Satyabati Swain

Children Stories

3  

Satyabati Swain

Children Stories

ପିରାମିଡ୍

ପିରାମିଡ୍

5 mins
251



ଆଚ୍ଛା କେମିତି ହୁଅନ୍ତା ମୁଁ ଯଦି ପିରାମିଡ୍ ଭିତରକୁ ଥରେ ଯାଆନ୍ତି!! ଆଲୋ ମା ଲୋ ସେଠି ଖାଲି ମଲା ମଣିଷ ଗୁଡା,ଏକା ଯିବି ନା କଣ? ବେବି ମୋ ସବୁଠୁ ଭଲ ସାଙ୍ଗକୁ ସାଙ୍ଗରେ ନେଇଯିବି।ସେ ଭାରି ଚାଲାକ୍।ସବୁ କଥାର ସମାଧାନ ତା ପାଖରେ ଥାଏ।ବିପଦ ପଡିଲେ ସେ ସାହାଯ୍ୟ କରିବ।


ସ୍ୱପ୍ନ ଭିଲାଷୀ ମନଟି ଏମିତି ପିରାମିଡ୍ କୁ ନେଇ ଅନେକ ଅଦ୍ଭୁତ ସ୍ବପ୍ନ ଦେଖିଛି।ଯେଉଁ ପିରାମିଡ୍ ମୋତେ ଖୁ କନ୍ଦାନ୍ତି ପରୀକ୍ଷାରେ ପଡି ।


ଇତିହାସ ପରୀକ୍ଷାରେ ସବୁବେଳେ ପଡେ ପିରାମିଡ୍ ର ଦେଶ କାହାକୁ କୁହନ୍ତି? ଚିନ୍ ର ଦୁଃଖ କିଏ?ଝୁଲନ୍ତା ଉଦ୍ୟାନ କେଉଁଠି ଅଛି ? ଏମିତି କିଏ କେଉଁଠି, କାହିଁକି ଲଗେଇ କେତେ ଗୁଡ଼େ ପ୍ରଶ୍ନ ମୋ ମୁଣ୍ଡ ଗୋଲ୍ କରନ୍ତି।ମୁଁ ବିଶ୍ଳେଷଣ କରେ ପିରାମିଡ୍ କଣ ? କେଉଁ ଦେଶ ଏମିତି ଅଛି ଯେଉଁଠି ଖାଲି ପିରାମିଡ୍ ହିଁ ଥିବ? ହଁ ଚିନ୍ ! ସେଇଟା ତ ଆମ ଦେଶକୁ ଲାଗିଛି।ତାକୁ ପୁଣି ଦୁଃଖ ଦିଏ କିଏ? ଦେଶର କଣ ଜୀବନ ଅଛି? ସେ କେମିତି ଦୁଃଖ ଭୋଗେ ? ଉଦ୍ୟାନ ଅର୍ଥ ବଗିଚା। କେଉଁଠି ଏମିତି ବଗିଚା ଅଛି ଯେ ସେ ଝୁଲି କି ଅଛି? ମୁଣ୍ଡ ଉପର ଆକାଶକୁ ଚାହିଁଲେ ତ ଫାଙ୍କା।ବଗିଚା ଟା ଝୁଲେ କେମିତି ? ମୋତେ ସିନା ପ୍ରଶ୍ନ ପଢି ଉତ୍ତର ଦେବାକୁ ପ୍ରଶ୍ନ ପତ୍ର ଦିଆଯାଇଥାଏ, ପ୍ରଶ୍ନ ଉତ୍ତର ଦେବି କଣ , ବରଂ ଓଲଟି ପ୍ରଶ୍ନ କାର୍ତ୍ତାଙ୍କୁ ମୁଁ ମନେ ମନେ ଗୁଡାଏ ପ୍ରଶ୍ନ ପଚାରି ଦିଏ ଓ ଗାଳି କରେ।ପୋଡା ମୁହାଁ ! କାହାର ଦୁଃଖ, କିଏ ଝୁଲୁଛି ଆମକୁ ପଚାରୁଛି।ତୋତେ ଯଦି ଜଣା ନାହିଁ ଆମ ଛୁଆ ଗୁଡାଙ୍କୁ କେମିତି ଜଣା ଥିବ ଯେ !!


ଏମିତି ଇଆଡୁ ସିଆଡୁ ଭାବି ଭାବି ପରୀକ୍ଷା ଶେଷ ଘଣ୍ଟା ବାଜେ।ମୁଁ ଖାତା ଦେଇ ବୀର ଦର୍ପରେ ହଲ୍ ଛାଡେ।ସତେକି ଶହେକୁ ଶହେ ନମ୍ବର ବାଡେଇ ଆଣିବି।ପରୀକ୍ଷା ଫଳ ବାହାରିବା ଦିନ ସ୍କୁଲ ନଯାଇ ଲୁଚେ ନଲେ ମୋ ପେଟ କାମୁଡୁଛି କହି ଶୁଏ।ଇତିହାସ ଖାତାରେ ଖାଲି ବଡ଼ ବଡ଼ ନୈନିତାଲ୍ ଆଳୁ ସାର୍ ଥୋଇ ଦେଇଥାନ୍ତି ଓ ମୋ ପିଠିରେ ବାପାଙ୍କ ପାଞ୍ଚଣ ଫିଳି ଯାଏ।


କଣ କରିବି ,ଇତିହାସ ସହ ମୋର ଆଦୌ ପଟେନି।ପ୍ରଫୁଲ୍ଲ ସାର୍ ଇତିହାସ ପଢ଼େଇଲା ବେଳେ ଘୁମାଏ ବୋଲି କେତେ ଥର ବେଞ୍ଚ ଉପରେ ଦଣ୍ଡ ସ୍ୱରୂପ କାନ ଧରି ଠିଆ କରାଇଛନ୍ତି।ଯେତେ ଯାହା କଳେ ବି ଇତିହାସ ସହିତ ମିତ୍ରତା ମୋର ନୋହିଲା।ଏମିତିରେ ସପ୍ତମ ଶ୍ରେଣୀ ପରୀକ୍ଷାରେ ମୋ ପାଖ ପିଲା ଟିକେ ସାହାଯ୍ୟ କଲା ବୋଲି ଜଷ୍ଟ ପାସ୍ ଟା ହୋଇଗଲା।କିନ୍ତୁ ଅଷ୍ଟମ ଶ୍ରେଣୀ ହେଲାରୁ ମୁଁ ଟିକେ ଠେକ ହୋଇ ଯାଇଥିଲି। ସବୁ ବିଷୟରେ ଆଳୁ ନୁହେଁ ଚଳିଲା ଭଳି ନମ୍ବର ଆଣେ କେବଳ ଇତିହାସକୁ ଛାଡି !


ବାପା କୁହନ୍ତି , ହେବୁନି କୁଳାଙ୍ଗର।ଇତିହାସ ଗପ ଭଳି କେତେ ସୁନ୍ଦର ବିଷୟ ,ସେଥିରେ ତୋର ଶୁନ !


ସବୁ ସାର୍ ମାନେ ଆଶ୍ଚର୍ଯ୍ୟ ହୋଇ କୁହନ୍ତି, ହଇରେ ପାର୍ଥ ! ସବୁ ବିଷୟ ତ ଯାଇ ତାଇ କରିଛୁ, ହେଲେ ଏ ଇତିହାସ ଖାତା କଣ ଖାଲି ଦେଉଛୁ? ସତରେ ତୁ ପାଗଳା ଟା।


ବୟସ ତୁଳନାରେ ମୋର ଟିକେ ବୁଦ୍ଧି ପସନ୍ଦ ଅଧିକ ନାହିଁ ତ ସେଇ ପାଇଁ ମୋତେ କେବେ କେବେ ମୋ ନିର୍ବୁଦ୍ଧିଆ କାମ ଦେଖି ସାର୍ ଗେଲରେ ପାଗଳାଟା ବୋଲି କୁହନ୍ତି।ମୁଁ କାଇଁ ପାଗଳ ହେବି।ପାଠ ତ ପଢୁଛି ,ମନ ରଖୁଛି।ହେଲା ଅବା ମିଛ ସତ ମୋତେ କହି ଆସେନି କି ଇତିହାସ ମୋର ହୁଏନି; ତା ବୋଲି ମୁଁ ପାଗଳା !


ହେ ଯା ମ ମୁଁ ତ ଜାଣିଛି ମୁଁ କଣ ;କିଏ କଣ କହିଲେ ମୋର କି ଯାଏ ! ହେଲେ ସାର୍ ମୁଁ କେମିତି କହିବି ଇତିହାସ ମୋର ବିଲକୁଲ୍ ପସନ୍ଦ ନୁହେଁ।ସାର୍ ପଢା ଆରମ୍ଭ କଲା ବେଳକୁ କୁଆଡେ ଥିବ ବଦମାସ୍ ନିଦଟି ତ ମୋ ଆଖିକୁ ଆସିଯିବ।।ଯେତେ ଚେଷ୍ଟା କଲେ ବି ସାର୍ ଙ୍କୁ ଚାହିଁ ଥିବି ମୋ ଆଖି ପତ୍ତାକୁ ଯେମିତି କିଏ ଜୋର୍ ଜବରଦସ୍ତ ବୁଜି ପକାଇବ।ବେଳେ ବେଳେ ଦୁଇ ସାଇଡ୍ ପିଲାଙ୍କ ମୁଣ୍ଡରେ ଢୋ ଢା ମୋ ମୁଣ୍ଡ ବାଡେଇ ହୋଇଯାଏ ଘୁମାଉଁ ଘୁମାଉଁ। ସାର୍ ମୋର ଏମିତି ଝୁଲା ଗୋପୀନାଥ ଅବସ୍ଥା ଦେଖି ଛାଟି ଦିଅନ୍ତି ବେତ ପିଠିରେ ସାଇଁ କରି ଯେ ଇଲୋ ବୋଉଲୋ କହି ହାଉଳି ଖାଏ ସ୍ୱପ୍ନ ଦେଖି ନିଦରୁ ଉଠିଲା ପରି।କ୍ଳାସ ସାରା ପିଲା ହୋ ହୋ ହୋଇ ହସି ଉଠନ୍ତି ମୋତେ ଦେଖି।


ରାଗ ଓ ଅଭିମାନରେ ମୋ ଗୋରା ମୁହଁଟା ଲାଲ୍ ଦେଖାଯାଏ। ଭାରି ଖରାପ ବି ଲାଗେ ସାର୍ ଙ୍କ ବାଡ଼ିଆ ଓ ପିଲାଙ୍କ ହସ।


କିନ୍ତୁ ଅଷ୍ଟମ ଶ୍ରେଣୀଠାରୁ ପ୍ରତିଜ୍ଞା କଲି ଇତିହାସ କ୍ଳାସ ରେ ଘୁମାଇଁବି ନାହିଁ।ପକେଟରେ ବାରି ଅଦା କେଇ ଖଣ୍ଡ ନେଇଥାଏ।ଇତିହାସ କ୍ଳାସ ରେ ସେଇଥିରୁ ଖଣ୍ଡିଏ ଖଣ୍ଡିଏ ଧୀରେ କି ପାଟିରେ ଭର୍ତ୍ତୀ କରି ଟେବୁଲ ଉପରେ କହୁଣୀ ଭରା ଦେଇ ଦୁଇ ଗାଲରେ ପାପୁଲି ରଖି କେହି ନଜାଣିଲା ପରି ଚୋବାଏ।ଓହୋ କି ରାଗ !! ସୁ ସୁ ବାଜେ।ମୋ ନିଦ ଭାଙ୍ଗିଯାଏ।ଏହା ବ୍ୟତୀତ ହାଇ

ସ୍କୁଲରେ କୈଳାସ ସାର୍ ବଢ଼ିଆ ବାଗରେ ଇତିହାସ ପଢ଼ାନ୍ତି।ଏଣୁ ଅଷ୍ଟମ ଶ୍ରେଣୀରୁ ଇତିହାସ ମୋର ଟିକେ ଟିକେ ବନ୍ଧୁ ହେଲା।


ସେଇଠୁ ଜାଣିଲି ମିଶରକୁ ପିରାମିଡ୍ ର ଦେଶ କୁହା ଯାଏ।ଚିନର ଦୁଃଖ ହୋୟାଂ ହୋ ଇତ୍ୟାଦି। 

ମନଟି ମୋର ଭାବନା ରାଜ୍ୟରେ ବୁଲି ଗୁଡାଏ ସ୍ୱପ୍ନ ଦେଖିବାରେ ଇସ୍ତାତ୍ ।ଦିନେ ସାର୍ ପିରାମିଡ୍ ବିଷୟରେ ପଢ଼ାଉଥିଲେ। ମିଶରୀୟ ମାନଙ୍କର ଶବ ମାନଙ୍କର ସମାଧିକୁ ପିରାମିଡ୍ କୁହାଯାଏ। ମିଶରରେ କେହି ଲୋକ ମରିଗଲେ ତାର ଶବକୁ ଏକ ପ୍ରକାର ମସଲା ଓ ଵସ୍ତ୍ର ଦ୍ୱାରା ଗୁଡେଇ ଦିଆଯାଏ।ତାକୁ ମମି କୁହନ୍ତି। 


ଆଁ ମମି !! ମୋ ସାଙ୍ଗ ତ ତା ମାକୁ ମମି ଡାକେ ! ତା ମା କଣ ଜୀଅନ୍ତା ଶବଟିଏ ? ଯାଃ ପୁଣି ଭାବନା ବୁଢିଆଣି ଜାଲ ଭିତରେ ମୋ ମୁଣ୍ଡଟି ଶବ ଓ ମମି ; ମମି ଓ ମା ଭିତରେ ମାଛି ପରି ଅଟକି ଯାଏ।ସାର୍ ପଢେଇ ଯାଉଥାନ୍ତି, ମିଶରୀୟ ମାନେ ମମି ପାଖରେ ସମାଧି ଭିତରେ ଶବ ଚଳିବାପାଇଁ ଖାଦ୍ୟ,ବସ୍ତ୍ର, ଧନ, ସମ୍ପଦ ସୁନା ରୁପା ଆଦି କେତେ କଣ ଦ୍ରବ୍ୟ ମାନ ରଖି ସମାଧି ଦେଇ ଦିଅନ୍ତି।ସେଇଆକୁ ପିରାମିଡ୍ କୁହନ୍ତି।


ଓହୋ ଏଇ ତାହେଲେ ପିରାମିଡ୍ ! କି ହଇରାଣ କରିଛି ଏ ପିରାମିଡ୍ ମୋତେ ପରୀକ୍ଷାରେ !! ଆରେ ବାବାରେ କେତେ କନ୍ଦାନ୍ତି ଏ ଶବ ଗୁଡା ମୋତେ ହୋ। ମଲେ ପରା ଶବ କିଛି ଜାଣି ପାରେନି ସାର୍ କୁହନ୍ତି ! ଏ ପିରାମିଡ୍ ଭିତରେ ମିଶରୀୟ ମାନେ ଏତେ କଥା ରଖନ୍ତି କାହିଁକି? ସତରେ କଣ ସେ ଖାଉଥିବେ, ପିନ୍ଧୁଥିବେ!!ପିରାମିଡ୍ ଭିତରେ ସେ କଣ ଚଳ ପ୍ରଚଳ ହୁଅନ୍ତି କି ?

ଛିଃ ବଡ଼ ପିଲା ହେଲେଣି ପୁଣି ସେଇ ଭାବନା ! ଆରେ ପାର୍ଥ ! ତୁ ଗୁଡ୍ ବକ୍ ଟା କିରେ ! ବଡ଼ ହେଲୁଣି ବା।ସେମିତି କଣ ଛୁଆଙ୍କ ପରି ହେଉଛୁ ! ନିଜେ ନିଜକୁ ଏ କଥା କୁହେ।ଫୁଟ୍ ମ ବଡ଼ ହେବା ଯାଉ ଗାଧୋଇ। ମୁଁ ସ୍ବପ୍ନ ଦେଖେ ଓ ହଜେ।


ଆଚ୍ଛା କେମିତି ହୁଅନ୍ତା ପିରାମିଡ୍ ଭିତରକୁ ଥରେ ବୁଲି ଗଲେ ? ଅଷ୍ଟମ ଶ୍ରେଣୀ ସାର୍ ପିରାମିଡ୍ ପଢେଇବା ଦିନ ମୋ ମନ ଖାଲି ପିରାମିଡ୍ ,ପିରାମିଡ୍ ହେଲା।କାଇଁକି କୁହ ତ ! ମୁଁ କେତେ ଡରେ ମଲା ଲୋକଙ୍କୁ ! ସେଇ ମଲା ଲୋକଙ୍କ ସମାଧି ଭିତରକୁ ଯିବାକୁ କାଇଁକି ଇଚ୍ଛା !!


ଏହା ପଛରେ ଦୁଇଟି କାରଣ ଅଛି ? ପ୍ରଥମତଃ ମୋର ଜାଣିବାର ଅଛି ମିଶର ଲୋକେ ମଲା ପରେ ସତରେ ଖାଆନ୍ତି,ପିନ୍ଧନ୍ତି କି ନାହିଁ।ଦ୍ଵିତୀୟତଃ ସେଇ ମମି ମାନଙ୍କ ଠାରୁ କିଛି ସୁନା ରୂପା ଆଣିବି।କାହିଁକି ଜାଣିଛ ! ମୋ ଭଲ ସାଙ୍ଗ ବେବି ,ଚିହ୍ନିଛ ଟି ତାକୁ ! ସେଇ ସୁନ୍ଦର ଝିଅ ଟା ମ, ଯାହାର ଡବ ଡବ ଆଖି।ବାଗୁଲି ବାଳ କେରାକ ପଡି ଯାହାର ଗୋଟେ ଆଖି ପ୍ରାୟତଃ ଘୋଡ଼ି ହୋଇଥାଏ। ଯିଏ ଆମ କ୍ଳାସରେ ପାଠରେ ପ୍ରଥମ ହୁଏ, ସେଇ ବେବି।ତା ମା କୁ ଗୋଟେ କଣ ବଡ଼ ରୋଗ ହୋଇଛି।ଡାକ୍ତର କହିଛନ୍ତି ପୁଳେ ଟଙ୍କା ହେଲେ ତାଙ୍କର ଅପେରେସନ୍ ହେବ।ତା ବାପା ତ ମୂଲ ଲାଗିଲେ ଘର ଚଳେ।ପୁଳେ ଟଙ୍କା କେଉଁଠୁ ଆଣିବେ ? ବେବି କୁ ନେଇ ପିରାମିଡ୍ ଗଲେ ମମି ମାନଙ୍କୁ କହି କିଛି ଧନ ରତ୍ନ ଆଣନ୍ତି। ବେବିକୁ ଦେଲେ ତା ମା ର ଅପେରେସନ୍ ହୁଅନ୍ତା ।


ସାର୍ ପିରାମିଡ୍ ପଢେଇବା ଦିନ ରାତିରେ ଏମିତି ଭାବୁ ଭାବୁ ଶୋଇ ପଡିଛି। ସ୍ୱପ୍ନ ତ ମୋର ସବୁଠୁ ବଢ଼ିଆ ସାଙ୍ଗ । ଶୋଉ ଶୋଉ ସେ ଆସି ମୋ ପାଖେ ହାଜର।ତାପରେ ସାଙ୍ଗ ହୋଇ ସ୍ବପ୍ନରେ ମୁଁ ପହଞ୍ଚି ଯାଇଛି ମିଶର ଦେଶର ପିରାମିଡ୍ ପାଖରେ। ବେବି ବାହାରେ ଜଗିଛି।ଧୀରେ ଧୀରେ ପାଦ ଥାପି ଥାପି ମୁଁ ପିରାମିଡ୍ ଭିତରକୁ ଯାଉଛି। ଆରେ ବାଃ ମୁଁ ଧଡାସ୍ କି ଗଳି ପଡୁଛି ଗୋଟେ ଗାତରେ।କାଇଁ କେହି ନାହାନ୍ତି ୟା ଭିତରେ !!ଖାଲି କଙ୍କାଳ।ମୁଁ କଙ୍କାଳକୁ ଭାରି ଡରେ। ଭୟରେ ଆଖି ବୁଜି ଦେଲି।ହଠାତ୍ କଙ୍କାଳଟିଏ ଗମ୍ଭୀର ସ୍ୱରରେ କହିଲା

 ,ତୁମେ କିଏ ? ଜାଣିନ ! ଏଠାକୁ ଜୀବନ୍ତ ଲୋକ ଆସିବା ମନା ! ଯେତେ ଶୀଘ୍ର ପାରୁଛ ପଳାଅ। ନଚେତ ତୁମେ ବି ମମି ହୋଇଯିବ।


ନାଇଁ ନାଇଁ ମୁଁ ମମି ହେବି ନାହିଁ।ମୁଁ ତ ମମି ମାନେ ଖାଆନ୍ତି ପିଅନ୍ତି କି ନାହିଁ ଦେଖିବାକୁ ଆସିଥିଲି।ସେମାନେ ମୋ କଥା ଶୁଣି ହସି ଉଠିଲେ।ଆଉ ଗୋଟେ କଥା ପାଇଁ ବି ଆସିଛି। ମୋର କିଛି ସୁନା ରୁପା ଯାହା ତୁମ ପାଖେ ଅଛି ; ଦେବ ମୋତେ ? ବେବି ମା ଅପେରେସନ୍ ହେବ ।


ଅପେରେସନ !


ହଁ ବେବି ଘର ଟଙ୍କା ନାହିଁ।ତା ମା କୁ କଣ ଗୋଟେ ବଡ଼ ରୋଗ ହୋଇଛି।ପୁଳେ ଟଙ୍କା ଦରକାର ତାଙ୍କ ଅପେରେସନ୍ ପାଇଁ।ତୁମ ପାଖଗେ ବହୁତ ଧନ ସମ୍ପଦ,ସୁନା ରୁପା ରଖନ୍ତି କୁଆଡେ ତୁମ ଆତ୍ମୀୟ।ସେଥିରୁ ମୋତେ କିଛି ଦିଅ।


କଙ୍କାଳ ମାନେ କଣ ସବୁ ଫୁସୁରୁ ଫାସୁରୁ ହେଲେ। ତାପରେ ଗୋଟେ ବ୍ୟାଗ୍ ଭର୍ତ୍ତୀ ସୁନା ରୁପା ଦେଇ ମୋତେ ପିରାମିଡ୍ ଭିତରୁ ବାହାରେ ଆଣି ଛାଡି ଦେଇ କହିଲେ, ଶୀଘ୍ର ଏ ସ୍ଥାନ ଛାଡି ଚାଲି ଯା ନ ଲେ ବିପଦ।


ମୁଁ ବ୍ୟାଗ୍ ଟି ଧରି ଖୁସିରେ ରଡି ଛାଡ଼ିଲି ସୁନା ସୁନା।


ମା ହଲେଇ ଦେଇ କହିଲା, ପାର୍ଥ ! ସପନ ଦେଖିଲୁ କିରେ ? ପାଗଳା ଟା।କେବେ ବୁଦ୍ଧି ହେବ କେଜାଣି ? ସବୁବେଳେ ସ୍ୱପ୍ନ ରେ ହଜିଲୁ !!





Rate this content
Log in