ପବନହଂସ
ପବନହଂସ
"ବେଙ୍ଗ କହେ ବେଙ୍ଗୁଳିଲୋ ପୃଥିବୀ କ୍ଷଣ କ୍ଷଣକୁ ଆନ" । କେତେ ସତ୍ୟତା ସତରେ ଭରି ରହିଛି ତା ଭିତରେ । ଜୀବନ ଜୀବିକା ଭିତରେ ମଣିଷ ପେଷି ହେଇ ପ୍ରତି ମୂହୁର୍ତ୍ତ ରେ ନୂତନ ମୃତ୍ୟୁ କୁ ଆଲିଙ୍ଗନ କରୁଛି । କେତେବେଳେ ସ୍ୱପ୍ନ ର ମୃତ୍ୟୁ ତ କେତେବେଳେ ସଂପର୍କ ର ମୃତ୍ୟୁ ତ କେତେବେଳେ ଭାବାବେଗ ର ମୃତ୍ୟୁ ହୁଏ । ତଥାପି ମଣିଷ ବଞ୍ଚି ଚାଲିଛି । ଏଇ ଦେଖୁନ କହ୍ନାଇ କୁ..କେତେ ସ୍ୱପ୍ନ ସେ ଦେଖି ନଥିଲା..... ଭଲ ପକ୍କା ଘର କରିବ, ବାପା ମା ଙ୍କୁ ଖୁସି ରେ ରଖିବ । ସାନ ଭାଇ ଭଉଣୀଙ୍କ କଥା ବୁଝିବ । ଗୋଟେ ସୁନ୍ଦର ସଂସାର ତୋଳିବ । ହେଲେ ଗରିବର ପୁଣି ଅଭିଳାଷା କ'ଣ ଯେ ? ଯେଉଁ ଚାଳି ଖଣ୍ଡକ ଆଉ ବିଲ କେଇ ଗୁଣ୍ଠ ଥିଲା ସେତକ ଫାଇଲିନ୍ ଗିଳିଦେଲା । ଦୋଷ ଦେବ କାହାକୁ? ସରକାର ଙ୍କ ଆଗରେ ହାତପତେଇ ଘର ଖଣ୍ଡିକୁ ସଜାଡି ଦେଲା ବାସ୍ । ଦାନାପାଣି ଆଣିବ କୋଉଠୁ? ଚାଲିଲା ଦାଦନ ଖଟିବାକୁ । ସାଙ୍ଗରେ ନେଇ ଯାଇଥିଲା ତାର ପବନହଂସ କୁ ମାନେ ସାଇକେଲ ଟିକୁ । ସେଇଟା ତା'ର ଗଣ୍ଠି ଧନ ଭଳି । ସେଇଟାରେ ବସି ଭେରେ ବୁଲି ଆସିଲେ ସବୁ ଦୁଃଖ ଭୂଲି ଯାଏ । କଷ୍ଟେମଷ୍ଟେ ଜୀବନ ଗାଡ଼ି ଚାଲିଥାଏ । କିଛି ସଞ୍ଚି ଘ
ରକୁ ପଇସା ବି ପଠାଏ ।
ସବୁବେଳେ କିନ୍ତୁ ନିୟତି ର ହିସାବକିତାବ ଅବୋଦ୍ଧ୍ୟ । ଆସିଗଲା କରୋନା ମହାମାରୀ । ସାରା ବିଶ୍ବକୁ କେଇଟା ଦିନରେ କରିପକାଇଲା ସ୍ଥାଣୁ । କାମ ବନ୍ଦ ପଇସା ବନ୍ଦ । ହେଲେ ମଣିଷ ର ଆଶା କ'ଣ ମରେ । ଦାନ୍ତ କାମୁଡି ଅଖିଆ ଅପିଆ କହ୍ନାଇ ପଡି ରହିଲା । କାଳେ ସ୍ଥିତ ସୁଧୁରି ଯିବ! ନା କିଛି ବି ବଦଳିଲାନି । ପରିସ୍ଥିତି ଯେତେ ଜଟିଳ ହେଲେ ବି ମଣିଷର ବଞ୍ଚିବାର ନିଶାଟା ଉତୁରେ କି ! ଗାଁ କୁ ଚାଲିଗଲେ ଅନ୍ତତଃ ପକ୍ଷେ ବଞ୍ଚି ଯାଇପାରେ ।
ଧରିଲା ତା'ର ପବନହଂସ ଗାଁ ଆଡେ ମୁହାଁଇଲା । କେତେ ଦିନ କେତେ ରାତି ଗଲାଣି ହିସାବ ରଖିନି । ମାଡ଼ି ଚାଲିଛି ଏକ ଅନିଶ୍ଚିତ ଆଲୋକ ଆଡେ । ଭୋକଶୋଷ ସବୁ ଭୂଲି ଯାଇଛି । ମନେ ମନେ ଖାଲି କହୁଥାଏ ତୁ ମୋ ସାଥୀରେ ଥିଲେ ପବନହଂସ ମୁଁ କେବେବି ହାରିବିନି ଜୀବନ ଯୁଦ୍ଧରେ । ହେଲେ ତା'ର ଛୋଟିଆ ବୁଦ୍ଧି ରେ ସେ ଜାଣିପାରୁ ନଥିଲା ପବନହଂସ "ତା ସାଇକଲ ନା ତା'ର ଆତ୍ମା" ।
ହେଲେ ସେ ଚାଲିଥାଏ ଚାଲିଥାଏ......…... ।