Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ranjit Sahu

Others

3  

Ranjit Sahu

Others

ନୂଆ ପ୍ରଭାତ

ନୂଆ ପ୍ରଭାତ

2 mins
449


"ତଥାବି ଭାବୁଛି, ଛୁଆଟିକୁ ଏମିତି ପାଣିରେ ଭସେଇ ଦେବା ଲାଗି ମାଆର ହୃଦୟ କେମିତି ଅନୁମତି ଦେଲା?" ସୁରୁଚି କହିଲା I ଜନ୍ମ ଆଉ ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟରେ ଦୁହେଁ ଅପେକ୍ଷା କରିଛନ୍ତି, କାଗଜ ପତ୍ର ସବୁ ପ୍ରସ୍ତୁତ ହେଲେ, ନଦୀ ତଟରେ ମିଳିଥିବା ଛୋଟ ଶିଶୁ କନ୍ୟାଟିକୁ ନିଜର କରିନେବେ ସବୁ ଦିନ ପାଇଁ I ସପ୍ତାହ ତଳେ ଅକସ୍ମାତ, ନଦୀ ତଟରୁ ମିଳିଥିଲା ସଦ୍ୟଜାତା ଶିଶୁ କନ୍ୟାଟିଏ I ସନ୍ଧ୍ୟା ଭ୍ରମଣ ସମୟରେ, ସୁରୁଚି ଛୋଟ ଛୁଆଟିର କାନ୍ଦ ଶୁଣି କୌତୁହଳ ହୋଇ ଯାଇ ଦେଖିଲା ବେଳକୁ, ବାଉଁଶ ପାଛିଆରେ ଛୋଟ ଛୁଆଟିଏ ନଈ କୂଳରେ କାନ୍ଦୁଛି ! ନଈରେ ପାଣି କମି ଯାଇଛି, ପୂର୍ବ ରାତିର ଝଡ ବତାସ ଆଉ ବର୍ଷା  ପରେ I ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ସୁରୁଚି I ଏହି ଯୁଗରେ ମଧ୍ୟ ଏପରି ହୋଇ ପାରେ? କିଏ କାହିଁକି ଶିଶୁଟିକୁ ଏମିତି ଜନ୍ମ ଦେଇ ମାରିବାକୁ ଛାଡ଼ିଦେବ ନଈ ସୁଅରେ ? ତାହା ବ୍ୟତୀତ ଆଜି କାଲି ସୂଚନା ଆଉ ସମ୍ପ୍ରସାରଣର ଏହି ଦୁନିୟାରେ, ଛୁଆଟିର ଜନ୍ମକୁ କିଏ କେମିତି ଲୁଚେଇ ପାରିବ ? ଅନେକ ପ୍ରଶ୍ନ ତାହାର ମନରେ ଜୁଆର ଭାଙ୍ଗିବାକୁ ଲାଗିଥିଲା I ନିଶ୍ଚୟ ଅବୈଧ ଗର୍ଭର ପରିଣାମ ହୋଇଥିବ ! କିନ୍ତୁ ଶିଶୁଟିର ପାପ କଣ? ତାକୁ ତ କୌଣସି ଅନାଥ ଆଶ୍ରମର ଦୁଆରରେ ଛାଡି ଦିଆ ହୋଇ  ପାରିଥାଆନ୍ତା I ତଥାପି ଉଠେଇ ଆଣିଥିଲା ସିଏ ଶିଶୁଟିକୁ ଆଉ ଶରତ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା I ତଥାପି ଧୈର୍ଯ୍ୟ ସହିତ ଏତେଲା କରିଥିଲା ସ୍ଥାନୀୟ ଥାନାରେ I ସାତ ଦିନ ବିତି ଯାଇଥିଲା ଖୁବ ଶୀଘ୍ର ଆଉ ଶରତ ଆଉ ସୁରୁଚିର ଜୀବନରେ ଆରମ୍ଭ ହୋଇଥିଲା ଗୋଟିଏ ନୂଆ ଅଧ୍ୟାୟ I  "ଅଧିକ ଭାବି ଲାଭ କଣ? ପୋଲିସ ତ ଜେରା କରିଛି, ଆଉ ସବୁ ଖବର କାଗଜ଼ରେ ତ ବିଜ୍ଞାପନ ସରିଛି I ସାତ ଦିନ ହେଲାଣି କେହି ତ ଆସି ନାହାନ୍ତି ଶିଶୁଟିକୁ ନେବାକୁ I" ଦୁଇ ଦିନର ସବୁ ପ୍ରକାର ସରକାରୀ କାଗଜ଼ ଯୋଗାଡ଼ ଆଉ ଡାକ୍ତର ପରାମର୍ଶ ରେ ଥକି ଯାଇ ଥିବା ଶରତ ମୁଁହରୁ ବାହାରି ଗଲା I "ତମେ ନାମଟିଏ କୁହ, ବଡ ବାବୁ ଫର୍ମ ଭରିଦେବେ, ବାକି ଥିବା କାମ ସବୁ ଶେଷ ହେଇଯିବ," ଶରତ ପୁଣି କହିଲା, ସୁରୁଚିକୁ ଚାହିଁ  I 

"ହଁ ନାମ  ରଖିବା ଶାରଦା, ଯେତେ ପୁରାତନ ଲାଗୁଛି ଲାଗୁ  ! ଯିଏ ଯାହା କହୁଛି କହୁ I ସ୍ଵୟଂ ଜଗତ ଜନନୀ ଆସିଛନ୍ତି ଏହି ପୂଜା ସମୟରେ ଆମର ଘରକୁ I ନଚେତ ମୋର କାହିଁକି ସେଦିନ ମନ ହେଲା ନଈ କୂଳକୁ ଯିବାକୁ, ତାହା ମଧ୍ୟ ବର୍ଷା  ପରେ ପରେ ଯେତବେଳେ କି ମୁଁ ବହୁତ ଡରେ ନଈକୁ ଏକା ଯିବାକୁ I ଛୁଆଟି ମଧ୍ୟ ଏତେ ସମୟ କେମିତି ବଞ୍ଚି ଥିଲା କୌଣସି ଜନ୍ତୁରେ ଶିକାର ନ ହୋଇ ? ମୋର ଏହି କଳଙ୍କିତ ଜୀବନରେ ନୂଆ ଉଦ୍ଦେଶ୍ୟ ଆଣିଛି, ନୂଆ ମହକ ଭରିଛି ଯେମିତି ମୋର ନିରାଶ ଜୀବନରେ I ନିଜର ନ ହେଲେ ମଧ୍ୟ ଇୟେ ତ ମୋର ସବୁଠୁ ନିଜର ଲାଗୁଛି ସାତ ଦିନ ହେଲାଣି ! ପଙ୍କରୁ ପାଇଛି ତାକୁ ସତ କିନ୍ତୁ ସିଏ ଫୁଟିବ ନିଶ୍ଚୟ ଦିନେ ସମସ୍ତଙ୍କର ପ୍ରିୟ ମାନବିଟିଏ ହୋଇ," ସୁରୁଚି କହିଲା ଶରତକୁ ! ସହମତି ଜଣାଇଲା  ଶରତ ଆଉ ହସ୍ତାକ୍ଷର କରିଦେଲା କାଗଜ ଖଣ୍ଡିକରେ I ଅଭିନନ୍ଦନ ଜଣେଇବା ସହ ବଡ଼ ବାବୁ ଧରେଇଦେଲେ ଶରତ ହାତରେ ଜନ୍ମର ପ୍ରମାଣ ପତ୍ରଟି I ଦୁଇ ଦିନ ଭିତରେ ଯେମିତି ସୁଖ ଭରିଦେଇଛନ୍ତି ତାଙ୍କ ସଂସାରରେ ଭଗବାନ I ତଦନ୍ତ ପରେ ସମସ୍ତେ ସହମତ ହୋଇଛନ୍ତି ଶିଶୁ କନ୍ୟାଟିକୁ ଶରତ ଆଉ ସୁରୁଚିକୁ ହସ୍ତାନ୍ତର କରିବାକୁ I ସନ୍ତାନ ସୁଖରୁ ବଞ୍ଚିତ ଦୀର୍ଘ ପନ୍ଦର  ବର୍ଷର ସମ୍ପର୍କକୁ ଆଜି ସାର୍ଥକ କରିଛି ନବାଗନ୍ତୁକା ଶିଶୁ କନ୍ୟାଟି  I ସ୍ନେହରେ ଶରତ ଆଉ ସୁରୁଚି ଛୁଆଟିର ପାଦକୁ ଆଉ ଥରେ ଆଉଁସି ଦେଲେ ଆଉ ଶିଶୁର ମୁଖରେ ଖେଳିଗଲା ଏକ ସ୍ମିତ ହସ I ଜୀବନରେ ଝଡର ଆଗମନ ପରେ ପରେ ତିନିଟି ମଣିଷ ବାନ୍ଧି ହୋଇ ଯାଇଥିଲେ ନୂଆ ବନ୍ଧନରେ, ଆଉ ଆରମ୍ଭ ହୋଇଥିଲା  ଏକ ନୂଆ ପ୍ରଭାତ ସେମାନଙ୍କର  I 

ବିଦାୟ ନେଉ ନେଉ ବଡ ବାବୁ ତାଙ୍କର ସହକର୍ମୀ ଜଣଙ୍କୁ ଟିପ୍ପଣୀ କଲେ, " ଆମ୍ଭେ ସିନା ଏଠାରେ କାର୍ଯ୍ୟାଳୟରେ ବସି ସବୁ ପଂଜିକରଣ କରୁଛେ, କିନ୍ତୁ, ଜନ୍ମ ଆଉ ମୃତ୍ୟୁର  ନିର୍ଣ୍ଣୟ ସତରେ କୌଣସି ଏକ ଅଲୌକିକ ଶକ୍ତି ହାତରେ ଅଛି, ଯିଏ ନଦୀରେ ଭସେଇ ଦିଆଯାଇଥିବା ଶିଶୁ କନ୍ୟାଟିକୁ ସ୍ଥାନାନ୍ତର କରିଛି ଗୋଟିଏ ଜନନୀ ଠାରୁ ଆଉ ଏକ ଜନନୀର କୋଳକୁ !"


Rate this content
Log in