STORYMIRROR

PRIYANKA PRIYADARSINI

Children Stories Children

4  

PRIYANKA PRIYADARSINI

Children Stories Children

ନାଲି ଝୁମୁକା

ନାଲି ଝୁମୁକା

2 mins
425

       ଚାରି ପାଖରେ ଶହ ଶହ ଅଜଣା ଲୋକ, କେତେ ବୟୋଜ୍ୟେଷ୍ଠ ବ୍ୟକ୍ତି, କେତେ କୁନି କୁନି ପିଲା ମେଳାରେ କେତେ ହସ ଖୁସିରେ ବୁଲୁଛନ୍ତି......ମାମା କିନ୍ତୁ ମଝିରେ ପଡ଼ିଥିବା ଗୋଟିଏ ପଥର ଉପରେ ଚୁପ୍ ଚାପ୍ ବସିଥାଏ। ବୟସ ଏଇ ଆଠ କି ନଅ ବର୍ଷ ହେବ। ଆଖିରୁ ଲୁହ ଧାର ଧାର ହୋଇ ବହି ଯାଉଥାନ୍ତି, କିଛି ଲୁହ ଶୁଖି ଯାଇ ଗୋରା ଗୋରା ଗାଲ ଉପରେ ଧୂସର ରଙ୍ଗର ଆସ୍ତରଣ ଜମାଇ ସାରିଥାନ୍ତି। ଏତେ ଅଜଣା ଲୋକଙ୍କ ଭିତରେ ଆଖି କେବଳ ନିଜ ମାଆ , ବାପାଙ୍କୁ ଖୋଜୁଥାଏ। ବାପା ମାଆଙ୍କ ସହ ମେଳା ବୁଲି ଆସିଥିବା ବେଳେ ଏକା ରହିଯାଇଥିଲା ପଛରେ। ଅବଶ୍ୟ ଏଥିରେ ନା ବାପା ମାଆଙ୍କର ଭୁଲ୍ ଥିଲା ନା ମେଳାରେ ବୁଲୁଥିବା ଏହି ଅଜଣା ଲୋକଙ୍କର, ଭୁଲ୍ ତ ମାମାର ହିଁ ଥିଲା। ମେଳାରେ ବୁଲୁଥିବା ସମୟରେ ହଠାତ୍ ନଜର ପଡ଼ିଥିଲା ପାଖରେ ଥିବା ଦୋକାନ ଉପରେ, ନାଲି ନେଳି ସୁନେଲି କରି ଅନେକ ପ୍ରକାରର ଝୁମୁକା , କାଚ , ରିବନ୍ ଆଦି ସଜା ହୋଇଥାଏ। ମାମାର ନଜର କିନ୍ତୁ ପଡ଼ିଥିଲା ନାଲି ଝୁମୁକା ଉପରେ। ମନକୁ ଖୁବ୍ ପାଇଥିଲା ସେ ଝୁମୁକା ହଳକ, କିଣିବା ପାଇଁ ମାଆ ବାପାଙ୍କ ଆଗରେ ଜିଦି କରି ବସିଲା, ବାପା ଙ୍କ ପାଖରେ ପଇସା ଥିଲା ସତ କିନ୍ତୁ ତା ଉପରେ ହକ ନଥିଲା। ଘରେ ରୋଷେଇ ହୋଇ ନ ଥିଲା, ମେଳାରେ ନହେଲେ ଫେରିଲା ବେଳେ ରାସ୍ତାରେ କୋଉଠି ଖାଇକି ଫେରିବାର ଥିଲା। ବାପା ଖୁବ୍ ଅସହାୟ ଅବସ୍ଥାରେ ମାଆ ଙ୍କୁ କିଛି ଇଶାରା କଲେ। ମାଆ ମାମା କୁ ଖୁବ୍ ବୁଝାଇଲେ କିନ୍ତୁ ମାମା ବୁଝି ନଥିଲା। ରାଗରେ ସେ ସେହି ଦୋକାନ ପାଖରେ ହିଁ ଛିଡ଼ା ହୋଇ ରହିଲା। ବାପା ମା ତାକୁ ଟିକେ ଭୟଭୀତ କରିବା ପାଇଁ ଏବଂ ଜିଦି ଛାଡ଼ି ଦେବା ପାଇଁ ତାକୁ ସେଥି ଛାଡ଼ି ଟିକେ ଆଗକୁ ବଢ଼ି ଗଲେ। ମାମା କିନ୍ତୁ ତାଙ୍କ ପଛରେ ଗଲା ନାହିଁ, କିଛି ସମୟ ପରେ ସେପାଖରେ ମାଆଙ୍କର(ଠାକୁରାଣୀ ଙ୍କ ର) ତୋରଣ ଗଲା, ସେଥିରେ ଅନେକ ଲୋକ ଥିଲେ ଏବଂ ସେହି ଗହଳି ଭିତରେ ମାମା କୋଉଠି ହଜି ଗଲା, ହଜି ଗଲେ ତା ବାପା ମାଆ। 


      ଏମିତି ଅନେକ ସମୟ ବସି ରହିଲା ପରେ ମାମା ମନେ ମନେ ଠିକ୍ କରିଲା , ଆଉ କେବେ ହେଲେ ଏପରି ଜିଦି କରିବ ନାହିଁ, ସବୁ ବେଳେ ବାପା ମା ଙ୍କ କଥା ମାନିବ। ଏତିକି ବେଳେ ଜଣେ ପୋଲିସ ଆସି ପହଞ୍ଚିଲେ ମାମା ପାଖରେ। ମାମାର ସବୁ କଥା ଶୁଣିଲା ପରେ ସେ ତାକୁ ନେଇ ମାଇକ ଲାଗିଥିବା ଜାଗାକୁ ଗଲେ, ସେଥିରେ ମାମାର ବାପା ଙ୍କ ନାମ ନେଇ ଘୋଷଣା କରିଲେ ମାମା କୁ ସେଠାରୁ ନେଇ ଯିବା ପାଇଁ। ଏ ଘୋଷଣା ମାମା ର ବାପା ମାଆ ମଧ୍ୟ ଶୁଣିଲେ ,କିଛି ସମୟ ପରେ ସେମାନେ ଆସି ମାମାକୁ ସାଥିରେ ନେଇ ଗଲେ। ବାପା ମା ଙ୍କୁ ପାଖରେ ପାଇ ମାମା ଏତେ ଖୁସି ହୋଇ ଯାଇଥିଲା ଯେ ନାଲି ଝୁମୁକା କଥା ମନରୁ ପାଶୋରି ଦେଇଥିଲା। 


* କେବେହେଲେ ଜିଦି କରିବ ନାହିଁ। ନହେଲେ ମାମା ଭଳି ହଟହଟା ହେବ। ସବୁବେଳେ ଗୁରୁଜନଙ୍କ କଥା ମାନିବ , ସେମାନେ ସବୁବେଳେ ଆମର ଭଲ ଚିନ୍ତା କରନ୍ତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍