STORYMIRROR

Satyabati Swain

Children Stories

4  

Satyabati Swain

Children Stories

ଫୁଲେଇ ରାଧୀ

ଫୁଲେଇ ରାଧୀ

5 mins
343

ସ୍କୁଲରୁ ଫେରି ଆଗ ଗୁହାଳକୁ ଯାଇ ଦେଖିଲି ଗୁହାଳ ଖାଲି ।ଚାରି ଆଡ଼ ଖୋଜି ପକେଇଲି। ଏବେ ତ ରାତି। ଆମର ସ୍କୁଲରେ ବାର୍ଷିକ ଉତ୍ସବ ଥିବାରୁ ସିନା ମୋର ସ୍କୁଲରୁ ଫେରିବା ଏତେ ଡେରି ହେଲା ? ହେଲେ ରାଧୀ ଓ ରାନୀ କଣ ଏତେ ରାତି ଯାଏ ବିଲରେ ଚରୁଛନ୍ତି କି ? କାଇଁ ଦାଣ୍ଡରେ ବି ବନ୍ଧା ହୋଇ ନାହାଁନ୍ତି ! ଗଲେ କୁଆଡେ ? ଡାକିଲି ରାଧୀ ଇ ଇ; ରାନୀ ଇ ଇ। ଅନ୍ୟ ଦିନ ହୋଇଥିଲେ ହମ୍ମା ରଡି କରି କେଉଁଠି ଅଛନ୍ତି ସୂଚନା ଦିଅନ୍ତେଣି । ଗୁହାଳେ ନାହାନ୍ତି କି ମୋ ଡ଼ାକର ଜବାବ ବି ଦେଉ ନାହାଁନ୍ତି ! ମୋତେ ଆଶ୍ଚର୍ଯ୍ୟ ଲାଗିଲା।

ଅଧୀର ହୋଇ ମାଆକୁ ଯାଇ ପଚାରିଲି , ' ମାଆ ! ରାଧୀ ଓ ରାନୀ କାହାନ୍ତି ?" ମାଆ କିଛି ଉତ୍ତର ନ ଦେଇ ନିରବ । ଅତି ଲଗେଇବାରୁ କହିଲା " ବିକି ଦେଇଛି।" ବିକି ଦେଇଛୁ ? କାହିଁକି ମାଆ ? ମାଆର ଏଇ ବିକି ଦେବା ଶବ୍ଦ ମୋ ଭିତରେ ଭୂକମ୍ପ ସୃଷ୍ଟି କଲା। ତୁ କାହିଁକି ମୋ ରାଧିକୁ ବିକିଲୁ କହି ଗୋଡ଼ ବାଡେଇ କାନ୍ଦିବାକୁ ଲାଗିଲି। ଆର ଘରେ ବାପା ଯନ୍ତ୍ରଣାରେ ଆଃ ଉଃ ହେଉଥିଲେ।ବାପାଙ୍କର କଣ ହୋଇଛି ଯେ ପେଟ ବିନ୍ଧୁଛି ଯେତେ ଔଷଧ ଖାଇଲେ କମୁନାହିଁ। ବାପାଙ୍କ ଯନ୍ତ୍ରଣାକୁ ରାଧୀ ଓ ରାନୀଙ୍କ ବିକ୍ରି ମୋତେ ଖୁବ୍ ଆକ୍ତାମାକ୍ତା କଲେ।

ଫୁଲେଇ ରାଧୀ ଓ ମୋର ସମ୍ପର୍କ ଅତି ନିବିଡ଼। ଆମେ ଭାରି ସାଙ୍ଗ।ପ୍ରତିଦିନ ସ୍କୁଲରୁ ଫେରି ବ୍ୟାଗ୍ ଥୋଇ ଆଗ ଦଉଡେ ମୋ ଅତି ପ୍ରିୟ ସାଙ୍ଗ ରାଧୀ ଓ ରାନୀ ପାଖକୁ।ମୋତେ ଦେଖୁ ଦେଖୁ କି ଖୁସି ହୋଇଯାଆନ୍ତି ସେମାନେ ? ମାଆ ରଡି ଛାଡୁଥିବ ଅଜୁ ହେ ଅଜୁ ; ୟୁନିଫର୍ମ ବଦଳାଇ ଖାଇ ପିଇ ଯାଉଥା ପଛେ ତୋ ରାଧି ଓ ରାନୀ ପାଖକୁ।

ମୁଁ କେଉଁ ଶୁଣେ ? ଅତି ସରାଗରେ ଆମ ଗାଈ ନାଁ ଦେଇଥିଲି ରାଧୀ।କାହିଁକି କୁହତ ? ସେ ଭାରି ଫୁଲେଇଟିଏ । କମ୍ ନଖରାମୀ ବାହାର କରେ ଖାଇବାରେ ? ସଜ ପାଣି, ବାସ୍ନା ଚୋକଡ଼, ମୁଗ ବିରି ଚୋପା ନ ହେଲେ ଶୁଙ୍ଘି ଦେଇ ଥୋମଣି ଟେକି ଠିଆ ହେବ। ଖାଉନୁ କହିଲେ ମୁଣ୍ଡ ହଲେଇ ମନା କରିବ ଓ ମୋତେ ଚାଟି ଚାଟି ଲାଞ୍ଚ ଦେବ। ଏମିତି କଲେ ମୁଁ ବୁଝିବି ଯେ ତା କୁଣ୍ଡରେ କିଛି ଗଡ୍ ବଡ଼ ହୋଇଛି। ବାସି ଜିନିଷ କେବେ ଖାଇବ ନାହିଁ। ଏତେ ଫୁଲେଇ ହୁଏ ବୋଲି ମୁଁ ତାକୁ ଡାକେ " ଫୁଲେଇ ରାଧୀ।"

ରାଧୀର କାର୍ଯ୍ୟ କଳାପ ସବୁ ମଣିଷ ପରି। ଅନେକ ସମୟରେ ତା ଲାଞ୍ଜ ମୋ ଦେହ ସାରା ଗୁଡେଇ ମାଆ ମୋ ଦେହରୁ ଧୂଳି ମଳି ଝାଡ଼ିଲା ପରି ଝାଡିଦିଏ । ମୁଁ ତା ବେକରେ ଘଣ୍ଟି ଟିଏ ବାନ୍ଧିଛି। ସେ ଯେତେବେଳେ ମୁଣ୍ଡ ହଲେଇ ମୋ ସଂଗେ ଖେଳେ ଅଦ୍ଭୁତ ସେଇ ଘଣ୍ଟିର ଶବ୍ଦ ମୋତେ ବିମୋହିତ କରନ୍ତି । ଯେମିତି କି କେଉଁ ଗୀତର ତାଳେ ତାଳେ ଘଣ୍ଟି ବାଜେ ଟନ୍ ଟନ୍ ଟନ୍। ସ୍କୁଲରୁ ଆସି ସବୁଦିନ କଣ ଦିଟା ଖାଇ ଦେଇ ରାଧୀକୁ ପଘାରେ ବାନ୍ଧି ଦଣ୍ଡାକୁ ନେଇ ଯାଏ। ଧାନ କଟା ହେଲେ ପରେ ବିଲକୁ ନିଏ।ଧାନ କିଆରି ହିଡରେ କଅଁଳି ଥିବା ଛନ ଛନ ଘାସ ପେଟେ ଖାଇ ଦିଏ ରାଧୀ। ସେ ଅନ୍ୟ ଗାଈଙ୍କ ପରି ଲୋଭି ନୁହେଁ । ଅଧାପେଟ ପୁରିଗଲେ ବୋବେଇବ।ମୁଁ ବୁଝିଯିବି ସେ ଖାଇ ସାରିଲଣି ଏଣିକି ଘରକୁ ଯିବାକୁ ଡାକୁଛି।

ତାକୁ ଘାସ ଖାଇବାକୁ ଛାଡି ଦେଇ ମୁଁ ବସିଯାଏ ବିଲ ଓଦା ମାଟିରେ ମୋ ସ୍ୱପ୍ନକୁ ରୂପ ଦେବାରେ। ଯେଉଁ ଚିତ୍ର କାର୍ଡ ବୋର୍ଡ଼ରେ ଆଙ୍କେ ତାକୁ ମାଟିରେ ଉତ୍ତାରି ଦେବାକୁ ଚାହେଁ । ବାଃ ଗଢି ହୋଇ ଯାଆନ୍ତି କେତେ ମୂର୍ତ୍ତି। ଆମ ବାଡ଼ି ପଛ ପଟ ଜାଳ ଘରେ ଚିକିଟା କାଦୁଅରେ ଗଢା ଜଗନ୍ନାଥ, ଶିବ, ଗଣେଶ, କାର୍ତ୍ତିକ,ମା ଲକ୍ଷ୍ମୀ,ସରସ୍ୱତୀ, ରାମ ,ରାବଣ, ସହ କେତେ ଫଳ ,ପଶୁ, ପକ୍ଷୀ, ଫୁଲ ସାଇତି ରଖିଛି । ମୂର୍ତ୍ତି ଗୁଡିକ ଗଢି ସାରି ଆଗ ରାଧୀ କୁ ଦେଖାଏ । ସେ ଥରେ ମୁଣ୍ଡ ହଲେଇଲେ ହଁ ଭଲ ହୋଇଛି ବୁଝେ । ଯଦି ସେ ସେ ମୁଣ୍ଡ ଏପଟ ସେପଟ କରି ହଲାଏ ବୁଝିବାକୁ ପଡେ ଭଲ ହୋଇ ନାହିଁ ବା କେଉଁଠି ଟିକେ ଭୁଲ୍ ହୋଇଛି। ମୁଁ ପୁନଶ୍ଚ ଖୋଜେ କଣ ଛାଡି ଦେଇଛି । ଯେଉଁଥି ପାଇଁ ମୋ ରାଧୀର ପସନ୍ଦ ହେଉନାହିଁ। ରାଧୀ ମୋ ଚିତ୍ରକର ଓ ମୂର୍ତ୍ତି କାରିଗର ଜୀବନର ପ୍ରଥମ ପ୍ରଶଂସକ ,ଗୁରୁ ବି।

ଯେଉଁଦିନ ରାଧୀର ମୂର୍ତ୍ତି ଗଢ଼ିଦେଲି ଓଃ କଣ ଦେଖିବ ତା ଖୁସି ! ଲାଞ୍ଜ ଟେକି ମୋ ଚାରି ପାଖେ ଦୁଇ ଚାରି ଥର ଘେରା ମାରି ତା ଖୁସି ଜାହିର କଲା । ମାଆ କୁହେ ଅଜୁ ଯେଉଁ ନିଷ୍ଠାରେ ତୁ ଅବିକଳ ମୂର୍ତ୍ତି କି ଚିତ୍ର କରି ଦେଉଛୁ ସେଇ ମନ ନେଇ ପଢେ ଦେଖିବୁ ତୋର ପାଠ ମନେ ରହିବ। କିନ୍ତୁ ମୁଁ ବୁଝେଇ ପାରେ ନାହିଁ କି କହି ପାରେ ନାହିଁ ମାଆ ଲୋ ! କିଛି ନିଷ୍ଠା ଫିଷ୍ଠା ନାହିଁ। ମୋ ହାତ ଧରି କିଏ ଯେମିତି ଏସବୁ କରିଦିଏ । ସେମିତି ପାଠ ମୋତେ କେହି କରେଇ ଦିଅନ୍ତି ନାହିଁ। ବରଂ ବହି ଧରୁ ଧରୁ ହାଇ ଓ ନିଦ ଆସି ମୋ ପାଖେ ହାଜର ହୋଇ ଯାଆନ୍ତି। ସେମାନେ ବି ଭାରି ଦୁଷ୍ଟ । ବହି ଖୋଲା ଥିବ କିନ୍ତୁ ସେମାନେ ମୋତେ ଥାପୁଡାଇ ଶୁଆଇ ଦେଉଥିବେ ଯେ ଲାଳ ବହି ବହି ଖାତା ଓଦା ହୋଇଯାଏ ।


ସେଇ ମୋ ପ୍ରିୟ ରାଧୀ ଓ ରାନୀକୁ ମାଆ କାହାକୁ ବିକି ଦେଇଛି ! ଲାଗିଲା ମୋ ଭିତରୁ କିଛି ଅଂଶ କାଟି ମାଆ ସତେକି ଅନ୍ୟ ହାତରେ ଥୋଇ ଦେଇଛି । ରାକ୍ଷୀ ଆସିଲେ ଭଉଣୀର ଅଭାବ ଅନୁଭବ କରେ ବେଶୀ ।ଆମେ ଦୁଇ ଭାଇ। ଆମର ଭଉଣୀ ନାହିଁ।ରାଧୀର ଝିଅଟିଏ ହେଲା ପରେ ମାଆ ଯେତେବେଳେ କହିଲା,ରାଧୀ ଲକ୍ଷ୍ମୀମନ୍ତ ଝିଅଏ ଜନ୍ମ କରିଛି ।

ରାଧୀର ଝିଅ ? ସେ ତାହେଲେ ମୋ ଭଉଣୀ ହେବ ନା ? ସବୁବେଳେ ଇଛାକରେ ମୋର ଭଉଣୀଟିଏ ହେଲେ ତା ନାଁ ରାନୀ ରଖିବି।ମାଆ ତ ଆଉ ଝିଅଟିଏ କଲା ନାହିଁ।ଏଣୁ ରାଧୀ ଝିଅ ନାଁ ରଖିଲି ରାନୀ । 

ମାଆ ରାନୀ ଏବର୍ଷ ମୋ ହାତରେ ରାକ୍ଷୀ ବାନ୍ଧିବ?

ମାଆ କୁହେ ପାଗାଳାଟା। ତୋ ରାନୀ କଣ ମଣିଷ ଛୁଆ ହୋଇଛି ନା ତାର ହାତ ଅଛି ଯେ ତୋ ହାତରେ ରାକ୍ଷୀ ବାନ୍ଧିବ ? ରାଧୀ ! ତୋ ଝିଅ ରାନୀ ମୋ ଭଉଣୀଟି ? ସେ ମୋ ହାତରେ ରାକ୍ଷୀ ବାନ୍ଧିବ ନା ନାହିଁ ? ରାଧୀ ମୁଣ୍ଡ ହଲେଇ ହଁ କୁହେ। ଦେଖେ ମାଆ ରାଧୀ କହୁଛି ମୋ ହାତରେ ରାନୀ ରାକ୍ଷୀ ବାନ୍ଧିବ ଦେଖିବୁ । କିନ୍ତୁ ରାକ୍ଷୀ ବାନ୍ଧିବ କଣ ଏ ବର୍ଷ ରାକ୍ଷୀ ଆସିବା ପୂର୍ବରୁ ସେ ଆଉ କାହା ଘରକୁ ଚାଲିଗଲା ।

ରାନୀଟି ପୁରା ଇଟା ରଙ୍ଗ । ସେ ଯେତେବେଳେ ମା ମା ବୋବାଇ ମୋ ଦେହରେ ଘଷି ହୁଏ ମୋତେ ଲାଗେ ରାଣୀ ଭାଇ ଭାଇ ଡାକୁଛି । ଓଲୋ ଓଲୋ ମୋ ସୁନ୍ଦରୀ କହି ତା ମୁହଁରେ ମୁଁ ଵୋକ ଦିଏ ।ସେ ମୁଣ୍ଡ ହଲେଇ କାନ ଦିଟା ଠିଆ କରି ତା ଖୁସି ପ୍ରକାଶ କରେ। ତାର କୋମଳ ଦେହକୁ ସରୁଆ ବେକରେ ଘୁଙ୍ଗୁର ପେନ୍ଥା ଏ ବାନ୍ଧିଥିଲି। ଯୁଆଡେ ଯାଏ ଘୁଙ୍ଗୁର ଶବ୍ଦ ତା ଉପସ୍ଥିତ କହିଦିଏ।

ରାଧୀ ଓ ରାନୀ ମୋ ପିଲା ବୟସର ଅତି ଆପଣାର ଜୀଵ । ମନ ବୁଝିବା ପାଇଁ ଭାଷାର ଆବଶ୍ୟକ ପଡେ ନାହିଁ । ଏହା ରାଧୀ,ରାନୀ ଓ ମୋ ସମ୍ପର୍କରୁ ବୁଝା ପଡେ । ଆମେ ତିନି ହେଁ ପରସ୍ପର ସହିତ ମନର କଥା ବାଣ୍ଟି ପାରୁ ବିନା ଶବ୍ଦରେ।

କେତେ ଆଶା କରିଥିଲି ରାନୀ ଏ ବର୍ଷ ମୋତେ ରାକ୍ଷୀ ବାନ୍ଧିବ। ମାତ୍ର ରାକ୍ଷୀ ଆସିବା ପୂର୍ବରୁ ରାନୀକୁ ତିନି ମାସ ପୁରି ନାହିଁ ସେ ମୋତେ ଛାଡ଼ି କୁଆଡେ ଚାଲିଗଲା। ଗାଈ ବିକ୍ରି ଦିନ ମୁଁ ଘରେ ନ ଥିଲି। ସ୍କୁଲରେ ବାର୍ଷିକ ଉତ୍ସବ ହେଉଥିଲା। ସେଇଠି ଆମେ ରାତି ନଅ ଯାଏ ଥିଲୁ। ମାଆ ଜାଣି ଜାଣି ରାଧୀ ଓ ରାନୀକୁ ମୁଁ ନଥିଲା ବେଳେ ବିକ୍ରି କରିଦେଲା।କାହିଁକି ନା ମୁଁ ସେମାନଙ୍କୁ ଛାଡି ନ ଥାନ୍ତି ।

ଭାରି ଖାଁ ଖାଁ ଓ ଏକୁଟିଆ ଲାଗିଲା ମୋତେ ରାଧୀ ଓ ରାନୀ ନ ଥିବାରୁ। ଆକୁଳ ହୋଇ ରାଧୀ ! ରାଧୀ !ରାନୀ !ରାନୀ କେତେ ଡାକିଲି।ଅନ୍ୟ ଦିନ ପରି ହମା କି ମା ଆ ଡାକ ଶୁଭିଲା ନାହିଁ। ମାଆ ଉପରେ ରାଗ ହେଲା । ମୋ ରାଧୀ ଓ ରାନୀକୁ ଆଣି ଦେ ମାଆ ଅଝଟ କଲି।  ମାଆ ରାଧୀ ଓ ରାନୀ ବନ୍ଧା ହେଉଥିବା ପଘାକୁ ଛାତିରେ ଜାକି ଲୁହ ଗଡାଉଥିଲା। ମୁଁ ବୁଝି ପାରୁନଥିଲି ଏ କେମିତିକା ଭଲ ପାଇବା। ବିକିଦେଲା ପରେ କାନ୍ଦୁଛି କାହିଁକି ?  ରାଗିକି ନ ଖାଇ ଉପାସରେ ଶୋଇ ପଡ଼ିଲି। ମାଆ ମୁଣ୍ଡ ସାଉଁଳେଇ ଜୋରେ ଜୋରେ କାନ୍ଦୁଥିଲା। କୋହ ଫୁଟାଇ କାନ୍ଦୁଥିଲା ଓ କହୁଥିଲା, ରାଧୀ ଓ ରାନୀ ତୁମ ଦୁଇ ଭାଇଙ୍କ ପରି ମୋ ପିଲା ଥିଲେରେ ଅଜୁ। ମୁଁ କଣ କରିଥାନ୍ତି କହ ? ଆଉ କିଛି ବିକଳ୍ପ ନ ଥିଲା। ତୋ ବାପାଙ୍କ ଗଲଫ୍ ବ୍ୟାଡର ଅପରେସନ ନିହାତି ଦରକାର।ନଲେ କ୍ୟାନ୍ସର ଆଡ଼କୁ ଗତି କରି ପାରେ। ଡ଼କ୍ଟର କହିଛନ୍ତି ଅତି କମ୍ ରେ ଚାଳିଶି ହଜାର ନ ହେଲେ ଅପରେସନ ହୋଇ ପାରିବ ନାହିଁ। ମୋ ଗହଣା କହିଲେ କାନ ଫୁଲ ଓ ଶଙ୍ଖା ତଥା ରାଧୀକୁ ବିକ୍ରି କରି ତୋ ବାପାଙ୍କ ଅପରେସନ ପାଇଁ ଟଙ୍କା ଯୋଗାଡ଼ କରିବାକୁ ବାଧ୍ୟ ହେଲିରେ ଧନ । ଆଖି ବୁଜି ଶୋଇବାର ଅଭିନୟ କରି ପଡ଼ିଥିଲି ।ମାଆ କଥା ଶୁଣି ମୋ ମନ ଆହୁରି କଷ୍ଟ ହୋଇଗଲା। ଆମେ କାହିଁକି ଗରିବ ହେଉଥିଲୁ ? ରାଧୀ କ୍ଷୀର ବିକି ଆମେ ଚଲୁଥିଲୁ। ଆଜି ସେ ନିଜେ ବିକ୍ରି ହୋଇ ମୋ ବାପାଙ୍କୁ ଭଲ କରିବ । ଫୁଲେଇ ରାଧୀ ପାଇଁ ମୋ ପିଲାମନ ବହୁତ ଖଣ୍ଡିଆ ହେଲା।


Rate this content
Log in