ନୀଳାମ୍ବୁ ଚିଲିକାରେ ପକ୍ଷୀ ମହୋତ୍ସବ
ନୀଳାମ୍ବୁ ଚିଲିକାରେ ପକ୍ଷୀ ମହୋତ୍ସବ


ଉତ୍କଳ-କମଳା-ବିଳାସ-ଦୀର୍ଘିକା,
ମରାଳ-ମାଳିନୀ ନୀଳାମ୍ବୁ ଚିଲିକା |
ଉତ୍କଳର ତୁହି ଚାରୁ ଅଳଙ୍କାର,
ଉତ୍କଳ-ଭୁବନେ ଶୋଭାର ଭଣ୍ଡାର |
ସ୍ବଭାବେ ଭାବୁକ-ମାନସ-ଉଲ୍ଲାସୀ,
ଦିଗନ୍ତ-ବିସ୍ତାରୀ ତୋର ବାରିରାଶି |
x x x x x x @ x x x x x
ଭାସମାନ ଶ୍ବେତ-ପ୍ରାସାଦ ଆକାରେ
ଗାଆନ୍ତି ବିହଂଗେ ତରଂଗ ଦୋଳାରେ |
ନୀଳତର କରି ଛାୟାରେ ତୋ ଅଂଗ,
ଉର୍ଦ୍ଧ୍ବେ ମେଘାକାରେ ଉଡନ୍ତି ବିହଂଗ |
ପକ୍ଷ ଝାଡି ଶୂନ୍ୟୁଁ ସ୍ଥିରଲକ୍ଷ୳ ହୋଇ
ଚଳ-ମତ୍ସ୍ୟେ ଚିଲା ମାରନ୍ତି ଗାଂଗୋଇ |
କଳା, ନୀଳ, ପୀତ, ହରିତ, ଲୋହିତ
ବିହଂଗମେ ଊର୍ମି କାହିଁ ବିମଣ୍ଡିତ |
କବିବର ରାଧାନାଥ ରାୟ, ‘ଚିଲିକା’
ମୁଁ ବ୍ୟକ୍ତିଗତ ଭାବେ ଜୀବନରେ ଏକାଧିକ ବାର ଚିଲିକା ଭ୍ରମଣରେ ଯାଇଛି | ଅଳ୍ପ କେଇ ବର୍ଷ ତଳେ ଜଣେ ବନ୍ଧୁଙ୍କ ଆତିଥ୍ୟରୁ ଶେଷଥର ପାଇଁ ଚିଲିକା ଭ୍ରମଣର ସୌଭାଗ୍ୟ ପାଇଥିଲି | ଦୀଗନ୍ତ ପ୍ରସାରି ଚିଲିକାର ନୀଳ ଜଳରାଶି ଓ ତା ଉପରେ ବିଭିନ୍ନ ପ୍ରଜାତିର ପକ୍ଷୀ
ଙ୍କ କ୍ରୀଡାବିନୋଦ, ଯେ କୌଣସି ପ୍ରକୃତିପ୍ରେମୀ ପାଇଁ ସ୍ବପ୍ନରାଜ୍ୟର ଅଳକାପୁରୀ କହିଲେ ଅତ୍ୟୁକ୍ତି ହେବନାହିଁ |
ବିଶାଳ ଚିଲିକା ହ୍ରଦ ଓଡିଶାର ତିନିଟି ଜିଲ୍ଲାକୁ ଲାଗିଛି- ପୁରୀ, ଖୋର୍ଦ୍ଧା ଓ ଗଂଜାମ | ମୋଟାମୋଟି ଦେଖିବାକୁ ଗଲେ ଏହା ପୁରୀ ଜିଲ୍ଲାର ଦକ୍ଷିଣରେ, ଖୋର୍ଦ୍ଧାର ପୂର୍ବରେ ଓ ଗଂଜାମର ଉତ୍ତର ଦିଗରେ ଅବସ୍ଥିତ | ପୂର୍ବ ଦିଗରେ ସମୁଦ୍ର ସହିତ ସଂଯୁକ୍ତ ଥିବାରୁ ଏହାର ଜଳ ଲବଣାକ୍ତ | ଏହାର ଚତୁର୍ଦ୍ଦିଗରେ ଅନେକ ମତ୍ସ୍ୟଜୀବୀ ଗାଁ ରହିଛନ୍ତି | ତନ୍ମଧ୍ୟରୁ ମଂଗଳାଯୋଡି ଅନ୍ୟତମ | ଭୁବନେଶ୍ବରରୁ ଏହି ଗାଁଟିର ଦୂରତା ପ୍ରାୟ ୭୦ କିଲୋମିଟର | ଶୀତର ଆଗମନରେ ଏହି ସ୍ଥାନ ବିଦେଶାଗତ ପକ୍ଷୀଙ୍କ କାକଳିରେ ଭରିଉଠେ | ଶୀତ ଆସିଲେ ସାଇବେରିଆ, କାସ୍ପିୟାନ୍ ହ୍ରଦ, ମଂଗୋଲିଆ, ଆରବ ସାଗର ଆଦି ଦୂରଦୂରାନ୍ତ ଅଂଚଳରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଏଠାକୁ ଉଡି ଆସନ୍ତି | ଏହି ସ୍ଥାନ ବର୍ତ୍ତମାନ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପକ୍ଷୀ ନିରୀକ୍ଷଣ ସ୍ଥଳ ଭାବେ ମାନ୍ୟତା ପାଇଛି |
ଓଡିଶାର ଅନେକ ଅଂଚଳ ଏହିପରି ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ | ଆସନ୍ତୁ, ଏହି ପର୍ଯ୍ୟଟନ ୠତୁରେ ଏହି ନୈସର୍ଗିକ ଶୋଭାର ଆନନ୍ଦ ନେବା ଓ ସେଥିପାଇଁ ବହିରାଗତ ଅତିଥିମାନଙ୍କୁ ଉତ୍ସାହିତ କରିବା |