Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Satyabati Swain

Children Stories


4  

Satyabati Swain

Children Stories


ମୁଁ ଦୁର୍ଗା କହୁଛି

ମୁଁ ଦୁର୍ଗା କହୁଛି

6 mins 130 6 mins 130

ମୋ ଜନ୍ମ ପରେ ମାଆ ଲାଳ ଜୁଡୁ ବୁଡୁ ଦେହଟାକୁ ତାର ଦୁଇ ପାପୁଲିରେ ଧରି ଆକୁଳ ହୋଇ ମୋ ମୁହଁକୁ ଚାହିଁଥିବା ବେଳେ ଦି ଟୋପା ଲୁହ ନିଗିଡି ପଡିଥିଲା ମୋରି କୁନି ପାଟିରେ । କଣ ଭାବି ମୁଁ ଚାଟି ଦେଇ ଥିଲି ସେ ଲୁହକୁ । ଭୁଲିବି କେମିତି ମାଟି ଛୁଇଁବା ପରେ ପରେ ପ୍ରଥମ ସ୍ୱାଦ! ମାଆ ହୃଦୟ ରକ୍ତ ଲୁହ ହେଇ ଝରି ପଡିଥିଲା ମୋରି ପାଟିରେ....


ମୋ ପୂର୍ବରୁ ପିନା,ମାନା ଓ ସୁନା ନାନୀ ଜନ୍ମ ହେଇ ସାରିଥିଲେ । ଏଣୁ ମୁଁ ଯେତେବେଳେ ଜନ୍ମ ନେଲି କେବେଳ ଅଶ୍ରଦ୍ଧା ହିଁ ସାଉଁଟି ଥିଲି । ଖୁସି ପରିବର୍ତ୍ତେ ଦୁଃଖ ହିଁ ଭରିଥିଲା ସବୁରି ଅନ୍ତରେ । 

 

ଜେଜେବାପା ଓ ଜେଜ ମାଆ ତ ଭାଙ୍ଗି ପଡ଼ିଥିଲେ ତିତଲ୍ ପରି ବାତ୍ୟା ମାଡରେ ସରୁ ନହାକା ନଡ଼ିଆ ଗଛ ଭାଙ୍ଗିଲା ପରି । 


ମାଆ କୁହେ ଜେଜେ ବାପା କହିଲେ "ଯା ଶଳା ଆମ ଭାଗ୍ୟରେ ଅଣ୍ଡିରା କାଉର ମୁହଁ ଦେଖିବା ନାହଁେ । ଗୋଟାଏ ନୁହେଁ ଦୁଇଟା ନୁହେଁ ଚାରି ଚାରିଟା କୁଲା"......


ବାପା ବୋଉ ମୁହଁକୁ କୁଆଡେ ଚାହିଁନଥିଲେ ସାତ ମାସ କାଳ"କାହିଁକି ଖାଲି ମାଈ ଛୁଆ ଜନ୍ମ କରୁଛି ବୋଲି" । 


କିନ୍ତୁ କେହି ଆଜି ପର୍ଯ୍ୟନ୍ତ ବୁଝିବାକୁ ନାରାଜ ଝିଅ ଜନ୍ମ ହେବା ପଛରେ ପୁରୁଷ ଓରଫ ବାପାମାନେ ହିଁ ସମ୍ପୂର୍ଣ୍ଣ ଦାୟୀ-!


କେଉଁଠି ପହଁଞ୍ଚଲାଣି ଶିକ୍ଷା, ଦୀକ୍ଷା, ଯୁଗ । ପୁଅଝିଅ ସଭିଏଁ ସମାନ ବାକ୍ୟଟି ଲେଖାରେ ବା ଶୁଣାରେ ସୁନ୍ଦର । କିବା ପୋଷ୍ଟର, କାନ୍ଥ,ସ୍ଲୋଗାନରେ ଏ ବାକ୍ୟଟି ଭଲ ଲାଗେ ପଢିବାକୁ, ଶୁଣିବାକୁ । ଏହାକୁ କାମରେ ଦେଖାଇବା ଲୋକ କାହାନ୍ତି?କାହାନ୍ତି ଶତ ପ୍ରତିଶତ ଅନ୍ତକରଣରୁ ଝିଅଙ୍କୁ ଶ୍ରଦ୍ଧା, ସମ୍ମାନ ଭଲ ପାଇବା ଲୋକ!


ଯେଉଁମାନଙ୍କର ଗୋଟିଏ ମାତ୍ର ସନ୍ତାନ ଯେକି ଝିଅ......ସେମାନଙ୍କ ଭିତରକୁ କେବେ ଖେଳେଇଛନ୍ତି? ହୁଏତ ସେମାନେ ପରିସ୍ଥିତି ସହ ସାଲିସ୍ କରି ନେଇଛନ୍ତି । ଥରେ ପଶନ୍ତୁ ତ ତାଙ୍କ ଭିତରେ । ଦେଖିବେ ଲହୁ ଲୁହାଣ ପ୍ରତି ମୁହୂର୍ତ୍ତରେ ହେଉଥିବେ, ନିରବେ କୁହୁଳୁଥିଵେ, କିନ୍ତୁ ବାହାରକୁ ଦେଖେଇ ହେଉଥିବେ ଖୁସିର ଦର୍ପଣ । 

 

କିନ୍ତୁ......କିନ୍ତୁ କେବେ ବି ଥରେ ତ ସେମାନେ ନିଶ୍ଚିନ୍ତ ବିକଳ ହେଇଛନ୍ତି "ପୁଅଟିଏ ଥାଆନ୍ତା କି"ସମ୍ଭାବ୍ୟ ଅସହାୟତାରେ । ଅଭିନୟ କରିଛନ୍ତି ଓ କହିଛନ୍ତି, "ଏଇ ଗୋଟିଏ ଝିଅକୁ ମଣିଷ କଲେ କୋଟିଏ ପୁଅର କାମ ଦେବ" ବଡ଼ ପାଟିରେ । ଯେବେ ପଚାରନ୍ତି ତୋର କେତୋଟି ପିଲା ପିଲି । ଉତ୍ତର ପୁଅ ହୋଇଥିଲେ ଉଲ୍ଲସିତ ହୋଇ ଶୁଣିବେ । ଝିଅ ହୋଇଥିଲେ ,ହଁ ଭାଇ ଗୋଟିଏ ଝିଅ ଆଉ । ଶୁଖିଲା ଲାଗିବ ଉତ୍ତର । 


କାହିଁକି ଝିଅଟିଏ ଜନ୍ମରେ ହସି ଉଠୁନି ପ୍ରେତ୍ୟକଙ୍କ ଘର,ମନ ଓ ଚାରିପାଖ ?

ଖୁସିର ଅଭିନୟ କରୁଥିବା ବାପା ମାଆ ମାନେ କହିଛନ୍ତି ଧୀରେ....ଅନୁଚ୍ଚ ସ୍ୱରରେ" ଝିଅ ତ ପର ପରିବା, ନ୍ୟାସ , ସେ କଣ ମୁହଁରେ ନିଆଁ ଦେବ, ନା ସାତ ଆଣ୍ଠୁ ମାଡି ପିଣ୍ଡ ପକାଇବ!!

 

ଯଦିଓ ଏବେ କେଉଁଠି ନା କେଉଁଠି ଝିଅମାନେ ନିଆଁ ଦେଲେଣି ତେବେ ବି ଏ ଅନ୍ଧ ବିଶ୍ୱାସର ଜଡ ଅନେକ ଗଭୀର । ଉପାଡି ଫିଙ୍ଗିବା ଅତି ହିଁ କଷ୍ଟ, ଲାଗେ ଅସମ୍ଭବ ବି । 

 

ଲୋକେ କୁହନ୍ତି ଝିଅଟି ଆଉ କାର ବଂଶ ବୃକ୍ଷ । କାହା ବଗିଚା ଶୋଭା ବଢାଇବ । ଯାହା ହେଲେ ବା କଲେ ଅବିବାହିତ ଯାଏ ତାଙ୍କର ଅଧିକାର ଓ ଗର୍ବ । 

 

ମାତ୍ର ବିବାହ ପରେ ସେ ସ୍ୱାମୀ, ଶାଶୁଘରର ସମ୍ପତ୍ତି ସେ । ଏପରିକି ଝିଅକୁ ସେହ୍ନର ଗୋଟିଏ ଭଲ ଉପହାର ଦେବାକୁ ହେଲେ, ବା କେଉଁ ଜାଗାକୁ ବୁଲେଇବାକୁ ଇଛା କଲେ ଶାଶୁଘର ଲୋକଙ୍କ ଅନୁମତି ଆବଶ୍ୟକ ପଡେ । ଏମିତି କି ଝିଅ ତା ନିଜ ଘର ଯେଉଁଠି ବଢିଲା, ପଢିଲା,

ନିଜକୁ ଗଢିଲା,ସେଠିକୁ ଯିବାକୁ ହେଲେ ଅନୁମତି ମାଗିବାକୁ ପଡେ । 


ବିଚିତ୍ର କିନ୍ତୁ ଏଇ ନୀତି....ଝିଅର ଜୀବନ,

ଜୀଇଁବା,ଶିକ୍ଷା, ସଂସ୍କୃତି ....ଶକ୍ତି । । 

 

ମୋ ଜନ୍ମରେ ଷଠି ଘର ହେଇନି । ଷଠି ଦୁତିକୁ କେହି ମାଗିନି ମୋ ପାଇଁ ଆୟୁ,ସୁଖ, ସୌଭାଗ୍ୟ

....ହେଇନି ଏକୋଇଶିଆ,ନାମକରଣ ବିଧି , ସତ୍ୟନାରାୟଣ ପାଲା । କେଉଁ ଜ୍ୟୋତିଷ ପାଖକୁ ଯାଇ ଖଡ଼ି ପକାଇ, ଘର କାଟି କରାଯାଇନି ଜାତକ । ସମସ୍ତଙ୍କ ଇଚ୍ଛା "ଝିଅଟା ଅବହେଳାରୁ ମରି ଯାଉ" । 


ସେଥିପାଇଁ ମାଆର ବି ଯତ୍ନ ନିଆ ଯାଇନି । ସୁଷମ ଖାଦ୍ୟ କି ହେପାଜତ କରା ହେଇନି । । ମାଆ କୁହେ ମୋ ଜନ୍ମର ସାତ ଦିନ ପରେ ପରେ ସେ ଘରର ସବୁ କାମ କରିଛି । ଆକ୍ରୋଶମୂଳକ ଭାବେ ମାଆ ଉପରେ ଅଧିକରୁ ଅଧିକ କାମର ଚାପ ଦିଆ ଯାଇଛି । 

 

ମାଆ ଦୋଷୀ !ସେ ଚାରିଟି ଝିଅ ଜନ୍ମ କରିଛି ଯେ... ମହାପାପ କରିଛି । ତାକୁ ଦଣ୍ଡ ମିଳିବା ଉଚିତ । 

 

ଜଳଖିଆ ଦୋକାନ ଆମର । ଯେତେ ବିରି ଛଡା ଯାଇ ବଟା ହେବ, ଯେତେ ଚାଉଳ ଗ୍ରାଇଣ୍ଡିଂ ହେବ, ମସଲା ବଟା ଯିବା, ଦୋକାନ ସମସ୍ତ ବ୍ୟବ୍ୟହୃତ ହାଣ୍ଡି କଡା ଇତ୍ୟାଦି ମଜା ହେବ ସେ ସବୁ କାମ ମାଆର । 


କାରଣ ସେ ଚାରିଟା ଝିଅର ମାଆ । ଖାଇଲା ବେଳକୁ ଯଦି ବଳିଛି ଖାଇବ ନଚେତ ଶୁଖିଲା ଇଟିଲ୍ କି ଶୁଖିଲା ରୁଟି ଓଟାରି ହେବ । 

 

ସତରେ ଭାବେ ମାଆ କେମିତି ଏ ସବୁ ସହେ !ଏତେ ପାଇଟି କେମିତି କରେ!


ସବୁ ଭିତରେ ବି ସେ ଭୁଲିନଥାଏ ମୋତେ କ୍ଷୀର ଖୁଆଇବା । କାମ ମଝିରେ ମଝିରେ ଉଠି ଆସି ମୋତେ ତା ଛାତିକୁ ଆଉଜାଇ ନିଏ । ମୁଁ ଭାରି ସ୍ୱାର୍ଥପର । ମୁଣ୍ଡ ହଲାଇ ହଲାଇ ଲାଖି ଯାଏ ମାଆ ଛାତିରେ । ଟାଣିନିଏ ତା ଭିତରର ସମସ୍ତ ଇଟିଲ, ରୋଟିକୁ । । 


ଫୁଣ୍ଟାଏ କି ଦୁଇ ଫୁଣ୍ଟା କ୍ଷୀର ବାହାରେ କି ନାହିଁ । ମୁଁ ତା ଛାତିକୁ ରଗଡି ରଗଡି ଭେଁ କିନା କାନ୍ଦି ଉଠେ । ମାଆ ଆଉ ପଟେ ଛାତିରେ ମୋ ମୁହଁ ଗୁଞ୍ଜିଦିଏ । ମୁଁ ପୁଣି ଟାଣେ ମାଆ ଶରୀରର ସମସ୍ତ ସୁଧା । ଟାଣି ଟାଣି ଅବଶ ହେଇ ଗଲେ କ୍ଷୀରରୁ ମୁହଁ ଛାଡି ଦେଇ ଟିକେ ମାଆ ମୁହଁକୁ ଚାହିଁ ହସି ଦିଏ । ମାଆ ବୋକ ପରେ ଵୋକ ଆଙ୍କି ଦେଇ କୁହେ ମୋ ଧନର ପେଟ ପୁରୁନି ଲୋ!!


ମୁଁ ଅବୁଝା ଭାଷାରେ ହୁଁ.... ହାଁ...ଏ...ଲେ... କରେ । ମାଆ କିନ୍ତୁ ବୁଝି ଯାଏ ମୋ ଭାଷା । ମୁଣ୍ଡ ସାଉଁଳେଇ କୁହେ "ତୁ ତ ସେମିତି ଗୋଟିଏ ଭାଗ୍ୟ ପାଇଛୁ ଲୋ"...


ମୋତେ ଶୁଆଇ ପୁଣି ତା କାମରେ ଲାଗେ । ସାତ ମାସ ଯାଏ ମୋ ବାପା ମାଆ ମୁହଁ ଚାହିଁନି କି କଥା ହେଇ ନଥିଲେ । ଭଲ ଥିଲା ସେ ସମୟ । ମାଆ ମୋତେ ତା ଉଷୁମ କୋଳରେ ପୁରାଇ ନିଘୋଡ଼ ନିଦରେ ଶୁଆଇ ଦେଉଥିଲା । ମୋତେ ମାଆ କୋଳରେ ସ୍ୱର୍ଗ ମିଳୁଥିଲା । 


ମାଆର ଗୋରୁ ଖଟଣି, ମୋର ମାଆ କୋଳ ଉଭୟଙ୍କୁ ନିଦ ମାଉସୀ ଆଉଁସି ଦେଉଥିଲା । ପରମ ତୃପ୍ତିରେ ଶୋଇ ଯାଉଥିଲୁ ଆମେ ଦୁଇ ଜଣ । 


ମାତ୍ର ସାତ ମାସ ପରେ ବାପା ମୋ ଠାରୁ ମାଆକୁ ଛଡାଇ ନେଲେ । ମୋତେ ଦୂରକୁ ଠେଲିଦେଇ ମାଆକୁ ଜାବୁଡି ଧରନ୍ତି । ମାଆ ଆକୁଳରେ ଛାଟି ପିଟି ହୁଏ । ମାଆ ବାପା ମଧ୍ୟରେ ଠେଲା ପେଲା ଲାଗେ । । ଶେଷରେ ମାଆ ହାରିଯାଏ । ତା ଶରୀର ମଲା ଲୋକ ପରି ପଡେ କିଛି ସମୟ । ବେଶୀ ଏସବୁ ହୁଏ ଯେବେ ବାପା ପିଇ ଦେଇ ନିଶାରେ ଚୁର୍ ଥାଆନ୍ତି । 


ବାପାଙ୍କ ଅବହେଳା ,ଅଯତ୍ନ, ସେହ୍ନ ଅଭାବରୁ ଅଣେ ବଣେ ବଢିଲା ପରି ପିନାନୀ ପଞ୍ଚମ ଶ୍ରେଣୀ ଯାଏ ପଢି ଜଣେ ଡ୍ରାଇଭର ସଙ୍ଗେ, ମାନାନୀ ସପ୍ତମ ଯାଏ ପଢି ଜଣେ ଫେରିବାଲା ସଙ୍ଗେ ଓ ସୁନାନୀ କାହା ସଙ୍ଗେ ଯାଇ ପାରିଲାନି ଯେ ଦର ବୁଢ଼ୀ ହେଲା ବାହା ହେବାକୁ । ଅଠର ପୁରୁ ପୁରୁ ସେମାନେ ସଂସାର କଲେ ଲୁଚି ପଳାଇକି । 


ମନ ଦୁଃଖ ହୁଏ ମାଆର । ଝିଅମାନଙ୍କ ଲୁଚିକି ପଳାଇ ବାହା ହେବାକୁ । । ସମସ୍ତେ ଛି ଛା କରନ୍ତି । ଜିଙ୍ଘାସି "କହନ୍ତି ପଲେ ଜନ୍ମ କରି ରାସ ଲୀଳା ଲଗେଇଛି । ବେସରମ ଅଲାଜୁକି ଝିଅଗୁଡାଏ ଗୋରୁ ଗାଈଙ୍କ ପରି ଗଳେଇ ପକେଇଛି । ଏଠି ବି ମାଆ ଦୋଷ । 


ମାଆ କିନ୍ତୁ ଆଶ୍ୱସ୍ତ ହୁଏ ପଳାନ୍ତୁ ପଛେ ବଞ୍ଚି ଯାଇଛନ୍ତି ଆମ ଘର ନର୍କପୁରୀରୁ ଯାଇ ସେମାନେ । ଯାଆନ୍ତୁ ଜୀଅନ୍ତୁ ସେମାନଙ୍କ ଭାଗର ଇଚ୍ଛାର ଜୀବନ.....


ମଦୁଆ ଭାଡୁଆ ବାପା କଣ ହାତକୁ ଦୁଇ ହାତ କରି ପାରିଥାନ୍ତା!ନାଲି ପାଣିକୁ ତ ବାପାର ପଇସା ନିଅଁଣ୍ଟ!ଏମିତି ସଢ଼ିଥାନ୍ତେ ସାରା ଜୀବନ.... ଗୋଟିଏ ଝିଅ ଅଛି ଯେ ବୁଢ଼ୀ ହେଲାଣି । 


ପିନାନୀ ଓ ମାନାନୀର ଗୋଟିଏ ଗୋଟିଏ ପୁଅ । ସୁଖରେ ଅଛନ୍ତି ସେମାନେ ନିଜ ନିଜ ସଂସାରକୁ ନେଇ । । 


ସେମାନଙ୍କ ସାହାଯ୍ୟରୁ ମୁଁ ମାନେ"ଦୁର୍ଗେଶ ନନ୍ଦିନୀ 'ଦୁର୍ଗା କଲେଜ ମାଟି ମାଡିଛି । ଚାକିରୀଟିଏ ବି କରିଛି. । ମେଡିକାଲରେ ସ୍ୱାସ୍ଥ୍ୟ କର୍ମୀ । ସୁନାନୀକୁ ବାହା ବି ଦେଲି । କିନ୍ତୁ ଯେଉଁ ବାପା!! ଥରେ ମୋତେ କୋଳରେ ପୁରାଇନାହାନ୍ତି । ଆଖି ପୁରେଇ ଦେଖିନାହାନ୍ତି । କିଛି ଖାଇବାକୁ ଦେଇନଥିଲେ ପିଲାବେଳେ ମରିଯାଉ କହି ସେଇ 'ଦୁର୍ଗା ' ମାନେ ମୁଁ ଏବେ ବାପାର ସବୁ । 


ବାପା ମଦ ପିଇ ପିଇ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ । ସେଇଠୁ କଷ୍ଟେ ମଷ୍ଟେ ଉଧୁରିଲା ବେଳକୁ ପକ୍ଷଘାତ ରୋଗରେ ପଡିଗଲେ । କଥା କହିବା ଶକ୍ତି ନାହିଁ । ଗୋଡ଼ ହାତ ଅଚଳ । 


ବାପାର କୋଳକୁ ଝୁରୁଥିବା ମୁଁ ଏବେ କୋଳରେ ଧରି ପ୍ରତି ଦିନ ଖୁଆଇ ଦେଉଛି ବାପାଙ୍କୁ । ଅପରାଧୀ ଅପରାଧୀ ମନେ କରୁଥିବା ବାପାଙ୍କ ଆକୁଳ ମୁହଁକୁ ଦେଖି ଲୁହ ଦି ଟୋପା ବି ଜକେଇ ଆସୁଛି ମୋ ଆଖିରେ । । ସତରେ ପରିସ୍ଥିତି କେମିତି ଭାଙ୍ଗି ମୋଡିଦିଏ ମଣିଷର ଗର୍ବ!!ଅହଂକାର!! ପ୍ରଭୁତ୍ୱ, ପ୍ରତିଷ୍ଠା !!!


ମାଆ କିନ୍ତୁ ରାଗ ଗରଗର ହୋଇ ସବୁଦିନେ କହୁଛି"ଖାଇବାକୁ ଦେଉନଥିଲ ଦୁର୍ଗାକୁ ମରିବ ବୋଲି । ଦିନେ ଗେହ୍ଲା କି ସେହ୍ନ କରି ନଥିଲଟି । ଆଜି କାହା ଯୋଗୁ ବଞ୍ଚିଛ?କିଏ ସେବା ଯତ୍ନ କରୁଛି ? ନ ମରି କାହିଁକି ବଞ୍ଚିଛ?ମୋ ଛୁଆଟିର ଜୀବନ ଖାଉଛ? ଧିକ ତୁମ ବାପାପାଣିଆକୁ" । 


ଏମିତି କହୁଥିବ କାନ୍ଦୁଥିବ, ବାପାଙ୍କ ଝାଡା, ପରିସ୍ରା ସଫା କରୁଥିବ । ଦାଢ଼ି ସପ୍ତାହକେ ଥରେ ନ ଓଳେଇଲେ କହିବ "ଦେଖିଲୁ ଦୁର୍ଗା ବାପା ମୁହଁ ସାରା ଦାଢ଼ି ଭର୍ତ୍ତି ହେଇ ଗଲାଣି । କାଟି ଦେ ମାଆ । ଦାଢ଼ି ତାଙ୍କ ମୁହଁକୁ ମାନେନି" । 

   

 ମାଆ ମୁହଁକୁ ଚାହେଁ । ଭାବେ ଏଇ କଣ ତାହେଲେ ସ୍ତ୍ରୀର ସଂଜ୍ଞା!ଯେତେ ମାଡ଼ ଗାଳି,କଷ୍ଟ ଜୀବନ ତମାମ ଦେଲେ ବି ସ୍ତ୍ରୀ ଟିଏ ତା ସ୍ୱାମୀର ଭଲ ଚାହେଁ!


 ମୁଁ ଟିକେ ହସି ଦିଏ । ମାଆ ଲାଜେଇ ଯାଏ । ମାଆର ଲାଜୁଆ ମୁହଁଟା ଭାରି ଭଲ ଦିଶେ । 



Rate this content
Log in