ନିରୁତା ପ୍ରେମ
ନିରୁତା ପ୍ରେମ


ହଇରେ କୁଳାଙ୍ଗାର .. ତୁ ପୁଣି ଆସି ମୋ ପିଜୁଳି ଗଛରେ ଚଢ଼ିଲୁ। ଯାହା ତ ପିଜୁଳି ଖାଉଛୁ ଖାଉଛୁ। କଷି ପିଜୁଳି ଆଉ ଡାଳପତ୍ର ଛିଣ୍ଡେଇ ମୋ ବାଡି ଦୁଆର ଅରମା କରିକି ଯାଉଛୁ। ହଇରେ ବାଳୁଙ୍ଗା.. ଏଗୁଡା କଣ ତୋ ମା ଆସି ସଫା କରିବ କହିକି ଖଡିକା ଝାଡୁ ଖଣ୍ଡେ ଉଞ୍ଚେଇ ଦଉଡିଗଲା ନେତି ବୁଢ଼ୀ ପିଜୁଳି ଗଛ ଆଡକୁ। ନେତି ବୁଢ଼ୀକୁ ଦେଖି ପିଜୁଳି ଗଛରୁ ଡିଆଁଟେ ମାରି ଆଖି ପିଛୁଳାକେ ଧାଇଁ ଚାଲିଗଲା ମଙ୍ଗୁ।
ଗାରୁଗାରୁ ହୋଇ ଘରବାଡି ଓଳେଇ ସଫା କଲା ନେତି ବୁଢ଼ୀ। ଦେଖ ହୋ...ଏ ପିଲାର ସାହସକୁ। ଆଜି ଯାଏ ମୋ ବାଡ଼ିରେ ବୁଲାଷଣ୍ଢଟାଏ ବି ପଶିବାକୁ ସାହସ କରିନି ଆଉ ଏ ମେଞ୍ଚଡ ଟୋକା....।
ହଇରେ ସର୍ବଗିଳା ତୁ ପୁଣି ଆସିଛୁ। ତୋତେ କଣ ଖରାବେଳେ ନିଦ ହଉନି??ହଇରେ ପିଜୁଳିଚୋର ତୋ ମା କଣ ତୋତେ ଖାଇବାକୁ ଦଉନି । ପୁଣି ମୋ ବାଡି ଦୁଆର ଅସନା କଲୁ କହି ଝାଡୁ ଉଞ୍ଚେଇ ଝପଟି ଗଲା ନେତି ବୁଢ଼ୀ। ମଙ୍ଗୁ ପିଜୁଳି ଗଛରୁ ଡିଆଁଟେ ମାରୁ ମାରୁ ତଳେ ପଡ଼ିଗଲା। ନେତି ବୁଢ଼ୀ କହିଲା ପଡିଗଲୁଟି...ଭଲ ହେଇଛି... ଠିକ ହୋଇଛି ତତେ। ମଙ୍ଗୁ ଉଠି ପଡି ଟିକେ ନେତିବୁଢ଼ୀ ମୁହଁକୁ ଚାହିଁଲା ତା ପରେ ଜିଭ କାଢି ଖତେଇ ହୋଇ ଆଖି ପିଛୁଳାକେ ଧାଇଁ ଚାଲିଗଲା। ଝାଡୁ ଧରି ଖଣ୍ଡେ ବାଟ ଗୋଡେଇ ଗଲା ନେତିବୁଢ଼ୀ।
ହେଇଟି ମଙ୍ଗୁ ମା' ତୋତେ ଭଲରେ କହିଦେଲି ଶୁଣୁ। ତୋ ବିଛୁଆତି ପୁଅକୁ ଜବତରେ ରଖ କହିଦଉଛି। ସବୁଦିନ ଯାଇ ମୋ ପିଜୁଳିଗଛରେ ଚଢି ଡାଳ ପତ୍ର ସବୁ ଛିନଛତ୍ର କରି ଆସୁଛି। ଆଜି ଗଛରୁ ପଡି ହାତଗୋଡ ସବୁ ଖଣ୍ଡିଆ କରିଛି। ଭଲମନ୍ଦ ହେଲେ ମୋତେ ଦୋଷ ଦବୁନି ଆଉ। କି ବାଳୁଙ୍ଗା ଛୁଆ ଲୋ ମା....।
ହଇରେ ସତ୍ୟାନାଶିଆ ଟୋକା ତୁ ଆଜି ପୁଣି......କହି କହି ଝାଡୁ ଖଣ୍ଡେ ଧରି ବାହାରକୁ ଆସିଲା ନେତିବୁଢ଼ୀ। କିନ୍ତୁ ଏ କଣ..... ?ବାଡ଼ି ଦୁଆର ପୁରା ସଫା। ପିଜୁଳିଗଛକୁ ବୁଲି ବୁଲି ଚାହିଁଲା। ଗଛରେ କେହି ନାହାନ୍ତି। ମାଙ୍କଡଟାଏ ଡେଇଁ ଚାଲିଗଲା ବୋଧେ । କ'ଣ ମଙ୍ଗୁ ଆଜି ଆସିନି କି ?ଟୋକା ଆଉ କାହା ଗଛରେ ଲାଖିଛି ଆଜି ତାହେଲେ। ଓହୋ...ମଣିଷ ତ୍ରାହି ପାଇଲା ଟିକେ ଆଜି।
ଘରରୁ ବାଡ଼ି ଆଉ ବାଡିରୁ ଘର ହେଉଛି ନେତି ବୁଢ଼ୀ। ବାଡ଼ି ଦୁଆର ଖାଁ ଖାଁ ଗୋଡାଉଛି ତାକୁ। ପିଜୁଳିଗଛକୁ ଚାହୁଁଛି ସେ ବାରମ୍ବାର। ଦି ଦିନ ହେଲାଣି ମଙ୍ଗୁର ଦେଖା ନାହିଁ। ପିଜୁଳି ଗୁଡାକ ଝୁଲୁଛନ୍ତି ସେମିତି ଗଛରେ। ମନଟା ଗୋଳେଇଘାଣ୍ଟି ହେଲା ନେତିବୁଢ଼ୀର। ସେଦିନ ଟୋକାଟା ପଡିଗଲା। ହାତଗୋଡ କଣ ଭାଙ୍ଗିଗଲା କି ଆଉ।
ଆଲୋ ମଙ୍ଗୁ ମା' ..ମଙ୍ଗୁ ଘରେ ନାହିଁକି ?ଡାକିଲୁ ତାକୁ ଟିକେ। ପୁଣି କଣ ହେଲା ଭାବି ଡରିଗଲା ମଙ୍ଗୁ ମା' । ନେତିମାଉସୀ ତା ଘରକୁ ଆସି ମଙ୍ଗୁକୁ କଣ ପାଇଁ ଖୋଜୁଛନ୍ତି। ମଙ୍ଗୁ ତ ତିନିଦିନ ହେଲାନି ଘରୁ ପଦାକୁ ଗୋଡ ବି କାଢିନି।
ମଙ୍ଗୁ ପାଖରେ ବସିଲା ନେତି ବୁଢ଼ୀ। ମଙ୍ଗୁର ଦେହସାରା ବେତମାଡ଼ର ଚିହ୍ନ ଦେଖି ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ମଙ୍ଗୁ ମା' କୁ। ମଙ୍ଗୁ ମା' ମୁଁହ ତଳକୁ କରିଦେଲା। ମଙ୍ଗୁ କହିଲା ସବୁଦିନେ ତୁମ ପିଜୁଳିଗଛରେ ଚଢୁଛି ବୋଲି ବୋଉ ମୋତେ ସେଦିନ ବହୁତ ବାଡେଇଲା। ମୋତେ ତିନିଦିନ ହେଲାଣି ଜର ହୋଇଛି।
କାନ୍ଦି ପକେଇଲା ନେତି ବୁଢ଼ୀ। ହାତରେ ଧରି ଆସିଥିବା ବ୍ୟାଗରୁ ପିଜୁଳିତକ ସବୁ କୁଢେଇ ଦେଲା ମଙ୍ଗୁ ଆଗରେ। ହାତରେ ଗୋଟାଏ ପିଜୁଳି ଧରି ଖୁଆଇଦେଲା ମଙ୍ଗୁକୁ। ସ୍ନେହରେ ହାତ ବୁଲେଇ ଆଣିଲା ମଙ୍ଗୁର ଦେହସାରା ଲୁହ ଛଳଛଳ ଆଖିରେ।
ତୁ ମା' ନା ଡାହାଣୀ ଲୋ। ଗଛରେ ଚଢୁଛି କହିଦେଲି ବୋଲି ମାରି ମାରି ଦରମରା କରିଦେଇଛୁ ଛୁଆଟାକୁ। ମୁଁ ତିନି ତିନିଟା ଛୁଆ ଜନ୍ମ କରିଛି ଆଉ ତୁ ମୋତେ ଶାସନ ଶିଖେଇବୁ ?ଏମିତି ଶାସନ କରନ୍ତି ପିଲାଙ୍କୁ ସବୁ ? ଏଇ ପାଠ ପଢିକି ଆସିଛୁ ତୋ ବାପା ଘରୁ। ଏମିତି କହି କହି ଚଉଦପୁରୁଷ ଉଝାଳିଦେଲା ନେତିବୁଢ଼ୀ ମଙ୍ଗୁ ମା'ର। ବିଚରା ମୁହଁ ତଳକୁ କରି ଠିଆ ହୋଇଛି ମଙ୍ଗୁ ମା'।
ଶୁଣ ମୁଁ ଯାଉଛି। ତାର ଦେହ ଭଲ ନାହିଁ ତାକୁ ଏବେ ବାହାରକୁ ଛାଡ଼ିବୁନି। ମୁଁ ସବୁଦିନ ତା ପାଇଁ ପିଜୁଳି ଆଣି ଦେଇଯିବି ଘରେ। ଆଉ ..ହଁ... ଖବରଦାର , ମୋ ଛୁଆ ଦେହରେ ଯେମିତି ହାତ ନ ଦଉ ତୁ।
ନେତି ବୁଢ଼ୀ ଚାଲିଗଲା ଖାଲି ବ୍ୟାଗ ଖଣ୍ଡିକ ହାତରେ ଧରି। ଉପରେ ଏତେ କଠୋର ଦିଶୁଥିବା ନେତି ବୁଢ଼ୀର ନିରୁତା ସ୍ନେହକୁ ଦେଖି କାନ୍ଦି ପକେଇଲା ମଙ୍ଗୁ ମା'।