ଫେସବୁକ୍ (୨)
ଫେସବୁକ୍ (୨)
ଯୁବ କବି ବନ୍ଧୁ ରଘୁବୀର ସହ ଗତକାଲି ସମ୍ବଲପୁରର ଏକ ରେଷ୍ଟୁରାଣ୍ଟରେ ଦେଖା ହେଲା । ସେ କହିଲା ବନ୍ଧୁ ତୁମେ ଫେସବୁକ୍ କେଉଁ ନାମରେ ଖୋଲିଛ ? ମୁଁ ଖୋଜି ଖୋଜି ପାଉନି ତ । ମୁଁ ଉତ୍ତର ଦେଲି, ନା ନା ମୁଁ ଆଗରୁ ଥିଲି । ଏବେ ଫେସବୁକ୍ ଠାରୁ ବହୁତ୍ ଦୂରରେ । ଖୋଲୁ ନାହାଁନ୍ତି ( ସେ କହିଲା ) ।
ମୁଁ କିଛି କହି ପାରୁ ନଥାଏ । ସେ ମୋତେ ବାରମ୍ବାର କହିଲା, ଆପଣ ଜଣେ କବି । ଆପଣଙ୍କ ଲେଖା ପୋଷ୍ଟ କଲେ ବହୁତ କମେଣ୍ଟ ଆଉ ଲାଇକ୍ ଆସିବ । ଓଡିଆ ଭାଷା ସାହିତ୍ୟର ସେବାରେ ବହୁତ କବି ଅଛନ୍ତି । ରାତାରାତି ତୁମେ ପ୍ରସିଦ୍ଧ ହେଇଯିବ । ତୁମର ରୋମାଣ୍ଟିକ୍ କବିତା ଯିଏ ବି ପଢିବ ସେ ତ ଲାଇକ୍ କିମ୍ବା କମେଂଟ ନ କରି ରହି ପାରିବ ନାହିଁ । ତୁମେ ସିନା କଳା ହେଲେ ତୁମର ଲେଖାରେ ଯାଦୁ ଅଛି ବନ୍ଧୁ । ସେ ମୋତେ ବହୁତ କିଛି ଶୁଣାଇଲା । ହେଲେ ମୁଁ ନିରୂପାୟ । ତା' କଥାରେ ମୁଁ ବାରମ୍ବାର ପଛଘୁଞ୍ଚା ଦେଉଥିବାରୁ ସେ ମୋତେ ସନ୍ଦେହ କଲା । ଫେସବୁକ୍ ଖୋଲିବାକୁ ଏତେ ଡରୁଛ କାହିଁକି ? ଫୋର୍ ଜି ଫୋନ୍ ତ ଧରୁଛ । ଦିଅ ମୁଁ ଫେସବୁକ୍ ଖୋଲି ଦେବି । ମୋ ଫୋନ୍ ଛଡାଇ ନେଇ ଫେସବୁକ୍ ଖୋଲିବା ପାଇଁ ପ୍ରୟାସ କରୁଥାଏ । ( ମୁଁ ଫୋନ୍ ଟି ଛଡାଇ ଆଣି ) ମୁଁ ଜୀବନରେ କେବେବି ଫେସବୁକ୍ ଖୋଲି ପାରିବି ନାହିଁ ରଘୁବୀର ।
- କିନ୍ତୁ କାହିଁକି ?
- ୨୦୧୭ ମସିହାରେ ମୋର ଜଣେ ସହପାଠିନୀ ମୋ ସହ ବାଜି ଲଗେଇ ଥିଲା । ସେ ବାଜିରେ ମୁଁ ଶୋଚନୀୟ ଭାବେ ହାରି ଯାଇଥିଲି । ମୁଁ ସେଦିନ ଅନେକ ଲଜ୍ଜିତ ହେଇଥିଲି । ବହୁତ କଥା ଅଛି ଛାଡ, ସେ ସବୁ ଅତୀତ ହେଲାଣି ।
ପୁରା ଘଟଣା ଶୁଣିବା ପାଇଁ ରଘୁବୀର ମୋତେ ବାଧ୍ଯ କଲା । ବୋଧେ ସେ ଉତ୍ସୁକତାର ସହ ଶୁଣିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲା । ମୁଁ ସେଦିନ ତା'କୁ ଏକ ଲୟରେ ଶୁଣାଇ ଥିଲି ।
ମିତା ପ୍ରଧାନ ମୋର ସହପାଠିନୀ । ଆମେ ଦୁହେଁ ସ୍ନାତକ ଶେଷ ବର୍ଷରେ ପଢୁଥାଉ । ମୁଁ ଷଷ୍ଠ ଶ୍ରେଣୀରୁ ଲେଖାଲେଖି ଆରମ୍ଭ କରିଥିଲି । କଲେଜ୍ କାନ୍ଥର ସ୍ମୃତି ଫର୍ଦ୍ଦରେ ମୋ ଲେଖା ଦେଖି ମିତା କବିତା ଲେଖିବା ଆରମ୍ଭ କରିଦଲା । ସେତେବେଳେ ମୋର ଏଗାର ଖଣ୍ଡ ପୁସ୍ତକ ପ୍ରକାଶିତ ହେଇ ସାରିଥାଏ । ସେ ଫେସବୁକ୍ ରେ ନିଜ ଫୋଟ ଆଉ କବିତା ପୋଷ୍ଟ କରି ହଇଚଇ ମଚେଇ ଦେଉଥାଏ । ମୁଁ ସେତେବେଳେ ଫେସବୁକ୍ ସଂପର୍କରେ ପୁରାପୁରି ଅଜ୍ଞ ଥିଲି । ଅଗଷ୍ଟ ପନ୍ଦରକୁ କଲେଜ୍ ରେ ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗୀତା ହେଲା । କଲେଜ୍ ର ପ୍ରାୟ ସବୁ ପିଲା ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ । ମୁଁ ଉଭୟ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କଲି । ସମସ୍ତେ ଖୁସିରେ ମୋତେ ଅଭିନନ୍ଦନ ଜଣାଇଲେ । କିଛି ବନ୍ଧୁ ଆଉ ବାନ୍ଧବୀ ମୋ ସହ କଥା ହେବା ପୁରା ବନ୍ଦ କରିଦେଲେ । କଲେଜ୍ ର ପ୍ରାୟ ପିଲା ମୋତେ ଭଲ ଚିତ୍ରକର ଆଉ କବି ବୋଲି ଜାଣିଗଲେ । ମୋର ସହପାଠିନୀ ମିତା ଚିତ୍ରାଙ୍କନରେ ଭାଗ ନେଇ ନଥିଲା । ସେ କେବଳ କବିତା ଲିଖନ ରେ ଭାଗ ନେଇଥିଲା । ସେଇ ଦିନ କବିତା ଲିଖନରେ ସେ ଦ୍ବିତୀୟ ସ୍ଥାନ ପାଇବାରୁ ସେ ମୋ ଉପରେ ଈର୍ଷା କରିବା ଆରମ୍ଭ କରିଦଲା । ମୋତେ କହିଲା ତୁମ ଲେଖା ଭଲ କି ମୋ ଲେଖା ଭଲ ଫେସବୁକ୍ ରେ ପ୍ରତିଯୋଗୀତା କରିବା କି ? ( ମୁଁ କହିଲି ) ନା, ନା, ପ୍ରତିଯୋଗୀତା କ'ଣ ପାଇଁ ? ( ସେ କହିଲା ) ଆରେ ଜଣା ପଡିଯିବ । ଯଦି ଫେସବୁକ୍ ରେ ମୋ ଠାରୁ ତୁମର ଅଧିକ ଲାଇକ୍ କିମ୍ବା କମେଂଟ ଆସିଲା ତା'ହେଲେ ତୁମେ ଭଲ କବିତା ଲେଖୁଛ ବୋଲି ମୁଁ ଭାବିବି । ନଚେତ୍ ତୁମ ଠାରୁ ମୋର କବିତା ଭଲ ବୋଲି ତୁମେ ସ୍ବୀକାର କରିବ । ମୁଁ କିଛି ବୁଝି ପାରୁ ନଥାଏ । ସେତେବେଳେ ଏଇ ଫୋର୍ ଜି ଫୋନ୍ ଟି ନୂଆ କରି କିଣିଥିଲି । ମୁଁ କବିତାକୁ ନେଇ ଫେସବୁକ୍ ରେ ପ୍ରତିଯୋଗୀତା କରିବା ପାଇଁ ଅନେକ ମନା କଲି । ହେଲେ ସେ କଲେଜ୍ ର ସବୁ ପୁଅ ଝିଅଙ୍କ ସାମ୍ନାରେ ତା'ର କବିତା ମୋ କବିତା ଠାରୁ ଭଲ ଥିଲା ବୋଲି କହିବା ପାଇଁ ରାଜି ହେବା ପାଇଁ କହିବାରୁ ମୁଁ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ହଁ କଲି । କାରଣ ତା'ର କଥା ମୋ ମନରେ ଗଭୀର ଆଘାତ ଦେଉଥିଲା । ମୋ ସମ୍ମାନରେ ହାନି ପହଞ୍ଚାଉ ଥିଲା ।
ମୋ ଫୋନ୍ ରେ ପ୍ଲେଷ୍ଟୋର୍ ରୁ ଫେସବୁକ୍ ଆପ୍ ଡାଉନଲୋଡ୍ କରି କବି ବନ୍ଧୁ ମାନଙ୍କୁ ଫେସବୁକ୍ ରେ ବନ୍ଧୁତା ପାଇଁ ନିମନ୍ତ୍ରଣ ପଠାଇଲି । ଓଡିଆ ସାହିତ୍ଯକୁ ଭଲ ପାଉଥିବା, ଓଡିଆ ସାହିତ୍ଯର ସେବାରେ ନିଜକୁ ସଂପୂର୍ଣ୍ଣ ରୂପେ ସମର୍ପିତ କରିଥିବା ବଡ ବଡ ଲେଖକ ମାନେ ଫେସବୁକ୍ ରେ ମୋର ବନ୍ଧୁତା ସ୍ବୀକାର କରିଥିଲେ । ମୁଁ ବହୁତ ଖୁସି ହେଉଥାଏ । ମୋର ସେଲ୍ ଫି ଫୋଟ ପୋଷ୍ଟ କରିବାରୁ ଲାଇକ୍ ଆଉ କମେଂଟ ବହୁତ ମିଳିଲା । ଆନନ୍ଦରେ ମୁଁ ନାଚି ଉଠୁଥାଏ ।
ପ୍ରତିଯୋଗୀତା ପାଇଁ ମୁଁ ପ୍ରଥମେ ଡରୁଥିଲି । ସେ ଝିଅ ପିଲା ନିଶ୍ଚିତ ତା'ର ଅଧିକ ଲାଇକ୍ ଆଉ କମେଂଟ ଆସିବ । ହେଲେ ପୁଣି ମନରେ ବିଚାର କଲି ନା ନା ଲେଖା ତ ପୋଷ୍ଟ କରାଯିବ । ଲେଖାକୁ ଦେଖିତ ପାଠକ ଓ କବି ବନ୍ଧୁମାନେ ଲାଇକ୍ ଆଉ କମେଂଟ କରିବେ । ତା' ହେଲେ ଭୟ କରିବାର ତ କିଛି ଆଉ କାରଣ ନାହିଁ । ମନରୁ ଭୟ ଦୂର କରି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଇଗଲି । ପ୍ରତିଯୋଗୀତାରେ ଛଅଟି ନିୟମ ପାଳନ କରିବାକୁ ହେବ ବୋଲି ମିତା ମୋତେ ଜଣାଇଲା । ନିୟମାବଳୀରେ ଉଲ୍ଲେଖ ଥିଲା -
୧• ଅଗଷ୍ଟ ମାସ ୨୭ ତାରିଖ ଦୁଇ ହଜାର ସତର ମସିହା ସକାଳ ଠିକ୍ ଦଶଟାରେ ଲେଖା ପୋଷ୍ଟ କରାଯିବ ।
୨• କବିତା ପୋଷ୍ଟ ହେବାର ପାଞ୍ଚ ଦିନ ପରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଫଳ ପ୍ରକାଶ କରାଯିବ ।
୩• ଫେସବୁକ୍ ବନ୍ଧୁ ମାନଙ୍କୁ ପ୍ରତିଯୋଗୀତା ବିଷୟରେ କୌଣସି ସୂଚନା ଦିଆଯିବ ନାହିଁ ।
୪• କବିତା ସହିତ ନିଜର ଫୋଟ ପୋଷ୍ଟ କରାଯିବ ।
୫• ଲାଇକ୍, କମେଂଟ ଆଉ ସେଆର୍ କୁ ନେଇ ପ୍ରତିଯୋଗୀତାର ଫଳାଫଳ ପ୍ରକାଶ ପାଇବ ।
୬• ପ୍ରତିଯୋଗୀତାରେ ଯେ, ହାରିବ ସେ ସବୁଦିନ ପାଇଁ ଫେସବୁକ୍ ରୁ ବିଦାୟ ନେବ ।
ମୁଁ ପ୍ରଥମରୁ ପଞ୍ଚମ ନିୟମାବଳୀ ଯାଏଁ ଏକମତ ଥିଲି । ହେଲେ ଷଷ୍ଠ ନିୟମାବଳୀ ପାଇଁ ମୁଁ ଦୁଃଖିତ ଥିଲି । କାରଣ ମାତ୍ର ଦୁଇଦିନ ହେଉଥାଏ ମୁଁ ଫେସବୁକ୍ ଚଳାଇବାର । ଶେଷରେ ବାଧ୍ଯ ହୋଇ ନିୟମ ପାଳନ କରିବାକୁ ରାଜି ହେଲି । ଏ ନିୟମାବଳୀରେ ସେ ଭାରି ଖୁସି ଜଣା ପଡୁଥାଏ ।
ଫେସବୁକ୍ ( ମୁଖ ପୁସ୍ତିକା )ରେ ମୋର ପିଲା ଦିନର ସାଙ୍ଗ ସାଥୀ, ଭାଇ ଭଉଣୀ, ବାପା ମାଆ, ଦୂର ସଂପର୍କୀୟ, ବନ୍ଧୁ ବାନ୍ଧବ ଙ୍କୁ ଦେଖି ବିପୁଳ ସୁଖ ଅନୁଭବ କରୁଥାଏ, ଆନନ୍ଦ ଉଠାଉ ଥାଏ ।
ମୁଁ ହାରିଯିବି କି ବୋଲି ଭାବି ମନରେ ଭୟ ଉତ୍ପନ୍ନ ହେଉଥାଏ । ମନେ ମନେ ବିଚାର ମଧ୍ଯ କରୁଥାଏ ପୂର୍ବରୁ ନିଜ ଫୋଟ ଛାଡିଥିଲି ଚାରି ଶହ ତେସ୍ତରୀ ଲାଇକ୍ ଅଠାଅଶୀ କମେଂଟ ମିଳିଥିଲା । ନିଜର କବିତାଟିଏ ପୋଷ୍ଟ କରିଥିଲି ଯେ, ଚାଳିଶ୍ ଟି ଲାଇକ୍ ଆଉ ଚଉଦଟି କମେଂଟ । ହେଲେ ଏବେ ଲେଖା ପୋଷ୍ଟ କଲେ କେତେ ଲାଇକ୍ ଆଉ କମେଂଟ ମିଳିବ କେଜାଣି ?
ମୁଁ ଶିଶୁ କବିତାଟିଏ ଲେଖା ଆରମ୍ଭ କରି ସଂପୂର୍ଣ୍ଣ କରିଦେଲି । କଲେଜ୍ ପୋଷାକରେ ସେଲ୍ ଫି ଫୋଟ ଟିଏ ଉଠାଇଲି । ଖୁସିରେ ମୁଁ ଫାଟି ପଡୁଥାଏ । ମନରେ ଅପୂର୍ବ ଆନନ୍ଦ ଖେଳି ଯାଉଥାଏ ।
ଫେସବୁକ୍ ରେ କବିତା ସହିତ ନିଜର ଫୋଟ ପୋଷ୍ଟ କରିବାର ସମୟ ଆସିଗଲା । ସେଦିନ ମୁଁ କଲେଜ୍ ରେ ଥିଲି । ଦୁହେଁ ଏକା ସମୟରେ ପରସ୍ପରକୁ ଟାଗ୍ କରି ଲେଖା ସହ ଫୋଟ ପୋଷ୍ଟ କଲୁ । ମୋର ଶିଶୁ କବିତା ଦେଖି ସେ ହସୁଥିଲା । ତା' ହସିବାର କାରଣ ମୋର ବୁଝିବା ବାହାରେ ଥିଲା । ଦେଖିଲି ସେ ପଦେ ମାତ୍ର ଲେଖିଛି । ତା'ର କବିତାଟି ଥିଲା,
" କାହା ପାଇଁ କବିତା ଲେଖିବି ?
ତୁମେ ହିଁ ତ ମୋର ରୋମାଣ୍ଟିକ୍ କବିତା,
ପାଶେ ଥାଅ ଯେବେ ଦେହରେ ବିଜୁଳି ଦୌଡେ
ଭାଙ୍ଗିଦିଅ ତୁମେ ମୋର ନୀରବତା । "
ମାତ୍ର କିଛି ଘଣ୍ଟା ଭିତରେ ତା'ର ଲାଇକ୍ ସାତ ଶହ ତେଷଠି, କମେଂଟ ଦୁଇ ଶହ ଅଠାବନ୍ ଓ ଏକା ନବେ ସେଆର୍ ହୋଇ ଗଲା । ମୋତେ ଲାଇକ୍ ଆଉ କମେଂଟ ତା' ଅପେକ୍ଷା ଅଳ୍ପ ମିଳିଥିଲା ।
ମୁଁ ସବୁ ଦେଖି ନିଜକୁ ପୀଡା ଅନୁଭବ କରୁଥାଏ । ଭାବିଲି ମୋର କବିତା ତ ତା' ଅପେକ୍ଷା ଭଲ ଅଛି । ଲାଇକ୍, କମେଣ୍ଟ ଆଉ ସେଆର୍ ତା'ର ଅଧିକ କେମିତି ? ଯେଉଁ ଲାଇକ୍ ତା'କୁ ମିଳୁଛି ସେ ସବୁ ତ ମୋତେ ମିଳିବା କଥା । ଓଲଟା କେମିତି ହେଉଛି ? ସେଦିନ ସବୁ କିଛି ଠଉରେଇ ପାରିଲି । ସତରେ ଫେସବୁକ୍ ରେ ଥିବା ଜ୍ଞାନୀ, ପଣ୍ଡିତ ମାନେ ନୀତି ଶିକ୍ଷା କି ନୀତି ବାଣୀ, ହିତୋପଦେଶ ଶୁଣିବାକୁ ଚାହାଁନ୍ତିନି । ଇଏ କଳିକାଳ, ସୌଖିନ ଭୋଗ ବିଳାସର ଯୁଗ । ସୁନ୍ଦରୀ ଯୁବତୀର ଫୋଟ ଦେଖିବାକୁ ଇଚ୍ଛା ହେବ ତ ନିଶ୍ଚିତ । ଅସଭ୍ଯ ଲେଖା, ଅଶ୍ଳୀଳ ଫୋଟ ଉପରୁ ନିଜର ନଜର ହଟାଇବାକୁ ଜମାରୁ ଇଚ୍ଛା ହେବନି । ସେଥିରୁ ତ ଆତ୍ମ ସନ୍ତୋଷ ମିଳୁ ଥିବ ନା । ସେମାନେ ସେଇଠି ଲାଇକ୍ ଆଉ କମେଂଟ କରିବେ ଯେଉଁଠାରେ କିଛି ଅଶ୍ଳୀଳତା ଆଉ ପାଇବା ଆଶା ଥିବ ।
ଭାବିଲି, ବୋଧେ ମୋର ସବୁ ବନ୍ଧୁମାନେ ନାରୀ ପ୍ରିୟ । କବିତା ପ୍ରିୟ ନୁହଁନ୍ତି । ବେଶଭୂଷା ଆଉ ରୂପ ଯୌବନକୁ ଦେଖି ଲାଇକ୍ ଆଉ କମେଂଟ କରୁଛନ୍ତି । ଭଲ ଲେଖା ପ୍ରତି କାଁ ଭାଁ କେଇଜଣ ଲାଇକ୍ ଆଉ କମେଂଟ କରୁଛନ୍ତି ଯାହା ଦୃଷ୍ଟି ଗୋଚର ହଉ ନାହିଁ । ସତରେ କ'ଣ ସମସ୍ତେ ଜାଣନ୍ତିନି ମୃତ୍ଯୁ ଆସିବ, ବପୁ ବଳ ସବୁ ଦିନେ ସମୟ ସ୍ରୋତରେ ଚାଲିଯିବ, ମୁଖ ମଣ୍ଡଳ ଆଉ ଦେହର ଶୋଭା ରହିବ ନାହିଁ ବୋଲି । ତଥାପି ମଧ୍ଯ ଭଲକୁ ସ୍ବୀକାର କରିବାକୁ ଏମାନେ ନାରାଜ, କୁଣ୍ଠାବୋଧ କରୁଛନ୍ତି ।
ଏ ଶିକ୍ଷିତ ଯୁବ ସମାଜ ନାରୀ ଫୋଟ ପ୍ରତି ଏତେ ଆସକ୍ତ କାହିଁକି ? କାହିଁକି ସେମାନେ ଶରୀରକୁ କେବଳ ଦେଖନ୍ତି ? ମୋହ ମାୟା ସଂସାରକୁ, ଜନ୍ମମୃତ୍ଯୁ ରହସ୍ୟକୁ ସେମାନେ ବୁଝି ପାରନ୍ତିନି, କାହିଁକି ? ଯୌବନର ରୂପ ରଙ୍ଗ ଦିନେ ଫିକା ପଡିଯିବ ଏକଥା କ'ଣ ସେମାନେ ସତରେ ଜାଣନ୍ତି ନାହିଁ । ନା ସବୁ ଜାଣିଶୁଣି ଭଲକୁ ଅଣଦେଖା କରନ୍ତି । ଯେଉଁଠି ହିଂସା, ଅସତ୍ଯ, ଖରାପ, ଅଶ୍ଳୀଳ ଫୋଟ ସେ ଉପରେ ଲାଇକ୍, କମେଂଟ ଆଉ ସେଆର୍ କରୁଛନ୍ତି । ଭଲକୁ ଭଲ ବୋଲି ନକହି ଖରାପ ବୋଲି ସ୍ବୀକାର କରିବାରେ ସତେ ଯେମିତି ସେମାନଙ୍କୁ ଚାପ ପକା ଯାଉଛି । ଯାହା ସତ୍ୟ, ଯାହା ନିଜକୁ ହିତ, ଯାହା ସୁନ୍ଦର ସେଇଠାରେ ମତାମତ ଦେବାରେ ଦ୍ବିଧା ଓ ସଂକୋଚ ଅନୁଭବ କ'ଣ ପାଇଁ ?
ନିଜର ସ୍ବାଧୀନ ମତ ବ୍ଯକ୍ତ କରିବାରେ ସେମାନେ ଲଜ୍ଜିତ କ'ଣ ପାଇଁ ? କ'ଣ ସତରେ ମୋର କବିତା ଅପେକ୍ଷା ମିତାର କବିତା ସମସ୍ତଙ୍କୁ ଭଲ ଲାଗିଲା ? ଫେସବୁକ୍ ରେ ଯେଉଁମାନେ ତା'ର ବନ୍ଧୁ ସେମାନେ ସମସ୍ତେ ତ ମୋର ବି ବନ୍ଧୁ । ଟାଗ୍ ତ କରିଥିଲୁ ପରସ୍ପରକୁ । ତେବେ ଏତେ ପାତର ଅନ୍ତର କେମିତି ?
ଦେଖୁ ଦେଖୁ ତିନି ଦିନ ବିତି ଯାଇଥିଲା । ମୋ ପାଖରେ ଆଉ ମାତ୍ର ଦୁଇ ଦିନ ସମୟ ଥାଏ । ଲାଇକ୍, କମେଂଟ ଆଉ ସେଆର୍ ରେ ସେ ମୋ ଠାରୁ କୋଡିଏ ଗୁଣା ଅଧିକ ଥାଏ । ମୁଁ ପୀଡା ଓ ଲଜ୍ଜ୍ଯା ଅନୁଭବ କରୁଥାଏ ।
ଭାବୁଥାଏ ମୁଁ ହାରିଯିବି । ନିୟମ ଅନୁସାରେ ଫେସବୁକ୍ ରୁ ବୋଧେ ସବୁଦିନ ପାଇଁ ବିଦାୟ ନେବି । ଶେଷ ପର୍ଯ୍ଯନ୍ତ ଅପେକ୍ଷାରେ ରହିଲି । ପାଞ୍ଚ ଦିନ ଶେଷ ହେବା ପରେ ମୋତେ ସର୍ବମୋଟ ଏକସ୍ତରୀ ଲାଇକ୍, ବତିଶ୍ କମେଂଟ ଓ ତିନୋଟି ସେଆର୍ ମିଳିଥିଲା । ଶେଷରେ ମୁଁ ହାରିଗଲି ।
ମୁଁ ସେଦିନ ଶୋଚନୀୟ ଭାବେ ହାରିଗଲି ବୋଲି ମିତା ମୋତେ ଅଭିନନ୍ଦନ ଜଣାଇଲା । ଫେସବୁକ୍ ଆପ୍ଲିକେସନ୍ ଟି ଅନ୍ ଇନଷ୍ଟଲ୍ କରିବାକୁ କହିଲା । ନିୟମ ଅନୁସାରେ ମୁଁ ଆଉ କିଛି ନକହି ସବୁଦିନ ପାଇଁ ଫେସବୁକ୍ ରୁ ବିଦାୟ ନେଇଗଲି ।
ଗୋଟେ ଝିଅ ପିଲା ସହ ପ୍ରତିଯୋଗୀତା କରି ମୁଁ ସେଦିନ ଭୁଲ୍ କରିଥିଲି । ଯଦି ମୁଁ ସେଦିନ ସେଥିରେ ଭାଗ ନେଇ ନଥାନ୍ତି ଆଜି ତୁମ ଭଳି ଫେସବୁକ୍ ରେ ଥାନ୍ତି ବନ୍ଧୁ ।
ବନ୍ଧୁ ତଥା ନିଜ ପରିବାରର ପ୍ରିୟ ମଣିଷ ମାନଙ୍କୁ ଦେଖି ବିପୁଳ ସୁଖ ପାଉଥିଲି । ଯେତେ ଦୂରରେ ଥିଲେ ବି ସଭିଙ୍କୁ ଗୋଟିଏ ଜାଗାରେ ଭେଟଉଥିଲି । ଆନନ୍ଦିତ ହେଉଥିଲି । ହେଲେ ଆଜି ନିୟମରେ ବନ୍ଧା ହେବା କାରଣରୁ ଫେସବୁକ୍ ଦେଖିବା ସମ୍ଭବ ହେଉନି ।
କବିତା ତ ଉଚ୍ଚକୋଟୀର ନଥିଲା । ଏତେ ଲାଇକ୍ ଆଉ କମେଂଟ କେମିତି ସେ ପାଇଥିଲା ? ବୋଧେ ତା'ର ରୂପ ଯୌବନ ସମସ୍ତଙ୍କୁ ଆକର୍ଷିତ କରିଥିଲା ସେଦିନ । ସିଏ ତ ଜିତିବାର ନଥିଲା । ବୋଧେ ସିଏ ଗୋରୀ ବୋଲି ଜିତିଗଲା ଆଉ ମୁଁ କଳା ବୋଲି ହାରିଗଲି । ସେଦିନ ଏ ସମାଜରେ ଥିବା ସାମାଜିକ ପ୍ରାଣୀ ମାନଙ୍କର ଚରିତ୍ରକୁ ମୁଁ ବୁଝି ପାରି ନଥିଲି । ଏତେ ରୁଗ୍ଣ ମାନସିକତା । କଳା ଲୋକଙ୍କୁ ସତରେ କେହି ଭଲ ପାଇବା ତ ଦୂରର କଥା ଆଦର କି ଭଲରେ ମନ୍ଦରେ କେବେ କେହି ମଧ୍ୟ ପଚାରନ୍ତି ନାହିଁ । କଳା ମଣିଷର କବିତାକୁ କେମିତି ହେଲେ କିଏ ପଚାରିବ ? ସୁନ୍ଦରୀ ଯୁବତୀ ପଛରେ ବୋଧେ ଏଇଥି ପାଇଁ ସେମାନେ ପଡନ୍ତି କାଳେ କୌଣସି ଦିନ ମେସେଞ୍ଜରରେ ଭିଡିଓ କଲିଙ୍ଗ୍ କରି ଦେବ କି କଥା ହେବା ପାଇଁ ତା'ର ହ୍ବାଟସଆପ୍ ନମ୍ବର ଦେଇ ଦେବ । କେଡେ ବୋକା ଆଉ ନାଳୁଆ ସତରେ ଏମାନେ ।
ଲାଇକ୍ ଆଉ କମେଂଟ କରିଥିବା ସବୁ ବନ୍ଧୁ ତା' କବିତାର ପ୍ରଶଂସକ ଥିଲେ ନା ତା' ରୂପ ଲାବଣ୍ଯର ପ୍ରଶଂସକ ଥିଲେ ମୁଁ ସେଦିନ ଠିକ୍ ବୁଝି ସାରିଥିଲି । ସେମାନେ ସମସ୍ତେ ଲୁଙ୍ଗୁରା ପ୍ରକୃତିର ଥିଲେ, ମିଛରେ ପ୍ରଶଂସା କରୁଥିଲେ ।
ସବୁ ଶୁଣି ସାରିବା ପରେ ରଘୁବୀର ଆଖିରେ ଲୁହ ଆସି ଯାଇଥିଲା । ଆପଣଙ୍କ ଶିଶୁ କବିତାଟି କିପରି ଥିଲା ଟିକିଏ ଶୁଣାଅ ବନ୍ଧୁ ।
- ଠିକ୍ ଅଛି ଶୁଣ ତା' ହେଲେ । ସେଦିନ ମୋ କବିତାର ଶୀର୍ଷକ ଥିଲା, " #ବାଜେ "
ବାଚିକ,କାଗଜ, ବାର୍ତ୍ତାବହ, ଜରା
କେବେ କି ନିକୃଷ୍ଟ ହୋଇବ,
ବାୟୁଭୁକ, ବାଳ, ବିଦୂଷୀ, ବିପ୍ରଙ୍କୁ
ଜନତା କି ବାଜେ ମଣିବ । [୧]
ସର୍ବପ୍ରିୟ, ବେଲ, ସର୍ଜରସ, ବାରି
ପ୍ରଭୁଙ୍କ କର୍ମରେ ଲାଗିବ,
ସାରମେୟ, ମେଷ, ଇନ୍ଦୁର, କାଉକୁ
କୁହ କେବେ ତୁଚ୍ଛ କହିବ । [୨]
ଷଡରିପୁ, ଗର୍ବ, ତଞ୍ଚକତା, ଦାଉ
ମନୁଷ୍ଯକୁ ତୁଚ୍ଛ କରିଛି,
ଦ୍ଯୁତ- କୁପ୍ରକୃତି ମନୁଜ ଜାତିକୁ
ନିକୃଷ୍ଟ କରିଣ ରଖିଛି । [୩]
ନିଷ୍ପାପ, ନୀତିଜ୍ଞ, ନିବାଜ୍ଯ ଜନକୁ
ବାଜେ ବୋଲି କିଏ କହିବ,
ପ୍ରବୀଣ ଜନକୁ ଅପାଠ୍ଯ କହିଲେ
ଦୁନିଆ ନିଶ୍ଚିତ ହସିବ । [୪]
ଅଭାଗା, ଅବୋଧ, ଅସଭ୍ଯ, ଅଖ୍ଯାତି
ଜନ ମର୍ତ୍ତ୍ଯେ ଭରି ଅଛନ୍ତି,
ରାକ୍ଷସ ସମାନ କଳୁଷ ନରକୁ
ସର୍ବେ ବାଜେ ବୋଲି କହନ୍ତି । [୫]
ମୋତେ ଖୁସିରେ ଆଲିଙ୍ଗନ କରି ରଘୁବୀର କହିଲା, ବାଃ ! ଚମତ୍କାର କବିତା ତ ବନ୍ଧୁ । ତୁମ ଫେସବୁକ୍ ବନ୍ଧୁ ମାନେ ତୁମ ଭଳି ଜଣେ ମହାନ୍ ସ୍ରଷ୍ଟାଙ୍କୁ ସେଦିନ ଚିହ୍ନି ପାରିଲେ ନାହିଁ, ଏହା ଦୁଃଖର ବିଷୟ । ( ମୁଁ ଦେଖିଲି ତା' ଆଖିରୁ ଅଶ୍ରୁ ବାହାରୁ ଥିଲା । ) ଆଉ କେବେ ସମ୍ବଲପୁର ଆସିଲେ ମୋତେ ଫୋନ୍ କରି ଜଣାଇବ ବନ୍ଧୁ, ମୁଁ ଦେଖା କରିବି ( ସେ କହିଲା ) । ହଁ, ଆଉ କେବେ ଆସିଲେ ମୁଁ ନିଶ୍ଚିତ ତୁମକୁ ଫୋନ୍ କରି ଜଣାଇବି କହି ଲୁହ ଛଳଛଳ ନୟନରେ ସେଠାରୁ ବିଦାୟ ନେଲି ।
ସେଇ ଦିନଠାରୁ ଆଜିଯାଏଁ ରଘୁବୀର କେବେବି ଆଉ ଫେସବୁକ୍ ରେ ନିଜ ପୋଷ୍ଟ ଉପରେ କାହାର ଲାଇକ୍, କମେଂଟ କିମ୍ବା ସେଆର୍ କୁ ପୂର୍ବ ପରି ଅପେକ୍ଷା କଲା ନାହିଁ । ସେମିତି ଦୁର୍ବଳ ବିଚାର ଠାରୁ ସେ ଆଜି ବହୁତ ଦୂରରେ । ଆଜି ସେ ନିରବରେ କବିତା ଲେଖି ଫେସବୁକ୍ ରେ ପୋଷ୍ଟ କରି ଆପେ ଆପେ ଅତୁଳ ସୁଖ ସାଉଁଣ୍ଟିବାରେ ବ୍ଯସ୍ତ ।