ପିଠିରେ ପଡ଼ିବ କିଏ !
ପିଠିରେ ପଡ଼ିବ କିଏ !
ରହସ୍ୟ ରୋମାଞ୍ଚଭରା 'ଦସ୍ୟୁ ରଞ୍ଜନ ସିରିଜ' କାହାଣୀ ପଢ଼ିବାରେ ମଜ୍ଜି ଯାଇଛି ସୌରଭ । ଖେଳ ଛୁଟିରେ ଖେଳିବାକୁ ନ ଯାଇ ଗପବହି ଧରି ବସିପଡ଼ିଛି ଖମ୍ବକୁ ଆଉଜି । ଖେଳାଖେଳି ପାଇଁ ଆଜି ତା'ର ଆଗ୍ରହ ନାହିଁ । ଅମିୟ, ସୁକାନ୍ତ ଆସି ଖେଳିବାକୁ ଡାକିଗଲେଣି କେତେଥର । ନା, ଅଧା ପଢ଼ି ଏ ବହିକୁ ଛାଡ଼ି ଉଠିହେବନି । ଯେମିତି ହେଉ ପୂରା ସାରିବାକୁ ପଡ଼ିବ ।
ପୁଣି ଥରେ ସୁକାନ୍ତ ଆସି ସୌରଭର ହାତଧରି ଟାଣିଲା ଖେଳିବାକୁ । ନ ଶୁଣିଲାରୁ ଝିଙ୍କି ନେଲା ବହିକୁ । ବାସ୍ ସେଇଥିରୁ ଆରମ୍ଭ ହେଲା ବଚସା; ତା' ପରେ ହାତାହାତି । ଅନ୍ୟ ସାଥୀ ଆସି ଦୁହିଁଙ୍କ ଝଗଡ଼ା ବନ୍ଦ କଲେ ।
କିଛି ଦିନ ପରର ଘଟଣା । ଦୋଳ ଛୁଟିରେ ସୌରଭ ଗଲା ମାମୁଁଘରକୁ । ସେଠାରେ ଅନୁଷ୍ଠିତ ହେଉଥାଏ ଠାକୁରାଣୀଙ୍କ ଯାତ୍ରା ଆଉ ମେଳା । ଘରେ ମାଇଁ ତିଆରି କରିଥା'ନ୍ତି କେତେ ପ୍ରକାର ପିଠା-ମିଠା । ଅଜା ଆଈଙ୍କ ପାଖରୁ ଅନୁମତି ପାଇ ସୌରଭ ମାମୁଁଙ୍କ ସହ ଗଲା ମେଳା ଦେଖିବାକୁ ।
ଠାକୁରାଣୀଙ୍କ ପୂଜା । ତା' ସାଙ୍ଗକୁ ଭଳିକିଭଳି ସାଜସଜ୍ଜା, ମେଢ଼ ଆଉ ତୋରଣ । ମୀନାବଜାର, ଯାଦୁଖେଳ ଯେତେ ଦେଖିଲେ ବି ମନ ପୂରୁନି । ମେଳାରେ ଆଉ କିଛି ସମୟ ବୁଲିବାକୁ ମାମୁଁଙ୍କୁ ଅନୁରୋଧ କଲା ସୌରଭ । ତେବେ କିଛି ଜରୁରୀ କାମ ଥିବାରୁ ସୁବିଧାରେ ବୁଲାବୁଲି ସାରି ଶୀଘ୍ର ଘରକୁ ଫେରିବାକୁ ଉପଦେଶ ଦେଇ ମାମୁଁ ଚାଲିଗଲେ ।
ସୌରଭ ଏକାକୀ ଘୂରି ବୁଲୁଥାଏ ମେଳାରେ । ହଠାତ ଦେଖା ହୋଇଗଲା ସୁକାନ୍ତ ସହିତ । ସୁକାନ୍ତ ଆଗେଇ ଆସି କହିଲା,"ଏଇ ପାଖରେ ଆମ ଘର । ଚାଲ ଆମ ଘରକୁ ଯିବା । ତୁ ମୋର ସ୍କୁଲ ସାଙ୍ଗନା, ତୋତେ ଦେଖିଲେ ବୋଉ ଭାରି ଖୁସି ହେବ ।"
ସୁକାନ୍ତ ସହ ଥିଲେ ଆଉ ଦୁଇଜଣ ପିଲା । ସୌରଭ ଆଗପଛ ନ ଭାବି ବାହାରି ପଡ଼ିଲା ତାଙ୍କ ସାଥିରେ । ଟିକିଏ ଦୂରକୁ ଗଲାପରେ ନିଛାଟିଆ ରାସ୍ତା ଦେଖି ସୌରଭକୁ ଘେରିଗଲେ ସୁକାନ୍ତ ଓ ତା' ସାଙ୍ଗମାନେ । ସୁକାନ୍ତ କହିଲା,"ସ୍କୁଲରେ ସେଦିନ ଖେଳିବାକୁ ଡାକିବାରୁ ତୁ ମୋତେ ଗାଳିଦେଇ ବାଡ଼େଇ ଥିଲୁ । ଆଜି ମୋର ପାଳି । ଏବେ ଯିବୁ କୁଆଡ଼େ ? ମୋ ବାପା ଆମ ଗାଆଁର ସରପଞ୍ଚ । ଯାହା କଲେ ବି କେହି ତୋ ପିଠିରେ ପଡ଼ିବେନି ।"
"ଦେଖ୍ ସୁକାନ୍ତ, ମୁଁ ଏଠିକୁ ଠାକୁରାଣୀଙ୍କ ଯାତ୍ରା ଦେଖିବାକୁ ଆସିଛି, ତୋ ସହ ଝଗଡ଼ା କରିବାକୁ ନୁହେଁ । ତା' ପରେ ସେଦିନ ଘଟଣାର ସମାଧାନ ବି ସରିଛି । ଏବେ ମୋ ରାସ୍ତା ଛାଡ଼, ମୁଁ ଯିବି ।" କହିଲା ସୌରଭ ।
"ଯିବୁ ! କୁଆଡ଼େ ? ମୁଁ ତୋତେ ଛାଡ଼ିଲେ ସିନା !!" କହି ସାଥୀ ଦୁହିଁଙ୍କୁ ନିର୍ଦ୍ଦେଶ ଦେଲା ସୁକାନ୍ତ ।
"ଧର, ବାଡ଼ାଅ ତାକୁ ।"
ସେମାନେ ସୌରଭ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ ।
ସୌରଭ ଚିନ୍ତାକଲା, ଏ ସମୟରେ ତା'ର କ'ଣ କରିବା ଉଚିତ । ସେ ମାମୁଁଘରକୁ ବୁଲିବାକୁ ଆସିଛି । ଏଠି ତା'ର ଗଣ୍ଡଗୋଳ କରିବା ସମୀଚିନ ନୁହେଁ ; କିନ୍ତୁ ପ୍ରତିରୋଧ ନ କଲେ ସେମାନେ ତ ତାକୁ ଲହୁଲୁହାଣ କରିଦେବେ । ତାଙ୍କ ଆକ୍ରମଣର ପ୍ରତିହତ କରିବାକୁ ଯାଇ, ଆପଣା ଗୋଡ଼ ହାତ ଛାଟି ଯଥାସମ୍ଭବ ନିଜକୁ ମୁକୁଳାଇବାକୁ ଚେଷ୍ଟାକଲା । ଦୁଇ ପିଲାଙ୍କ ମଧ୍ୟରୁ ଜଣଙ୍କୁ ଶକ୍ତ ଚାପୁଡ଼ାଏ, ଅନ୍ୟ ଜଣଙ୍କ ଚୁଟି ଝିଙ୍କି ଏବଂ ସୁକାନ୍ତକୁ ପେଲି ତଳେ ପକାଇଦେଇ ଗୁରୁଣ୍ଡି ଗୁରୁଣ୍ଡି ଖସି ଆସିଲା ବାହାରକୁ । ତା' ପରେ ତଳୁ କେଇ ମୁଠା ଶୁଖିଲା ବାଲି ଉଠାଇ ସେମାନଙ୍କ ମୁହଁକୁ ଫିଙ୍ଗିଦେଲା । ସେମାନେ ଆଖିରୁ ବାଲି କାଢ଼ି ସୌରଭକୁ ଖୋଲିଲା ବେଳକୁ ସେଠାରୁ ସେ ଛୁ ।
ମାମୁଁଘରେ ପହଞ୍ଚି ସବୁକଥା ଜଣାଇଲା ସୌରଭ ।
"ବଦମାସ୍ ଟୋକା ! କ'ଣ କହିଲା, ତା' ବାପା ସରପଞ୍ଚ ! ସେ ଯାହା କଲେ ବି କେହି ତୋ ପିଠିରେ ପଡ଼ିବେନି ? ହଉ, ଏବେ ମୋ ସହ ଚାଲିଲୁ, ଦେଖିବା । "ରାଗରେ ଗର୍ଜ୍ଜି ଉଠି କହିଲେ ସୌରଭର ଅଜା ଅନନ୍ତଚନ୍ଦ୍ର ।
ତୁରନ୍ତ ଗୋଟାଏ ପାଞ୍ଚହାତିଆ ବାଉଁଶ ଠେଙ୍ଗା ହାତରେ ଧରି, ନାତିକୁ ସାଙ୍ଗରେ ନେଇ ଅଜା ବାହାରି ପଡ଼ିଲେ ସରପଞ୍ଚଙ୍କ ଘରଆଡ଼େ ।
ସୌରଭର ଅଜା ଥିଲେ ଗ୍ରାମର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି । ତାଙ୍କ କ୍ରୋଧଦେଖି ଆଉ କେତେଜଣ ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଏକତ୍ରିତ ହୋଇଗଲେ ସୁକାନ୍ତର ଘର ଆଗରେ ।
ସୌଭାଗ୍ୟକୁ ଘରେ ଥିଲେ ସରପଞ୍ଚ ନିର୍ଲୟ ବାବୁ ।
"ଦାଦା, ଆପଣ ଆଜି ମୋ ଘରେ ! କଥା କ'ଣ ?" ଅନନ୍ତଚନ୍ଦ୍ରଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।
"ଶୁଣ ନିର୍ଲୟ, ମୋର ନ୍ୟାୟ ଦରକାର । ପାରିବୁ ତ ବିଚାର କର, ନ ହେଲେ ମୁଁ ଚାଲିଲି ଥାନାକୁ ।" ଏତକ କହି ସୌରଭର ଅଜା ଘଟଣାଟି ବର୍ଣ୍ଣନା କଲେ ।
କଥାକୁ ଆଉ ଆଗକୁ ବଢ଼ାଇବାକୁ ଚାହିଁ ନ ଥିଲେ ନିର୍ଲୟ ବାବୁ । ତୁରନ୍ତ ଡକାଇ ପଠାଇଲେ ପୁଅକୁ । ନିଜ ଚକ୍ରାନ୍ତ ପଦାରେ ପଡ଼ିଯାଇଥିବାରୁ ଡରି ଡରି ବାପାଙ୍କ ପାଖରେ ପହଞ୍ଚି ଛିଡ଼ାହେଲା ସୁକାନ୍ତ । ନିର୍ଲୟ ବାବୁ କହିଲେ, "ଆରେ, ସାମାନ୍ୟ ଘଟଣାକୁ କେନ୍ଦ୍ରକରି, ପ୍ରତିଶୋଧ ପରାୟଣ ହୋଇ ଏମିତି କାଣ୍ଡ କିଏ କରେ ? ମୁଁ ତୋତେ ଜିଲ୍ଲାର ସବୁଠାରୁ ଭଲ ସ୍କୁଲରେ ପାଠ ପଢ଼ାଉଛି, ଏଥିପାଇଁ ଯେ ତୁ ଶିକ୍ଷା ଲାଭ ସହ ଭଲ ଛାତ୍ରଟିଏ ହୋଇ ସାଧାରଣ ଶିଷ୍ଟାଚାର ଶିଖିବୁ । ନମ୍ର, ଭଦ୍ର ଆଚରଣ ଦ୍ୱାରା ସଂସ୍କାରୀ ମଣିଷଟିଏ ହେବୁ । ମୋର କୁଳ ଉଜ୍ଜ୍ୱଳ କରିବୁ । ହେଲେ ତୋର ଏ ଅବିବେକୀ ଅପରାଧପ୍ରବଣ କାର୍ଯ୍ୟଯୋଗୁଁ ମୋ ମୁଣ୍ଡ ତଳକୁ ହୋଇଯାଇଛି ।"
ଯଦି ସ୍କୁଲରେ କୌଣସି ଭୁଲ ବୁଝାମଣା ହେଲା, ତେବେ ସେ କଥା ଶ୍ରେଣୀ ଶିକ୍ଷକଙ୍କୁ ଜଣାଇ ପାରିଥା'ନ୍ତୁ; କିନ୍ତୁ ସେମିତି ନ କରି ମୂର୍ଖ ବାଳୁଙ୍ଗା ପିଲାଙ୍କ ସହ ମିଶି ଜଣେ ସହପାଠୀକୁ ଆକ୍ରମଣ କଲୁ । ଯଦି ଆଜି ସେ ପିଲାର କିଛି ହୋଇଯାଇଥା'ନ୍ତା ତେବେ ଜେଲର ପାଚେରି ଭିତରେ ଖୁସିରେ ରହିଥା'ନ୍ତୁ ବୋଧହୁଏ ! କହିଲୁ, ତୋ ପିଠିରେ କିଏ ପଡ଼ିଥାଆନ୍ତା ? ଥରେ ଚିନ୍ତାକଲୁ, ସେତେବେଳେ ମୋର, ତୋ ବୋଉର ଆଉ ସୌରଭ ବାପା ମାଆଙ୍କର ମାନସିକ ଅବସ୍ଥା କ'ଣ ହୋଇଥା'ନ୍ତା !"
ପୁଅକୁ ଚାହିଁ କ୍ଷୋଭ ଆଉ ବିରକ୍ତିରେ କହୁଥିଲେ ସରପଞ୍ଚ ମହାଶୟ ।
ଆରେ ସତକଥା ତ ! ସେ ଏତେକଥା ଆଦୌ କଳ୍ପନା କରିପାରି ନ ଥିଲା, ମନେ ମନେ ଚିନ୍ତାକଲା ସୁକାନ୍ତ ।
"ଛାଡ଼ ସେ କଥା । 'ବିଦ୍ୟା ଦଦାତି ଵିନମ୍ର' । ଅର୍ଥାତ-ବିଦ୍ୟା ନମ୍ରତା ଶିଖାଏ । ଦୁହେଁ ଏକା ବିଦ୍ୟାଳୟରେ ଗୋଟିଏ ଶ୍ରେଣୀରେ ପାଠ ପଢ଼ୁଛ । ଛାତ୍ରାବାସରେ ଏକାଠି ରହୁଛ, ଏତିକି ଶିଖିନ ? ଝଗଡ଼ା ଭୁଲି ଏବେଠାରୁ ତୁମେ ମିଳିମିଶି ଚଳିବ । ଆବଶ୍ୟକ ସ୍ଥଳେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବ ।" ବୁଝାଇଲେ ଅଜା ।
ବାପାଙ୍କ ଆଦେଶରେ ସୁକାନ୍ତ, ସୌରଭର ହାତଧରି ଭୁଲ ମାଗିଲା । ସୌରଭର ଆଖି ଛଳଛଳ ହୋଇଗଲା । ସେ କୁଣ୍ଢାଇ ପକାଇଲା ସୁକାନ୍ତକୁ । ପଛକଥା ଭୁଲି ଦୁହେଁ ଏକାଠି ବସି ଘର ତିଆରି ପିଠା ଖାଇଲେ ମନ ଖୁସିରେ ।