତୋତେ ଆଉ ଏମିତି ଖରାରେ ଚାଲି ଚାଲି ସ୍କୁଲ ଯିବାକୁ ପଡ଼ିବନି I ଆଣେ ତୋ ବ୍ୟାଗ ମୁଁ ଧରିଦେଉଛି I ତୁ ଆରାମରେ ଚାଲେ I ଥକି ଗଲୁଣି I "
ପିଙ୍କି ମୁଣ୍ଡ ଟୁଙ୍ଗାରି ବ୍ୟାଗଟିକୁ ଧରେଇ ଦେଲା ରାଜୁକୁ ଆଉ ଚାଲିବାକୁ ଲାଗିଲା ସ୍କୁଲ ଆଡକୁ ଦୁଇଟି ଯାକ ହାତ ହଲେଇ I ଦଲକାଏ ପବନ ବାଜିଲା ତା ଦେହରେ, ଲାଗିଲା ଯେମିତି ଆଜି ପାଇଁ ତାହାର ଭାଇ ହୋଇଛି ପକ୍ଷୀରାଜ ଘୋଡ଼ା ଆଉ ନେଇ ଯାଉଛି ତାହାର ବ୍ୟାଗ ସ୍କୁଲକୁ I