ପାଉଁଶ ତଳର ନିଆଁ
ପାଉଁଶ ତଳର ନିଆଁ
ବୁକୁ ଫଟା ଚିତ୍କାର,କରୁଣ ଆବେଗରେ ଫାଟିପଡୁଥିଲା ସମଗ୍ର ପରିବେଶ ।ଚାରିଆଡେ ବିଶାଦର ଛାୟା। ଜଳିପୋଡି ପାଉଁଶ ହୋଇଯାଇଥିଲା ବସ୍ତି ଅଞ୍ଚଳଟି । ହରି,ଶଙ୍କରା,ପ୍ରଦୀପର ଘରମାନ, ପାଖକୁ ଲାଗି ଅନ୍ୟକେତଟି ଚାଳଛପର ଘର। ଖାଲି ହାତରେ ଲାଗିଯାଇଛି ନିଜ ମାଟିରେ ଏ ହାତରେ ଗଢିଥିବା ଘରର ଜଳିପଡିଯାଇଥିବା ପାଉଁଶମାନ।
ଘରର ପ୍ରତ୍ୟେକ ସଦସ୍ୟର ସହାୟତାରେ ହରିପୁର ଗାଁ ନିକଟରେ ଥିବା ବସ୍ତିଟି ହସି ଉଠୁଥିଲା। ଆଜି ତାହା ନିସ୍ତବ୍ଧ ଛାରଖାର । ଆକ୍ରୋଶ ମୂଳକ ଭାବେ ପ୍ରତିହିଂସାର ଶିକାର ହୋଇ ଶଙ୍କରା ଏ ବସ୍ତିରେ ନିଆଁ ଲଗାଇଦେଇଥିଲା । କାହିଁ କେଜାଣି ତାହା ମନରେ ପ୍ରତିଶୋଧର ନିଆଁ ଜଳିଉଠୁଥିଲା। ନିଆଁ ବ୍ୟାପି ୬ ଟି ପରିବାରର ୧୧ ବଖରା ଘର ପୋଡି ପାଉଁଶ ହୋଇ ଯାଇଥିଲା । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ପରଷ୍ପରର ସହାୟତାରେ ହାତକୁ ହାତ ମିଶି ଯେଉଁ ସୁନ୍ଦର ବସ୍ତିଟି ଗଢିଉଠିଥିଲା ନିମିଷକ ମଧ୍ୟରେ ଜାଳିପୋଡି ଭସ୍ମ ହୋଇଯାଇଥିଲା। ବନ୍ଦ କୋଠରି ଭିତରେ ପଡିରହିଥିଲା ଜଳିପଡିପାଉଁଶ ବିଦଗ୍ଧ ଜିନିଷମାନ।
କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି କିଛି ନାହିଁ , ଘରପୋଡିଠାରୁ ବିପତ୍ତି ନାହିଁ। ମୁଖ୍ୟତଃ କାଠ ବାଉଁଶ ନଡା ବା ଛଣରେ ନିର୍ମିତ ଚାଳଘର ନିମିତ୍ତ ବଡ ବିପତ୍ତି ଥାଏ ଅଗ୍ନିକାଣ୍ଡ ।
ଏ ଗାଁ ମାଟି ହିଁ ସେମାନଙ୍କର ସବୁକିଛି। ମାଟି ହେଉଛି ସେମାନଙ୍କ ଜୀବନ। ଏ ମାଟିରେ ନିଜ ହାତରେ ଚାଷ କରି ଫଳାନ୍ତି ସୁନାର ଫସଲ। ଏ ମାଟି ଉପରେ ଗଢି ଉଠିଥିଲା ସୁନାର ସଂସାର। ଚାଳ ଛପର ଘର କେତୋଟିମାନ । ବହୁତ କଷ୍ଟରେ ନିଜ ହାତରେ କାଦୁଅ ମାଟି ଲିପି ତାକୁ ସୁନାର ଭବନ ଭଳି ତୋଳିଦେଇଥିଲେ ସେମାନେ । ଏ ମାଟି ସେମାନଙ୍କ ପାଇଁ ସୃଷ୍ଟିରେ ଧାରଣ କରି ରଖିଥିବା ଧରିତ୍ରୀର ପ୍ରତୀକ।
ସାମାନ୍ୟ ମହୁଲି ନିଶାରେ ନିଜ ଜ୍ଞାନ ହରାଇଦେଇ ଶଙ୍କରା ଏ ଭଳି ଜଘନ୍ୟ କାଣ୍ଡ କରିଛି। ଶଙ୍କରା ନିଜ ହିତାହିତ ଜ୍ଞାନ ଭୁଲି ମହୁଲି ପିଇ ତା ସ୍ତ୍ରୀ ପିଲାମାନଙ୍କୁ ପିଟାପିଟିକରେ। ଏହାର ପ୍ରତିବାଦ ହରି କରିବା ଜାଣି ନିଜ ହିତାହିତ ଜ୍ଞାନ ଭୁଲି ହରି ଘରେ ନିଆଁ ଲଗାଇଥିଲା।ଏହାର ପରିଣାମ ଏତେ ଭୟଙ୍କର ଥିଲା ନିଆଁଁ ପ୍ରବଳ ବେଗରେ ବ୍ୟାପି ସମସ୍ତଙ୍କର ଘର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା।ନିଆଁ ଲାଗିବା ଜାଣି ଦେଖିଲା ବେଳକୁ ସବୁ ଚୁରମାର ହୋଇଯାଇଥିଲା। ଯେତେ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲିଭିନଥିଲା । ଖାଲି ହାତରେ ଲାଗି ରହିଗଲା ପାଉଁଶର କଳାମାନ।