Satyabati Swain

Others

3  

Satyabati Swain

Others

ନିକିର କ୍ରିକେଟ ମାନିଆ

ନିକିର କ୍ରିକେଟ ମାନିଆ

5 mins
386


ରିମୋଟ୍ କୁ ନେଇ ଜେଜ ଦେବୀ ପ୍ରସାଦ ଓ ନାତି ନିଖିଳ ମଧ୍ୟରେ ଲୁକା ଛୁପି ଖେଳ ଚାଲିଛି । ନିଖିଳ ତକିଆ ତଳେ ତ ଜେଜ ସୋଫା ତଳେ ରିମୋଟ୍ ଲୁଚାଇବାରେ ବ୍ୟସ୍ତ । ଜେଜ ନାତି କେହି କାହାକୁ ଛାଡୁ ନାହାନ୍ତି । କାହା ପାଖେ ରିମୋଟ୍ ରହିବ ଓ କିଏ ଟିଭି ଅନ୍ କରିବ ନେଇ ଚାଲିଛି ଛକାପଞ୍ଝା । ଆଜି ଦିନ ସାରା ନିଖିଳ ରିମୋଟ୍ ଧରି ବସିଛି । ଜେଜ ସିରିଏଲ୍ ଦେଖିବାକୁ ରିମୋଟ୍ ଟାଣି ନେଲା ବେଳକୁ ନିଖିଳ ଖେଳ ଦେଖିବାକୁ ଅଡ଼ି ବସୁଛି । ଶେଷକୁ ଜେଜ କେଉଁଠି ଲୁଚାଇଲେ ରିମୋଟ୍ କେଜାଣି ନିଖିଳ ନ ପାଇ ଘଡ଼ ଘଡି ପଡ଼ିଲା ପରି ରଡି ଛାଡ଼ୁଛି ।


ଜେଜ ଛୁଆ ପାଲଟି ଯାଇ କହୁଛନ୍ତି " ହୁଁ ତୁ ମୋ ପୁଅର ପୁଅଟି, ମେଞ୍ଚଡ଼, ଗାଣ୍ଡିରୁ ଘୁଅ ଛାଡିନି ମୋତେ ବଳେଇବ କହୁଛି " । କହିଲି ତ ଦେବିନି ରିମୋଟ୍ । ମୁଁ ଆଗେ ସିରିଏଲ୍ ଦେଖି ସାରେ, ତା ପରେ ତୁ ଯେତେ ଖେଳ ଦେଖୁଥା । ନାଇଁ ଆଗ ମୁଁ ଖେଳ ଦେଖିବି କହୁଛି ମୁଣ୍ଡ ହଲେଇ ନିଖିଳ । ଜେଜ କହୁଛନ୍ତି ନା ଆଗ ସିରିଏଲ୍ । କେବେ ନୁହେଁ ଆଗ ଖେଳ ନିଖିଳ କାନ୍ଦି କାନ୍ଦି କହୁଛି । ପିଲା ମାନେ ସେମିତି ତ କେଉଁ କଥାରେ ନପାରିଲେ ଅମୋଘ ଅସ୍ତ୍ର ପ୍ରୟୋଗ କରିବେ କନ୍ଦା ।


ଜେଜ ନାତିଙ୍କ ରିମୋଟ୍ ଛଡା ଛଡି, ଲୁଚା ଲୁଚି ଓ କଥାବାର୍ତ୍ତାର ମଜା ଲୁଟୁଛନ୍ତି ଦୁର୍ଗା ପ୍ରସାଦ ଓ ଅନିଭା । ଜେଜେଙ୍କ ପୁଅ ବୋହୂ ଏମାନେ । ଦୁହେଁ ଖୁବ୍ ଖୁସି ହେଉଛନ୍ତି ଜେଜ ନାତିଙ୍କ ତାମସା ଦେଖି । ଦୁର୍ଗା କହୁଛନ୍ତି ସ୍ତ୍ରୀଙ୍କୁ " ଲାଗୁନାହିଁ ଅନି ! ଆମ ଘରେ ଦୁଇ ଦୁଇଟା ଅବୁଝା ଛୁଆ ବାଡ଼ିଆ ପିଟା, ଲୁଚାଲୁଚି, କନ୍ଦା କଟା ହେଲା ପରି । ଜଣେ ଆମ ବୁଢା ପୁଅ ବାପା ସତୁରୀ ବର୍ଷର, ଆର ଜଣଙ୍କ ଆମ ହିରୋ ଛୁଆ ପୁଅ ନିଖିଳ ନିକି ! ସାତ ବର୍ଷର " । ହସି ହସି ଗଡି ଯାଉଛନ୍ତି ଅନିଭା । ହଁ ତୁମେ ଯାହା କହିଲ ଏକଦମ୍ ଠିକ୍ । ଜେଜ ନାତି ଦୁହେଁ ପିଲା । ଏ ପିଲା ଦୁହିଁଙ୍କ ପାଇଁ ଘର ସିନା ଘର ଲାଗୁଛି । ବୁଝି ହୁଏନି ଏତେ ସୁନ୍ଦର ମଧୁର ସମ୍ପର୍କକୁ କାହିଁକି ଲୁହ କୋହରେ ଭାସିବାକୁ ବୃଦ୍ଧା ଶ୍ରମରେ ଛାଡି ଆସନ୍ତି ପୁଅ ବୋହୂ ମାନେ କହିଲେ ଅନିଭା । ଅନିଭା, ଅନି ଜଣେ ସ୍କୁଲ ଟିଚର୍ । ଦୁର୍ଗା ବାବୁ ସେକ୍ରେଟେରିଏଟ୍ ରେ ଜଣେ ଜଏଣ୍ଟ ସେକ୍ରେଟେରୀ । ଦୁର୍ଗା ବାବୁ କହିଲେ ହଁ ଏଇଟା ବଡ଼ ବିଡମ୍ବନା ଆଜିକା ଡେଟ୍ ରେ ।


କାନ୍ଦ ବନ୍ଦ କରୁ ନଥାଏ ନିକି । ଜେଜ ଉଁ ଉଁ ଜେଜ ଉଁ ଉଁ ରିମୋଟ୍ ଦିଅ ଉଁ ଉଁ । ଦୁର୍ଗା ଓ ଅନି ଘର ଭିତରକୁ ଗଲେ । ତାଙ୍କୁ ଦେଖି ନିକି କହିଲା " ଦେଖିଲ ବାବା ଜେଜ କେମିତି ମୋତେ ଖେଳ ଦେଖିବାକୁ ରିମୋଟ୍ ଦେଉ ନାହାନ୍ତି" । ଜେଜ ହସି ହସି କହୁଥାନ୍ତି ଦେଖ୍ ଦୁର୍ଗା ତୋ ପୁଅ କେମିତି ମୋ ସାଙ୍ଗରେ ଲାଗିଛି । କି ଖେଳ ଦେଖିବ ଦେଖିବ ସକାଳ ପହଁରୁ ହେଉଛି । ପାଠ କ'ଣ ପଢିବ ; ସେ ତ ଖେଳ ପାଇଁ ବାଇଆ ।

ବାବା ! ମୁଁ ତ କ୍ଲାସରେ ଫାଷ୍ଟ ହେଉଛି । ଖେଳ ସାଙ୍ଗରେ ତାର କ'ଣ ସମ୍ପର୍କ ଅଛି ?" ହେଉ କି ଖେଳ ଦେଖିବୁ ବୋଲି ଏତେ କନ୍ଦା କଟା କହିଲୁ " ଦୁର୍ଗା ବାବୁ କହିଲେ । " ହେଇ ଦେଖବା ! ବାବା ତମେ ବି ନା ଜେଜ ପରି । କିଛି ଜାଣିନ । ଆଜି ପରା କ୍ରିକେଟ ମହାସମର ହେବ ଇଂଲଣ୍ଡରେ ! କହିଲା ନିକି । ଓ! ଏମିତି କି । ଆଉ କ'ଣ ଜାଣିଛୁ କହିଲୁ ଏ ଖେଳ ବିଷୟରେ ଦୁର୍ଗା ବାବୁ ଉସ୍କେଇ କହିଲେ ନିକି କ୍ରିକେଟ ଧାରଣା କେତେ ବାଟ ଜାଣିବା ପାଇଁ । ପିଲା ମାନଙ୍କୁ ନଜାଣିଲା ପରି ହୋଇ କିଛି ପଚାରିଲେ ସେମାନେ ପ୍ରଗଳ୍ଭ ହୋଇ ଖୁସି ଖୁସି ଖୋଲି ଦିଅନ୍ତି ତାଙ୍କ କୁନି ହୃଦ । ଏଇଟା ପିଲାର ବୋଧଜ୍ଞାନ ମାପିବା ପସିନ ସର୍ବୋତ୍କୃଷ୍ଟ ମାଧ୍ୟମ ।

ନିକି ସଗର୍ବେ କହିଲା ଏହେ ମୋ ବାବା ମା ବି 'ଠ' । ହେଉ ଶୁଣ ଦ୍ଵାଦଶ କ୍ରିକେଟ ବିଶ୍ୱ କପ୍ ଖେଳା ହେବ ଆଜିଠାରୁ । ଏହା କ୍ରିକେଟ ଜନ୍ମ ସ୍ଥାନ ଇଂଲଣ୍ଡରେ ହେବ । ଏଥିରେ ଦଶଟି ଦେଶ ଭାଗ ନେଇଛନ୍ତି । ଅର୍ଥାତ ଦଶଟି ଦଳଙ୍କ ଭିତରେ ଲଢେଇ ହେବ । ସର୍ବମୋଟ ଅଠ ଚାଳିଶଟି ମ୍ୟାଚ ଖେଳା ଯିବ । ଏହା ସାଢ଼େ ଛଅ ସପ୍ତାହ ଧରି ଚାଲିବ । ଏଗାରଟା ଷ୍ଟାଡିୟମରେ ଏ ସମସ୍ତ ମ୍ୟାଚ ଖେଳା ଯିବ । ଲିଗ ପର୍ଯ୍ୟାୟ, ସେମି ଫାଇନାଲ, ଶେଷରେ ଫାଇନାଲ ଖେଳା ଯିବ । ଏହା ଗୋଟିଏ ଖେଳ ଜଗତର ମହାସମର । ଷ୍ଟାଡିୟମ ଗୋଟିଏ ଗୋଟିଏ ରଣ କ୍ଷେତ୍ର । ଆଜି ଅର୍ଥାତ ମେ' ତିରିଶ ତାରିଖ ଠାରୁ ଏ ଆରମ୍ଭ ହେବ । ଆଜି ଖେଳ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବ । ଆମ ଦେଶକୁ ବିରାଟ କୋହଲି ବିଶ୍ୱକପ ଆଣି ଦେବେ ଦେଖିବ ବାବା । ଏକା ନିଃଶ୍ଵାସକେ ନିକି ଏଇ ତକ କହିଦେଲା । ସେଇ ପାଇଁ ତ ମାଗୁଛି ରିମୋଟ୍ । ଜେଜ ଦେଉ ନାହାନ୍ତି ବାବା । କୁହନା କେଉଁଠି ଲୁଚେଇଛନ୍ତି ରିମୋଟ୍ ଟା ଦେବେ ।


ଆଛା କହିଲୁ ବାବା ଆଉ କ'ଣ ଜାଣିଛୁ । ନିକି ବାବାଙ୍କ ଶୁଣିବା ଆଗ୍ରହ ନେଇ ଟିକେ ଉତ୍ସାହିତ ହୋଇ ଆନନ୍ଦରେ ଗଦ ଗଦ ହୋଇ କହିଲା ବାବା ଦଶଟି ଦଳ ମଧ୍ୟରେ ଇଂଲଣ୍ଡ, ଭାରତ ଓ ଅଷ୍ଟ୍ରେଲିଆ ଶ୍ରେଷ୍ଠ ଦଳ ବୋଲି କୁହା ଯାଉଛି । ସବୁଠାରୁ ଅଧିକ ପାଞ୍ଚ ଥର ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ଚାରି ଥର ଓ ଭାରତ ଦୁଇ ଥର କ୍ରିକେଟ ବିଶ୍ୱକପ ଜିତିଛି । ବିରାଟ କୋହଲି ବିଶ୍ୱର ଏବେ ସର୍ବ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଧୋନି ବି ଅଛନ୍ତି ବାବା । ଦେଖିବ ଏଥରକ ଆମ ଦେଶ ବିଶ୍ୱକପ୍ ଜିତିବ । ଅଷ୍ଟ୍ରେଲିଆର ବଡ଼ ବ୍ୟାଟ୍ସମ୍ୟାନ ଷ୍ଟିଭେନ୍ ସ୍ମିଥ୍, ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ, ମୋ ସବୁଯାକ ପ୍ରିୟ ବ୍ୟାଟ୍ସମ୍ୟାନ ଖେଳୁଛନ୍ତି ଏଥିରେ । ଜାଣିଛ ବାବା ଇଂଲଣ୍ଡର ଫାଷ୍ଟ୍ ବୋଲର୍ ଜୋଫ୍ରା ଆର୍ଚର ଓ ଆଫ୍ଗାନିସ୍ତାନର ରସିଦ ଖାଁ ବି ଖେଳିବେ ବିଶ୍ୱକପ । ବିଶ୍ୱକପ କ୍ରିକେଟ ଦେଖିବାକୁ ବା ଆମ ଭାରତରୁ ସତର ହଜାରୁ ଅଧିକ ଲୋକ ଇଂଲଣ୍ଡ ଯାଉଛନ୍ତି ! ବାବା ଆମେ ଯାଇ ଥିଲେ ହୋଇ ନଥାନ୍ତା ! ମୁଁ ଗ୍ୟାଲେରିରେ ବସି ଭାରତ.. ଭାରତ.., ବିରାଟ.. ବିରାଟ, ଧୋନି.. ଧୋନି କହିଥାନ୍ତି ଓ ତାଳି ମାରି ଉତ୍ସାହିତ କରିଥାନ୍ତି....। ଆମ ଜାତୀୟ ପତାକା ହଲା ଉଥାନ୍ତି । ଛକା, ଚୌକା ଦେଖି କେତେ ମଜା ହୁଅନ୍ତା । ମନ ଉଣା କରି କହିଲା ନ ଗଲେ ନାହିଁ ଟିଭି ପରଦାରେ ଦେଖି ଚିଅରସ୍ ତ କରି ପାରିବି " ।


ଦେବୀ ପ୍ରସାଦ, ଦୁର୍ଗା ପ୍ରସାଦ, ଓ ଅନିଭା ନିକି କଥା ଶୁଣି ତାଜୁବ୍ । ସାତ ପୁରିବ ରଜକୁ ନିକିକୁ । ଛୁଆଟା କିନ୍ତୁ କ୍ରିକେଟ ବିଷୟରେ ତାର ଏତେ ଧାରଣା ! ବାସ୍ତବିକ୍ କ୍ରିକେଟ ଗୋଟିଏ ଲୋକ ପ୍ରିୟ ଖେଳ । କି ବୁଢ଼ା କି ଟୋକା ସମସ୍ତେ ପାଗଳ ଏଇ ଖେଳ ପାଇଁ । ବିଶେଷ କରି ଭାରତରେ କ୍ରିକେଟ ମାନିଆଁ ଟିକେ ଅଧିକ । ଭଲ ଖେଳିବା ପ୍ଲେୟାରକୁ ଭାରତର ଲୋକେ ଭଗବାନ ମଣନ୍ତି । ଭଲ ଖେଳିଲେ ମୁଣ୍ଡରେ ବସାନ୍ତି, ଖରାପ ଖେଳିଲେ କୁଶ ପୁତ୍ତଳିକା କରି ଜଳାନ୍ତି, ଘର ଉପରକୁ ଟେକା ଫିଙ୍ଗନ୍ତି । ଓଃ ! କ୍ରିକେଟ ଷ୍ଟାର୍ ଙ୍କ କି ଭାଉ । ମେକ୍ ଇନ୍ ଇଣ୍ଡିଆରେ ୱାନ୍ ନେସନ୍ ୱାନ୍ ପ୍ଲେ ତାହା ହେଲା କ୍ରିକେଟ ।

ଅଦ୍ଭୁତ କ୍ରିକେଟ ମାନିଆଁ ଭାରତବାସୀଙ୍କର । ଆଉ କାହା କଥା କ'ଣ ଦେଖ ଦୁର୍ଗା ବାବୁଙ୍କ ନିକି କଥା । କ'ଣ ନ ହେଉଛି ଆଉ କ'ଣ ନ ଜାଣିଛି କ୍ରିକେଟ ବିଷୟରେ ସେ !


ବାବା ଖେଳ ଆରମ୍ଭ ହୋଇଯିବ, ରିମୋଟ୍ । ହୋ ହୋ ହୋଇ ଜେଜ ହସି ଉଠି କହିଲେ ଆରେ ନିକି ତୋତେ ଟିକେ ଚିଡ଼େଇ ମଜା କରିବି ବୋଲି ଏମିତି କରୁଥିଲି ନା । ମୁଁ ବା ଖେଳ ଦେଖିବି ବୋଲି ଅନେଇଁ ବଇଚି ! ଆଉ ତୋ ବାବା ପରା ପିଲାଦିନେ ଖାଇବା ପିଇବା ଭୁଲି ଏ ଦଣ୍ଡାରୁ ସେ ଦଣ୍ଡା ବୁଲି ମ୍ୟାଚ ଲଗାଉଥିଲା ! ଆଉ ତୋ ମାମା ! ସେ ବି କଣ କମ୍ ନା ! ସେ ବା ସ୍କୁଲରୁ ଆସି ଆଗ ପଚାରିବ " ବାପା କିଏ ଜିତିଲା " ?

ଚାଲ ଚାଲ ସମସ୍ତେ ମିଶି କ୍ରିକେଟ ମଜା ଉଠାଇବା । ନିକି ଗେହ୍ଲେଇ କହିଲା ଜେଜ ତମେ ବଡ଼ ହେଲେ ଦୁଷ୍ଟ ହବ । ହସରେ ଫାଟି ପଡୁଥିଲା ମିଶ୍ର ହାଉସ୍ ।


Rate this content
Log in