STORYMIRROR

Aravinda Das

Others

4  

Aravinda Das

Others

ନିଜଘର ଓ ଖୁସିର ଚାବିକାଠି

ନିଜଘର ଓ ଖୁସିର ଚାବିକାଠି

2 mins
321


ଜିଦି କରି ସୀମା ବାହାରିଲା ବାପଘରକୁ।ଆଉ ତିନିମାସ ପରେ ଡେଲିଭରି ଡେଟ ଦେଇଛନ୍ତି ଡାକ୍ତର।

ବୋହୁ ର ଜିଦି ଶୁଣି ମମତା ସ୍ନେହରେ କହିଲେ,' ମା,ରେ ଏଇଠି ଆମର ତ ଡାକ୍ତର ଖାନା ଅଛି ଓ ଡେଲିଭରି କଣ ଏଠି ହେଉନି ?ତା ଛଡ଼ା ମୁଁ ନିଜେ ତୋର ସବୁ ଯତ୍ନ ନିଅନ୍ତି।ତାଛଡା ଦୁଇଦିନ ଗଲେ ମାଣ ଓଷା।ତୁ ଚାଲିଯିବୁ ?ଏଇଟା ପରା ଏବେ ତୋ ଘର।"

   ନିର୍ବିକାର ଭାବେ ସୀମା କହିଲା, ଆମ ଘରେ ବେଶୀ ସୁବିଧା। ମୋ ଭାଉଜଙ୍କ, ବଡ଼ ଭାଇଙ୍କ  ବଡ଼ ପ୍ରାଇଭେଟ ନର୍ସିଂହୋମ ଆମ ଘର ପାଖରେ।'

  କିନ୍ତୁ ସମୁଦୁଣିଙ୍କୁ ମୁଁ ତୋ ଯିବା ବିଷୟରେ କହିନି।ହାଠାତ୍ ଏମିତି ବାହାରିଲୁ ?

   ବୋଉ , ମୁଁ ମୋ ଘରକୁ ଯିବା ପାଇଁ କାହାକୁ ଆଗୁଆ କାହିଁକି କହିବି ? ହାଠାତ୍ ପହଁଚି ସମସ୍ତଙ୍କୁ ସରପ୍ରାଇଜ ଦେବି।

  ଚୁପ୍ ରହିଲେ ମମତା।ନିହାର ,ସୀମାକୁ କଟକରେ ଛାଡି ,ହାଇଦ୍ରାବାଦ ଟ୍ରେନିଂ ପାଇଁ ଚାଲିଗଲା।

   ଘରେ ସମସ୍ତେ ସୀମାକୁ ଦେଖି ଆଶ୍ଚର୍ଯ୍ୟ।" ତୋର ଜୋଇଁ ଙ୍କ ସହ ଝଗଡା ହୋଇନି ତ ?ହାଠାତ୍ ଏମିତି ଆସିଲୁ ?ଏ ଅବସ୍ଥାରେ ତୋ ଶାଶୁ କେମିତି ଛାଡ଼ିଲେ ?ସେଇଠି ପରା ଡେଲିଭରି ହୋଇଥାନ୍ତା।"

 ଓହୋ ,ମମି, ଡେଲିଭରି ପାଇଁ ଆଗୁଆ ଚାଲିଆସିଲି।ଏଇଠି ସୁବିଧା ଭଲ।

 ବଡ଼ ଭାଉଜ ସରବତ ଗ୍ଲାସ୍ ଦେଇ କହିଲେ, ଏଠି ଟଙ୍କା ଖାଲି ଲୁଟି ସିଜରିୟାନ କରୁଛନ୍ତି।ତମ ଶାଶୁଘର ଆଡ଼େ ଛୋଟ ଜାଗାରେ ଡାକ୍ତର ଗୁଡା ବରଂ ଭଲ।

   ସୀମା ଉପର ମହଲାକୁ ନିଜ ରୁମକୁ ଆସି,ଭାଉଜଙ୍କ ସାନ ଭଉଣୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।

 ମମି,ମୋ ରୁମ ତାଲା କିଏ ଖୋଲିଲା ? ଡ୍ୟାଡି ମରିଗଲେ ବୋଲି, ଏ ଘରେ ମୋର ଅଧିକାର ସରିଗଲା ନା କଣ?ମୋ ରୁମ ରେ ସେ କାହିଁକି ରହିଛି ? ମୁଁ କେଉଁଠି ରହିବି ?

 " ଓହୋ ସୀମା, ବାହାହେଲା ପରେ ବି ତମ ଜିଦି ଯାଇନି। ମୋ ଭଉଣୀ ଏଠି ଏମ.ବି.ଏ କରୁଛି।ତମେ ତଳ ମହଲା ଗେଷ୍ଟ ରୁମ ରେ ରହିବ।ଏବେଳରେ ଉପର ମହଲା ଠିକ୍ ନୁହେଁ। ତା ଛଡ଼ା ବାହା ହେଲା ଝିଅ ତ କୁଣିଆ।"

 ମନଟା ମରିଗଲା ସୀମା ର। ନିଜ ଘରେ ସେ କୁଣିଆ ?

 ଦେଖ ମା, ଏ ଘରେ ମୋର ଆଉ କର୍ତ୍ତୃତ୍ବ ନାହିଁ।ତୋ ଭାଇ ଭାଉଜ ଘର ସମ୍ଭାଳୁଛନ୍ତି।

    ପରଦିନ ବହୁତ ଏକୁଟିଆ ଲାଗୁଥିଲା ସୀମାକୁ।ଭାଉଜ ଚିତା ପକାଇ ମାଣ ସଜାଡ଼ିଲା ବେଳେ, ନିଜ ଶାଶୁଙ୍କ ସ୍ନେହ ବୋଳା କଥା, ଘର ଅଗଣା ମନେ ପଡୁଥିଲା ସୀମାର। ତଥାପି ନିଜ ମନକୁ ଦମ୍ଭ କଲା ସୀମା।

 ପରଦିନ ଭାଉଜ ମାଣଓଷା କୋଠ ଭୋଗ ସମସ୍ତଙ୍କ ପାଟିରେ ଦେଉଥିଲା ବେଳେ,ସୀମା ପାଟି ମେଲାଇ ବଡ଼ ଆଁ କରିଦେଲା।ଏ ଭୋଗ ତାର ଭାରି ପସନ୍ଦ।

 "ହାଁ, ହାଁ ବୋହୁ, କୋଠ ଭୋଗ ସୀମାକୁ ଦେବୁନି।ସେ ପା ବାହା ହେଲା ଝିଅ।ତା ଗୋତ୍ର ଅଲଗା।"

  ମମିଙ୍କ କଥା ଶୁଣି ସୀମାକୁ ଲାଗିଲା କିଏ ଯେମିତି ତା ଗାଲରେ ଶକ୍ତ ଚଟକଣା ମାରିଲା।ଆଖିରେ ଲୁହ ଓ ମନରେ ଅଭିମାନ। ସାଙ୍ଗେ ସାଙ୍ଗେ ଟ୍ୟାକ୍ସି ଡାକି ସୀମା କାହା କଥା ନଶୁଣି ପହଂଚିଗଲା ଶାଶୁଘରେ।ଅବେଳରେ ବୋହୂକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମମତା।

 ତାଙ୍କୁ କୁଣ୍ଢାଇ ପକାଇ ବହେ କାନ୍ଦିପକାଇଲା ସୀମା।"ଆପଣ ଠିକ୍ କହୁଥିଲେ ବୋଉ, ମାଣ ଓଷାରେ ବୋହୁ ବାପ ଘରକୁ ଯିବା ଠିକ୍ ନୁହେଁ।"

 ମମତା ଜାଣି ପାରିଲେ,ବୋହୂକୁ କିଛି ଶକ୍ତ ଧକ୍କା ଲାଗିଛି। ଠାକୁର ଘରୁ ମାଣଓଷା ଭୋଗ ତା ପାଟିରେ ଦେଇ କହିଲେ,"ମୁଁ ଜାଣେ ଏ ଭୋଗ ତୋର କେତେ ପ୍ରିୟ।ସକାଳୁ କେତେ ମନେ ପକାଉଥିଲି।ମୋ ଲକ୍ଷ୍ମୀ ମା ଭଲ ଦିନରେ ଘରକୁ ଫେରି ଆସିଛି। ସବୁବେଳେ ମାନେରଖିଥା, ସେଇଟା ତୋ ବାପଘର,ହେଲେ ଏଇଟା ତୋ ନିଜ ଘର।ନିଜଘରର ଖୁସିର ଚାବିକାଠି ସବୁବେଳେ ଆମ ପାଖରେ ଥାଏ।ତୋ ଖୁସି ଏଇ ଘରର ଖୁସି।"

   ଶାଶୁଙ୍କୁ ପୁଣି ଥରେ କୁଣ୍ଢାଇ ପକାଇଲା ସୀମା।


Rate this content
Log in