ମୂର୍ଖ
ମୂର୍ଖ
ଜଙ୍ଗଲରେ କୋକିଶିଆଳୀଟିଏ ରହୁଥାଏ । ଦିନେ ମାଂସ ଖାଉ ଖାଉ ତାର ତଣ୍ଟିରେ ହାଡ଼ ଖଣ୍ଡେ ଲାଗିଗଲା । ତାକୁ ବହୁତ କଷ୍ଟ ହେଲା । ବହୁ ଚେଷ୍ଟା କରି ମଧ୍ୟ ହାଡ଼ ଖଣ୍ଡଟା ବାହାରିଲା ନାହିଁ । ସେ ଜଙ୍ଗଲଯାକ ବୁଲି ସମସ୍ତଙ୍କର ସାହାଯ୍ୟ ମାଗିଲା । ହାଡ଼ଟାକୁ ଯିଏ ବାହାର କରିଦେବ ତାକୁ ପୁରସ୍କାର ଦେବାକୁ ମଧ୍ୟ କହିଲା । ମାତ୍ର କେହି ହେଲେ ପାରିଲେ ନାହିଁ । ଶେଷରେ ପୋଖରୀ କୂଳରେ
ବସିଥିବା ବଗଟିଏ ଆଗେଇ ଆସିଲା । କୋକିର କଷ୍ଟ ଦେଖ୍ ତା ମନରେ ଦୟା ହେଲା । ପୁରସ୍କାର କଥା ଶୁଣି ମଧ୍ୟ ତାର ଲୋଭ ହେଲା । ସେ କୋକି ପାଟିରେ ତାର ଲମ୍ବା ଥଣ୍ଟ ପୁରାଇ ହାଡ଼ଟିକୁ କାଢ଼ିଦେଲା । ତାପରେ ନିଜର ପୁରସ୍କାର ମାଗିଲା । କୋକିକୁ ଆରାମ ଲାଗୁଥାଏ । ସେ ମୁରୁକି ହସି କହିଲା– ‘ଆରେ ବୋକା, ତୋ ମୁଣ୍ଡଟା ମୋ ପାଟି ଭିତରେ ଥିବାବେଳେ ମୁଁ ତାକୁ ନ ଚୋବେଇ ଛାଡ଼ି ଦେଲି । ଏହାଠାରୁ ବଡ଼ ପୁରସ୍କାର ତୋର ଆଉ କଅଣ ଅଛି ?’
