ନିଃସହାୟ ସନ୍ଧ୍ୟା
ନିଃସହାୟ ସନ୍ଧ୍ୟା
ନାରୀ ଯେତେ ଶିକ୍ଷିତା ହେଲେ ବି କୌଣସି ଏକ ମୁହୂର୍ତ୍ତରେ ସେ ନିଜକୁ ଖୁବ୍ ଅସୁରକ୍ଷିତ ମନେକରେ । ହଠାତ ବିନା ସଜାଗରେ କୌଣସି ଅପରିଚିତ ଜାଗାରେ ପହଞ୍ଚିଗଲେ କି କିଛି ଅପରିଚିତ ଲୋକ ତାକୁ ବିନା କାରଣରେ ବାରମ୍ବାର ବୁଲି ବୁଲି ଅନୁକରଣ କଲେ ସେ ଖୁବ୍ ଭୟଭୀତ ହେଇଯାଏ । ତା ମନରେ ବହୁତ ଅଘଟଣର ଆଶଙ୍କା ଉଙ୍କିମାରେ । ଏମିତି ଗୋଟେ ପରିସ୍ଥିତିକୁ ସାମ୍ନା କରିଥିଲେ ମିସେସ୍ ସୋନିଆ ତ୍ରିପାଠୀ ।
ମିସେସ୍ ସୋନିଆ ସେଦିନ ନିଜ ଡିଉଟି ସାରି ସନ୍ଧ୍ୟା ସମୟରେ ଭୁବନେଶ୍ୱର ଷ୍ଟେସନରୁ ନିଜର ବାସଭବନ କଟକ ଅଭିମୁଖେ ଯାତ୍ରା କରିବାପାଇଁ ଟ୍ରେନ୍ ରେ ବସିପଡିଲେ । କିନ୍ତୁ ଟିକିଏ ଅନ୍ୟମନସ୍କତା ହେତୁ ସେ ପୁରୀ ତାଳଚେର ଟ୍ରେନରେ ବସିବା ପରିବର୍ତ୍ତେ ପୁରୀ ଅନୁଗୁଳ ଟ୍ରେନରେ ବସିପଡିଥିଲେ । କାରଣ ଦୁଇଟି ଯାକ ଟ୍ରେନ୍ ପ୍ରାୟ ମାତ୍ର ଅଳ୍ପ ସମୟ ବ୍ୟବଧାନରେ ସେଦିନ ଭୁବନେଶ୍ୱର ଷ୍ଟେସନରୁ ଛାଡିଥିଲା । ମିସେସ୍ ସୋନିଆ ଟ୍ରେନ୍ ରେ ବସି ମୋବାଇଲରୁ ଗୀତ ଶୁଣୁଥାଆନ୍ତି । ପୁରୀ ଅନୁଗୁଳ ଟ୍ରେନଟି କଟକ ଷ୍ଟେସନ ଦେଇ ନଯାଇ ବାରଙ୍ଗ ଷ୍ଟେସନରୁ ନରାଜ ପଟ ଦେଇ ଅନୁଗୁଳ ଅଭିମୁଖେ ଯାତ୍ରା କରିବାକୁ ଲାଗିଲା । ସାଧାରଣତଃ ମିସେସ୍ ସୋନିଆ ଭୁବନେଶ୍ୱର ଷ୍ଟେସନରୁ ସନ୍ଧ୍ୟା ୬.୧୫ ମିନିଟରେ ଟ୍ରେନରେ ବସିଲେ ୭.୦୦ରେ ପ୍ରାୟ କଟକ ଷ୍ଟେସନରେ ପହଞ୍ଚି ଯାଆନ୍ତି । ସେଦିନ କିନ୍ତୁ ମିସେସ୍ ସୋନିଆ ଟିକିଏ ଅସାବଧାନତା ହେତୁ ସେତେବେଳକୁ ନରାଜ ଷ୍ଟେସନ ଅତିକ୍ରମ କରିସାରିଥିଲେ । ଏମିତି ଗୋଟିଏ ପରେ ଗୋଟିଏ ଷ୍ଟେସନ ଅତିକ୍ରମ କଲାପରେ ସେ କୌଣସି ଏକ ଯାତ୍ରୀଙ୍କୁ କଟକ ଷ୍ଟେସନ ଆଉ କେତେ ସମୟ ପଚାରିବାରୁ ସେ ଯାତ୍ରୀ ଜଣକ ଏହା ଢେଙ୍କାନାଳର ପୂର୍ବ ଷ୍ଟେସନ ବୋଲି କହିଲେ । ସେତେବେଳକୁ ରାତି ୮ଟା ଉପରେ ହେଲାଣି । ମିସେସ୍ ସୋନିଆଙ୍କୁ ଏସବୁ ଶୁଣି ବୋହୁତ କାନ୍ଦ ଲାଗିଲା । ସେ କିନ୍ତୁ ନିଜକୁ ଦମ୍ଭ କଲେ । ସେ ଜାଣିଥିଲେ ଯେ ଆଜି ତାଙ୍କୁ ଏ ବିପଦରୁ ରକ୍ଷା କରିବାପାଇଁ ନିଜକୁ ହିଁ ଅଣ୍ଟା ଭିଡିବାକୁ ପଡିବ । କାରଣ ତାଙ୍କ ସ୍ୱାମୀ ଆଜି କିଛି ଅଫିସିଆଲ କାମ ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । ଘରେ ସେମିତି କେହି ନାହାନ୍ତି ଯିଏ ଆସି ତାଙ୍କୁ ରକ୍ଷା କରିବ ଏଇ ବିପଦରୁ । ଟ୍ରେନ୍ ଭିତରେ ସେତେବେଳକୁ କେତେଜଣ ଯାତ୍ରୀ ତାଙ୍କୁ ବୋହୁତ ଡରେଇ ଦେଉଥିଲେ ଯେ କଟକ ଯିବାପାଇଁ ରାତିରେ ଆଉ କିଛି ବସ୍ କି ଟ୍ରେନ୍ ସୁବିଧା ନାହିଁ । କେହି କେହି କହୁଥିଲେ ଏକୁଟିଆ ଝିଅଟି ବୋହୁତ ଅସୁବିଧାରେ ପଡିବ । ଆହୁରି ମଧ୍ୟ କହୁଥିଲେ ରାତିରେ ଢେଙ୍କାନାଳ ଷ୍ଟେସନ ସୁରକ୍ଷିତ ନୁହେଁ । ଏମିତି ଅନେକ କିଛି
। ଶେଷରେ ଢେଙ୍କାନାଳ ଷ୍ଟେସନ ଆସିଲା । ଜଣେ ବୟସ୍କ ଦମ୍ପତି ସେଠି ଓଲହାଇବାକୁ ଚେଷ୍ଟା କରିବା ସମୟରେ ମିସେସ୍ ସୋନିଆଙ୍କୁ ସେଇ ଢେଙ୍କାନାଳ ଷ୍ଟେସନରେ ଓଲହାଇ ବସରେ କଟକ ଚାଲିଯିବାପାଇଁ ପରାମର୍ଶ ଦେଲେ । ସୋନିଆ ମଧ୍ୟ ଶେଷରେ ତାଙ୍କ କଥା ମାନି ଢେଙ୍କାନାଳ ଷ୍ଟେସନରେ ଓଲହାଇ ସେଇ ଦମ୍ପିତିଙ୍କ ସହିତ ବସ୍ ଷ୍ଟାଣ୍ଡ ଯାଏ ଆସିଲେ । ସେଠି ପହଞ୍ଚି ସେଇ ବୟସ୍କ ଦମ୍ପତି ମିସେସ୍ ସୋନିଆଙ୍କୁ କହିଲେ , ଏଠି ବସ୍ କୁ ଅପେକ୍ଷା କର । ୮.୪୦ ଭିତରେ ବସ୍ ନଆସିଲେ ଜାଣିଯିବ ଯେ ଆଉ ବସ୍ ଆସିବନାହିଁ । ୮.୪୫ ଯାଏଁ ଏଠାରେ ଅପେକ୍ଷା କରି ମତେ ଫୋନ କରିବ । ମୋ ଘର ବସ୍ ଷ୍ଟାଣ୍ଡରୁ ୧୫ ମିନିଟ ର ରାସ୍ତା । ମୁଁ ଆସି ଆମଘରକୁ ନେଇଯିବି । ରାତିରେ ମୋ ପରିବାର ସହିତ ରହି ସକାଳେ ବସ୍ ରେ କଟକ ଚାଲିଯିବ । ଏତିକି କହି ସେ ଦମ୍ପତି ମିସେସ୍ ସୋନିଆଙ୍କୁ ନିଜର ଫୋନ ନମ୍ବର ଦେଲେ । ମିସେସ୍ ସୋନିଆ ସେଇ ବସ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ରହିଲେ । ଭୟରେ ସେ ଗୋଟା ପଣେ ଥରୁଥାନ୍ତି । ଧୀରେ ଧୀରେ ସେଠିକାର ଦୋକାନ ବଜ଼ାର ସବୁ ବନ୍ଦ ହେବାକୁ ଲାଗିଲା । ଜନଗହଳି କମି କମି ଆସିଲା । ଦୁଇଚାରିଟା ହାଟାକାଟା ଟୋକା କେବଳ ସେଠି ବାଇକ ଧରି ବୁଲୁଥିଲେ । ସେମାନଙ୍କୁ ଦେଖି ମିସେସ୍ ସୋନିଆ ଭୟରେ ଛେପ ଢୋକୁଥିଲେ । ତାଙ୍କ ଦେହରୁ ଝାଳ ଗମ୍ ଗମ୍ ବାହାରୁଥିଲା । ସେତେବେଳକୁ ପ୍ରାୟ ୯ ଟା ବାଜି ଗଲାଣି । ଚାରିଆଡେ କିଟ୍ କିଟ୍ ଅନ୍ଧାର । ଶେଷରେ ମିସେସ୍ ସୋନିଆ ନିରୁପାୟ ହେଇ ସେଇ ବୟସ୍କ ଦମ୍ପତିଙ୍କୁ ଫୋନ କରିବାକୁ ନିଷ୍ପତ୍ତି ନେଲେ । ଫୋନ କରିବେ କରିବେନି ବୋଲି ଭାବୁ ଭାବୁ ୯ଟା ୨୦ମିନିଟ ହେଇଗଲାଣି । ହଠାତ ବସ୍ ଟିଏ ଆସୁଥିବାର ଦେଖାଗଲା । ବସ୍ ଟି ମିସେସ୍ ସୋନିଆଙ୍କୁ ଦେଖି ଅଟକିଗଲା । ବସ୍ ଭିତରେ ବହୁତ ଭିଡ । ଶେଷରେ ମିସେସ୍ ତ୍ରିପାଠୀ କେବଳ ଦୁଇଟି ପାଦ ରଖିବା ପାଇଁ ଜାଗାଟିଏ ପାଇଗଲେ । ବସ୍ ବାହାରିଲା କଟକ ଅଭିମୁଖେ । ହେଲେ ଦୁର୍ଭାଗ୍ୟ ବଶତଃ ପ୍ରାୟ ଘଣ୍ଟାଟିଏ ବସ୍ ଟି ଆଗକୁ ଯିବାପରେ ଏକ ଜଙ୍ଗଲିଆ ରାସ୍ତାରେ ଖରାପ ହେଇଗଲା । ଓଃ କି ଦୁର୍ଭାଗ୍ୟର ବିଷୟ । ସେଇଠି ପୁଣି ପ୍ରାୟ ଅଧଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ମିସେସ୍ ସୋନିଆଙ୍କୁ । ଶେଷରେ ରାତି ଏଗାରଟା ପାଖାପାଖି ସେ ଆସି କଟକରେ ପହଞ୍ଚିଲେ । ଘରେ ପହଞ୍ଚି ସେ ଖୁବ୍ ଭୟରେ ଥରୁଥିଲେ । ମନରେ ଅସୁମାରୀ ଆଶଙ୍କା । ମନେମନେ ଭାବୁଥିଲେ ଯେ ଆଜି କେତେବଡ ବିପଦରୁ ସେ ରକ୍ଷା ପାଇଲେ । ସତରେ ନାରୀଟିଏ ଯୁଗେ ଯୁଗେ ନିଜକୁ ସବୁ ସ୍ଥାନରେ ଅସୁରକ୍ଷିତ ମନେକରେ । ବିପଦ ଥାଉକି ନଥାଉ ସେ ଭୟଭୀତ ହେଇପଡ଼େ ବିପଦର ଆଶଙ୍କାରେ ।